ଗମ୍ଭୀର ହୋଇ ସମ୍ଭାଳ

ଗତ ସପ୍ତାହରେ ଶ୍ରୀନଗର ଉପକଣ୍ଠ ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ ଏହାର ପ୍ରନ୍ସିପାଲ ଓ ଜଣେ ଶିକ୍ଷକଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ପ୍ରିନ୍ସିପାଲ ସୁପିନ୍ଦର କୌର ଶିଖ୍‌ ହୋଇଥିବା ବେଳେ ଶିକ୍ଷକ ଦୀପକ ଚାନ୍ଦ କଶ୍ମୀରୀ ପଣ୍ଡିତ। ଏକ ସପ୍ତାହ ମଧ୍ୟରେ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଅର୍ଥାତ୍‌ ହିନ୍ଦୁ ଓ ଶିଖ୍‌ର ୪ ଜଣଙ୍କୁ ହତ୍ୟା କରାଯିବା ପରେ ଜମ୍ମୁ ଓ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କୌଣସି ଭାବେ ନିୟନ୍ତ୍ରିତ ହୋଇପାରୁ ନାହିଁ ବୋଲି ଏବେ ବୁଝାପଡ଼ୁଛି। ୫ ଅଗଷ୍ଟ ୨୦୧୯ରେ ଯେତେବେଳେ ଜମ୍ମୁ ଓ କଶ୍ମୀରକୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଅନୁଯାୟୀ ଦିଆଯାଇଥିବା ମାନ୍ୟତା ପ୍ରତ୍ୟାହାର କରାଗଲା, ସେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଆତଙ୍କବାଦ କାର୍ଯ୍ୟକଳାପ କମାଇବାରେ ଏହା ସହାୟକ ହେବ। ଉଲ୍ଲେଖଯୋଗ୍ୟ, ୮ ନଭେମ୍ବର ୨୦୧୬ରେ କରାଯାଇଥିବା ବିମୁଦ୍ରୀକରଣର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦାବି ଥିଲା ଯେ, ପୁରୁଣା ଟଙ୍କା ଯୋଗୁ ଆତଙ୍କବାଦ ବ୍ୟାପୁଛି। ଅର୍ଥାତ୍‌ ନୂଆ ଟଙ୍କା ଛପା ହେଲେ ସେହି କାର୍ଯ୍ୟ ବନ୍ଦ ହେବ। ଏବେ ୨୦୨୧ରେ ମଧ୍ୟ ଭାରତରେ ଆତଙ୍କବାଦର କଳାଛାୟା ଦେଖିବାକୁ ମିଳୁଛି।
ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସୁପ୍ରଶାସନ ପାଇଁ ଜମ୍ମୁ ଓ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଭାଗ କରିଦିଆଗଲା। ତାହା ହେଲା ଜମ୍ମୁ ଓ କଶ୍ମୀର ଏବଂ ଅନ୍ୟଟି ଲଦାଖ। ରାଜ୍ୟ ସରକାରଙ୍କୁ ବରଖାସ୍ତ କରାଯାଇ ବିଧାନସଭାକୁ ଭଙ୍ଗ କରାଗଲା। ରାଜନୈତିକ ବ୍ୟକ୍ତିମାନଙ୍କୁ କାରାଗାରରେ ରଖାଗଲା। କିନ୍ତୁ ସେହିସବୁ କାର୍ଯ୍ୟାନୁଷ୍ଠାନରୁ ସକାରାତ୍ମକ ଫଳ ମିଳିଥିଲା ଭଳି ମନେହେଉନାହିଁ। ଏହିସବୁ କାର୍ଯ୍ୟାନୁଷ୍ଠାନକୁ ବଳବତ୍ତର ରଖିବା ପାଇଁ ଅନେକ ସେନା ମୁତୟନ କରାଯାଇଛି। ସେଥିପାଇଁ ଜାତୀୟ ରାଜକୋଷ ଖର୍ଚ୍ଚ ବଢ଼ିବାରେ ଲାଗିଛି। ଦୁଃଖର ବିଷୟ ଯେ, ସାଧାରଣ ନାଗରିକ ଏ ସମ୍ପର୍କରେ କୌଣସି ତଥ୍ୟ ହାସଲ କରିବା ଅସମ୍ଭବ ହୋଇପଡ଼ୁଛି।
