ଜଙ୍ଗଲ ସୁରକ୍ଷା ବୋଝ ଆଦିବାସୀଙ୍କ ଉପରେ

ଅମରେନ୍ଦ୍ର ଦାସ

 

ପ୍ରାୟ ପ୍ରତି ସପ୍ତାହରେ କୌଣସି ଏକ ଦୁର୍ଗମ ଅଞ୍ଚଳରେ ଜଣେ ଗର୍ଭବତୀ ଆଦିବାସୀ ମହିଳା ଖଟିଆରେ ବୁହା ହୋଇ ଡାକ୍ତରଖାନା ଗଲେ ବା ରାସ୍ତାରେ ପ୍ରସବ କରିବାର ଖବର ସମସ୍ତେ ପାଉଛେ। ଏସବୁ ଖବର ପଢ଼ିଲା ବେଳେ ଯାଜପୁର ଜିଲାର ନଗଡ଼ା ଗ୍ରାମର ଚିତ୍ର ସଭିଙ୍କ ଆଖି ଆଗକୁ ଚାଲି ଆସୁଥିବ; ଯେଉଁଠି ମୌଳିକ ସୁବିଧା ଅଭାବରୁ ଅନେକ ଶିଶୁ ଅପପୁଷ୍ଟିର ଶିକାର ହୋଇ ଅକାଳରେ ମୃତ୍ୟୁବରଣ କଲେ। ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ସରକାର ନଗଡ଼ା ଭଳି ଆଦିବାସୀ ଗାଁଗୁଡ଼ିକୁ କାହିଁକି ସବୁ ଦିନିଆ ରାସ୍ତା ଯୋଗାଇ ଦେଉ ନାହାନ୍ତି। ଆଦିବାସୀ ପଡ଼ା ଗାଁଗୁଡ଼ିକୁ ରାସ୍ତା ଅଭାବରୁ ପାନୀୟ ଜଳ, ବିଜୁଳି ଆଦି ମୌଳିକ ସୁବିଧା ମଧ୍ୟ ମିଳି ନ ଥାଏ। ରାସ୍ତା ଅଭାବରୁ ଆଦିବାସୀ ସମାଜରେ ଶିଶୁ ମୃତ୍ୟୁ, ମାତୃ ମୃତ୍ୟୁ ଏବଂ ଅପମୃତ୍ୟୁ ହାର ସାଧାରଣ ବର୍ଗଙ୍କଠାରୁ ଅଧିକ। ଏସବୁ ସତ୍ତ୍ୱେ ସରକାର ଆଦିବାସୀ ଗାଁଗୁଡ଼ିକୁ ରାସ୍ତା ନିର୍ମାଣ କରିବାରେ କାହିଁକି ତତ୍ପରତା ପ୍ରକାଶ କରୁ ନାହାନ୍ତି ?
ବହୁ ବର୍ଷ ଯାଏ ସ୍ବାଧୀନ ଭାରତର ଗଣତାନ୍ତ୍ରିକ ସରକାର ଆଦିବାସୀଙ୍କ ଉପରେ ଅବିଶ୍ୱାସ ରଖି ଜଙ୍ଗଲ ଭିତରେ ସେମାନଙ୍କର ପ୍ରବେଶକୁ ବେଆଇନ ଘୋଷଣା କରିଥିଲେ। ୧୯୮୦ ଦଶକର ଶେଷ ବେଳକୁ ହୃଦୟଙ୍ଗମ କଲେ ଯେ ଆଦିବାସୀ ତଥା ଅନ୍ୟ ସ୍ଥାନୀୟ ଅଧିବାସୀମାନେ ଜଙ୍ଗଲ ସୁରକ୍ଷାରେ ସକାରାତ୍ମକ ଭୂମିକା ନେଇପାରିବେ। ଫଳରେ ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଅଞ୍ଚଳ ଅଧିବାସୀଙ୍କ ସହଭାଗିତାରେ ବନ ସଂରକ୍ଷଣ ସମିତି ତିଆରି କରାଗଲା। ଜଣାଯାଏ ଯେ ଯେଉଁ ଜାଗାରେ ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଅଧିବାସୀମାନଙ୍କର ସହଭାଗିତା ଥାଏ ସେହି ସ୍ଥାନରେ ଜଙ୍ଗଲର ବୃଦ୍ଧି ହୋଇଛି। ଏସବୁ ସତ୍ତ୍ୱେ ଜଙ୍ଗଲ ବିଭାଗର ସ୍ଥାନୀୟ ଲୋକଙ୍କ ଉପରେ ଅନେକ ଅବିଶ୍ୱାସ।
ଜଙ୍ଗଲ ଭିତରେ ବା ଚତୁଃପାର୍ଶ୍ୱରେ ବର୍ଷ ବର୍ଷ ଧରି ରହି ଆସୁଥିବା ଅଧିବାସୀମାନଙ୍କର ଜମି ଉପରେ ନ୍ୟାଯ୍ୟ ଦାବି ପୂରଣ କରିବାକୁ ଯାଇ ସରକାର ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରି ସେମାନଙ୍କୁ ବ୍ୟକ୍ତିଗତ ଏବଂ ସାମୂହିକ ଜମି ଅଧିକାର ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ଓଡ଼ିଶା ଏବଂ ଅନେକ ରାଜ୍ୟ ଏହି ଦିଗରେ ଅଗ୍ରଗତି କଲେଣି। ଏସବୁ ସତ୍ତ୍ୱେ ଜଙ୍ଗଲ ଭିତରେ ଥିବା ଗାଁଗୁଡ଼ିକୁ ରାସ୍ତା ନିର୍ମାଣ, ବିଜୁଳି ଯୋଗାଣ, ପାନୀୟ ଜଳ ଯୋଗାଣ ଆଦିରେ ଜଙ୍ଗଲ ଅନୁମତି ଏକ ବିରାଟ ପ୍ରତିବନ୍ଧକ ହୋଇ ରହିଛି।
ଯଦିଓ ସରକାରଙ୍କର ନିର୍ଦ୍ଦେଶନାମା ଅନୁସାରେ ରାସ୍ତା ଘାଟ ଭଳି ପ୍ରକଳ୍ପ ତଥା ଯେଉଁଠାରେ ପାଞ୍ଚ ହେକ୍ଟରଠାରୁ କମ ଜଙ୍ଗଲ ଅପସାରଣର ଆବଶ୍ୟକତା ରହିଛି ସେଠାରେ ଜିଲା ଜଙ୍ଗଲ ଅଧିକାରୀ ବା ରାଜ୍ୟର ଆଞ୍ଚଳିକ ଦପ୍ତରରେ ଅନୁମତିପ୍ରାପ୍ତ ହୋଇପାରିବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆଇନର ଏସବୁ ସୁବିଧା ସତ୍ତ୍ୱେ ଆଦିବାସୀ ପଡ଼ାଗୁଡ଼ିକୁ ସର୍ବନିମ୍ନ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଉଦ୍ୟମ ହେଉ ନାହିଁ।
ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପ ପାଇଁ ପାତରଅନ୍ତର ନୀତି ଅବଲମ୍ବନ କରୁଥିବା ଦୃଷ୍ଟି ଗୋଚର ହୁଏ। ଉଦାହରଣ ସ୍ବରୂପ ଜଙ୍ଗଲଭରା ଗୋଟିଏ ପାହାଡ଼ ଉପରେ ଖଣି ଖୋଳିବା ପାଇଁ ସମସ୍ତ ଅନୁମତି ଅତିଶୀଘ୍ର ମିଳିପାରୁଛି ଅଥଚ ପାହାଡ଼ ତଳେ ଥିବା ଆଦିବାସୀ ଗାଁକୁ ଦଶନ୍ଧି ଦଶନ୍ଧି ଧରି ସବୁଦିନିଆ ରାସ୍ତା, ପାନୀୟ ଜଳ ଯୋଗାଣ ଏବଂ ବିଜୁଳି ଯୋଗାଣ ପାଇଁ ଅନୁମତି ମିଳିପାରୁନି। ନିକଟରେ ଦୁଇଟି ଜିଲାର ଅଧିକାରୀମାନଙ୍କ ସହ ଆଲୋଚନା ବେଳେ ଜାଣିବାକୁ ମିଳିଲା ଯେ ଅର୍ଥର ଉପଲବ୍ଧି ସତ୍ତ୍ୱେ ଜଙ୍ଗଲ ଅନୁମତି ଏବଂ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ବିଳମ୍ବ ହେବା ଡରରେ ବିଭାଗୀୟ ଅଧିକାରୀମାନେ ଜଙ୍ଗଲ ଜମି ଥିବା ଅଞ୍ଚଳରେ କୌଣସି ନୂଆ ପ୍ରକଳ୍ପ ପାଇଁ ପ୍ରସ୍ତାବ ଉପସ୍ଥାପନ କରନ୍ତି ନାହିଁ। ଫଳରେ ନଗଡ଼ା ଭଳି କାଁ ଭାଁ ଆଦିବାସୀ ଗାଁ ଗଣମାଧ୍ୟମ ଚାପରେ ରାସ୍ତାଟିଏ ପାଇବାର ସୌଭାଗ୍ୟ ପାଇଥାନ୍ତି। ଏହି ଜଟିଳ ପ୍ରକ୍ରିୟାରେ ଆଦିବାସୀମାନେ ବିକାଶର ଧାରାରେ ସାମିଲ ହୋଇପାରି ନାହାନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ଗାଁଗୁଡ଼ିକୁ ରାସ୍ତା ନିର୍ମାଣ, ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ ଭଳି ସର୍ବସାଧାରଣ ପ୍ରକଳ୍ପ ପାଇଁ ଜଙ୍ଗଲ ମଞ୍ଜୁରୀର ଆବଶ୍ୟକତାକୁ ପ୍ରତ୍ୟାହାର କରିଦେଲେ କୌଣସି କ୍ଷତି ହେବ ନାହିଁ। ବରଂ ଜିଲା ଅଧିକାରୀମାନେ ନିର୍ଦ୍ୱନ୍ଦ୍ୱରେ ଏହି ସବୁ ପ୍ରକଳ୍ପ ନିର୍ମାଣ ପାଇଁ ବିନା କୌଣସି ଡରରେ ପ୍ରସ୍ତାବ ଦେଇ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସମାପ୍ତ କରିପାରିବେ। ଏଥିପାଇଁ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କ ଉପସ୍ଥିତିରେ ଏକ ଗ୍ରାମ ସଭାର ଆୟୋଜନ କରି ରାସ୍ତା ବା ଅନ୍ୟ ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରାଯିବ; ଯେଉଁଥିରେ ସର୍ବନିମ୍ନ ଜଙ୍ଗଲ ନଷ୍ଟ ହେବ। ଗଛ କାଟିବା ଏବଂ ଏହାର ନିଲାମ ଗ୍ରାମବାସୀଙ୍କ ମାଧ୍ୟମରେ କରାଯିବା ଉଚିତ। ଏଥିରୁ ସଂଗୃହୀତ ଅର୍ଥରେ ସ୍ଥାନୀୟ ଅଞ୍ଚଳରେ ଗ୍ରାମବାସୀଙ୍କ ସହଯୋଗରେ ଦୁଇଗୁଣ ବୃକ୍ଷ ରୋପଣ କରାଯିବ। ବୃକ୍ଷ ରୋପଣ ଏବଂ ଏହାର ତଦାରଖ ପାଇଁ ଏକ ବନ ସଂରକ୍ଷଣ ସମିତି ଗଠନ ହେବ। ବାହାର ଅଞ୍ଚଳର ଯାନବାହନ ପ୍ରବେଶ ଏବଂ ଲୋକଙ୍କ ଉପରେ ଏହି ବନ ସଂରକ୍ଷଣ ସମିତି ନଜର ରଖିବ।
ମନେରଖିବାକୁ ହେ ଯେ ଜଙ୍ଗଲ ସୁରକ୍ଷା ପାଇଁ ଜନସାଧାରଣଙ୍କ ଅର୍ଥରେ ନିୟୋଜିତ ହୋଇଥିବା ଜଙ୍ଗଲ ଅଧିକାରୀଙ୍କ ଜଙ୍ଗଲ ନଷ୍ଟରେ ସମ୍ପୃକ୍ତି ଥିବା ଏବଂ ଜଙ୍ଗଲ ସୁରକ୍ଷା ବାବଦରେ ଆସୁଥିବା ଅର୍ଥ ହେରଫେର କରିବାର ଅନେକ ନଜିର ରହିଛି। ତା’ ତୁଳନାରେ ଆଦିବାସୀମାନେ ଅନେକ ଗୁଣରେ ଜଙ୍ଗଲ ସୁରକ୍ଷାର ଦାୟିତ୍ୱବୋଧତା ଦେଖାଇଛନ୍ତି। ଜଙ୍ଗଲ ସୁରକ୍ଷାର ଆଳ ଦେଖାଇ ଆଦିବାସୀମାନଙ୍କୁ ମୌଳିକ ସେବାରୁ ବଞ୍ଚିତ ରଖିବା ଅନୁଚିତ।
ଏଥିପାଇଁ ସରକାର ପ୍ରଥମେ ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଏବଂ ସ୍ଥାନୀୟ ସାମାଜିକ ସଂସ୍ଥାର ସହାୟତାରେ ଜଙ୍ଗଲ ଭିତରେ ରାସ୍ତା ନ ଥିବା ପଡ଼ା ବା ଗାଁଗୁଡ଼ିକର ତାଲିକା ସାର୍ବଜନୀନ କରନ୍ତୁ। ତା’ପରେ ଏହି ଗାଁ ଗୁଡ଼ିକରେ ଜଙ୍ଗଲ ବିଭାଗ ଏବଂ ସ୍ଥାନୀୟ ସାମାଜିକ ସଂସ୍ଥାର ସହାୟତାରେ ଏକ ଗ୍ରାମ ସଭା କରି ରାସ୍ତା ନିର୍ମାଣ ନିମିତ୍ତ ନକ୍ସା ପ୍ରସ୍ତୁତ କରନ୍ତୁ। ଗ୍ରାମ ସଭାରେ ରାସ୍ତାର ନକ୍ସା ମଞ୍ଜୁରୀ ପାଇସାରିବା ପରେ ଗ୍ରାମବାସୀ ଆବଶ୍ୟକ ସଂଖ୍ୟକ ଗଛ କାଟିବେ ଏବଂ ଏହାକୁ ନିଲାମ କରି ଯେଉଁ ଅର୍ଥ ସଂଗ୍ରହ କରିବେ ସେହି ଅର୍ଥରେ ଦୁଇଗୁଣ ବୃକ୍ଷ ରୋପଣ କରିବେ। ଯେଉଁ ସବୁ ଗାଁ ଦେଇ ଏହି ରାସ୍ତା ଯିବ ପ୍ରତ୍ୟେକ ଗାଁରେ ଗୋଟିଏ ଲେଖାଏ ବନ ସଂରକ୍ଷଣ ସମିତି ଗଠନ କରିବେ। ଏହି ବନ ସଂରକ୍ଷଣ ସମିତି ଜଙ୍ଗଲ ସୁରକ୍ଷାର ସମସ୍ତ ଦାୟିତ୍ୱ ନେବ ଏବଂ ବାହାର ଲୋକଙ୍କ ପ୍ରବେଶ ଉପରେ ଆବଶ୍ୟକୀୟ କଟକଣା ଲଗାଇପାରିବ। ଯଦିଓ ଠିକାଦାର ସଂସ୍ଥା ରାସ୍ତା ନିର୍ମାଣର ଦାୟିତ୍ୱ ନେବ ସ୍ଥାନୀୟ ବନ ସଂରକ୍ଷଣ ସମିତି ଏହାର ତଦାରଖ କରିବ। ଠିକ୍‌ ଏହି ପ୍ରକ୍ରିୟାରେ ବିଦ୍ୟୁତ ସଂଯୋଗ, ଜଳ ଯୋଗାଣ ଭଳି ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକର ତଦାରଖ କରିବ।
ଆଦିବାସୀ ବହୁଳ ଅଞ୍ଚଳ ପାଇଁ ସମ୍ବିଧାନରେ ଗ୍ରାମ ସଭାକୁ ଅନେକ କ୍ଷମତା ପ୍ରଦାନ କରାଯାଇଛି। ଠିକ୍‌ ସେହିପରି ସାଧାରଣ ଅଞ୍ଚଳରେ ପଞ୍ଚାୟତଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇଛି। ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଭରସା କରି ଗ୍ରାମସଭାକୁ ହେୟ ଜ୍ଞାନ କରିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୁଭଙ୍କର ନୁହେଁ। ଗଣତନ୍ତ୍ରରେ ଗ୍ରାମସଭାର ନିଷ୍ପତ୍ତି ସର୍ବୋପରି। ଜଙ୍ଗଲ ସୁରକ୍ଷାର ଦ୍ୱାହି ଦେଇ ଆଦିବାସୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନିର୍ମାଣ ଭଳି ସର୍ବସାଧାରଣ ପ୍ରକଳ୍ପ ପାଇଁ ଗ୍ରାମ ସଭାକୁ ନିଷ୍ପତ୍ତି ନେବାର କ୍ଷମତା ପ୍ରଦାନ କଲେ ଜଙ୍ଗଲ ଭିତରେ ବା ନିକଟରେ ରହୁଥିବା ଗ୍ରାମଗୁଡ଼ିକ ମୌଳିକ ସୁବିଧା ପାଇପାରିବେ।
ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri