Posted inଫୁରସତ

ତସଲିମା ନାସରିନ- ରୁଦ୍ରଙ୍କ ପ୍ରେମ, ବିବାହ, ବିଚ୍ଛେଦ

ତସଲିମା ନାସରିନ ପ୍ରେମ କରି ବିବାହ କରିଥିଲେ କବି ରୁଦ୍ର ମହମ୍ମଦ ଶହୀଦୁଲ୍ଲାଙ୍କୁ । ତେବେ ଏକାଧିକ ପ୍ରେମର ଅଭିଯୋଗ କରି ରୁଦ୍ରଙ୍କୁ ଛାଡ଼ି ଚାଲିଯାଆନ୍ତି ତସଲିମା । ତସଲିମାଙ୍କ ସହିତ ବିବାହ ବିଚ୍ଛେଦର ଚାରିବର୍ଷ ପରେ ଅର୍ଥାତ୍‌ ୧୯୯୧ ମସିହାରେ ରୁଦ୍ରଙ୍କର ମୃତ୍ୟୁ ହୁଏ। ଅତ୍ୟଧିକ ମାଦକ ସେବନ ତାଙ୍କର ଅକାଳ ମୃତ୍ୟୁର କାରଣ ବୋଲି ପ୍ରଚାରିତ ହୁଏ। ରୁଦ୍ରଙ୍କ ମୃତ୍ୟୁପରେ ତାଙ୍କ ରଚିତ ‘ଆମାର ଭିତର ବାହିରେ ଅନ୍ତରେ ଅନ୍ତରେ’ (ମୋର ଭିତରେ ବାହାରେ ଅନ୍ତରେ ଅନ୍ତରେ ) ଶୀର୍ଷକ କବିତାଟି ଆବିଷ୍କୃତ ହୁଏ, ପରବର୍ତ୍ତୀ କାଳରେ ଏହି କବିତାଟି ଅପୂର୍ବ ଲୋକପ୍ରିୟତା ହାସଲ କରିଥିଲା । ଅନେକଙ୍କ ମତରେ ରୁଦ୍ର ତସଲିମାଙ୍କୁ ଉଦ୍ଦେଶ୍ୟ କରି ଏହି କବିତାଟି ରଚନା କରିଥିଲେ । ଏହି କବିତାର ଜବାବରେ ତସଲିମା ନାସରିନ ମଧ୍ୟ ଗୋଟିଏ କବିତା ଲେଖିଥିଲେ, ଯେଉଁ କବିତାରେ ସେ ରୁଦ୍ରଙ୍କ ପ୍ରତି ତାଙ୍କର ପ୍ରେମର କଥା ଲେଖିବା ସହିତ ରୁଦ୍ରଙ୍କର ଏକାଧିକ ପ୍ରେମର କଥା ମଧ୍ୟ ଉଲ୍ଲେଖ କରିଥିଲେ।

ମୋର ଭିତରେ ବାହାରେ ଅନ୍ତରେ ଅନ୍ତରେ
-ରୁଦ୍ର ମହମ୍ମଦ ଶହୀଦୁଲ୍ଲା
”ମୋର ଭିତରେ ବାହାରେ ଅନ୍ତରେ ଅନ୍ତରେ
ଅଛ ତୁମେ ହୃଦୟ ଆବୋରି
ଘୋଡ଼ାଇ ରଖେ ଯେପରି କୁସୁମ
ପାଖୁଡ଼ାର ଆଢ଼ୁଆଳରେ ଫସଲର ନିଦ
ସେପରି ତୁମର ନିବିଡ଼ ଚାଲିବା
ମରମର ମୂଳ ପଥ ଧରି
ପୋଷି ରଖେ ଯେପରି ଶାମୁକା
ଖୋଳପାର ଆବରଣରେ ମୁକ୍ତାର ସୁଖ
ସେହିପରି ତୁମ ଆଖିର
ଗଭୀର ନୀଳ ବନ୍ଦରରେ
ଭଲ ଅଛି, ଭଲ ଥାଅ
ଆକାଶର ଠିକଣାରେ ଚିଠି ଲେଖିବ
ଦେବ ତୁମର ହାରଟା
ବାଉଲର ଏହି ମନକୁ ।“

*ରୁଦ୍ରଙ୍କର ଏହି କବିତାର ଜବାବରେ ତସଲିମା ଲେଖିଥିଲେ …..
ପ୍ରିୟ ରୁଦ୍ର, ପ୍ରଯତ୍ନରେ, ଆକାଶ ତୁମେ ଆକାଶର ଠିକଣାରେ ଚିଠି ଲେଖିବା ପାଇଁ କହିଥିଲ । ତୁମେ କ’ଣ ଏବେ ଆକାଶରେ ଅଛ? ତୁମେ କ’ଣ ଆକାଶରେ ଉଡ଼ି ବୁଲୁଛ? ତୁଳା ପରି, ପକ୍ଷୀ ପରି ? ତୁମେ ଏହି ଜଗତ ସଂସାର ଛାଡ଼ି ଆକାଶକୁ ଚାଲି ଯାଇଛ। ତୁମେ ଅସଲରେ ବଞ୍ଚି ଯାଇଛ ରୁଦ୍ର! ଆଚ୍ଛା, ତୁମକୁ କ’ଣ ପକ୍ଷୀ ହୋଇ ଉଡ଼ି ଫେରି ଆସିବାକୁ ଇଚ୍ଛା ହୁଏ ନାହିଁ? ତୁମର ସେହି ଇନ୍ଦିରା ରୋଡ଼ର ଘରକୁ, ପୁଣି ସେହି ନୀଳ ଖେତ, ଶାହବାଗ, ପରୀବାଗ, ଲାଲବାଗ ଚଷି ବୁଲିବାକୁ? ଇଚ୍ଛା ତୁମର ହୁଏନାହିଁ, ଏକଥା ମୁଁ ଆଦୌ ବିଶ୍ବାସ କରେ ନାହିଁ, ଠିକ ଇଚ୍ଛା ହୁଏ ତୁମର, କିନ୍ତୁ ପାର ନାହିଁ । ଅଥଚ ଏକଦା ତୁମର ଯାହା ଇଚ୍ଛା ତାହା କରୁଥିଲ। ଇଚ୍ଛା ହେଲେ ରାତିସାରା ନ ଶୋଇ ଗପ କରୁଥିଲ ଯେ କରୁଥିଲ । ଇଚ୍ଛା ହେଲେ ଦିନସାରା ବୁଲୁଥିଲ ଯେ ବୁଲୁଥିଲ। କିଏ ତୁମକୁ କ’ଣ ବାଧା ଦେଉଥିଲେ? ଜୀବନ ତୁମର ହାତ ମୁଠାରେ ଥିଲା। ଜୀବନକୁ ନେଇ ଯେମିତି ଇଚ୍ଛା ଖେଳିଛ। ଭାବି ଦେଖିଲେ ମୋତେ ଅବାକ ଲାଗେ ଯେ ଜୀବନ ଏବେ ଆଉ ତୁମର ହାତ ମୁଠାରେ ନାହିଁ। ସେମାନେ ତୁମକୁ ଟ୍ରକ ଉପରେ ଲଦି ମିଠେଖାଲି ଠାରେ ମାଟି ତଳେ ରଖି ଆସିଲେ, ତୁମେ ପ୍ରତିବାଦ କରିପାରିଲ ନାହିଁ।

ଆଚ୍ଛା, ତୁମର ଲାଲବାଗର ସେହି ପ୍ରେମିକାଙ୍କ ଖବର କ’ଣ, ଦୀର୍ଘବର୍ଷ ପ୍ରେମ କରିଥିଲ ତୁମର ଯେଉଁ ‘ନେଲୀ ଖାଲା’ ସହିତ ? ସେହି କାରଣରୁ ତୁମର ଦିସ୍ତା ଦିସ୍ତା ପ୍ରେମ କବିତା ଦେଖି ମୁଁ ଦିନେ ଭୀଷଣ କାନ୍ଦିଥିଲି । ତୁମେ ଆଉ କାହାକୁ ପ୍ରେମ କରୁଛ, ସେକଥା ମୁଁ ସହି ପାରୁ ନ ଥିଲି। କି ଅବୁଝା ବାଳିକା ଥିଲି ମୁଁ । ନୁହେଁ? ଯେମିତି ମୋତେ ହିଁ କେବଳ ତୁମେ ଭଲ ପାଇବ। ଯେମିତି ଆମେ ଦୁଇଜଣ ଜନ୍ମଗ୍ରହଣ କରିଛୁ ଦୁଇଜଣଙ୍କ ପାଇଁ । ଯେଉଁଦିନ ଘରୁ ଟ୍ରକ ଡାଲାରେ ଲଦି ତୁମକୁ ନେଇଗଲେ, ମୋର ଶ୍ୱାସରୁଦ୍ଧ ହୋଇ ଆସୁଥିଲା । ଢାକା ସହରକୁ ମୋତେ ଏତେ ଫାଙ୍କା ଆଉ କେବେ ଲାଗି ନାହିଁ। ଛାତି ତଳେ ଏତେ ହାହାକାର ଆଉ କେବେ ଜାଣିନାହିଁ। ସେହିଦିନ ହିଁ ମୁଁ ଢାକା ସହର ଛାଡ଼ି ମୟନସିଂହ ଚାଲି ଯାଇଥିଲି। ମୋ ଘରେ ଥିବା ବାକ୍ସ ଭର୍ତ୍ତି ତୁମର ସବୁ ଚିଠି କାଢ଼ି ହାତରେ ଧରି କାନ୍ଦରେ ଫାଟି ପଡ଼ିଥିଲି । ଆମର ବିଚ୍ଛେଦ ଥିଲା ଚାରି ବର୍ଷର। ଏତେ ବର୍ଷ ପରେ ମଧ୍ୟ ତୁମେ କ’ଣ ସତରେ ମୋ ଛାତିର ଅତଳ ଗଭୀରରେ ରହିଥିଲ ! ସେଦିନ ମୁଁ ତାହା ଅନୁଭବ କରିପାରିଥିଲି ।

ଏବେ ଭୀଷଣ ହସ ମାଡ଼େ ଦେଖି ଯେ, ଏବେ ତୁମର ଶହ ଶହ ବନ୍ଧୁ ବାହାରୁଛନ୍ତି । ସେମାନେ ସେତେବେଳେ କୋଉଠି ଥିଲେ ? ଯେତେବେଳେ ପଇସାର ଅଭାବରେ ତୁମେ କେବଳ ଗୋଟିଏ ସିଙ୍ଗଡ଼ା ଖାଇ ଦିନ କଟାଉଥିଲ? ନ ହେଲା ବା ମୁଁ ସେତେବେଳେ ଆଉ ତୁମର ହୋଇ ରହି ନ ଥିଲି , ତୁମକୁ ଛାଡ଼ି ଚାଲି ଯାଇଥିଲି ବୋଲି। ଏଇ, ଏବେ ତୁମ ନାମରେ ଯେଉଁ ଶ୍ରଦ୍ଧାଞ୍ଜଳି ସଭା ସବୁ ହେଉଛି, ସେହିସବୁ ସଭାରେ ବୋଧହୁଏ ତୁମର ପରିଚିତା ଏକମାତ୍ର ମୁଁ ହିଁ ଅନୁପସ୍ଥିତ ଥାଏ। ଯେଉଁମାନେ ଏବେ ରୁଦ୍ର ରୁଦ୍ର ବୋଲି ମାତି ଉଠୁଛନ୍ତି, ବୁଝିପାରୁନାହିଁ ଯେ ସେମାନେ ସେତେବେଳେ କୋଉଠି ଥିଲେ ।
ଆଡ଼କୁ ତୁମେ ଶିମୁଲ ନାଁ ରେ ଜଣେ ଝିଅକୁ ଭଲ ପାଉଥିଲ । ତା ’ ସହିତ ତୁମର ବାହା ହେବାର କଥାବାର୍ତ୍ତା ବି ଚାଲିଥିଲା । ମୋ ଆଗରେ ଦିନେ ଶିମୁଲ କଥା ଗପିଥିଲ। ତୁମେ ବୁଝିପାରି ନ ଥିଲ ଯେ ସେକଥା ଶୁଣି ମୋତେ ଭୀଷଣ କଷ୍ଟ ହେଉଥିଲା । ଏକଥା ଭାବି ଯେ ତୁମେ କେତେ ଅନାୟାସରେ ପ୍ରେମ କରୁଛ ! ତା’ର ଗପ ଶୁଣାଉଛ । ଠିକ୍‌ ସେହିପରି ଅନୁଭବ କ’ଣ ତୁମର ଥିଲା ମୋ ପାଇଁ ? ଆଜି ଆଉ ଜଣକ ପାଇଁ ତୁମର ଅସ୍ଥିରତା । ତା’ ସହିତ ନିର୍ଧୂମ୍‌ ରାତି କଟାଇବାର ଗପ ଶୁଣି ମୋତେ କ’ଣ କାନ୍ଦ ମାଡ଼ିବ ନାହିଁ, କୁହ ? ତୁମେ ଶିମୁଲକୁ ନେଇ କି କି କବିତା ଲେଖିଛ କେତେ ସହଜରେ ସେସବୁ ତୁମେ ମୋତେ ଶୁଣାଇଲ ! ମୋତେ ପୁଣି ପ୍ରଶ୍ନ କରିଥିଲ, କେମିତି ହୋଇଛି ବୋଲି । ମୁଁ କହିଥିଲି , ଖୁବ ସୁନ୍ଦର । ଶିମୁଲକୁ ମୁଁ କେବେ ଦେଖିନାହିଁ। ତୁମେ ଯେତେବେଳେ ମୋ ଆଗରେ ତା’ କଥା କହୁଥିଲ ତୁମେ ତାକୁ ଭଲପାଅ ବୋଲି, ସେତେବେଳେ ମୁଁ ମୋର କଷ୍ଟ ତୁମକୁ ବୁଝିବାକୁ ଦେଇନାହିଁ । ତୁମକୁ ଛାଡ଼ି ଚାଲିଯାଇଛି ଠିକ୍‌ କିନ୍ତୁ ମୁଁ ଅନ୍ୟ କାହାକୁ ଭଲପାଇ ପାରିନାହିଁ । ଭଲପାଇବା ଯାହାକୁ ତାହାକୁ ବାଣ୍ଟିବା ଜିନିଷ ନୁହେଁ । ଆକାଶ ସହିତ ପ୍ରତିଦିନ କେତେ କଥା ହୁଏ ।

କଷ୍ଟର କଥା, ସୁଖର କଥା । ଦିନେ ଆକାଶଭର୍ତ୍ତି ଜ୍ୟୋସ୍ନାରେ ଦେହ ଭାସି ଯାଉଥିଲା ଆମର । ତୁମେ ତୁମର କିଛି ଦୁଃଖର କଥା କହି ସାରିବା ପରେ ନିଜ ଲେଖା କବିତା ଶୁଣାଇଥିଲ – ”ଭଲ ଅଛି, ଭଲ ଥାଅ , ଆକାଶର ଠିକଣାରେ ଚିଠି ଲେଖିବ ।“ ମଂଲାରେ ବସି ସେହି କବିତା ଲେଖିଥିଲ । ମନେ ମନେ ତୁମେ କାହାର ଚିଠି ପାଇଁ ଅପେକ୍ଷା କରିଥିଲ ?
ମୋର ? ନେଲୀ ଖାଲାର ? ଶିମୁଲର ? କାହାର ? ଅନେକ ଦିନ ଇଚ୍ଛା ହୋଇଛି ତୁମକୁ ଖଣ୍ଡେ ଚିଠି ଲେଖନ୍ତି । ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ମୁଁ ତୁମକୁ ପ୍ରତିଦିନ ଚିଠି ଲେଖୁଥିଲି । ତୁମେ ବି ଲେଖୁଥିଲ ପ୍ରତିଦିନ । ସେଥର ଆରମାନିଟୋଲା ଘରେ ବସି ଦେଇଥିଲ ଆକାଶର ଠିକଣା । ତୁମେ ପାଇବ ତ ଏହି ଚିଠି ? ଜୀବନ ଏବଂ ଜଗତର ତୃଷ୍ଣା ତ ମଣିଷର କେବେ ମେଣ୍ଟେ ନାହିଁ, ତଥାପି ମଣିଷ ଆଉ କେତେଦିନ ବା ବଞ୍ଚି ରହେ, କୁହ ? ଦିନ ତ ସରିଯାଏ । ମୋର କ’ଣ ଦିନ ସରି ଆସୁନାହିଁ ? ତୁମେ ଭଲରେ ଥାଅ । ମୁଁ ଆଦୌ ଭଲ ନାହିଁ ।

ଇତି । ସକାଳ
ପୁନଶ୍ଚ …… ମୋତେ ତୁମେ ସକାଳ ବୋଲି ଡାକୁଥିଲ । କେତେକାଳ ହେଲା ସେହି ଡାକ ଆଉ ଶୁଣି ନାହିଁ । ତୁମେ କ’ଣ ଆକାଶରୁ ‘ସକାଳ’ , ‘ସକାଳ ମୋର’ ବୋଲି ମଝିରେ ମଝିରେ ଡାକୁଛ ? କି ମୁଁ ଭୁଲ ଶୁଣୁଛି ?
-ପ୍ରଦୀପ କୁମାର ରାୟ,
ମୋ: ୯୪୩୭୫୩୪୭୭୩


Enter your email to get our daily news in your inbox.

All Right Reserved By Dharitri.Com

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri