ଟିକସର ବୋଝ

ଗତ ଏପ୍ରିଲ ମାସରେ ଦେଶରେ ସାମଗ୍ରୀ ଓ ସେବା ଟିକସ ବା ଜିଏସ୍‌ଟି ଆଦାୟରେ ଭାରତ ଇତିହାସ ସୃଷ୍ଟି କରିଛି ବୋଲି ସରକାରଙ୍କ ତରଫରୁ ବାରମ୍ବାର କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲରେ ଜିଏସ୍‌ଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୭ ହଜାର କୋଟିରେ ପହଞ୍ଚତ୍ଛି। ଅବଶ୍ୟ କରୋନା ମହାମାରୀ ଯୋଗୁ ୨୦୨୦ ବର୍ଷକୁ ଛାଡ଼ି ୨୦୧୯, ୨୦୨୧, ୨୦୨୨ର ଏପ୍ରିଲ ମାସରେ ଜିଏସ୍‌ଟି ଆଦାୟ ସର୍ବଦା ପୂର୍ବ ରେକର୍ଡସ୍ତର ଅତିକ୍ରମ କରିଛି। ଏଣୁ ଏ ବର୍ଷ ଅତିକ୍ରମ କରିବା କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ । ୨୦୨୨ ଏପ୍ରିଲରେ ୧ ଲକ୍ଷ ୬୮ ହଜାର କୋଟି ରହିଥିଲା। ୨୦୨୧ ଏପ୍ରିଲରେ ୧ ଲକ୍ଷ ୪୧ ହଜାର କୋଟି ଛୁଇଁଥିଲା। ୨୦୧୯ ଏପ୍ରିଲରେ ମୋଟ ୧ ଲକ୍ଷ ୧୩ ହଜାର ୮୬୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି।
ପ୍ରତ୍ୟକ୍ଷ କର ମାଧ୍ୟମରେ ଟିକସର ବୋଝ ସିଧାସଳଖ କରଦାତା ଉପରେ ପଡ଼ିଥାଏ। କୌଣସି ପ୍ରତ୍ୟକ୍ଷ କରକୁ ପ୍ରଗତିଶୀଳ କୁହାଯିବ, ଯେତେବେଳେ ଲାଭ ବା ଆୟ ବା ସମ୍ପଦ ବୃଦ୍ଧି ଅନୁସାରେ କର ହାର ବୃଦ୍ଧି ପାଇଥାଏ। ଏଣୁ ଆୟକର, କର୍ପୋରେଟ୍‌ ଟିକସ ପରି ପ୍ରତ୍ୟକ୍ଷ କର ମାଧ୍ୟମରେ ଅଧିକ ଟିକସ ଆଦାୟ ହେଲାବେଳେ ପରୋକ୍ଷ କର ଆଦି ବାବଦରେ କମ୍‌ ଆଦାୟ ହେବା ଉଚିତ୍‌। କାରଣ ଜିଏସ୍‌ଟି ଅବକାରୀ ବା ଉତ୍ପାଦ କର ସୀମାଶୁଳ୍କ ପରି ପରୋକ୍ଷ କର। ପରୋକ୍ଷ କର ପ୍ରତିଗାମୀ । ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରିଲାବେଳେ ଏହି ଟିକସ ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ସମାନ ହାରରେ ଦେଇଥା’ନ୍ତି। ଆୟ ଦୃଷ୍ଟିରୁ ଟିକସର ବୋଝ ଗରିବଙ୍କ ଉପରେ ବେଶି ପଡ଼ିଥାଏ। ପୁନଶ୍ଚ ଆମ ଦେଶରେ ଜିଡିପି ବା ମୋଟ ଟିକସରେ ପରୋକ୍ଷ କର ଅନୁପାତ ବୃଦ୍ଧି ପାଉଛି। ଏଣୁ ଜିଏସ୍‌ଟି ବାବଦରେ ଅଧିକ ସଂଗ୍ରହ ଖୁସିର କାରଣ ନୁହେଁ। ପୁନଶ୍ଚ ଜିଏସ୍‌ଟି ପ୍ରଚଳନ ବେଳେ କୁହାଯାଇଥିଲା ଟିକସ ଫାଙ୍କି ରୋକାଯିବ, ଅଧିକ ଟିକସ ଆଦାୟ ହେବ ଏବଂ ଦରଦାମ୍‌ ହ୍ରାସ ପାଇବ। ଏଥିରୁ ଗୋଟିଏ ବି ପୂରଣ ହୋଇନି। ଯେଉଁ ଟିକସ ଅଧିକ ଆଦାୟ ହୋଇଛି ତାହା ମୁଖ୍ୟତଃ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁ ନାମାଙ୍କନ ମୂଲ୍ୟରେ ବୃଦ୍ଧି ହୋଇଛି। ପୁନଶ୍ଚ ଅଧିକାଂଶ ବ୍ୟବସାୟିକ ସଂସ୍ଥା ଯେତିକି ଲୋକଙ୍କଠାରୁ ଆଦାୟ କରୁଛନ୍ତି, ପ୍ରାୟ ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ବାଟମାରଣା ହେଉଛି। ଅର୍ଥାତ୍‌ ବ୍ୟବସାୟିକ ସଂସ୍ଥା ଗ୍ରାହକଙ୍କଠାରୁ ଟିକସ ନେଉଛନ୍ତି କିନ୍ତୁ ସବୁ ସରକାରଙ୍କୁ ପଇଠ କରୁନାହାନ୍ତି। ଅନେକ ଦୋକାନୀ କମ୍ପ୍ୟୁଟର ବିଲ୍‌ ଦୂରର କଥା ଏପରିକି ହାତଲେଖା ବିଲ୍‌ ମଧ୍ୟ ଦେଉନାହାନ୍ତି।
ପୁନଶ୍ଚ ଅତ୍ୟନ୍ତ ଚିନ୍ତାର ବିଷୟ ହେଉଛି, ଆୟ ଅନୁସାରେ ଗରିବମାନେ ଧନୀଙ୍କ ଅପେକ୍ଷା ଅଧିକ ଜିଏସ୍‌ଟି ତଥା ଅନ୍ୟାନ୍ୟ ପରୋକ୍ଷ କର ଦେଇଥା’ନ୍ତି ।
ଅକ୍ସଫାମ୍‌ ରିପୋର୍ଟ ଅନୁସାରେ ଦେଶର ମୋଟ୍‌ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି)ର ପ୍ରାୟ ଦୁଇ ତୃତୀୟାଂଶ ବା ୬୪% ନିମ୍ନରେ ଥିବା ୫୦% ଜନତାଙ୍କଠାରୁ ଆସିଥିବାବେଳେ ଏକ ତୃତୀୟାଂଶ ମଧ୍ୟବିତ୍ତ ୪୦%ଙ୍କଠାରୁ ଆସିଛି। କେବଳ ୩% ଶୀର୍ଷ ୧୦% ଧନୀଙ୍କଠାରୁ ଆସିଛି। ୨୦୨୧-୨୨ରେ ଜିଏସ୍‌ଟି(ଉଭୟ କେନ୍ଦ୍ର ଏବଂ ରାଜ୍ୟ ମିଶିକି) ୧୪.୭ ଲକ୍ଷ କୋଟି ଟଙ୍କା ସଂଗୃହୀତ ହୋଇଥିଲା। ନିମ୍ନ ୫୦% ଜନତା ଧନୀ ଓ ମଧ୍ୟବିତ୍ତଙ୍କଠାରୁ ଆୟ ଅନୁସାରେ ବହୁ ଅଧିକ ପରୋକ୍ଷ କର ଦେଇଥା’ନ୍ତି। ନିମ୍ନ ୫୦% ଲୋକ ଧନୀ ୪%ଠାରୁ ଆୟ ଅନୁସାରେ ୬ ଗୁଣ ଅଧିକ ଟିକସ ଦେଇଥା’ନ୍ତି। କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଜିଏସ୍‌ଟି ହେଉଛି ଏକ ପରୋକ୍ଷ ଟ୍ୟାକ୍ସ, ଯାହା ଚୂଡ଼ାନ୍ତ ଗ୍ରାହକଙ୍କ ଅପେକ୍ଷା ସାମଗ୍ରୀ ଏବଂ ସେବା ଯୋଗାଣକାରୀଙ୍କଠାରୁ ସଂଗୃହୀତ ହୋଇଥାଏ। ଫଳସ୍ବରୂପ, କିଏ କେତେ ଜିଏସ୍‌ଟି ଦେଉଛି ତାହା ସ୍ଥିର କରିବା ଅସମ୍ଭବ। ରିଟର୍ନ ଫାଇଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ୫୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରୁଥିବା ୨୨% ଭାରତୀୟ ବ୍ୟବସାୟୀ ମୋଟ୍‌ ଜିଏସ୍‌ଟିର ୯୦% ପ୍ରଦାନ କରନ୍ତି। ପ୍ରଥମ କଥା ଅର୍ଥମନ୍ତ୍ରୀ ଭୁଲ୍‌ କଥା କହିଛନ୍ତି। ଜିଏସ୍‌ଟି ଚୂଡ଼ାନ୍ତ ଗ୍ରାହକଙ୍କଠାରୁ ଆଦାୟ କରାଯାଇଥାଏ। ବଡ଼ ବା ଛୋଟ ବ୍ୟବସାୟିକ ସଂସ୍ଥା ଯେଉଁ ଟିକସ ପଇଠ କରିଥା’ନ୍ତି ତାହା ଗ୍ରାହକ ବା ଉପଭୋକ୍ତାଙ୍କଠାରୁ ଆଦାୟ କରିଥା’ନ୍ତି। ଏଣୁ ଅକ୍ସଫାମ୍‌ ରିପୋର୍ଟ ଆପାତତଃ ଠିକ୍‌।
କେବଳ ଜିଏସ୍‌ଟି ନୁହେଁ, ଆମ ଦେଶରେ ଟିକସ ବ୍ୟବସ୍ଥା ଏପରି ପ୍ରତିଗାମୀ ଯେ ଆୟ ଅନୁସାରେ ଗରିବ ଏପରିକି ଭିକାରିଟି ଧନୀ, ଶିଳ୍ପପତିଙ୍କଠାରୁ ଅଧିକ ଟିକସ ଦେଇଥା’ନ୍ତି। ଯାହାର ଏକ ଉଦାହରଣ କେବଳ ଜିଏସ୍‌ଟି ନୁହେଁ, ପେଟ୍ରୋଲିୟମ ସାମଗ୍ରୀ ମାଧ୍ୟମରେ ଅଧିକ ଟିକସ ଆଦାୟ ହେବା ଏବଂ ତାହାର ବୋଝ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ପଡ଼ିବା। ପେଟ୍ରୋଲିୟମ ସାମଗ୍ରୀ ଉପରେ ଟିକସ ବାବଦରେ ୨୦୨୧-୨୨ରେ କେନ୍ଦ୍ର ୪,୯୨,୩୦୩ କୋଟି ଏବଂ ରାଜ୍ୟ ୨,୮୨,୧୨୨ କୋଟି ଟଙ୍କା ପ୍ରାପ୍ତ ହେଲାବେଳେ ମୋଟ୍‌ ଉପରେ ୭,୭୪,୪୨୫ କୋଟି ଟଙ୍କା ଆଦାୟ କରାଯାଇଛି। ପୁନଶ୍ଚ ଗତ କିଛିମାସ ହେବ ବିଶ୍ୱ ବଜାରରେ ଅଶୋଧିତ ତୈଳଦର ହ୍ରାସ ଘଟିବା ସତ୍ତ୍ୱେ ସରକାର ତୈଳଦର ହ୍ରାସ କରୁନାହାନ୍ତି, ଯାହାଦ୍ୱାରା ଜନବିରୋଧୀ ଚରିତ୍ର ପରିସ୍ଫୁଟିତ ହେଉଛି। ପେଟ୍ରୋଲ, ଡିଜେଲ ଉପରେ ଅହେତୁକ ଟିକସ ଆଦାୟ କରିବାଯୋଗୁ ଦରଦାମ୍‌ ଓ ମୁଦ୍ରାସ୍ଫୀତି ବୃଦ୍ଧି ଘଟୁଛି, ଯାହାଦ୍ୱାରା ଗରିବଙ୍କ କ୍ରୟଶକ୍ତି ହ୍ରାସ ପାଉଛି।
ପୁନଶ୍ଚ ସରକାର ସେସ୍‌ ଏବଂ ସର୍‌ଚାର୍ଜ ବାବଦରେ ଅଧିକ ଟିକସ ଆଦାୟ କରୁଛନ୍ତି, ଯେଉଁଥିରେ ରାଜ୍ୟର ଅଂଶ ରହୁନି ଏବଂ ରାଜ୍ୟଗୁଡ଼ିକ ଗରିବଙ୍କ ପାଇଁ କିଛି କରିବାରେ ସମ୍ବଳ ଅଭାବର ସମ୍ମୁଖୀନ ହେଉଛନ୍ତି। ୨୦୧୦-୧୧ରେ କେନ୍ଦ୍ରର ମୋଟ ରାଜସ୍ବରେ ସେସ୍‌ ଏବଂ ସରଚାର୍ଜ ବାବଦରେ ଆଦାୟ ରାଜସ୍ବ ୮.୬% ଥିଲା। ୨୦୨୧-୨୨ ଏହା ୨୮%କୁ ବୃଦ୍ଧି ପାଇଛି। ସେସ୍‌ ଏବଂ ସରଚାର୍ଜ ବାବଦରେ କେନ୍ଦ୍ର ୨୦୧୯-୨୦ରେ ୩.୬୫ ଲକ୍ଷ କୋଟି ପାଇଥିଲାବେଳେ ୨୦୨୦-୨୧ରେ ୫.୦୯ ଲକ୍ଷ କୋଟି ଏବଂ ୨୦୨୧-୨୨ରେ ୭.୬ ଲକ୍ଷ କୋଟି ଟଙ୍କା ପାଇଛି। କେବଳ ପେଟ୍ରୋଲିୟମ ସାମଗ୍ରୀ ଉପରେ ୨.୭ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି।
ବାସ୍ତବରେ ସରକାର ଆମରି ଟିକସ ଅର୍ଥରେ କେବଳ ବ୍ୟୟକରି ବାହାବା ନେଉନାହାନ୍ତି ବରଂ ଧନୀ, କର୍ପୋରେଟ୍‌ଙ୍କୁ ପରୋକ୍ଷରେ ଅଧିକ ରିହାତି ଦେଇ ନିର୍ବାଚନ ବୈତରଣୀ ସହଜରେ ପାରିହେବାକୁ ଚେଷ୍ଟା କରୁଛନ୍ତି। ସରକାର ଧନୀ, କର୍ପୋରେଟ୍‌ଙ୍କଠାରୁ ଆବଶ୍ୟକଠାରୁ କମ୍‌ ହାରରେ ଟିକସ ଆଦାୟ କରିବାରୁ ସମ୍ବଳର ଅଭାବ ଦେଖାଦେଉଛି। ଭାରତରେ ଜିଡିପି ଅନୁସାରେ ଟିକସ ଆଦାୟ ହାର ପ୍ରାୟ ସର୍ବନିମ୍ନ ବା ୧୧% ପାଖାପାଖି। ସମ୍ବଳ ଅଭାବରୁ ସରକାର ଅଧିକ ଋଣ କରୁଛନ୍ତି ଏବଂ ବିଭିନ୍ନ ଜନହିତକର ବ୍ୟୟ ହ୍ରାସ କରୁଛନ୍ତି ଏବଂ ଶିକ୍ଷା, ସ୍ବାସ୍ଥ୍ୟ ଓ ଅତ୍ୟାବଶ୍ୟକ ସେବାର ଘରୋଇକରଣ କରୁଛନ୍ତି। ଏହା ଚିନ୍ତାଜନକ।

  • ସନ୍ତୋଷ କୁମାର ମହାପାତ୍ର
    ମୋ: ୯୪୩୭୨୦୮୭୬୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri