ତାଲିବାନଙ୍କ ସଦ୍‌ବୁଦ୍ଧି

ତାଲିବାନ ସରକାର ଆଫଗାନିସ୍ତାନରେ ଅଫିମ ଚାଷ ଉପରେ କଟକଣା ଲଗାଇଛନ୍ତି। ଫଳରେ ଅଫିମ ଅମଳକୁ ନେଇ ସମ୍ପ୍ରତି ଆଫଗାନ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅଫିମ କ୍ଷେତରେ ନିଆଁ ଲଗାଇ ନଷ୍ଟ କରିଦିଆଯିବ ଓ ଯଦି କୌଣସି ଚାଷୀ ସରକାରଙ୍କ ଆଦେଶନାମାକୁ ଅବଜ୍ଞା କରି ଅମଳ କରନ୍ତି ତେବେ ତାଙ୍କୁ ସରୀୟା ଆଇନ ଅନୁଯାୟୀ ଦଣ୍ଡ ମିଳିବ ବୋଲି ତାଲିବାନ ପ୍ରଶାସନର ମୁଖ୍ୟ ହୈବତୁଲାଃ ଆଖୁନଯାଦା ଘୋଷଣା କରିଛନ୍ତି।
୧୯୯୦ ଦଶକରେ ତତ୍କାଳୀନ ତାଲିବାନ ଶାସକ ଅଫିମ ଉତ୍ପାଦନ ଉପରେ ମଧ୍ୟ ଅନୁରୂପ କଟକଣା ଲଗାଇଥିଲେ ଓ ଫଳ ସ୍ବରୂପ ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳରେ ଅଫିମ ଚାଷ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପରେ ସେଠାରେ ଗହମ ଚାଷକୁ ଗୁରୁତ୍ୱ ଦିଆଯାଇଥିଲା, ମାତ୍ର ୨୦୦୧ରେ ତାଲିବାନ କ୍ଷମତାରୁ ହଟିବା ପରେ ଗହମ କ୍ଷେତ ପୁନର୍ବାର ଅଫିମ କ୍ଷେତକୁ ରୂପାନ୍ତରିତ ହୋଇଥିଲା। ଗହମ ଚାଷ ପ୍ରତି ଆଫଗାନୀ ଚାଷୀଙ୍କର ମୋହ ଭଙ୍ଗ ହେବାର ମୁଖ୍ୟ କାରଣ ଥିଲା ଗହମ ଅମଳପରେ ତାକୁ ରଖିବାର ଓ ପରିବହନ କରିବାର କୌଣସି ସୁବିଧା ନ ଥିଲା। ଏହା ବ୍ୟତୀତ ଗହମ ଓ ଅନ୍ୟାନ୍ୟ ଚାଷ ପାଇଁ ଅଧିକ ପାଣି ଆବଶ୍ୟକ। ଏହା ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ କରୁଥିଲା ଓ ସେହି ଅନୁପାତରେ ଲାଭ ମିଳୁ ନ ଥିଲା। ଭିତ୍ତିଭୂମିର ବିକାଶ ନ ହେବା ଯୋଗୁ ଆଫଗାନୀମାନେ ପୁଣି ଥରେ ଅଫିମ ଚାଷ ପ୍ରତି ମନ ବଳାଇ ଥିଲେ। ଏହି ଚାଷରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ସମ୍ପୃକ୍ତି ଅଧିକ ଥିଲା ଓ ଅଫିମ କ୍ଷେତରେ ମଜୁରି ଲାଗୁଥିବା ଶ୍ରମିକମାନେ ଏଥିରୁ ମାସିକ ୩୦୦ ଡଲାରରୁ ଅଧିକ ପାରିଶ୍ରମିକ ପାଉଥିଲେ। ଅଫିମ ଫୁଲ ସଂଗ୍ରହ ଓ ସେଥିରୁ ଅଫିମ ସଂଗ୍ରହ ସେମାନଙ୍କ ମୁଖ୍ୟ କାମ ଥିଲା। ଏହାକୁ ସେତେବେଳେ ପ୍ରୋତ୍ସାହନ ଦେଇଥିଲା କ୍ଷମତାରୁ ଦୂରେଇଯାଇଥିବା ସେଇ ତାଲିବାନ।
ଆଫଗାନିସ୍ତାନରେ ଅଫିମ ଚାଷ ବନ୍ଦ ହେବ ଓ ଏହାଦ୍ୱାରା ଅଫିମରୁ ପ୍ରସ୍ତୁତ ହେରୋଇନର ଏଣିକି ବିଶ୍ୱବ୍ୟାପୀ ଚୋରା ଚାଲାଣ କମିଯିବ । ଏଭଳି ଖବର ଧର୍ମକୁ ଆଖିଠାର ଭଳି ମନେ ହୁଏ। ଅଫିମ ଉତ୍ପାଦନରେ ସମଗ୍ର ବିଶ୍ବରେ ଆଫଗାନିସ୍ତାନର ସ୍ଥାନ ପ୍ରଥମ। ବିଗତ ପାଞ୍ଚ ବର୍ଷରେ ସେଠାରେ ବାର୍ଷିକ ୬ ହଜାର ଟନ୍‌ରୁ ଅଧିକ ଅଫିମ ଉତ୍ପାଦନ ହେଉଥିଲା; ଯେଉଁଥିରୁ କି ୩୨୦ ଟନ୍‌ ମାରାତ୍ମକ ନିଶାଦ୍ରବ୍ୟ ହେରୋଇନ ପ୍ରସ୍ତୁତ ହେଉଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଓ ଅନେକ ଅନ୍ତର୍ଜାତୀୟ ସଂଗଠନ ଅଫିମ ଏବଂ ଏଥିରୁ ଉତ୍ପନ୍ନ ହେରୋଇନ ଉତ୍ପାଦନକୁ ରୋକିବା ପାଇଁ ବାର୍ଷିକ ନିୟୁତ ନିୟୁତ ଡଲାର ଖର୍ଚ୍ଚ କରୁଥିଲେ ହେଁ କ୍ଷମତାରୁ ବିଦାୟ ନେଇଥିବା ତାଲିବାନମାନେ ଅଫିମ ଓ ହେରୋଇନ ବିଦେଶକୁ ଚୋରାରେ ପଠାଇ ବିପୁଳ ଅର୍ଥ ରୋଜଗାର କରୁଥିଲେ। ଏହି ଅର୍ଥ ସେମାନଙ୍କୁ ବିପୁଳ ଅସ୍ତ୍ରଶସ୍ତ୍ର କିଣିବାରେ ସହାୟକ ହେଉଥିଲା। ମଧ୍ୟ ଏସିଆ ଓ ପାକିସ୍ତାନ ବାଟ ଦେଇ ୟୁରୋପୀୟ ଦେଶକୁ ଏହା ପଠାଯାଉଥିଲା । ଆଫଗାନିସ୍ତାନକୁ ଦୀର୍ଘ ୨୦ ବର୍ଷ ଧରି ନିୟନ୍ତ୍ରଣରେ ରଖି ମଧ୍ୟ ଅଫିମ ଚାଷକୁ ସମ୍ପୂର୍ଣ୍ଣ ନିରାକରଣ କରିପାରି ନ ଥିଲା ଆମେରିକା। ତେବେ ବର୍ତ୍ତମାନ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହୋଇ ତାଲିବାନ ସରକାର ଅଫିମ ଚାଷ ବନ୍ଦ କରିବାକୁ ଯାଉଛନ୍ତି; ଯଦ୍ଦ୍ବାରା କି ସେଠାକାର ସଂଖ୍ୟାଧିକ ଗରିବ ଚାଷୀ ଓ ମଜୁରିଆଙ୍କ ଜୀବନ ଜୀବିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଅଫିମ ବଦଳରେ ସେମାନଙ୍କୁ ଅଟା, ଚିନି, ଖାଇବା ତେଲ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ମିଳୁଥିଲା। ବର୍ତ୍ତମାନ ସେମାନଙ୍କୁ କେଉଁ ପ୍ରକାର ଥଇଥାନ କରାଯିବ ତାହା ତାଲିବାନ ପାଇଁ ମୁଖ୍ୟ ଚିନ୍ତା ହୋଇଛି। ଏବେ ଆଫଗାନିସ୍ତାନରେ ଅଫିମ ସହ ସମସ୍ତ ନିଶାଦ୍ରବ୍ୟ ଆମଦାନୀ, ରପ୍ତାନି, ପ୍ରସ୍ତୁତି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଏହା କେତେଦିନ ଓ କିପରି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା। କାରଣ ନିଶାଦ୍ରବ୍ୟ ଆମଦାନୀ ଓ ରପ୍ତାନିରୁ ଭଲ ରାଜସ୍ବ ମିଳିଥାଏ ସେଠାକାର ସରକାରଙ୍କୁ।
ରାଜନୈତିକ ବିଶାରଦଙ୍କ ମତରେ ତାଲିବାନର ହଠାତ ଏପରି କଟକଣା ନିଷ୍ପତ୍ତି କେବଳ ୟୁରୋପୀୟ ରାଷ୍ଟ୍ରକୁ ଖୁସି କରାଇବା ପାଇଁ ନିଆଯାଇଛି, ଯେଉଁମାନେ କି ଏପର୍ଯ୍ୟନ୍ତ ତାଲିବାନ ଶାସନକୁ ରାଜନୈତିକ ସ୍ବୀକୃତି ଦେଇନାହାନ୍ତି। ତାଲିବାନ ସରକାରଙ୍କ ମୁଖ୍ୟ ଚିନ୍ତା ହେଉଛି କିପରି ଅନ୍ତର୍ଜାତୀୟ ସମୁଦାୟରେ ତାଲିବାନ ସରକାରକୁ ସ୍ବୀକୃତି ମିଳିବ। ତେବେ ତାଲିବାନର କିଛି ନେତା ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମୃଦୁ ବିରୋଧ କରିଛନ୍ତି। ୟୁରୋପୀୟ ରାଷ୍ଟ୍ର ସମୂହକୁ ଯଦି ମନେଇବାକୁ ଚାହୁଁଛ, ତେବେ ମାନବିକ ଅଧିକାର, ମହିଳାଙ୍କୁ ସ୍ବାଧୀନତା ଓ ଆତଙ୍କବାଦ ନିରୋଧ ନୀତିକୁ କାର୍ଯ୍ୟକାରୀ କରିବାକୁ ସେମାନେ ପ୍ରସ୍ତାବ ଦେଉଛନ୍ତି। ଗରିବ ଜନସାଧାରଣଙ୍କ ରୋଜଗାରର ମୁଖ୍ୟ ପନ୍ଥା ଥିବା ଅଫିମ ଚାଷ କଟକଣାକୁ ସେମାନେ ବିରୋଧ କରିଛନ୍ତି। ଇତିମଧ୍ୟରେ ଅଫିମ ଚାଷ କଟକଣାକୁ ନେଇ ତାଲିବାନ ଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ସରକାର ତୁରନ୍ତ ଏହି କଟକଣାକୁ ଉଠାଇନେବେ ବୋଲି ସେମାନେ ବିଶ୍ବାସ କରୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଥରେ ତାଲିବାନ ସରକାରକୁ ସ୍ବୀକୃତି ମିଳିଗଲା ପରେ ତାଲିବାନର ନିଶା କାରବାର ନୀତି କ’ଣ ରହିବ ତାହା ଭବିଷ୍ୟତ କହିବ। ଜାତିସଂଘର ଡ୍ରଗ୍ସ ଆଣ୍ଡ କ୍ରାଇମ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ ସାରା ବିଶ୍ୱରେ କାରବାର ହେଉଥିବା ଅଫିମର ୮୦ ଭାଗ କେବଳ ଆଫଗାନିସ୍ତାନରେ ଉତ୍ପନ୍ନ ହୋଇଥାଏ। ୨୦୧୮ରେ ଆଫଗାନ ଅର୍ଥ ବ୍ୟବସ୍ଥାରେ ଅଫିମର ଶତକଡା ୧୧ ଭାଗ ଅବଦାନ ଥିଲା। ଏହିବର୍ଷ ଆଫଗାନିସ୍ତାନର ଅଫିମ ରପ୍ତାନିର ମୂଲ୍ୟ ଥିଲା ପ୍ରାୟ ଦୁଇ ବିଲିୟନ ଡଲାର।
ଯେଉଁ ତାଲିବାନ ଗୋଷ୍ଠୀ ଅଫିମ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଉଥିଲା ସେହି ଗୋଷ୍ଠୀ ଏବେ ଅଫିମ ଚାଷ ଉପରେ ପ୍ରତିବନ୍ଧ ଲଗାଇବା ପରେ ଦେଶରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ମାତ୍ର ନିଶା ଦ୍ରବ୍ୟ ଉତ୍ପାଦନକୁ ବନ୍ଦ କରିଦେଲେ ବିଦେଶୀ ସହାୟତା ଅଧିକ ମିଳିପାରିବ ବୋଲି ତାଲିବାନର ଶୀର୍ଷ ନେତାମାନେ ଆଶା ରଖିଛନ୍ତି । ତେବେ ସେ ଯାହାହେଉ ତାଲିବାନ ସରକାର ପକ୍ଷରୁ ଆଫଗାନିସ୍ତାନରେ ନିଶାଦ୍ରବ୍ୟ କାରବାର ଓ ଏହାର ଉପତ୍ାଦନ ଉପରେ ଲଗାଯାଇଥିବା କଟକଣା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତାଲିବାନଙ୍କ ମୁଣ୍ଡରେ ସଦ୍‌ବୁଦ୍ଧି ଉଦୟ ହୋଇଛି। ମାତ୍ର ଏହି ନିଷ୍ପତ୍ତି ଚିରସ୍ଥାୟୀ ହେବା ଉଚିତ। ଏହା ହୋଇପାରିଲେ ଭାରତ ସମେତ ସମଗ୍ର ବଶ୍ୱ ବିଷାକ୍ତ ନିଶା କବଳରୁ ଅନେକାଂଶରେ ମୁକ୍ତ ହୋଇପାରିବ।

– ପ୍ରକାଶ ତ୍ରିପାଠୀ
ମୋ- ୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri