ଶିଶୁ ଅନନ୍ତଙ୍କ ସାରସ୍ବତ ସୃଷ୍ଟିକର୍ମ

ଡ. ଭବାନୀ ଶଙ୍କର ଦାଶ

ଷୋଡ଼ଶ ଶତାବ୍ଦୀବେଳକୁ ପ୍ରାୟ ସମଗ୍ର ଭାରତବର୍ଷରେ ମୁସଲମାନ ଶାସନ ଅଭିଯାନ ପ୍ରଖର ହୋଇଉଠିଥିଲା। ଭାରତର ଗୋଟିଏ ପରେ ଗୋଟିଏ ଅଞ୍ଚଳ ମୁସଲମାନ ଶାସନାଧୀନ ହେଉଥିଲା ବେଳେ ଓଡ଼ିଶାରେ ସୂର୍ଯ୍ୟବଂଶୀ ରାଜାମାନଙ୍କର ପ୍ରଚଣ୍ଡ ପ୍ରଭାବୀ ରାଜତ୍ୱ ଯୋଗୁ ସ୍ବାଧୀନ ଓଡ଼ିଶା ଭୂଖଣ୍ଡ ବାହ୍ୟ ଆକ୍ରମଣକୁ ସଦର୍ପେ ପ୍ରତିହତ କରି ସଗର୍ବେ ମଥାଟେକି ରହିଥିଲା। ମାତ୍ର କ୍ରମେ ବିଭିନ୍ନ କାରଣରୁ ଏହା ନିସ୍ତେଜ ହୋଇ ଆସିଲା। ତେବେ ଏହିଭଳି ଏକ ସନ୍ଧିକ୍ଷଣରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ବୈଷ୍ଣବ ମତବାଦର ମହାପ୍ଳାବନ ହୋଇଥିଲା ଓଡ଼ିଶାରେ। ଯେଉଁ ଅପରିମେୟ ଐଶୀ-ଶକ୍ତିସମ୍ପନ୍ନ ସିଦ୍ଧସାଧକ ପାଞ୍ଚଜଣ ଏହି ମହାପ୍ଳାବନର କର୍ଣ୍ଣଧାର ସାଜିଥିଲେ ସେମାନେ ହେଲେ ଯଶୋବନ୍ତ, ଅଚ୍ୟୁତ, ବଳରାମ, ଜଗନ୍ନାଥ ଓ ଅନନ୍ତ। ଏମାନେ ପଞ୍ଚସଖା ନାମରେ ପ୍ରସିଦ୍ଧ। ଦାସ ଭାବରେ ପରିଚିତ ହେବା ଏମାନଙ୍କର ଥିଲା ଭକ୍ତସୁଲଭ ସରଳତା। ଧାମ ଥିଲା ଶ୍ରୀକ୍ଷେତ୍ର।
ଏହି ପଞ୍ଚସଖାଙ୍କ ମଧ୍ୟରେ ଶିଶୁ ଅନନ୍ତ ଅନ୍ୟତମ। ଅନ୍ୟ ଚାରି ସଖାଙ୍କ ପରି ଅନନ୍ତ ଦାସଙ୍କ ଜନ୍ମ ସମୟ ମଧ୍ୟ ପ୍ରମାଣଭିତ୍ତିକ ନ ହୋଇ ଅନୁମାନ ନିର୍ଭର ହୋଇ ରହିଯାଇଛି। କାରଣ ପଞ୍ଚସଖାଙ୍କ ଠାର ବା ଇଙ୍ଗିତଧର୍ମୀ ଭାଷାର ବାସ୍ତବ ବିଶ୍ଳେଷଣ ନିର୍ଭୁଲ ଭାବେ ତଥାପି ହୋଇପାରିନାହିଁ। ଆଜି ମଧ୍ୟ ଓଡ଼ିଶାର ଲୋକକଥାରେ ଅଚ୍ୟୁତ ଠାର ଓ ଅନନ୍ତ ଗାର ଯଥେଷ୍ଟ ମହତ୍ତ୍ୱ ରଖିଥାଏ। ଅଚ୍ୟୁତାନନ୍ଦଙ୍କ ‘ଉଦୟକାହାଣୀ’ରେ ପଞ୍ଚସଖାଙ୍କ ଆବିର୍ଭାବ ସଂକେତରେ ଯାହା କୁହାଯାଇଛି, ତାହାର ସମୀକ୍ଷା(ପଣ୍ଡିତ ସୂର୍ଯ୍ୟନାରାୟଣଙ୍କ ଦ୍ୱାରା)ରୁ ଜଣାପଡ଼େ ଯେ, ୨୫ ଅଙ୍କରେ ଅର୍ଥାତ୍‌ ୧୪୮୬ରେ ଅନନ୍ତ ଦାସଙ୍କ ଜନ୍ମ । ଜନ୍ମ ସମୟ ଭଳି ଜନ୍ମସ୍ଥାନକୁ ନେଇ ପଣ୍ଡିତମାନଙ୍କ ମନରେ ଦ୍ୱନ୍ଦ୍ୱ ରହିଥିଲା। କେହି କେହି କୋଣାର୍କ ନିକଟରେ ତାଙ୍କ ଜନ୍ମ ହୋଇଥିବା କଥା କହିଥାନ୍ତି। ମାତ୍ର ମହାପୁରୁଷ ଶିଶୁ ଅନନ୍ତଙ୍କ ଜନ୍ମସ୍ଥାନ ଯେ ବାଲିପାଟଣା-ଏହା ନିର୍ବିବାଦ୍ୟ। ସୁଦର୍ଶନ ଦାସଙ୍କ ‘ଚୌରାଅଶୀ ଆଜ୍ଞା’ ଓ ଜଗନ୍ନାଥ ଦ୍ୱିଜଙ୍କ ରଚିତ ‘ଭକ୍ତିଚନ୍ଦ୍ରିକା’ରେ ଅନନ୍ତଙ୍କ ଜନ୍ମ ବାଲିପଡ଼ା ବୋଲି ଉଲ୍ଲେଖ ଅଛି। ବାଲିପଡ଼ା ହିଁ ପରବର୍ତ୍ତୀ ସମୟର ବାଲିପାଟଣା। ସମ୍ପ୍ରତି ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଅଟେ। ସୂର୍ଯ୍ୟକୁଳସମ୍ଭୂତ ଶିଶୁ ଅନନ୍ତ ଦାସ ଏହିଠାରେ ଘର କରି ରହିଥିଲେ। ଏହା ତାଙ୍କ ପୈତୃକ ଜନ୍ମସ୍ଥାନ।
ଏପରିକି ସୁଦର୍ଶନ ଦାସଙ୍କ ‘ଚୌରାଅଶୀ ଆଜ୍ଞା’ର ଅଣଷଠି ବୟାଙ୍ଗରୁ ଜାଣିବାକୁ ମିଳେ ଯେ, ବାଲିପାଟଣା ଶିଶୁମଠଠାରେ ଏକଦା ନିଗମ ଭାବର ପ୍ରବକ୍ତା ଐଶୀ-ଶକ୍ତିସମ୍ପନ୍ନ ଅନ୍ୟତମ ସଖା ସାଧକ ଯଶୋବନ୍ତ ଦାସ ସଶିଷ୍ୟ କିଛିଦିନ ଅବସ୍ଥାନ କରିଥିଲେ। ଶିଶୁ ଅନନ୍ତଙ୍କ ପୁତ୍ର ଅକ୍ରୂରଙ୍କ ସହିତ ଯଶୋବନ୍ତଙ୍କର ପରିଚୟ ହୋଇଥିଲା। ଅନନ୍ତ ଦାସ ଶିଶୁ ଅନନ୍ତରେ ପରିଣତ ହେବାକୁ ନେଇ ଅନେକ ଅଲୌକିକ କଥା ଜାଣିବାକୁ ମିଳେ। ଠିକ୍‌ ସେହିପରି ବାଲିପାଟଣାର ଜନଶ୍ରୁତିରେ ଅନେକ ଅଲୌକିକ ଉପାଖ୍ୟାନ ଏବେବି ସଜାଗ ରହିଛି। ଖଣ୍ଡିଆ କାନ୍ଥରେ ବସି ଯାତ୍ରାକରି ରାଜଦ୍ୱାରରୁ ପୀର ଖାଁର ଅଭିଯୋଗରୁ ଗରିବ ବେହେରାଟିକୁ ଉଦ୍ଧାର କରିଥିବା ଅନନ୍ତ ଦାସଙ୍କ ଐଶୀଲୀଳା ବହନ କରି ଏବେ ବି ଗାଁ ଫିରିକାପାଟଣା ଦଣ୍ଡାୟମାନ। ଏହା ବ୍ୟତୀତ ଯଦିଓ ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ତଥାପି ଜାଣିବାକୁ ମିଳେ ଯେ, ବାଲିପାଟଣାର ଶିଶୁ ଅନନ୍ତଙ୍କୁ ଗଜପତି ରାଜା ଜଗନ୍ନାଥଙ୍କ ଦ୍ୱାରା ସ୍ବପ୍ନାବିଷ୍ଟ ହୋଇ ମନ୍ଦିରରେ ଥିବା ଶ୍ରୀମୂର୍ତ୍ତି ଦେବଙ୍କୁ ପ୍ରଦାନ କରିଥିଲେ। କଥିତ ଅଛି ଯେ, ଶ୍ରୀମୂର୍ତ୍ତି ଦେବ ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ମହାପ୍ରସାଦ ଯିବା ବାଟରେ ରହିଥିଲେ ଓ ପ୍ରତ୍ୟହ ତାଙ୍କର ପ୍ରଥମ ଦୃଷ୍ଟି ଶ୍ରୀମହାପ୍ରସାଦ ଉପରେ ପଡ଼ୁଥିଲା। ଗଜପତି ଖାଲି ପ୍ରଦାନ କରି ନ ଥିଲେ ବରଂ ଅନନ୍ତଙ୍କ ଜନ୍ମସ୍ଥାନ ବାଲିପାଟଣାରେ ପ୍ରତିଷ୍ଠା କରାଇଥିଲେ। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ଶିଶୁମଠକୁ ଦାରୁର କିଛି ଅଂଶ ଆସୁଥିଲା। ମହାରାଜାଙ୍କ ତରଫରୁ ଶିଳ୍ପୀ ଓ ପଣ୍ଡାମାନେ ଆସି ବାଲିପାଟଣାରେ ଏହି କାର୍ଯ୍ୟ ସମାପନ କରୁଥିଲେ। ।
