ମେଧା-ସଂରକ୍ଷଣ ଲଢ଼େଇ

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନା ସର୍ବୋଚ୍ଚ ଅଦାଲତର ମହିଳା ଆଇନଜୀବୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ କାର୍ଲ ମାର୍କ୍ସଙ୍କ ଉକ୍ତିକୁ ଉଦ୍ଧାରକରି କହିଛନ୍ତି, ପୃଥିବୀର ଶ୍ରମିକମାନେ ଏକଜୁଟ ହୁଅ, ତୁମର ବନ୍ଧନ ବ୍ୟତୀତ ଅନ୍ୟ କିଛି ହରାଇବାର ନାହିଁ। ସେଥିରୁ ଖିଅଟାଣି ସିଜେଆଇ କହିଲେ, ଦେଶର ମହିଳା ଆଇନଜୀବୀମାନେ ଏକଜୁଟ ହୁଅନ୍ତୁ ଏବଂ ନ୍ୟାୟପାଳିକାରେ ୫୦ ପ୍ରତିଶତ ସଂରକ୍ଷଣ ଦାବି ପାଇଁ କ୍ରୋଧରେ ଚିତ୍କାର କରନ୍ତୁ। ସିଜେଆଇଙ୍କ ଏହି ମନ୍ତବ୍ୟକୁ କୌଣସି ଭାବେ ଖୁଣି ହେବ ନାହିଁ।
ପ୍ରଧାନ ବିଚାରପତିଙ୍କ କହିବା ଅନୁଯାୟୀ, ଦେଶର ନିମ୍ନ ଅଦାଲତରେ ମହିଳା ବିଚାରପତିଙ୍କ ସଂଖ୍ୟ ୩୦ ପ୍ରତିଶତରୁ କମ୍‌ ରହିଛି। ହାଇକୋର୍ଟଗୁଡ଼ିକରେ ୧୧.୫ ପ୍ରତିଶତ ମହିଳା ବିଚାରପତି ଥିବା ବେଳେ ସୁପ୍ରିମକୋର୍ଟରେ ଏମାନଙ୍କ ପ୍ରତିଶତ ରହିଛି ୧୧ରୁ ୧୨। ଦେଶରେ ୧୭ ଲକ୍ଷ ଆଇନଜୀବୀ ଥିବା ବେଳେ ସେଥିରୁ ମହିଳାଙ୍କ ସଂଖ୍ୟା କେବଳ ୧୫ ପ୍ରତିଶତ ରହିଥିବା ସେ କହିଛନ୍ତି। ବାସ୍ତବରେ ସିଜେଆଇଙ୍କ କଥାକୁ ଦେଖିଲେ ତୁଳନାତ୍ମକ ଭାବେ ନ୍ୟାୟପାଳିକାରେ ମହିଳାଙ୍କ ଯୋଗଦାନ କମ୍‌ ରହିଛି।
ବିଚାର ବ୍ୟବସ୍ଥାରେ ମହିଳାଙ୍କ ଅଂଶଗ୍ରହଣ ଅଧିକ ରହିବା ଦରକାର ବୋଲି ସିଜେଆଇ ଯେଉଁ ଆହ୍ବାନ ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ। କିନ୍ତୁ ମହିଳାଙ୍କୁ ଦୁର୍ବଳ ଓ ନୂ୍ୟନ ଦୃଷ୍ଟିରେ ଦେଖାଯିବା ଠିକ୍‌ ନୁହେଁ। ସାମାଜିକ ଓ ଅର୍ଥନୈତିକ ସମର୍ଥନ ପାଇ ସେମାନେ ସଶକ୍ତ ହେଉଥିବା ଦେଖିବାକୁ ମିଳିଛି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ମହିଳାଙ୍କ ଯୋଗଦାନ ନ୍ୟାୟପାଳିକା ଅପେକ୍ଷା ଅଧିକ ରହିଛି। ତେଣୁ କେବଳ ମହିଳା କାହିଁକି ସମାଜରେ ଅବହେଳିତ ଅବସ୍ଥାରେ ରହିଥିବା ଲୋକଙ୍କୁ ଉପରକୁ ଉଠିବା ଲାଗି ପ୍ରଶାସନଠାରୁ ଆରମ୍ଭ କରି ଗୋଷ୍ଠୀଗତ ଜୀବନ ଜିଉଥିବା ବ୍ୟକ୍ତିମାନେ ସାହାଯ୍ୟ କରିବା ଦରକାର। ସମାନ ଭାବେ ଦେଖିଲେ ସମାଜର ମୁଖ୍ୟସ୍ରୋତକୁ ଆସିପାରୁ ନ ଥିବା ଜାତି ଓ ବର୍ଗକୁ ସଂରକ୍ଷଣ ସୁଯୋଗ ଦିଆଯିବା ଜରୁରୀ। ହେଲେ ମେରିଟ୍‌ ବା ମେଧାକୁ ସର୍ବଦା ଅଗ୍ରପ୍ରାଧାନ୍ୟ ଦିଆଗଲେ ସାମାଜିକ ସନ୍ତୁଳନ ବଜାୟ ରହିବ। ଏବେ ଦେଖାଯାଉଛି, ଯେଉଁମାନେ ମେରିଟ୍‌କୁ ଗୁରୁତ୍ୱ ଦେଇ ରିଜର୍ଭେଶନ ବିପକ୍ଷରେ ଯୁକ୍ତିସଙ୍ଗତ ମତ ହେଉ ପଛେ କିଛି କହୁଛନ୍ତି; ସେମାନଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ତ୍ରୁଟିପୂର୍ଣ୍ଣ କିମ୍ବା ଉଚ୍ଚଜାତିର ବୋଲି ବିବେଚନା କରାଯାଉଛି। ସେହି ପ୍ରଚ୍ଛଦପଟରେ ଦେଖିଲେ ଆଜି ମଧ୍ୟ ପାର୍ଲାମେଣ୍ଟ ଓ ବିଧାନସଭାଗୁଡ଼ିକରେ ନୂଆ ଜାତିକୁ ପଛୁଆବର୍ଗ ତାଲିକାଭୁକ୍ତ କରିବା ପାଇଁ ଦାବି ଲାଗି ରହିଛି। ଏକ ଆଧୁନିକ ସମାଜରେ ମେଧାକୁ କେହି ବିରୋଧ କରିବା କଥା ନୁହେଁ। କିନ୍ତୁ ଭାରତବର୍ଷରେ ଏକ ଚିନ୍ତାଧାରା ସୃଷ୍ଟି କରିଦିଆଯାଇଛି, ଯେଉଁଥିରେ ଧରି ନିଆଯାଇଛି ଯେ ମେଧାକୁ ଦମନ କଲେ ସଂରକ୍ଷଣ ସଫଳ ହୋଇପାରିବ। ଅର୍ଥାତ୍‌ ମେଧାକୁ ସଂରକ୍ଷଣ ସହ ଲଢ଼େଇ ଦିଆଯାଇଛି। ଏକ ପ୍ରଗତିଶୀଳ ସମାଜ ପାଇଁ ଏହା କେବେହେଲେ ମଙ୍ଗଳମୟ ନୁହେଁ। ସଂରକ୍ଷଣ ସପକ୍ଷବାଦୀ ଡାକ୍ତରଖାନାକୁ ଗଲେ କୋଟା ମାଧ୍ୟମରେ ଡାକ୍ତର ହୋଇଥିବା ବ୍ୟକ୍ତିଙ୍କୁ ଖୋଜିବା ପରିବର୍ତ୍ତେ ହସ୍ପିଟାଲରେ ତାଙ୍କ ରୋଗ ସକାଶେ କିଏ ଭଲ ଚିକିତ୍ସକ ଅଛନ୍ତି ତାଙ୍କୁ ଦେହ ଦେଖାଇବାକୁ ଆଗଭର ହୋଇଥାଆନ୍ତି। ଏଥିରୁ ବୁଝାଯିବା ଦରକାର ଯେ, ସେବା କ୍ଷେତ୍ରରେ ଜାତିର କୌଣସି ଗୁରୁତ୍ୱ ରହୁନାହିଁ।
ଆଜିର ସମୟରେ ସଂରକ୍ଷଣ କିଏ ପାଇବେ ଓ କେତେ ବର୍ଷ ଏହି ଧାରା ବଜାୟ ରହିବ, ସେ ସଂକ୍ରାନ୍ତରେ ଆଲୋଚନା କଲେ ତାହା ଏକ ରାଜନୈତିକ ପ୍ରସଙ୍ଗ ଆଡ଼କୁ ମୁହାଁଇବ। ତଫସିଲଭୁକ୍ତ ଜାତି ଓ ଉପଜାତିର ଲୋକଙ୍କୁ ସଂରକ୍ଷଣ ଦେବା ଲାଗି ସମ୍ବିଧାନରେ ବ୍ୟବସ୍ଥା କରାଯାଇଥିଲା। ଏବେ ଦେଶବ୍ୟାପୀ ଏକ ବିକଟାଳ ଚିନ୍ତା ଅନେକଙ୍କୁ ଘାରିଛି କଳେ ବଳେ କୌଶଳେ ସରକାରୀ ସୁବିଧା କେମିତି ହାତେଇବେ। ଥିଲାବାଲା ଲୋକ ଚାଉଳ, ଗହମ, କିରୋସିନ ଓ ଚିନି ପାଇବା ପାଇଁ ଗରିବ ଓ ଅସହାୟଙ୍କ ଲାଗି ଉଦ୍ଦିଷ୍ଟ ସାମଗ୍ରୀରେ ଭାଗ ବସାଉଛନ୍ତି। ଅର୍ଥାତ୍‌ ସରକାରୀ ଗରିବ ହେବା ଲାଗି ଗୋଟେ ରୀତିମତ ଦୌଡ଼ ଚାଲିଛି। ଏଭଳି ସ୍ଥଳେ ଦେଶବ୍ୟାପୀ ବିଭିନ୍ନ ଜାତି ଖଞ୍ଜ ଖୋଜୁଛନ୍ତି ଗଳିପଶି କିଭଳି ସଂରକ୍ଷଣ ସୁବିଧାଟିଏ ହାତେଇବେ। ପାର୍ଲାମେଣ୍ଟରେ ବିଭିନ୍ନ ସମୟରେ ବିତର୍କକୁ ଆସିଥିବା ମହିଳା ସଂରକ୍ଷଣ ବିଲ୍‌କୁ ଦେଖାଯାଉ। ତାହା ଆଜି ପର୍ଯ୍ୟନ୍ତ ଝୁଲିକି ରହିବାର କାରଣ ବୁଝିବା ଅତି ସହଜ। ଆଲୋଚନା ବେଳେ ବିଭିନ୍ନ ରାଜନୈତିକ ଦଳ ତରଫରୁ ଦାବି କରାଯାଇଥିଲା ଯେ ପ୍ରସ୍ତାବିତ ମହିଳା ସଂରକ୍ଷଣ ପ୍ରତିଶତ ଭିତରେ ବିଭିନ୍ନ ଜାତି, ଉପଜାତି ଓ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଉ। ଅର୍ଥାତ୍‌ ସହଜ ଭାଷାରେ କହିଲେ, ସଂରକ୍ଷଣ ଭିତରେ ସଂରକ୍ଷଣର ବ୍ୟବସ୍ଥା ରହୁ। ଏହା ଏକ ଅସରନ୍ତି ଖେଳ, କାରଣ ଭାରତବର୍ଷରେ ଆଜି ପର୍ଯ୍ୟନ୍ତ ଆହୁରି ଅନେକ ଜାତି, ଉପଜାତି ଅଛନ୍ତି ଯେଉଁମାନେ ସଂରକ୍ଷଣ ସୁବିଧା ପାଇନାହାନ୍ତି, କିନ୍ତୁ ଦାବିଦାର ହେବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ କୁହାଇପାରେ ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ ଏପଟସେପଟ କରି ଲୋକଙ୍କୁ ନିଜ ପାଖରେ ରଖିବା ଲାଗି ଅବାଞ୍ଛିତ ପ୍ରସ୍ତାବ ଦେଇପାରନ୍ତି। ମାତ୍ର ବିଚାର ବ୍ୟବସ୍ଥାର ସର୍ବୋଚ୍ଚ ସ୍ଥାନରେ ଥିବା ନ୍ୟାୟାଧୀଶ ସଂରକ୍ଷଣ ପରି ବିଷୟକୁ ଗୁରୁତ୍ୱ ଦେଇ ମହିଳା ଓକିଲ ଓ ଜଜ୍‌ ସଂଖ୍ୟା ବଢ଼ାଇବା ପାଇଁ କୋଟା ଲାଗୁ ଦାବିକୁ ସମର୍ଥନ କରିବା ଅଡ଼ୁଆ ଲାଗୁଛି। ନିକଟ ଅତୀତକୁ ଦେଖିଲେ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନ୍‌ଡିଏ) ପାଇଁ ମହିଳାମାନଙ୍କୁ ପରୀକ୍ଷା ଦେବା ଲାଗି ଅନୁମତି ଦିଆଯିବା ଦରକାର ବୋଲି ସୁପ୍ରିମକୋର୍ଟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଉଦ୍ଦେଶ୍ୟ ଥିଲା ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ବଜାୟ ରଖିବା ସହ ନାରୀ ଜାତିକୁ ନ୍ୟାୟ ଦେବା। ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ମତକୁ ସମ୍ମାନ ଦେଇ ସମ୍ମତି ପ୍ରଦାନ କରିବା ପରେ ଅଦାଲତଙ୍କ ହସ୍ତକ୍ଷେପ ଏକ ଐତିହାସିକ ପରିବର୍ତ୍ତନ ଆଣିପାରିଛି। ଅର୍ଥାତ୍‌ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ପୁରୁଷଙ୍କ ସହ ମହିଳା ସମକକ୍ଷ ବୋଲି ଦର୍ଶାଯାଇଥିଲା। ନ୍ୟାୟପାଳିକାରେ ମହିଳାଙ୍କ ଯୋଗଦାନ ବୃଦ୍ଧି ଲାଗି ସାମାଜିକ ଓ ଆର୍ଥିକ ସମର୍ଥନ ଠିକ୍‌ ଭାବେ ଦିଆଗଲେ ସେମାନଙ୍କ ସକାଶେ ସଂରକ୍ଷଣର ଆବଶ୍ୟକତା ପଡ଼ିବ ନାହିଁ ବୋଲି ବୁଝାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri