ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ ଗେଟ୍‌, ଏମ୍ସ, ବଡ଼ ବିଶ୍ୱବିଦ୍ୟାଳୟ ଭଳି ଅନେକ କିଛି ରହିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ହେଲେ ଏବେ ଦିଲ୍ଲୀ ଯିବା କଥା କହିଲାବେଳକୁ ଅନେକେ ଭାବିଲେଣି। କାରଣ ଦିଲ୍ଲୀ ଓ ଏହାର ଆଖାପାଖ ଅଞ୍ଚଳ ପ୍ରଦୂଷିତ ବାୟୁର ଏକ କମ୍ବଳ ଢାଙ୍କି ହେଲା ଭଳି ହୋଇଛି। ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ପାଖାପାଖି ୫୦୦ ଛୁଇଁ ଅତି ଖରାପ ସ୍ଥିତି ସୃଷ୍ଟି କରିଛିି। ଲୋକେ ପ୍ରଶ୍ୱାସ ନେବାକୁ ଭୀଷଣ କଷ୍ଟ ଅନୁଭବ କରୁଥିବା ବେଳେ କୋଭିଡ୍‌ ସମୟ ଭଳି ଛୋଟ ପିଲାଙ୍କ ପାଇଁ ସ୍କୁଲରୁ ଅନ୍‌ଲାଇନ କ୍ଲାସ ହେବା ଖବର ମିଳିଛି। ସବୁଠାରୁ ସାଂଘାତିକ ଘଟଣା ହେଲା, ଦିଲ୍ଲୀ ଆଖପାଖ ଅଞ୍ଚଳ ଓ ଉତ୍ତର ପ୍ରଦେଶରେ ଡିସେମ୍ବର ୧୬ ତାରିଖରେ ସିରିଜ୍‌ ଦୁର୍ଘଟଣା ଘଟିବାରୁ ୨୫ ଜଣଙ୍କ ଜୀବନ ଯାଇଥିବା ବେଳେ ୫୯ ଆହତ ହୋଇଥିଲେ। ପ୍ରଦୂଷିତ ବାୟୁ ସହ ଘନକୁହୁଡ଼ି ମିଶି ଯାଉଥିବାରୁ ଦୃଶ୍ୟମାନ ସ୍ତର ପ୍ରବଳମାତ୍ରାରେ ହ୍ରାସ ପାଇଛି। ଗାଡ଼ିକୁ ଗାଡ଼ି ବାଡ଼େଇ ହୋଇ ଜଳିଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଭୀଷଣ ବାୟୁ ପ୍ରଦୂଷଣ ଓ କ୍ଷୀଣ ଆଲୋକ ଯୋଗୁ ଅନେକ ଟ୍ରେନ୍‌ ଓ ବିମାନ ବହୁ ବିଳମ୍ବରେ ଚାଲୁଛନ୍ତି ବା ସ୍ଥଳବିଶେଷରେ କେତେକକୁ ବାତିଲ କରି ଦିଆଯାଉଛି।
ଦିଲ୍ଲୀ ବାୟୁ ପ୍ରଦୂଷଣ ବିଷୟ ସଂସଦରେ ଆଲୋଚନା ହୋଇଛି। ବିଭିନ୍ନ ଦଳର ନେତା ଉଦ୍‌ବେଗ ପ୍ରକାଶ କରୁଥିଲେ ମଧ୍ୟ ତାହାର ନିରାକରଣ ଲାଗି ବାସ୍ତବ ବାଟ ବାହାରିପାରୁ ନାହିଁ। ପଞ୍ଜାବ ଓ ହରିୟାଣାରେ କୃଷକମାନେ ସେମାନଙ୍କ କ୍ଷେତରେ ନିଆଁ ଲଗାଇ ଶସ୍ୟର ଖୁଣ୍ଟାଗୁଡ଼ିକୁ ପୋଡ଼ି ଦେବା ପରେ ସେଥିରୁ ନିର୍ଗତ ଧୂଆଁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି। ଏହାକୁ ରୋକିବା ପାଇଁ ଧରପଗଡ଼ ହେଉଥିବାରୁ କୃଷକମାନେ ଖୁଣ୍ଟା ପୋଡ଼ିବା ସମୟରେ ପରିବର୍ତ୍ତନ କଲେଣି। ଅକ୍ଟୋବରରୁ ଡିସେମ୍ବର ଅମଳ ସମୟ। ସେମାନେ ସାଧାରଣତଃ ଅପରାହ୍ନ ୧ଟାରୁ ୨ଟି ଭିତରେ ଖୁଣ୍ଟାକୁ ପୋଡ଼ି ଦେଉଥିଲେ। ହେଲେ ନାସାର ଉପଗ୍ରହ ସୂଚନା ଦେଉଛି ଯେ, କୃଷକମାନେ ଏବେ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ତାହା ପୋଡ଼ୁଛନ୍ତି। ନଡ଼ାପୋଡ଼ି ରୋକିବା ପାଇଁ ସାଟେଲାଇଟ୍‌ ଯୋଗେ ଏହା ଉପରେ ନଜର ରଖାଯାଉଥିବା ଚାଷୀମାନେ ଜାଣିବା ପରେ ସମୟରେ ପରିବର୍ତ୍ତନ କରିଛନ୍ତି। ଫଳରେ ସେହି ଦୃଶ୍ୟକୁ ସାଟେଲାଇଟ ଧରିବା ସମ୍ଭବ ହେଉ ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି। ଏଭଳି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ସରକାର ସମାଜର ବିଭିନ୍ନ ବର୍ଗଙ୍କ ସହଯୋଗ ନେଇ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। କୃଷକଙ୍କୁ କେବଳ କହିଦେଲେ ବା ସେମାନଙ୍କୁ ବୁଝାଇ ଦେଲେ ହେବ ନାହିଁ। ଆର୍ଥିକ ଦୃଷ୍ଟିରୁ ଉପଯୁକ୍ତ କ୍ଷତିପୂରଣ ଦେଇ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ଦରକାର। କିଛିଦିନ ତଳେ ବାୟୁ ପ୍ରଦୂଷଣ ହ୍ରାସ ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯାଇଥିଲା। ହେଲେ ତାହାର ସୁଫଳ ପ୍ରାୟତଃ ଅନୁଭୂତ ହେଲା ନାହିଁ। ଖୁଣ୍ଟାପୋଡ଼ି ସହ ଅତ୍ୟଧିକ ଗାଡ଼ିମୋଟର ଚଳାଚଳ, କାରଖାନା ଓ ମଣିଷର ବର୍ଜ୍ୟବସ୍ତୁରୁ ନିର୍ଗତ ଧୂଆଁ ଆଦି ଅନେକ ଦିଗ ରହିଛି, ଯାହା ବାୟୁକୁ ଦୂଷିତ କରିବାରେ ଲାଗିଛି। ରାତାରାତି ବିରାଟ ପରିବର୍ତ୍ତନ ଅଣାଯାଇପାରିବ ନାହିଁ। ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିର୍‌ସା ହାତ ଟେକି ଦେଇ କହିଲେଣି କୌଣସି ନିର୍ବାଚିତ ସରକାର ୯/୧୦ ମାସ ମଧ୍ୟରେ ଏକ୍ୟୁଆଇ ସ୍ତର କମାଇପାରିବେ ନାହିଁ। ଏହା କହି ଦିଲ୍ଲୀବାସୀଙ୍କୁ ଭୁଲ୍‌ ମାଗିଲା ବେଳେ ପୂର୍ବର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ବାୟୁ ପ୍ରଦୂଷଣ ରୋକିବାରେ କିଛି କରି ନ ଥିବା ସେ ପ୍ରକାଶ କରିଛନ୍ତି। ମଞ୍ଜିନ୍ଦରଙ୍କ ଦଳ ଭାଜପା ବିରୋଧୀ ଆସନରେ ଥିବା ବେଳେ ଯେଭଳି ଅଭିଯୋଗ କରୁଥିଲେ ଏବେ ସେହି ଢଙ୍ଗରେ କହିବା ଗ୍ରହଣୀୟ ହେଉନାହିଁ। ଶାସନରେ ଥିବା ବ୍ୟକ୍ତିଙ୍କ କିଛି କରିବାର ସୁଯୋଗ ଥାଏ। ଚେଷ୍ଟା କରିବା ପୂର୍ବରୁ ପଛଘୁଞ୍ଚା ଦେବା ତାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଛି।
ଏକ ବିକାଶଶୀଳ ଦେଶ ଭାବେ ଭାରତକୁ ଆର୍ଥିକ ଦୃଷ୍ଟିକୋଣରୁ କାରଖାନା ଚଳାଇବାକୁ ପଡ଼ିବ, ଲୋକେ ଯିବାଆସିବା କରିବା ଗତି ଓ ପ୍ରଗତିର ଲକ୍ଷଣ। ବିକଳ୍ପ ପନ୍ଥା ବାହାର କରା ନ ଯାଇ ଏକାଥରେ ଗାଡ଼ି ବନ୍ଦ କରିହେବ ନାହିଁ। କିନ୍ତୁ ସେଗୁଡ଼ିକୁ କିଭଳି ସୀମିତ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଜୀବାଶ୍ମ ଇନ୍ଧନଚାଳିତ ଗାଡ଼ିରୁ ବିଦ୍ୟୁତ୍‌ ଓ ସୌରଚାଳିତ ଯାନ ସଂଖ୍ୟା ବଢ଼ାଇବା ପାଇଁ ବର୍ଷ ନୁହେଁ, ଦଶନ୍ଧି ଦରକାର। ତେଣୁ ସେଥିପାଇଁ ସଘନ ଗବେଷଣା ଓ ଗଭୀର ଅନୁଧ୍ୟାନ ଆବଶ୍ୟକ।
ଦିଲ୍ଲୀ ଓ ଏହାର ଆଖାପାଖ ଅଞ୍ଚଳର ନିମ୍ନ ବାୟୁ ଗୁଣବତ୍ତା ବ୍ୟତୀତ ଅନେକ ମନୁଷ୍ୟକୃତ କାର୍ଯ୍ୟ ପରିବେଶକୁ ବିଗାଡ଼ିବାରେ ଲାଗିଛି। ଆରାବଳିର ପରିଭାଷା ବଦଳାଯାଇ ଯେଭଳି ପଦକ୍ଷେପ ନିଆଯାଉଛି ଓ କେନ୍ଦ୍ର ସରକାରଙ୍କ କଥାରେ ସର୍ବୋଚ୍ଚ ନ୍ୟାୟାଳୟ ‘ହଁ’ ଭରିଲା ଭଳି ମନେ ହେଉଥିବାରୁ ତାହା ଭବିଷ୍ୟତରେ ବିପଦ ସୃଷ୍ଟି କରିବା ଥୟ। ଦୂରରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ବିକାଶ ନାମରେ ପ୍ରକୃତି ବିରୋଧୀ କାର୍ଯ୍ୟ କରାଯାଉଥିବାରୁ ତାହା ସେଠାକାର ପରିବେଶ ଓ ପରିସଂସ୍ଥାନକୁ କ୍ଷତି ପହଞ୍ଚାଇବାର ସବୁ ସୂଚନା ଦେଲାଣି। ତାହା ହୁଏତ ଦିଲ୍ଲୀ ଉପରେ ସିଧାସଳଖ ପ୍ରଭାବ ପକାଉ ନାହିଁ, କିନ୍ତୁ ସମଗ୍ର ଦେଶବାସୀ ଆଗାମୀ ବର୍ଷଗୁଡ଼ିକରେ ନିଶ୍ଚୟ କ୍ଷତି ସହିବେ।
ଦିଲ୍ଲୀରେ କେତେକ ମହଲରେ ଗୁଜବ ହେଉଛି ଯେ, ଜାତୀୟ ରାଜଧାନୀ ଦିଲ୍ଲୀକୁ ଅନ୍ୟତ୍ର ନେବା ପାଇଁ ମସୁଧା ଆରମ୍ଭ ହେଲାଣି। ଏହି ଗୁଜବକାରୀଙ୍କ ଅନୁଯାୟୀ କେନ୍ଦ୍ର ସରକାର, ଦିଲ୍ଲୀ ସରକାର, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ ସରକାର ଭାଜପା ଅଧୀନରେ ଥିବା ହେତୁ କୌଣସି ମିଳିତ ପ୍ରତିକାର ନ କରିବା ଯୋଗୁ ଏପରିି ଗୁଜବ ଜନ୍ମ ନେଇପାରୁଛି। ଏଭଳି ମିଥ୍ୟା ପ୍ରଚାର