ଶିଶୁ ଅନନ୍ତଙ୍କ ସାରସ୍ବତ ସୃଷ୍ଟିକର୍ମ ସମୂହ ଏ ପର୍ଯ୍ୟନ୍ତ ଲୋକଲୋଚନର ଅନ୍ତରାଳରେ ରହିଯାଇଛି। ସେସବୁ ମଧ୍ୟରେ ହେତୁ ଉଦୟଭାଗବତ, ପିଣ୍ଡବ୍ରହ୍ମାଣ୍ଡ ଗୀତା, ଅର୍ଥତାରେଣୀ, ମନ୍ତ୍ରଚନ୍ଦ୍ରିକା, ଗରୁଡ଼ କେଶବ ଚଉତିଶା, ଆଗତ ଚୁମ୍ବକମାଳିକା, ଡିବିଡିବି ଢୋଲ, ଠୁଳଶୂନ୍ୟ ରାସ, ଗରୁଡ଼ ଅନନ୍ତ ସମ୍ବାଦ, ଉଦେ ବାଖର, ଛାଟ ବାଖର, ଠିକ ବାଖର ଓ ଅନେକ ଭଜନ ଓ ସ୍ତୋତ୍ର ଅନ୍ତର୍ଭୁକ୍ତ। ବାଖର ଶବ୍ଦ ମାଳିକା ଅର୍ଥରେ ଓଡ଼ିଶାରେ ବ୍ୟବହୃତ ହୋଇଥିଲେ ହେଁ ବାଖର ମାଳିକାର ଏକ ସ୍ବତନ୍ତ୍ର ପ୍ରବିଧି, ଯାହା ଉପରେ ଗବେଷଣା ଜରୁରୀ। ଜଣାଯାଏ ଯେ ଶିଶୁ ଅନନ୍ତଙ୍କର ଗାରକଟା ଯନ୍ତ୍ର ପାଇଁ ପ୍ରସିଦ୍ଧି ରହିଛି। ଦୁର୍ଭାଗ୍ୟର କଥା ଯେ, ଅନନ୍ତଙ୍କ ରଚନାବଳୀ ଭଳି ଏଇ ଗାରକଟା ଯନ୍ତ୍ର ମଧ୍ୟ ଏକ ଅନୁଦ୍‌ଘାଟିତ ରହସ୍ୟ ହୋଇରହିଛି।
ଅନ୍ୟ ସଖାଙ୍କ ଭଳି ଶିଶୁ ଅନନ୍ତଙ୍କ ମାଳିକାର ପ୍ରଚାର ପ୍ରସାର ହୋଇପାରିନାହିଁ। ତାଙ୍କ ମନ୍ତ୍ରଯାନ ବର୍ତ୍ତମାନର ଯନ୍ତ୍ରଯାନଠାରୁ ଥିଲା ଉନ୍ନତଧରଣ, ଯାହା ଗବେଷଣାସାପେକ୍ଷ। ଅନନ୍ତ ଦାସଙ୍କ ସାରସ୍ବତ କର୍ମ ସମୂହର ଯଥାର୍ଥ ବିନିଯୋଗ ହୋଇପାରିଲେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ଚମତ୍କୃତ ହୁ୍‌ଅନ୍ତା। ଶିଶୁମଠଠାରେ ଅନନ୍ତ ଗବେଷଣାଗାରଟିଏ ପ୍ରତିଷ୍ଠା କରାଯାଇ ପଞ୍ଚସଖାଙ୍କ ସମ୍ପର୍କରେ ସ୍ବତନ୍ତ୍ର ଗବେଷଣା ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଆଗାମୀକାଲିର ଭାରତ ଏକ ଗରିମାମୟ ତେଜସ୍ବୀ ଓଡ଼ିଶାକୁ ଦେଖିପାରନ୍ତା।
ପ୍ରାଧ୍ୟାପକ, ଶିଶୁ ଅନନ୍ତ ମହାବିଦ୍ୟାଳୟ, ବାଲିପାଟଣା, ଖୋର୍ଦ୍ଧା
ମୋ-୯୪୩୭୨୭୯୧୪୨


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri