ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ ଅଧ୍ୟକ୍ଷା କୁମାରୀ ଦାସଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ।
ବିଡିଓ ସରକାରୀ ଗାଇଡ଼ ଲାଇନ ପ୍ରକାରେ ପତାକା ଉତ୍ତୋଳନ କରିବାକୁ ଦାବି କରୁଥିବା ବେଳେ ଅଧ୍ୟକ୍ଷା ମଧ୍ୟ ପତାକା ଉତ୍ତୋଳନ ପାଇଁ ତାଙ୍କ ସମର୍ଥକଙ୍କ ସହ ଦାବି କରିଥିଲେ । ଏହାକୁ ନେଇ ବାଦ ବିବାଦ ଚାଲିଥିବା ବେଳେ ବିଡିଓ ପତାକା ଉତ୍ତୋଳନ କରିବାକୁ ଯିବା ସମୟରେ ତାଙ୍କୁ ପ୍ରତିରୋଧ ହୋଇଥିବା ଅଭିଯୋଗ ହୋଇଛି।
ବିବାଦ ମଧ୍ୟରେ ଅଧ୍ୟକ୍ଷା କୁମାରୀ ଦାସ ପତାକାର ଏକ ଅଂଶ ଉତ୍ତୋଳନ କରିଥିବା ବେଳେ ବିଡିଓ ଅନ୍ୟ ଅଂଶ ଉତ୍ତୋଳନ କରିଥିଲେ। ଫଳରେ ଜାତୀୟ ପତାକା ଉତ୍ତୋଳନ ଭଳି ଏକ ଗରିମାମୟ କାର୍ଯ୍ୟକ୍ରମରେ ଏଭଳି ଦୃଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁଠି ସୱାଧୀନତା ଦିବସରେ ଦେଶପ୍ରେମ ଓ ଏକତାର ବାର୍ତ୍ତା ଦିଆଯିବା କଥା, ସେଇଠି ଜାତୀୟ ପତାକା ତଳେ ଦୁଇ ଗୋଷ୍ଠୀର ବିବାଦ ସାମ୍ନାକୁ ଆସିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