ବିଶ୍ୱସନୀୟ ହୋଇପାରୁ ନାହିଁ, କିନ୍ତୁ ତାହାପଛର ଯୁକ୍ତି ଓ ବାୟୁମଣ୍ଡଳର ସ୍ଥିତି ଦେଖିଲେ ଗୁଜବକୁ ମଧ୍ୟ ଟାଳି ହେଉନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓ଼୍ବାର୍କ ଫର୍ମ ହୋମ୍‌ ନେଇ ବଡ଼ ଘୋଷଣା କଲେ ରାଜ୍ୟ ସରକାର, କେବଳ ୫୦% କର୍ମଚାରୀ ଯିବେ ଅଫିସ୍‌, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୪।୫: ବିଶ୍ୱ ସଙ୍କଟ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନ୍ଧନ ସଂରକ୍ଷଣ ପାଇଁ ଆହ୍ୱାନର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ତ୍ରିପୁରା ସରକାର ଏହାର 50% କର୍ମଚାରୀଙ୍କ ପାଇଁ…

ଟ୍ରମ୍ପଙ୍କୁ ଭେଟି ବଡ଼ ଘୋଷଣା କଲେ ଚାଇନା ରାଷ୍ଟ୍ରପତି: ଚାହିଁ ରହିଗଲା ସାରା ବିଶ୍ୱ

ବେଜିଂ,୧୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କର ଐତିହାସିକ ଶିଖର ସମ୍ମିଳନୀ ପାଇଁ ବେଜିଂରେ ପହଞ୍ଚିଛନ୍ତି। ଗୁରୁବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବେଜିଂରେ ଟ୍ରମ୍ପଙ୍କୁ ସ୍ବାଗତ…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ: ନିଲମ କଲେଜ ଟପ୍ପର

ଲୋଇସିଂହା,୧୪।୫(ସୁଶାନ୍ତ ବାରୁକ): ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ବଲାଙ୍ଗୀର ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମ ତଥା ବଲାଙ୍ଗୀର ଜେଆଇଟିମ କଲେଜ କଳା ବିଭାଗ…

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ…

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

ପଶ୍ଚିମ ଓଡିଶା ପାଇଁ ଆଉ ଏକ ନୂଆ ଟ୍ରେନ: ସ୍ବପ୍ନ ପୂରଣ କଲେ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ଭୁବନେଶ୍ୱରକୁ ନୂତନ ଟ୍ରେନ ପାଇଁ ଦାବି ଜୋର ଧରିଥିଲା। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ କୋରାପୁଟ ସିଧା ପଶ୍ଚିମ ଓଡ଼ିଶାରକୁ ସଂଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri