ଗୁରୁ ହିଁ ସାକ୍ଷାତ୍‌ ଈଶ୍ୱର

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ପୂଜ୍ୟପୂଜାର ମହାନ୍‌ ପରମ୍ପରା ମଧ୍ୟରେ ସତତ ସମୃଦ୍ଧ ହୋଇ ଆସିଥିବା ଆମ ଭାରତୀୟ ସଂସ୍କାର ଓ ସଂସ୍କୃତିର ପୃଷ୍ଠାରେ ଆଜି ଦିନଟି ଗୁରୁଙ୍କ ପାଇଁ ସଂରକ୍ଷିତ ଓ ସମର୍ପିତ। ସେଇ ଗୁରୁ, ଯାହାଙ୍କୁ ସାଧାରଣ ମଣିଷ ଭାବେ ମାନ୍ୟତା ନ ଦେଇ ଆମ ସଂସ୍କାରସିଦ୍ଧ ସମାଜ ଈଶ୍ୱର ଆସନରେ ବସାଇଛି। ଏଇ ଈଶ୍ୱରମାନେ ସ୍ବର୍ଗର ଅଳକାପୁରୀରେ ନ ଥା’ନ୍ତି କି ମର୍ତ୍ତ୍ୟର କେଉଁ ମନ୍ଦିରରେ ପୂଜା ପାଉ ନ ଥା’ନ୍ତି। ଏମାନେ ସଚରାଚର ଏଇ ସମାଜରେ ବିଚରଣ କରୁଥା’ନ୍ତି, କେଉଁଠି ମାଷ୍ଟର ବା ଶିକ୍ଷକ ରୂପରେ ତ ପୁଣି କେଉଁଠି ଅଧ୍ୟାପକ, ପ୍ରାଧ୍ୟାପକ ବା ପ୍ରଫେସର ଭାବେ। ସ୍ଥୂଳ ରୂପରେ ଏମାନଙ୍କ ପରିଚୟ ଶିକ୍ଷକ, ମାଷ୍ଟର ବା ଅଧ୍ୟାପକ ହେଲେବି ଆମ ସଂସ୍କାରନିଷ୍ଠ ସମାଜର ସୂକ୍ଷ୍ମ ଦୃଷ୍ଟିରେ ଏମାନେ ଗୁରୁ ରୂପେ ବିବେଚିତ ହୋଇଥା’ନ୍ତି ଏବଂ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସାକାର ସମନ୍ବୟ ପରଂବ୍ରହ୍ମର ମାନ୍ୟତା ଅର୍ଜନ କରିଥା’ନ୍ତି। ବୃତ୍ତି ହେଉ କି ବ୍ରତ, ବିଦ୍ୟାଦାନ ଭଳି ମହତ୍‌ କାର୍ଯ୍ୟରେ ନିରନ୍ତର ବ୍ୟାପୃତ ରହୁଥିବା ଗୁରୁମାନଙ୍କୁ ଈଶ୍ୱରଙ୍କ ସମକକ୍ଷ ବିଚାରିବା ସହ ତାଙ୍କ ସମର୍ପିତ ସାଧନା ପ୍ରତି ସମ୍ମାନ ଜଣାଇବାକୁ ବର୍ଷର ଏକ ନିର୍ଦ୍ଦିଷ୍ଟ ଦିନ ସଂରକ୍ଷିତ ରଖିବା କେତେଯେ ଗୌରବର ବିଷୟ!
ପ୍ରାଚୀନ ପରମ୍ପରାର ଗୁରୁକୁଳ ଆଶ୍ରମଠୁ ଆରମ୍ଭ କରି ଆଧୁନିକ ବ୍ୟବସ୍ଥାର ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଯାଏ ସବୁଠି ସବୁ କାଳରେ ଗୁରୁମାନଙ୍କ ଜରିଆରେ ସଙ୍ଗଠିତ ହୋଇଆସିଛି ଆସନ୍ତାକାଲିର ପ୍ରସ୍ତୁତି ପର୍ବ। ଶିକ୍ଷା ସୋପାନର ପାହାଚ ପରେ ପାହାଚ ଅତିକ୍ରମ କରି ରାଷ୍ଟ୍ରର ଭବିଷ୍ୟତ କୁହାଯାଉଥିବା ବିଦ୍ୟାର୍ଥୀଟି ଯେତେବେଳେ ଆଗକୁ ଆଗକୁ ଆଗେଇ ଚାଲୁଥାଏ, ସେତେବେଳେ ପ୍ରତ୍ୟେକ ସୋପାନରେ ତା’ ହାତଧରି ବାଟ କଢ଼ାଇ ନେଉଥିବା ମାର୍ଗଦର୍ଶିକଙ୍କ ନାମ ଶିକ୍ଷକ ବା ଆଚାର୍ଯ୍ୟ। ଜଣେ ଛାତ୍ର ବା ଛାତ୍ରୀର ଜୀବନରେ ତା’ ମାତାପିତାଙ୍କ ପରେ କେବଳ ଶିକ୍ଷକ ହିଁ ଏକମାତ୍ର ବ୍ୟକ୍ତି, ଯାହାଙ୍କୁ ସେ ଈଶ୍ୱର ବୋଲି ବିଶ୍ୱାସ କରେ ଓ ତାଙ୍କ ମୁହଁର ବାଣୀକୁ ବେଦବାକ୍ୟ ବୋଲି ବିବେଚନା କରେ। ଜାତିର ଏହି ଉତ୍ତର ଦାୟାଦମାନଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରୁଥିବା ସେଇ ଶିକ୍ଷକଙ୍କୁ ହିଁ ସେଥିପାଇଁ କୃତଜ୍ଞ ରାଷ୍ଟ୍ର ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ସାକାର ସମନ୍ବୟ କହି ସମ୍ମାନିତ କରେ।
ପାଶ୍ଚାତ୍ୟ ଭୂଖଣ୍ଡର ଜଣେ ପ୍ରଖ୍ୟାତ ଦାର୍ଶନିକ ଥରେ କହିଥିଲେ, ”ଏ ସଂସାରରେ ସଭିଏଁ ସ୍ବର୍ଗ ସ୍ବର୍ଗ କହନ୍ତି ସିନା, କେହି ଜଣେ ବି ସ୍ବର୍ଗର ଠିକଣା ଜାଣି ନ ଥା’ନ୍ତି। ମୁଁ କିନ୍ତୁ ଏମିତି ଏକ ସମ୍ପ୍ରଦାୟକୁ ଜାଣିଛି, ଯେଉଁମାନେ ତୁମକୁ ସ୍ବର୍ଗର ନିକଟବର୍ତ୍ତୀ ସ୍ଥାନକୁ ନେଇ ଯାଇପାରିବେ। ସେମାନେ ହେଉଛନ୍ତି ତୁମର ଶିକ୍ଷକ।“ ପ୍ରକୃତରେ କେବଳ ପ୍ରାଚ୍ୟ ଶାସ୍ତ୍ରବାଣୀରେ ଗୁରୁଙ୍କୁ ଈଶ୍ୱରଙ୍କ ସହ ତୁଳନା କରାଯାଇନାହିଁ, ବରଂ ପାଶ୍ଚାତ୍ୟ ବିଚାରଧାରାରେ ଗୁରୁମାନେ ଅଧିକ ମର୍ଯ୍ୟାଦାବନ୍ତ ଓ ମହିମାନ୍ବିତ। ନିଜ ପ୍ରଭାବ, ପ୍ରତିପତ୍ତି ଓ ପରାକ୍ରମରେ ବିଶ୍ୱବିଦିତ ହୋଇଥିଲେ ମଧ୍ୟ ଗ୍ରୀସ୍‌ର ରାଜା ଆଲେକ୍‌ଜାଣ୍ଡାର ଏକଦା ଜଣେ ସାଧାରଣ ଗୁରୁ ଡାୟୋଜିନିଷଙ୍କ ଆଗରେ କେମିତି ମୁଣ୍ଡ ନୁଅଁାଇଥିଲେ, ତାହା ଏଯାଏଁ ବି ସଭିଙ୍କୁ ରୋମାଞ୍ଚତ୍ତ କରି ଆସୁଛି। ସୁତରାଂ ପ୍ରାଚ୍ୟ ହେଉ କି ପାଶ୍ଚାତ୍ୟ, ସବୁଠି ଗୁରୁପଣ ଏକ ଆଦର୍ଶ ବିଚାର ଓ ଗୁରୁମାନେ ଈଶ୍ୱରୀୟ ଆତ୍ମାର ଅମର ଅବତାର।
ତେବେ ରାମଙ୍କ ବେଶ ଧାରଣ କରି ରଙ୍ଗମଞ୍ଚରେ ଅଭିନୟ କରୁଥିବା ଲୋକ ଯେମିତି ପୁରୁଷୋତ୍ତମ ଶ୍ରୀରାମ ହୋଇଯାନ୍ତି ନାହିଁ, ସେମିତି ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ସମସ୍ତେ ଗୁରୁ ହୋଇଯାଆନ୍ତି ନାହିଁ; ଈଶ୍ୱର ହେବା ତ ଦୂରର କଥା। ଯେଉଁ ଶିକ୍ଷକ କେବଳ ନିଜ ବୃତ୍ତିକୁ ନେଇ ଗୁରୁଭାବେ ପରିଚିତ, ସେମାନେ କିନ୍ତୁ ସମସ୍ତେ ବିଦ୍ୟାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ନ ଥା’ନ୍ତି। ନିଜ ପେଟ ପୋଷିବା ପାଇଁ ବା ପରିବାରର ପ୍ରତିପୋଷଣ ପାଇଁ କୌଣସି ନା କୌଣସି ବୃତ୍ତିରେ ନିୟୋଜିତ ହେଲାଭଳି ଶିକ୍ଷକତା କିଛି ଲୋକଙ୍କ ପାଇଁ ସେମିତି ଏକ ଅର୍ଥ ଅର୍ଜନକାରୀ ବୃତ୍ତି ପାଲଟିଥାଏ। ନା ଥାଏ ତହିଁରେ ବିଦ୍ୟାର୍ଥୀମାନଙ୍କୁ ଜ୍ଞାନାଲୋକରେ ଉଦ୍‌ଭାସିତ କରିବାର ନିଷ୍ଠା, ନା ଥାଏ ରାଷ୍ଟ୍ରର ଭବିଷ୍ୟତ ଗଢ଼ିବାର ଦାୟିତ୍ୱବୋଧ। ଆପଣାର ‘ଗୁରୁ’ ପରିଚୟକୁ ନେଇ ଯେଉଁ ଶିକ୍ଷକ ସମାଜ ବୋଧହୁଏ ସବୁଠାରୁ ସମ୍ମାନାସ୍ପଦ, ସରଳ ସୁଶୀଳ, ନିଷ୍କପଟ ଆଦି ବିଶେଷ ବିଶେଷଣରେ ବିଭୂଷିତ, ସେମାନଙ୍କ ମଧ୍ୟରୁ କାହାର ଅନ୍ତରାତ୍ମାର କଳା କାଳିମାମୟ ଭୟଙ୍କର ରୂପଟିକୁ ପ୍ରତ୍ୟକ୍ଷ କରିବାର ଅବସର ମିଳିଲେ କେମିତି ହୁଅନ୍ତା କାହାର ଅନୁଭବ! ଦୃଷ୍ଟି ଅନ୍ତରାଳରେ ରହୁଥିବା ଏମିତି ବହୁ ଦୃଷ୍ଟାନ୍ତ ବାହାରେ ଏକ ଆଖିଦେଖା ଦୃଷ୍ଟାନ୍ତ।
ଶିକ୍ଷକମାନଙ୍କୁ ଦୁଃସ୍ଥ ବୋଲି ସମ୍ବୋଧନ କରି ଯେଉଁମାନେ ସେମାନଙ୍କ ଅର୍ଥନୈତିକ ଦୁଃସ୍ଥିତିକୁ ଦୟା କରନ୍ତି, ସେମାନଙ୍କ ପାଇଁ ଆମ ଏ ଶିକ୍ଷକବାବୁ ଥିଲେ ଏକ ପ୍ରଚଣ୍ଡ ବ୍ୟତିକ୍ରମ। ବୃତ୍ତିରେ ଶିକ୍ଷକ ହେଲେ ବି ଆଖପାଖ କେଇଖଣ୍ଡ ଗଁାର ସେ ଥିଲେ ସବୁଠୁ ଧନୀ। ଗଁାରେ ଅମାପ ଜମିବାଡ଼ି ସାଙ୍ଗକୁ ଦୁଇଟି ବ୍ୟବସାୟ ପ୍ରତିଷ୍ଠାନ ଓ ଦୁଇଟି ଟ୍ରାକ୍ଟର ଏବଂ ଗୋଟିଏ ଟ୍ରକର ମାଲିକ ସେଇ ଶିକ୍ଷକ ମହୋଦୟ ଉତ୍ତରାଧିକାର ସୂତ୍ରରେ ଏହି ବିପୁଳ ସମ୍ପତ୍ତିର ମାଲିକାନା ହାସଲ କରି ନ ଥିଲେ। ଧନଶାଳୀ ପିତାଙ୍କ ପୁତ୍ର ହୋଇଥିଲେ ତାଙ୍କ ହତଭାଗ୍ୟ ପିତା ଜଣକ ନିଜ ଦରିଦ୍ର ସାନପୁଅ ପାଖରେ ମୁଣ୍ଡ ଗୁଞ୍ଜି ନ ଥା’ନ୍ତେ କି ନିତିଦିନ କାଶି କାଶି ବେଦମ୍‌ ହୋଇ ଯାଉଥିଲେ ବି ବିନା ଚିକିତ୍ସାରେ ମଶାଣିର ଯାତ୍ରାକୁ ଅପେକ୍ଷା କରୁ ନ ଥା’ନ୍ତେ। ଅଥଚ ଅସହାୟ ପୀଡ଼ିତ ପିତାଙ୍କ ଦୁଃସ୍ଥିତି ପାଇଁ ଜ୍ୟେଷ୍ଠ ଶିକ୍ଷକ ପୁତ୍ର ଥିଲେ ସମ୍ପୂର୍ଣ୍ଣ ନିର୍ବିକାର, ପ୍ରତିକ୍ରିୟାଶୂନ୍ୟ!
ଏହି ଗ୍ରାମ୍ୟ ଶିକ୍ଷକଙ୍କ ଧନୀ ହେବାର ରହସ୍ୟ ଏମିତି କିଛି ରୋମାଞ୍ଚକର ନୁହେଁ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅଧିକାଂଶ ଗ୍ରାମବାସୀଙ୍କୁ ସେ ବେଳ ଅବେଳରେ ଅର୍ଥ ଯୋଗାଇ ଦେଇ କେଉଁଠି ସୁନାଗହଣା ତ ଅନ୍ୟ କେଉଁଠି ଜମିବାଡ଼ି ବନ୍ଧକ ରଖୁଥିଲେ। ନିର୍ଦ୍ଦିଷ୍ଟ ସମୟରେ ଋଣ ଶୁଝିବାର ଚୁକ୍ତି ଖିଲାପ କରି ଦରିଦ୍ର ଖାତକମାନେ ସେମାନଙ୍କ ବନ୍ଧକ ସମ୍ବଳସବୁ ମାଷ୍ଟରବାବୁଙ୍କୁ ସମର୍ପଣ କରି ଋଣମୁକ୍ତ ହେଉଥିଲେ। ଏହି ବେପାରୀ ବିଦ୍ୟାଦାତାଙ୍କୁ ଅର୍ଥର ମୋହ ଏମିତି ଅନ୍ଧ କରିଥିଲା ଯେ, ନିଜ ବୃତ୍ତି ପ୍ରତି ବିଶ୍ୱସ୍ତତା ତ ଦୂରର କଥା, ନିଜ ବାପା ଓ ସାନଭାଇଙ୍କ ସହ ବିଶ୍ୱାସଘାତକତା କରିବାକୁ ସେ ତିଳେ ବି କୁଣ୍ଠାବୋଧ କରୁ ନ ଥିଲେ। ଅଥଚ ଲୋକଚକ୍ଷୁରେ ତାଙ୍କର ପରିଚୟ ଥିଲା ଗୁରୁ, ସାକ୍ଷାତ୍‌ ଈଶ୍ୱର, ପରଂବ୍ରହ୍ମ!
ତେବେ ସବୁ ଶିକ୍ଷକ ଏଇ ଶିକ୍ଷକଙ୍କ ପରି ଧନ କୁବେର ନୁହନ୍ତି। ଆମ ରାଜ୍ୟର ବିଚିତ୍ର ଶିକ୍ଷା ବ୍ୟବସ୍ଥା ମଧ୍ୟରେ ବିଭିନ୍ନ ବର୍ଗର ବହୁ ପ୍ରକାର ଶିକ୍ଷକ ଅଛନ୍ତି। ଏକା ଯୋଗ୍ୟତା, ଏକା କାମ, ଅଥଚ କେତେକଙ୍କର ମାସିକ ବେତନ ଲକ୍ଷେ ଉପରେ ତ ଆଉ କେତେକ କେଇ ହଜାର ପାଇଁ ସଂଗ୍ରାମରତ। ଶିକ୍ଷକମାନେ ଈଶ୍ୱରଙ୍କ ସାକ୍ଷାତ୍‌ ସ୍ବରୂପ। ସୁତରାଂ, ଈଶ୍ୱରମାନେ ଦାବି ପୂରଣ ପାଇଁ ଅନ୍ୟ ବୃତ୍ତିଜୀବୀଙ୍କ ପରି ରାଜରାସ୍ତାକୁ ଓହ୍ଲାଇ ଆସିବା ଅନୁଚିତ ବୋଲି ଆମ ସମାଜର ତତ୍ତ୍ୱାବଧାରକମାନେ ବହୁ ସମୟରେ ବାଣୀ ଶୁଣାଇଥା’ନ୍ତି। ହେଲେ ପାର୍ଥିବ ଜଗତରେ ନଶ୍ୱର ଜୀବନ ବଞ୍ଚୁଥିବା ଅନ୍ୟ ବହୁ ପ୍ରାଣୀଙ୍କ ପରି ଏଇ ଶିକ୍ଷକ ରୂପୀ ଈଶ୍ୱରମାନଙ୍କର ପେଟ ପାଇଁ ଭୋକ ଥାଏ। ଈଶ୍ୱରଟିଏ ନିଜ ଈଶ୍ୱରତ୍ୱ ସମ୍ପର୍କରେ ସେତିକିବେଳେ ସଚେତନ ଥାଏ, ଯେତେବେଳେ ତା’ ପେଟକୁ ମୁଠାଏ ଦାନା ଯୋଗାଇବାର ଚିନ୍ତା ନ ଥାଏ। ପ୍ରଚଣ୍ଡ କ୍ଷୁଧାରେ ଛଟପଟ ହେଉଥିବା ଈଶ୍ୱର ଜଣଙ୍କୁ ତା’ର ଈଶ୍ୱରପଣିଆ ସମ୍ପର୍କରେ ଚେତାଇଦେଲେ ଐଶ୍ୱରୀୟ ଆବରଣ ତଳେ ଲୁଚି ରହିଥିବା ତା’ ଭିତରର ପଶୁଟି କ୍ରୋଧରେ ଗର୍ଜନ କରିବ ସିନା, ଈଶ୍ୱରଙ୍କ ପରି ସବୁଦିନ ସବୁକଥା ସହିନେବ ନାହିଁ।
ଏବେ ତ ଶିକ୍ଷକ ଭାବେ ନିଯୁକ୍ତି ପାଇ ଈଶ୍ୱର ବୋଲାଇବାକୁ କିଛି କୁତ୍ସିତ ଲୋକଙ୍କର ହୀନ କସରତ ସମ୍ପର୍କରେ ଖବର ମିଳୁଛି। ମୋଟା ଅଙ୍କର ଅର୍ଥ ବିନିମୟରେ ଏମାନେ ଜାଲ ମାର୍କଶିଟ୍‌ଠୁ ଆରମ୍ଭ କରି ନକଲି କ୍ରୀଡ଼ାପ୍ରବୀଣ ପ୍ରମାଣପତ୍ରଯାଏଁ ଆବଶ୍ୟକ ହେଉଥିବା ସବୁ ଯୋଗ୍ୟତାର ପ୍ରମାଣପତ୍ର ହାସଲ କରିନିଅନ୍ତି। ଅଜ୍ଞାନତାର ଅନ୍ଧାର ଭିତରେ ବୁଡ଼ି ରହିଥିବା ଲୋକଟି ଜ୍ଞାନର ଆଲୋକ ବାଣ୍ଟିବାର ସନନ୍ଦପତ୍ର ପାଇଥାଏ। ପ୍ରାୟ ବର୍ଷକ ତଳେ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ସର୍ବବ୍ୟାପ୍ତ ହୋଇଥିଲା, ଯାହା ବର୍ତ୍ତମାନ ପାଇଁ ଯେତିକି ଲଜ୍ଜାଜନକ, ଭବିଷ୍ୟତ ପାଇଁ ତତୋଽଧିକ ଚିନ୍ତାଜନକ। ଉତ୍ତରପ୍ରଦେଶର କୌଣସି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କର୍ମରତା ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଶିକ୍ଷା ନିରୀକ୍ଷକ କେତୋଟି ପ୍ରଶ୍ନ ପଚାରି ଯାହା ଉତ୍ତର ପାଇଲେ, ତାହା ତାଙ୍କୁ ତଟସ୍ଥ କରିଥିଲା। ସ୍ତବ୍ଧ ଚକିତ ନିରୀକ୍ଷକ ଆଉ ଟିକେ ଆଗକୁ ଯାଇ ଶିକ୍ଷୟିତ୍ରୀଙ୍କ ନିମ୍ନତମ ମୌଳିକ ଇଂଲିଶ୍‌ ଜ୍ଞାନ ପରୀକ୍ଷା କରିବାକୁ ଦୁଇ ତିନୋଟି ସହଜ ଶବ୍ଦର ବନାନ ଲେଖିବାକୁ ନିର୍ଦ୍ଦେଶ ଦେଲେ। ମହୋଦୟା ଯାହା ଲେଖିଲେ, ତାହା ଦେଖିଲା ପରେ ତାଙ୍କଠୁଁ ଶିକ୍ଷା ଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କ ମା’ବାପାମାନେ ନିଜ ନିଜର ସନ୍ତାନ ସନ୍ତତିଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଯାଇଥିବେ।
ଶିକ୍ଷା ସଂସ୍କାରର ଏହି ବିଭ୍ରାଟ ମଧ୍ୟରେ ତଥାପି ଆଗେଇ ଚାଲିଛି ଆମ ଶିକ୍ଷା ବ୍ୟବସ୍ଥା। ସରକାରୀ ବ୍ୟବସ୍ଥାର ଅବକ୍ଷୟକୁ ଲକ୍ଷ୍ୟ କରି ଧନିକ ମାତାପିତାମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେମାନଙ୍କ ପିଲାମାନଙ୍କୁ ବେସରକାରୀ ଆନ୍ତର୍ଜାତିକ ବୋଲାଉଥିବା ବିଦ୍ୟାଳୟଗୁଡ଼ିକରେ ପଢ଼ାଉଛନ୍ତି। ତେବେ ବ୍ୟୟସାପେକ୍ଷ ଘରୋଇ ସ୍କୁଲ କଲେଜର ଶିକ୍ଷା ହେଉ କି ମାଗଣା ସରକାରୀ ଶିକ୍ଷା, ମାଆବାପା, ସମାଜ ଓ ସରକାର ସଭିଏଁ ପିଲାମାନଙ୍କୁ ‘ବଡ଼ଲୋକ’ କରି ଗଢ଼ି ତୋଳିବାକୁ ସବୁ ପ୍ରକାର ଉଦ୍ୟମ କରୁଥିଲା ବେଳେ କେଉଁଠି କେଜାଣି ହଜିଯାଇଛି ଶିକ୍ଷାର ଅନ୍ତର୍ନିହିତ ପରିଭାଷା ‘ସଂସ୍କାର’। ଆମ ପିଲାମାନେ ଶିକ୍ଷା ପାଇ ବଡ଼ ହୋଇ ‘ବଡ଼ଲୋକ’ରେ ଗଣାହେଉଛନ୍ତି ସିନା, କମି କମି ଯାଉଛି ‘ଭଲ ଲୋକଟିଏ’ ହେବାର ପ୍ରବଣତା। ଆମେରିକାର ପ୍ରବାଦପୁରୁଷ ଆବ୍ରାହମ୍‌ ଲିଙ୍କନ ତାଙ୍କ ପୁଅର ଶିକ୍ଷକଙ୍କ ନିକଟକୁ ଚିଠିଟିଏ ଲେଖିଥିଲେ, ”ମହାଶୟ! ଆମେରିକା ସହିତ ସମଗ୍ର ବିଶ୍ୱର କଥା ବୁଝିବାକୁ ପଡୁଥିବାରୁ ମୋ ପୁଅ କଥା ବୁଝିବାକୁ ଆପଣଙ୍କୁ ଦାୟିତ୍ୱ ଦେଇଛି। ଆପଣ ତାକୁ ଠିକ୍‌ ଭାବେ ଗଢ଼ୁଥିବେ ବୋଲି ବିଶ୍ୱାସ। ଆପଣ ତାକୁ ଯାହା ଶିକ୍ଷା ଦିଅନ୍ତୁ ନା କାହିଁକି, ଏ କଥା ବି ଶିଖାଇବେ ଯେ- ଅସତ୍‌ ପଥରେ ଯାଇ ସଫଳ ହେବା ଅପେକ୍ଷା ସତ୍‌ ପଥରେ ଯାଇ ବିଫଳ ହେବା ଶତଗୁଣ ଶ୍ରେୟସ୍କର।“ ସେକାଳର ଲିଙ୍କନ୍‌ଙ୍କ ପରି ଏକାଳର ମାତାପିତା ଓ ଶାସନତନ୍ତ୍ର ଯେଉଁ ଦିନ ପିଲାମାନଙ୍କୁ ‘ବଡ଼ମଣିଷ’ ଭାବେ ଗଢ଼ିବା ପରିବର୍ତ୍ତେ ‘ଭଲ ମଣିଷ’ କରି ଗଢ଼ି ତୋଳିବାର ଦାୟିତ୍ୱ ଓ ଅଧିକାର ଶିକ୍ଷକମାନଙ୍କ ହାତରେ ଅର୍ପଣ କରିବେ, ସେଦିନ ହିଁ ଗୁରୁମାନଙ୍କୁ ଈଶ୍ୱର ବିବେଚନା କରିବା ହେବ ଅଧିକ ଯଥାର୍ଥ ଓ ଯୁକ୍ତିସଙ୍ଗତ।
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା…

ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର…

୯ କିଲୋମିଟରର ଅକୁହା କାହାଣୀ

ପ୍ରଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ଆସ କୃତଜ୍ଞ ହେବା

ଗଭୀର ନଦୀ ଧୀରେ ବହେ। ଗମ୍ଭୀର ବ୍ୟକ୍ତି ଧୀରେ କହେ। ଭଲ ମଣିଷ କୃତଜ୍ଞ ରହେ। କେହି ଜଣେ ବିଦ୍ୱାନ ଏକଦା କହିଥିଲେ- କୃତଜ୍ଞତା ହେଉଛି ମଣିଷର…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଯଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ନୂଆ ସ୍ରୋତରେ ଆନ୍ନାମଲାଇ

DHARତାମିଲନାଡ଼ୁରେ ଗତ ବିଧାନସଭା ନିର୍ବାଚନ ଫଳାଫଳ କେବଳ ସେହି ରାଜ୍ୟ ନୁହେଁ, ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପାରମ୍ପରିକ ଦ୍ରାବିଡୀୟ ପାର୍ଟି ଓ ଜାତୀୟ ଦଳ…

ଏଇ ଭାରତରେ

ରାଜସ୍ଥାନ ଥର ମରୁଭୂମି ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପରଦା ପ୍ରଥାର ପ୍ରଭାବ ଅଛି। ମହିଳାମାନେ ସମ୍ପୂର୍ଣ୍ଣ ଶିକ୍ଷା ସ୍ବାଧୀନତା ପାଇପାରିନାହାନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଜୟସାଲମେରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri