
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ। ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ନାଗରିକଙ୍କ ଜୀବନ ହରାଇଥିଲେ, ତାହାର ଜବାବରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ମେ ୭ ତାରିଖ ପ୍ରଭାତରେ ‘ଅପରେଶନ ସିନ୍ଦୂର’ ଜରିଆରେ ଆକ୍ରମଣ କରିଥିଲା। ଏହି ଅପରେଶନରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା।
ଏହି ଅବସରରେ ସେ ଭାରତୀୟ ସେନାର ଅଦମ୍ୟ ସାହସ ଓ ବୀରତ୍ୱକୁ ସାଲ୍ୟୁଟ କରିଛନ୍ତି। ଅପରେଶନ ସିନ୍ଦୁର ପ୍ରଥମଥର ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ସେନାର ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଆମ ସୈନିକମାନେ ଦେଶର ଗର୍ବ। ସୀମାରେ ଥାଇ ସେମାନେ ଆମକୁ ନିରାପଦ ରଖିଛନ୍ତି।”
ଏହା ସହିତ ପ୍ରଧାନମନ୍ତ୍ରୀ ଗୋଇନ୍ଦା ସଂସ୍ଥା ଓ ଦେଶର ବୈଜ୍ଞାନିକମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ସେମାନଙ୍କ ଅଭିନବ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ଦେଶର ପ୍ରତିରକ୍ଷା ଶକ୍ତିକୁ ଆହୁରି ସୁଦୃଢ় କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମ ବୈଜ୍ଞାନିକମାନଙ୍କ କାର୍ଯ୍ୟ ବିଶ୍ୱସ୍ତରୀୟ। ସେମାନଙ୍କ ଅବଦାନ ଭାରତକୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ।”
ଏହି ଅବସରରେ ଦେଶବାସୀଙ୍କୁ ଏକତା ଓ ସମର୍ପଣର ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମସ୍ତେ ମିଳିମିଶି ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢିତୋଳିବା ଆମର ଲକ୍ଷ୍ୟ।