୩୭୦ ଉଚ୍ଛେଦ ପରେ ଅଭିଯୋଗ ହୋଇଥିଲା ଯେ, ସେନା ପକ୍ଷରୁ ସେଠାରେ ମାନବ ଅଧିକାର କ୍ଷୁଣ୍ଣ କରାଯାଉଛି। ଏଭଳି ଅଭିଯୋଗକୁ କେନ୍ଦ୍ର କର୍ଣ୍ଣପାତ କରି ନ ଥିଲା। ଏବେ ଯେତେବେଳେ ସେଠାକାର ଶିଖ୍‌ ଓ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଲା ତାହା ଗଣମାଧ୍ୟମରେ ଅଧିକ ପ୍ରଚାର କରାଯାଉଛି। ଏଥିରୁ ମନେହେଉଛି, ଏହି ପ୍ରଚାର କେବଳ ରାଜନୈତିକ ଲାଭ ଉଠାଇବା ପାଇଁ ଅଭିପ୍ରେତ। କିନ୍ତୁ ବାସ୍ତବରେ ସ୍ଥାନୀୟ ହିନ୍ଦୁ ଓ ଶିଖ୍‌ବାସିନ୍ଦାଙ୍କ ସୁରକ୍ଷା ପ୍ରତି ସରକାର କୌଣସି ଦୃଷ୍ଟି ଦେଇପାରୁ ନାହାନ୍ତି। ଗୋଟିଏ ସ୍କୁଲ ଭିତରେ ମୁସଲମାନ, ହିନ୍ଦୁ ଓ ଶିଖ୍‌ ସମ୍ପ୍ରଦାୟର ଶିକ୍ଷକ ଥିବା ବେଳେ ବାଛିକରି କୌର ଓ ଚାନ୍ଦଙ୍କୁ ହତ୍ୟା କରାଯାଇଛି। ଶୁଣିବାକୁ ମିଳୁଛି ଗତ କିଛି ଦିନ ହେବ କଶ୍ମୀରୀ ପଣ୍ଡିତଙ୍କ ଉପରେ ଅତ୍ୟାଚାର କରାଯାଉଥିବାରୁ ଅନେକେ ଉପତ୍ୟକା ବାହାରକୁ ପଳାଇଯିବାକୁ ବ୍ୟାଗ୍‌ ବାନ୍ଧିଲେଣି। ଉଲ୍ଲେଖଯୋଗ୍ୟ ଯେ, ୧୯୯୦ ଦଶନ୍ଧିରେ କଶ୍ମୀରୀ ପଣ୍ଡିତମାନଙ୍କୁ ମୁସଲମାନ ଆତଙ୍କବାଦୀ ଧମକାଇ ଭିଟାମାଟି ଛାଡ଼ିବାକୁ ବାଧ୍ୟ କରିଥିଲେ। ସେତିକି ବେଳେ ପଣ୍ଡିତମାନେ ବହୁସଂଖ୍ୟାରେ ନିଜ ଘରଦ୍ୱାର ଛାଡ଼ି ଭାରତର ଅନ୍ୟ ସ୍ଥାନକୁ ଜୀବନ ବିକଳରେ ପଳାଇ ଯାଇଥିଲେ। ସେତେବେଳେ କେନ୍ଦ୍ରରେ ଏକ ଅତ୍ୟନ୍ତ ଦୁର୍ବଳ କଂଗ୍ରେସ ସରକାର ଗାଦିରେ ଥିବାରୁ ଭାରତର ସୁରକ୍ଷାବାହିନୀ ତରଫରୁ କୌଣସି ପ୍ରତିକ୍ରିୟାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ଗଠନ ହେବା ପରେ କଶ୍ମୀରରେ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେଲା ବୋଲି ଦେଶବାସୀ ଚିନ୍ତା କଲେ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସେହି ଧାରଣା ଦୃଢ଼ୀଭୂତ ହୋଇଥିଲା। ଭାଜପା ସମର୍ଥକମାନେ ଦାବି କରିବା ଆରମ୍ଭ କଲେ ଯେ, ମୋଦିଙ୍କ ସମୟରେ କଶ୍ମୀରୀ ପଣ୍ଡିତମାନେ ନିଜ ଘରକୁ ଫେରିଯାଇପାରିବେ। ଜମ୍ମୁ ଓ କଶ୍ମୀର ଏବେ କେନ୍ଦ୍ର ଶାସିତ ଅଞ୍ଚଳ। ଏହାର ରାଜଧାନୀ ଶ୍ରୀନଗର ଉପକଣ୍ଠ ସରକାରୀ ବିଦ୍ୟାଳୟର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖ୍‌ ଶିକ୍ଷକଙ୍କୁ ମାରିବା ପଛରେ ଏକ ବିରାଟ ବାର୍ତ୍ତା ରହିଛି। ଏହା ଭାରତର ସମଗ୍ର ବ୍ୟବସ୍ଥା ପ୍ରତି ଏକ ଧମକ। ଅବଶ୍ୟ ବିରୋଧୀ ଦାବି କରିପାରନ୍ତି ଯେ, ଏହି ସମୟରେ ଶ୍ରୀନଗରର ହିନ୍ଦୁ ବିରୋଧୀ ଘଟଣା ରାଜନୈତିକ ଦୃଷ୍ଟିକୋଣରୁ ପ୍ରଚାରିତ ହୋଇଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏହିଭଳି ହିନ୍ଦୁବିରୋଧୀ ହିଂସା ଉସୁକା ଯାଇଥାଇପାରେ ବୋଲି ଦାବି ହୋଇପାରେ। ଏପରି କି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୁଲ୍‌ଓ୍ବାମା ଯେଉଁଭଳି ରାଜନୈତିକ ସୁଫଳ ଆଣିଦେଇଥିଲା, ଏବେ ଅନୁରୂପ ପ୍ରଭାବ ଉତ୍ତରପ୍ରଦେଶ ନିର୍ବାଚନ ଉପରେ ପଡ଼ିପାରେ ବୋଲି କୁହାଯାଇପାରେ। କିନ୍ତୁ ସବୁ ହିଂସାକୁ ରାଜନୈତିକ ମୋଡ଼ ଦେବା ଅନୁଚିତ। ଦେଶର ହିତକୁ ସର୍ବୋଚ୍ଚରେ ରଖି ପ୍ରତ୍ୟେକ ନାଗରିକର ସୁରକ୍ଷା ହେଉଛି ସରକାରଙ୍କ ମୁଖ୍ୟ ଦାୟିତ୍ୱ। ଅନ୍ୟପକ୍ଷରେ ତାଲିବାନ୍‌ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ଏହା କଶ୍ମୀର ମୁସଲମାନଙ୍କ ପାଇଁ ସ୍ବର ଉତ୍ତୋଳନ କରିବ ବୋଲି କହିଥିଲା। ଏବେ ଶ୍ରୀନଗରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବା ଦିଗରେ ତାଲିବାନ୍‌ର ହାତ ରହିଛି କି ନାହିଁ ତାହା କହିବା କଷ୍ଟକର। ତଥାପି ତାଲିବାନ୍‌ର ଭୂମିକାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ କଶ୍ମୀର ଏବେ ଆଭ୍ୟନ୍ତରୀଣ ପୋଲିସ ସମସ୍ୟା ହୋଇ ରହିଲା ନାହିଁ। ଏହା ଏକ ଅନ୍ତର୍ଜାତୀୟ ବିବାଦ ଆଡ଼କୁ ଟାଣି ହୋଇଯାଉଛି। ଭାରତ ସରକାର ଏହାକୁ ଗମ୍ଭୀରତାର ସହିତ ସମ୍ଭାଳିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri