![](https://www.dharitri.com/wp-content/uploads/2022/12/s-6.jpg)
ରାଇକିଆ,୨୧ା୧୨(ଡି.ଏନ୍.ଏ.): ଶିକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଶିକ୍ଷାଦାନଠାରୁ ଆରମ୍ଭ କରି ଭିତ୍ତି ଭୂମି ପର୍ଯ୍ୟନ୍ତ ଯଥା ସମ୍ଭବ ପଦକ୍ଷେପ ନିଆଯାଉଛି। ସ୍ମାର୍ଟ ବିଦ୍ୟାଳୟ ଭଳି ଯୋଜନା ହାତକୁ ନେଇ ଅତ୍ୟାଧୁନିକ ବୈଷୟିକ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ତଥାପି ଅନେକ ବିଦ୍ୟାଳୟ ରହିଛି ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ହୋଇ ପାରୁନାହିଁ। ରାଇକିଆ ସହରରେ ବିଇଓଙ୍କ କାର୍ଯ୍ୟାଳୟ ନିକଟ ମୁଖ୍ୟ ରାସ୍ତାକଡ଼ରେ ଥିବା ପୁରାତନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ଭୂମି ଜରାଜୀର୍ଣ୍ଣ ଆଡ଼କୁ ଗତି କରୁଛି। ୧୩୩ ବର୍ଷ ପୁରୁଣା ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ପ୍ରାଥମିକ ଶିକ୍ଷାର ଅନ୍ତୁଡ଼ିଶାଳ ସାଜିଥିବା ବେଳେ ଆଜି ତାର ସ୍ଥିତିକୁ ନେଇ ସଂଘର୍ଷ କରୁଛି। ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ମାତ୍ର ୧୧୫ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସହର ମଧ୍ୟରେ ଥିବା ଏହି ବିଦ୍ୟାଳୟର ଏଭଳି ଅବସ୍ଥା ଯୋଗୁ ସାଧାରଣ ସୁବିଧା ଯୋଗାଇବାରେ ଘରୋଇ ବିଦ୍ୟାଳୟଠାରୁ ଢେର ପଛରେ ରହୁଛି। ଯାହା ଅଭିଭାବକ ମହଲରେ ନିରାଶ କରୁଛି। ସେଥିପାଇଁ ପୁରୁଣା ଭଙ୍ଗାରୁଜା ଅବସ୍ଥାରେ ଥିବା ପାଞ୍ଚୋଟି ଆଜବେଷ୍ଟସ୍ ଶ୍ରେଣୀଗୃହକୁ ବ୍ୟବହାର କରାଯାଉଥିବା ବେଳେ ଆଉ ଦୁଇଟି ପକ୍କା ଘରେ ଶିକ୍ଷାଦାନ କରାଯାଉଛି। ବର୍ଷାଦିନେ ପାଣି ଗଳୁ ଥିବାରୁ କେବଳ ମରାମତିରେ ହିଁ ଚାଲିଛି। ସ୍ଥାୟୀ ବିଲ୍ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ବିଦ୍ୟାଳୟର ଏଭଳି ଶୋଚନୀୟ ଅବସ୍ଥା ଯୋଗୁ ଛାତ୍ରୀଛାତ୍ର ନାମ ଲେଖିବାକୁ ଆଗ୍ରହ ଦେଖାଉନାହାନ୍ତି। ପ୍ରତ୍ୟେକ ବର୍ଷ ସଂଖ୍ୟା କମିବାରେ ଲାଗିଛି। ଏ ନେଇ ରାଇକିଆ ଗୋଷ୍ଠୀ ଶିକ୍ଷାଧିକାରୀ ମହେଶ୍ୱର ମାଝି କହିଛନ୍ତି, ବିଦ୍ୟାଳୟ ମରାମତି, ନୂତନ କୋଠା ନିର୍ମାଣ ପଞ୍ଚାୟତିରାଜ ବିଭାଗ ଦାୟିତ୍ୱରେ ଥିବାରୁ ବିଦ୍ୟାଳୟର ଏଭଳି ସମସ୍ୟା ସମ୍ପର୍କରେ ବିଇଓଙ୍କ କାର୍ଯ୍ୟାଳୟରେ କୌଣସି ସୂଚନା ନ ଥିବା କହିଛନ୍ତି। ଅନ୍ୟପକ୍ଷରେ ରାଇକିଆ ୧୭ ନଂ ଜିଲା ପରିଷଦ ସଭ୍ୟ ସତ୍ୟବାନ ପାତ୍ର କହିଛନ୍ତି ଏହା ରାଇକିଆର ଏକ ପୁରାତନ ବିଦ୍ୟାଳୟ। ଏଭଳି ଶିକ୍ଷାନୁଷ୍ଠାନକୁ ଅଣଦେଖା କରାଯିବା ଦୁର୍ଭାଗ୍ୟଜନକ। ଏ ନେଇ ସେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।