ନୂଆଦିଲ୍ଲୀ,୩୧।୧୦: IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ କିଛି ବଡ଼ ପରିବର୍ତ୍ତନ କରାଯାଇଛି। କିରନ ପୋଲାର୍ଡଙ୍କୁ ଦଳର ନୂଆ ହେଡ କୋଚ ନିଯୁକ୍ତ କରାଯାଇଥିବା ବେଳେ କୋଚିଂ ଷ୍ଟାଫରେ ମଧ୍ୟ କିଛି ନୂଆ ଚେହେରା ସାମିଲ ହୋଇଛନ୍ତି। ଦୀର୍ଘ ଦିନ ଧରି ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ଦଳର ନୂଆ ଅଧିନାୟକ କିଏ ହେବେ, ତାହାକୁ ନେଇ ପ୍ରଶ୍ନ ଉଠିଥିଲା। ଏବେ ରୋହିତ ଶର୍ମାଙ୍କୁ ପୁଣିଥରେ ଦଳର ଅଧିନାୟକ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ହୋଇପାରନ୍ତି ରୋହିତ ଶର୍ମା
ଆଇପିଏଲ ୨୦୨୬ ଶେଷ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଆଗକୁ ନବଢ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ’ଏକ ରିପୋର୍ଟ ଅନୁସାରେ, ରୋହିତ ଶର୍ମା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ହୋଇପାରନ୍ତି।
ଏହି ରିପୋର୍ଟରେ ଜଣେ ସୂତ୍ରରୁ କୁହାଯାଇଛି, ରୋହିତ ଶର୍ମା ଅଧିନାୟକ ଭାବେ ତିଳକ ବର୍ମାଙ୍କ ନାଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଫ୍ରାଞ୍ଚାଇଜି ପକ୍ଷରୁ ତାଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବାକୁ ଅନୁରୋଧ କରାଯାଇଛି। ରୋହିତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବା ପୂର୍ବରୁ ଅନେକ ବିଷୟକୁ ନେଇ ଆଲୋଚନା ହୋଇଥିଲା। ନୂଆ କୋଚ ନିଯୁକ୍ତି ସମୟରେ ମଧ୍ୟ ରୋହିତଙ୍କ ପରାମର୍ଶକୁ ଗୁରୁତ୍ୱ ଦିଆଯାଇଛି। ତେବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ରିପୋର୍ଟ ଅନୁସାରେ, କୋଚ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ପରେ ଦଳର ମ୍ୟାନେଜମେଣ୍ଟ ରିଟେନସନ ତାଲିକା ଉପରେ ଆଲୋଚନା କରିବ।
ନଭେମ୍ବର ମଧ୍ୟଭାଗ ସୁଦ୍ଧା ସମସ୍ତ ଦଳକୁ ନିଜ ନିଜର ରିଲିଜ ଓ ରିଟେନସନ ତାଲିକା ଘୋଷଣା କରିବାକୁ ପଡ଼ିବ ବୋଲି କୁହାଯାଉଛି। ତେଣୁ ରିଟେନସନ ତାରିଖ ପାଖେଇ ଆସୁଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ଖୁବଶୀଘ୍ର ରୋହିତଙ୍କୁ ଅଧିନାୟକ କରିବା ନେଇ ଘୋଷଣା କରିପାରେ।
ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଟ୍ରେଡ ଜରିଆରେ ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଯଦି ତାଙ୍କର ଟ୍ରେଡ ସଫଳ ନହୁଏ, ତାହେଲେ ସେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିପାରନ୍ତି। ରିପୋର୍ଟ ଅନୁସାରେ, ଟ୍ରେଡ ସମ୍ଭବ ନହେଲେ ରୋହିତଙ୍କ ନେତୃତ୍ୱରେ ଖେଳିବାକୁ ହାର୍ଦ୍ଦିକ ରାଜି ହୋଇଛନ୍ତି। ନଭେମ୍ବରର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଭବିଷ୍ୟତକୁ ନେଇ ବଡ଼ ଖୁଲାସା ହୋଇପାରେ।

