ଦେଶର ଅର୍ଥନୀତିକୁ ନେଇ ମତ ରଖିବା ସହ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । FICCIର ଶତବାର୍ଷିକୀ ସମ୍ମିଳନୀ ଓ ବାର୍ଷିକ ସାଧାରଣ ସଭା-୨୦୨୬କୁ ସମ୍ବୋଧନ କରି ସେ କହିଛନ୍ତି, ଗତ ୧୨ରୁ ୧୩ ବର୍ଷ ମଧ୍ୟରେ ୫୦ କୋଟିରୁ ଅଧିକ ଭାରତୀୟ ଦାରିଦ୍ର୍ୟକୁ ପଛରେ ପକାଇଛନ୍ତି । ବିଶ୍ୱବ୍ୟାଙ୍କର ସଦ୍ୟତମ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ଥିବା ସେ କହିଛନ୍ତି।FICCIର ୧୦୦ ବର୍ଷ ପୂର୍ତ୍ତି ଅବସରରେ ମୋଦି କହିଥିଲେ, ଗୋଟିଏ ସଂସ୍ଥାର ଶହେ ବର୍ଷ ଧରି ସକ୍ରିୟ ରହିବା, ସମୟ ସହ ନିଜକୁ ପରିବର୍ତ୍ତନ କରିବା ଏବଂ ଦେଶର ଅର୍ଥନୈତିକ ଯାତ୍ରାରେ ଯୋଗଦାନ ଦେବା ଏକ ବଡ଼ ଉପଲବ୍ଧି । ଏହି ଅବସରରେ ସେ ସଂସ୍ଥା ସହ ଜଡ଼ିତ ଅତୀତ ଓ ବର୍ତ୍ତମାନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।
କଂଗ୍ରେସକୁ ନିଶାନା କରି ପ୍ରଧାନମନ୍ତ୍ରୀ କହିଥିଲେ, ଦୃଷ୍ଟିକୋଣ ଓ ନୀତି ଉଭୟରେ ଅଭାବ ଥିଲା। ଭାରତ ଏବେ ବିଶ୍ୱର ସବୁଠାରୁ ଦ୍ରୁତ ବିକାଶଶୀଳ ପ୍ରମୁଖ ଅର୍ଥନୀତି । ମୁଡିଜ୍, S&P ଗ୍ଲୋବାଲ୍, ବିଶ୍ୱବ୍ୟାଙ୍କ ଓ ଏସୀୟ ବିକାଶ ବ୍ୟାଙ୍କ ଭଳି ସଂସ୍ଥା ମଧ୍ୟ ଭାରତର ଅଭିବୃଦ୍ଧିକୁ ସ୍ୱୀକାର କରୁଛନ୍ତି ବୋଲି ସେ କହିଥିଲେ। ଦେଶକୁ ଆଗକୁ ବଢ଼ାଇବା ପାଇଁ ନିଜର ଦୁର୍ବଳତାକୁ ଚିହ୍ନଟ କରିବା ସହ ସମୟ ସମୟରେ ଆତ୍ମଚିନ୍ତନ କରିବା ଜରୁରୀ । ‘ଇଣ୍ଡିଆ ଫାଷ୍ଟ’କୁ ମୂଳମନ୍ତ୍ର କରିବାକୁ ଆହ୍ୱାନ ଦେଇ ସେ କହିଥିଲେ, ଏହାଦ୍ୱାରା ଦେଶ ଆତ୍ମନିର୍ଭର ହେବା ସହ ବ୍ୟବସାୟ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।
ପ୍ରଧାନମନ୍ତ୍ରୀ କହିଥିଲେ, ୧୯୭୦ ଦଶକରେ ‘ଗରିବୀ ହଟାଓ’ ନାରା ଦିଆଯାଇଥିଲା। ସେତେବେଳେ ମଧ୍ୟ ଦାରିଦ୍ର୍ୟ ଦୂର କରିବା ସମ୍ଭବ ଥିଲା, କିନ୍ତୁ ନୀତିରେ ତ୍ରୁଟି ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଥିଲା। କ୍ଷୁଦ୍ର ଉଦ୍ୟୋଗୀ, ଶିଳ୍ପଜଗତ, ସମ୍ପତ୍ତି ସୃଷ୍ଟିକାରୀ ଓ କରଦାତାଙ୍କୁ ସମ୍ମାନ ଦେଲେ ହିଁ ଦେଶ ଆଗକୁ ବଢ଼ିବ। ସେମାନଙ୍କୁ ସବୁବେଳେ ସମାଲୋଚନା କରି ଦେଶର ବିକାଶ ହୋଇପାରିବ ନାହିଁ ବୋଲି ସେ କହିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ସରକାରଙ୍କୁ ଘେରିଥିଲେ। ଭାରତ ଏକ ଆର୍ଥିକ ବିପର୍ଯ୍ୟୟର ଦ୍ୱାରଦେଶରେ ଠିଆ ହୋଇଛି ବୋଲି ସେ ସୋସିଆଲ୍ ମିଡିଆରେ ଲେଖିଥିଲେ।
ରାହୁଲଙ୍କ ଅଭିଯୋଗ ଅନୁସାରେ, ଯୁବକମାନେ ଡିଗ୍ରୀ ପରେ ଚାକିରି ମିଳିବା ନେଇ ନିଶ୍ଚିତ ନୁହନ୍ତି। ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଭୟରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନିଶ୍ଚିତତାରେ ରହିଛି । ସେହିପରି ଛୋଟ ବ୍ୟବସାୟୀମାନେ ସରକାରୀ ଚାପ ଓ କିଛି ବଡ଼ ଶିଳ୍ପପତିଙ୍କ ଏକଚାଟିଆ କାରବାର ଯୋଗୁଁ ଅସୁବିଧାରେ ପଡ଼ୁଛନ୍ତି ବୋଲି ସେ ଦାବି କରିଥିଲେ। ରୋଜଗାର ସୁଯୋଗ କମୁଛି ଓ ଆର୍ଥିକ ଅସମାନତା ବଢ଼ୁଛି ବୋଲି ମଧ୍ୟ ରାହୁଲ ଅଭିଯୋଗ କରିଥିଲେ। ଏହାର ଜବାବରେ ମୋଦି ଦେଶର ଅର୍ଥନୈତିକ ଅଭିବୃଦ୍ଧି, ଦାରିଦ୍ର୍ୟ ହ୍ରାସ ଓ ପୂର୍ବ ସରକାରଙ୍କ ନୀତିକୁ ନେଇ ନିଜର ମତ ରଖିଥିଲେ ।

