କଟକର ତାରକସି

ନୂଆପାଟଣାର ଖଣ୍ଡୁଆ ପାଟ ଓ ଗୀତ ଗୋବିନ୍ଦ ଶାଢ଼ି, ବରହମପୁର ପାଟ, ବୋମକେଇ ଶାଢ଼ି, କୋଟପାଡ଼ର ପ୍ରାଚୀନ ଜୈବିକ ପଦ୍ଧତି ଅନସୃତ ବୟନଶିଳ୍ପ, ସୋନପୁରୀ ଓ ସମ୍ବଲପୁରୀ ବାନ୍ଧକଳା ସହ କଟକର ସୁନା-ରୁପା ତାରକସି କାରିଗରି, ଗଜପତି ଜିଲାର ସିଂହ ନିର୍ମିତ କଳାକୃତି, ପୁରୀ ଓ ଗଞ୍ଜାମ ଜିଲାର ପଟ୍ଟଚିତ୍ର ଓ ପିପିଲର ଚାନ୍ଦୁଆ ବିଶ୍ୱ ବଜାରରେ ଉତ୍କଳୀୟ କଳା ନୈପୁଣ୍ୟକୁ ଉଜ୍ଜୀବିତ କରି ରଖିବାରେ ସମର୍ଥ ହୋଇଛନ୍ତି।
ନିକଟରେ କଟକର ରୁପା ତାରକସି କାମକୁ ଭାରତ ସରକାର ଜିଆଇ ଟ୍ୟାଗ୍‌ ମାନ୍ୟତା ବା ଭୌଗୋଳିକ ସୂଚକ ଚିହ୍ନରେ ପଞ୍ଜୀକୃତ କରି ସମଗ୍ର ଓଡ଼ିଆ ଜାତିର ଲୋକଙ୍କ ସହ କଟକିଆଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି କରିଛନ୍ତି। ଉତ୍କଳର ଗୌରବାବହ ଅତୀତରେ ଆମ ରାଜ୍ୟର ସାଧବମାନେ ବୋଇତ ଧରି ହସ୍ତାକଳା, ଚାରୁଶିଳ୍ପ ଆଦି ଉଚ୍ଚମାନର ପଣ୍ୟଦ୍ରବ୍ୟ ନେଇ ସୁଦୂର ଜାଭା, ସୁମାତ୍ରା, ବାଲି, କାମ୍ବୋଜ ଓ ସଂହଳ ଆଦି ବିସ୍ତୀର୍ଣ୍ଣ ଅଞ୍ଚଳରେ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଯେଉଁକଳା ପ୍ରାଚୀନ କାଳରୁ ଦେଶ ବିଦେଶରେ ପ୍ରଶଂସିତ ହୋଇ ଆସୁଥିଲା, ସେହି ଚାନ୍ଦି ତାରକସି କାମକୁ ବହୁ ଦିନର ଦାବି ପୂରଣ କରି ଭାରତ ସରକାର ଯେଉଁ ଭୌଗୋଳିକ ସୂଚକ ମାନ୍ୟତା ପ୍ରଦାନ କରିଛନ୍ତି, ସେଥିପାଇଁ ପ୍ରତ୍ୟେକ ଓଡ଼ିଆ ଉତ୍‌ଫୁଲ୍ଲିତ ଓ ଗର୍ବିତ। ଏହି ଅତୁଳନୀୟ କଳା କୌଶଳରେ ନିର୍ମିତ କୋଣାର୍କ ଚକ୍ର, ମୁକ୍ତେଶ୍ୱର ତୋରଣ, ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂରତି, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତିକୃତି, ରଥାରୂଢ଼ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦର ରୂପାୟନ ଆଦି ସାରା ଦେଶ ତଥା ବିଶ୍ୱର କୋଣ ଅନୁକୋଣେ ଓଡ଼ିଆ ପୁଅର କଳାକୃତିର କାହାଣୀ ବଖାଣୁଛି। ତେଣୁ ଓଡ଼ିଶାର ପୁରାତନ ରାଜଧାନୀ କଳା ନୈପୁଣ୍ୟର କୁହୁକ ନଗରୀ କଟକ ଆଜି ପୁଣି ରାଷ୍ଟ୍ରୀୟ ସମ୍ମାନରେ ସୁଶୋଭିତ।
ଏଠାରେ ସୂଚନା ଥାଉ କି ସ୍ବାଧୀନ ଭାରତରେ ଦେଶର ବିଭିନ୍ନ ସ୍ଥାନରେ ଅନନ୍ୟ କଳା, ଭାସ୍କର୍ଯ୍ୟ ବିଭବର ମାନକୀକରଣ ଓ ସମ୍ମାନ ବର୍ଦ୍ଧନର ପ୍ରକ୍ରିୟା ଆରମ୍ଭ ହୋଇଥିଲା ୧୯୯୯ ମସିହାରେ। ଯାହାଦ୍ୱାରା ବିଭିନ୍ନ ସ୍ଥାନର ଉତ୍କୃଷ୍ଟ କ୍ଷେତ୍ରର ଖାଦ୍ୟ ପଦାର୍ଥ, ହସ୍ତଶିଳ୍ପ, କଳା ଆଦି ଦୃଶ୍ୟମାନ ଓ ଅସ୍ପର୍ଶନୀୟର ଐତିହ୍ୟକୁ ଚିହ୍ନଟ କରି ଏହାର ସଂରକ୍ଷଣ ଓ ସମ୍ପ୍ରସାରଣ ନିମନ୍ତେ ଆବଶ୍ୟକୀୟ ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା ରଖାଗଲା। କେନ୍ଦ୍ର ସରକାର ୧୯୯୯ରେ ଏ ସଂକ୍ରାନ୍ତରେ ଆଇନ ଆଣିବା ପରେ ୨୦୦୩ ସେପ୍ଟେମ୍ବରରେ ଏହା କାର୍ଯ୍ୟକାରୀ ଦିଗରେ ଆଗେଇଥିଲା। ଭୌଗୋଳିକ ସୂଚକ ଚିହ୍ନିତ କଳା ଓ ହସ୍ତଶିଳ୍ପ ସାମଗ୍ରୀ ଆଦିର ଆଇନ ଅନୁସାରେ ପଞ୍ଜୀକରଣ କରାଗଲା। ଚେନ୍ନାଇଠାରେ କେନ୍ଦ୍ର ସରକାରଙ୍କ ଅଧୀନରେ ଏକ ପଞ୍ଜୀକରଣ କାର୍ଯ୍ୟକ୍ରମ ଜାରି ରହିଲା। ଅନେକେ ହୁଏତ ଜାଣି ନ ଥିବେ ପ୍ରଥମ ଉତ୍ପାଦ ଭାବେ ୨୦୦୪ ମସିହାରେ ଦାର୍ଜିଲିଂ ଚା କୁ ଜିଆଇ ମାନ୍ୟତା ଦିଆଗଲା। ଏଯାବତ୍‌ ଭାରତର ବିଭିନ୍ନ ଅଞ୍ଚଳର ୫୦୦ ଉତ୍ପାଦ ଜିଆଇ ତାଲିକାରେ ଅନ୍ତର୍ଭୁକ୍ତ ହେବା ସହ ସେଥିରୁ ଓଡ଼ିଶାର ୨୬ଟି ଉତ୍ପାଦ ରହିଛି।
କଟକର ପ୍ରସିଦ୍ଧ ରୁପା ତାରକସି ଶିଳ୍ପକୁ ଏହି ଗୌରବ ଓ ସମ୍ମାନ ମିଳିବା ସମୟରେ ଏହାର ପଛରେ ମନେପଡ଼ନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ମହାର୍ଘ ସାଧନା, ତ୍ୟାଗ ଓ ସେବା। ଏହି ଶିଳ୍ପକୁ ପୁନରୁଦ୍ଧାର ଓ ସମ୍ପ୍ରସାରଣ କରିବା ପାଇଁ ତାଙ୍କ ଦୃଢ଼ ସଂକଳ୍ପ ଓ ଆବେଗ ରହିଥିଲା। ୧୮୯୭ ମସିହାରେ କଟକ ଓ ସ୍ଥାନୀୟ ଅଞ୍ଚଳର ପାଖାପାଖି ୧୫୦ଜଣ ହସ୍ତକାରିଗରି ତାରକସି ଶିଳ୍ପୀଙ୍କୁ କଟକସ୍ଥିତ ନିଜ ବାସଭବନରେ ଓଡ଼ିଆ ଆକ୍ଟ େଓୟାରସ୍‌ ନାମକ କର୍ମଶାଳା ଆୟୋଜନ କରି ସେମାନଙ୍କୁ ସେଥିରେ ସାମିଲ କରିବା ସହ ସେମାନଙ୍କ ଦ୍ୱାରା ସୁନା, ରୁପା ତାରକସିର ବିଭିନ୍ନ ଆକର୍ଷଣୀୟ ହସ୍ତ ପ୍ରସ୍ତୁତ ଉତ୍ପାଦମାନ ତିଆରି କରୁଥିଲେ। କେବଳ ସେତିକି ନୁହେଁ ଏହି ଶିଳ୍ପମାନଙ୍କୁ ଉତ୍ସାହ, ପ୍ରୋତ୍ସାହନ, ପୃଷ୍ଠପୋଷକତା ସହ ସେମାନେ ଆର୍ଥିକ କ୍ଷେତ୍ରରେ କିପରି ଲାଭବାନ ହୋଇ ସଶକ୍ତ ହୋଇପାରିବେ ଓ ଦେଶ ବିଦେଶରେ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀରେ ସାମିଲ ହୋଇ ଓଡ଼ିଶାର ନାମକୁ ବଢ଼ାଇ ପାରିବେ ସେହି କାର୍ଯ୍ୟ କରୁଥିଲେ। ସେ ସମୟରେ ତତ୍କାଳୀନ ଇଂରେଜ ସରକାର ଓ ଭାରତର ବିଭିନ୍ନ ସ୍ଥାନରେ ଥିବା ଉଚ୍ଚ ନେତୃତ୍ୱ ସମ୍ପନ୍ନ ତଥା ଧନାଢ଼୍ୟ ବ୍ୟକ୍ତିମାନଙ୍କୁ ଏହି ସୁନା, ଚାନ୍ଦି, ତାରକସିର ଅଦ୍ଭୁତ ଆକର୍ଷଣୀୟ ପ୍ରତିକୃତି ପ୍ରଦାନ କରି ଓଡ଼ିଶାର ଏହି ଅମୂଲ୍ୟ ହସ୍ତଶିଳ୍ପକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଆପ୍ରାଣ ଉଦ୍ୟମ କରିଥିଲେ।
କଟକ ସହର ବାଉନ ବଜାର ତେପନ ଗଳିକୁ ନେଇ ବେଶ ସମୃଦ୍ଧ ଓ ଗୌରବାନ୍ବିତ। ଆଜି ବି ଅନେକ ତାରକସି ଶିଳ୍ପ କାରିଗରମାନେ ନିଜ କଳାକୃତିକୁ ବଢ଼ାଇବା ସହ ଆର୍ଥିକ ଭାବରେ ମଜଭୁତ ହୋଇପାରିଛନ୍ତି। ଏ କ୍ଷେତ୍ରରେ ରାଜ୍ୟ ସରକାର ସେମାନଙ୍କୁ ନିୟମିତ ଭାବେ ବିଭିନ୍ନ ପ୍ରୋତ୍ସାହନ ଓ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ଉତ୍କଳୀୟ ହସ୍ତଶିଳ୍ପର ପ୍ରାଚୀନ ଐତିହ୍ୟ ତଥା ଏଯାବତ୍‌ ଜୀବନ୍ତ ପରମ୍ପରାକୁ ସମ୍ମାନ ଦେଇ ଏଭଳି ଏକ ଉଦ୍ୟମ କରାଗଲେ ଆମ ରାଜ୍ୟର ସୁଦକ୍ଷ କାରିଗରଙ୍କ କଳା ନୈପୁଣ୍ୟକୁ ସମ୍ପୂର୍ଣ୍ଣ ମାନ୍ୟତା ମିଳିବା ସହ କର୍ମ ସଂସ୍ଥାନ ସୃଷ୍ଟି ହେବ ଏବଂ ଓଡ଼ିଶାର ହଜାର ବର୍ଷର ସହର କଟକର ଭିନ୍ନ ଏକ ହସ୍ତକଳା ନୈପୁଣ୍ୟ ବିଶ୍ୱ ଦରବାରରେ ପହଞ୍ଚିବାରେ ସମର୍ଥ ମଧ୍ୟ ହୋଇପାରିବ।

– ବିପିନ ବିହାରୀ ରାଉତ
ଶ୍ରୀବିହାର କଲୋନୀ, କଟକ
ମୋ: ୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri