ତଦପି ନ ମୁଞ୍ଚତି ଆଶା ଭାଣ୍ଡମ୍‌

ସରକାରୀ ଚାକିରିରେ ଯେତିକି ମିଳେ ସେତିକିରେ ସନ୍ତୁଷ୍ଟ ନ ହୋଇ ଯେଉଁ କେତେକ ଲୋକ ଉପୁରି ଯୋଗାଡ କରୁଥାନ୍ତି (ଆଶା-ହାଣ୍ଡି ମୁଞ୍ଚନ ବା ତ୍ୟାଗ ନ କରି ଖୋଲା ରଖିଥାନ୍ତି), ସେହିମାନେ ହିଁ ଯାବତୀୟ କେଳେଙ୍କାରିର କାରଣ। ସମ୍ପ୍ରତି ଆମ ରାଜ୍ୟର ଷ୍ଟାଫ୍‌ ସିଲେକ୍ସନ କମିଶନ୍‌ (ଓଏସ୍‌ଏସ୍‌ସି) ପରିଚାଳନା କରିଥିବା ‘ଜୁନିୟର ଇଞ୍ଜିନିୟର (ମୁଖ୍ୟ) ଓ ସିଜିଏଲ୍‌’ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ବାତିଲ ହୋଇଥିବା ଖବର ଆମର ମନେପକାଇ ଦେଉଛି ୨୦୧୨-୧୩ରେ ଧରାପଡ଼ିଥିବା ମଧ୍ୟପ୍ରଦେଶର ‘ବ୍ୟାପମ୍‌’ (ବ୍ୟବସାୟିକ ପରୀକ୍ଷା ମଣ୍ଡଳ) କେଳେଙ୍କାରି କଥା। ସରକାରରେ ପିଅନଠାରୁ ଆରମ୍ଭକରି ଅଫିସର୍‌ ତଥା ଲୋକପ୍ରତିନିଧି ଦେଇ ରାଷ୍ଟ୍ରପତି ଯାଏ ରକମ ରକମର ପଦ ରହିଛି, ପ୍ରତି ପଦର ଅଧିକାରୀ ନିଷ୍ଠା ଓ ସଚ୍ଚୋଟପଣିଆ ସହିତ କାର୍ଯ୍ୟ ସମ୍ପାଦନ କରିବା କଥା, କିନ୍ତୁ ସେମାନେ ଅଧିକା କିଛି ପାଇବାକୁ ଆଶା କରନ୍ତି, ନିଜ ପିଲାକୁ ଚାକିରି କରାଇଦେବା ଓ ଲାଞ୍ଚ ନେଇ ଅନ୍ୟ କାହାରିକୁ ଚାକିରି ପାଇବାର ସୁଯୋଗ ଜୁଟାଇବା କାମ କରିଥାନ୍ତି, ଏଭଳି ଆଶା-ଭାଣ୍ଡକୁ ଧରିରଖିଥିବା ଅଧିକାରୀମାନେ ଯାବତୀୟ କେଳେଙ୍କାରିକୁ ପ୍ରଶ୍ରୟ ଦିଅନ୍ତି! ବିଭିନ୍ନ ସରକାରୀ ଚାକିରି ପାଇଁ ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଥିବା ବୈଧାନିକ ବ୍ୟବସ୍ଥାକୁ ଓଲଟପାଲଟ କରିପକାନ୍ତି। ସରକାରୀ ନିଯୁକ୍ତି ପାଇଁ ଆଶାୟୀମାନଙ୍କଠାରୁ ଟାଉଟର୍‌, ଦଲାଲ୍‌ ବା ଷଡ଼ଯନ୍ତ୍ରକାରୀମାନଙ୍କଠାରୁ ପ୍ରଚୁର ଅର୍ଥ ପାଇ ସେମାନଙ୍କୁ ସୁବିଧା ଦିଅନ୍ତି – ପ୍ରଶ୍ନପତ୍ର ଯୋଗାନ୍ତି ବା ପରୀକ୍ଷାର୍ଥୀ ବଦଳରେ ଭଡାଟିଆ ବ୍ୟକ୍ତି (ଇମ୍ପୋଷ୍ଟର) ଗ୍ରହଣ କରିନିଅନ୍ତି କିମ୍ବା ପ୍ରଶ୍ନପତ୍ର ସହ ଉତ୍ତର ଖାତାକୁ ଘରକୁ ନେଇ ଉତ୍ତର ଲେଖିବାର ସୁବିଧା ଦିଅନ୍ତି। ମଧ୍ୟପ୍ରଦେଶର ବ୍ୟାପମ୍‌ କେଳେଙ୍କାରି ୧୦ବର୍ଷ ତଳେ ଧରା ପଡିଥିଲେ ବି ଆଜିଯାଏ ତା’ର ସମସ୍ତ ଅପରାଧୀ ଧରାପଡିନାହାନ୍ତି। ଇନ୍ଦୋର ପୋଲିସ ୨୦୧୩ରେ ପ୍ରିଏଣ୍ଟ୍ରାନ୍ସ ମେଡିକାଲ୍‌ ଟେଷ୍ଟ (ପିଏମ୍‌ଟି)ରେ ଜାଲିଆତି ହୋଇଛି ବୋଲି ଏତଲା ପାଇ ତଦନ୍ତ କରୁ କରୁ ଗୁଡ଼ାଏ କାଗଜ ପାଇଲା (ଯେମିତି ବାଲେଶ୍ୱର ପୋଲିସ ଦୀଘାରେ ଏକ ସନ୍ଦିଗ୍ଧ ଗୋଷ୍ଠୀ ଉପରେ ଚଢ଼ାଉ କରି ‘ଓଏସ୍‌ଏସ୍‌ସି’ର ଜୁନିୟର୍‌ ଇଞ୍ଜିନିୟର୍‌ ପରୀକ୍ଷା ପ୍ରଶ୍ନପତ୍ର ବିକ୍ରି ହେଉଥିବାର ଷଡ଼ଯନ୍ତ୍ର ପାଇଛି)ା ଇନ୍ଦୋର ପୋଲିସ ଆବିଷ୍କାର କଲା ଯେ ବର୍ଷ ବର୍ଷ ଧରି ଏଭଳି ଜାଲିଆତି ଚାଲିଆସିଛି: ୨୦୦୮-୧୩ ପିଏମ୍‌ଟି ପରୀକ୍ଷା, ୨୦୧୨ ପ୍ରିପିଜି ଟେଷ୍ଟ ପରୀକ୍ଷା ଏବଂ ପରବର୍ତ୍ତୀକାଳର କଣ୍ଟ୍ରାକ୍ଟ ଟିଚର୍‌, ଫୁଡ୍‌ ଇନ୍‌ସ୍ପେକ୍ଟର, ପୋଲିସ କନ୍‌ଷ୍ଟେବଲ ଓ ଆୟୁର୍ବେଦ ଡାକ୍ତରଙ୍କ ପରୀକ୍ଷା। ୨୦୦୮ରୁ ୨୦୧୩ ଭିତରେ ମେଡିକାଲ କଲେଜରେ ଆଡ୍‌ମିଶନରେ ଜାଲିଆତି ଧରାପଡିବାରୁ ପ୍ରାୟ ୧୦୮୭ ଅଯୋଗ୍ୟ ପିଲାଙ୍କ ଆଡ୍‌ମିଶନ ନାକଚ କରାଗଲାଣି। ଇନ୍ଦୋର ପୋଲିସ ଜାଣିଲା ଯେ ପ୍ରତ୍ୟେକ ପିଏମ୍‌ଟି ପରୀକ୍ଷା ପାଇଁ ୧୫ ଲକ୍ଷ ଏବଂ ପ୍ରତ୍ୟେକ ପିଜି ମେଡିକାଲ ଆଡ୍‌ମିଶନ ପାଇଁ ୫୦ ଲକ୍ଷ ଟଙ୍କା ରେଟ୍‌ ରଖାଯାଇଥିଲା। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ମନିଟରିଂରେ ସେ ରାଜ୍ୟ ପୋଲିସର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ତଦନ୍ତ କରୁଛି, ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ଏସ୍‌ଟିଏଫ୍‌ ତଦନ୍ତ ବି ଏତେ ଧିମେଇ ଗଲା (ଆମ ରାଜ୍ୟରେ ବି ସେଭଳି ହୁଏ) ଯେ ମଧ୍ୟପ୍ରଦେଶରେ ବହୁତ ହୋ ହଲ୍ଲା ହେଲା। ସୁପ୍ରିମକୋର୍ଟ ତାଗିଦ କରିବାରୁ ଏସ୍‌ଟିଏଫ୍‌ ପ୍ରାୟ ୧୮୦୦ ଅଭିଯୁକ୍ତଙ୍କୁ ଗିରଫ କଲାଣି, ଆଉ ୮୦୦ ଜଣ ୧୦ ବର୍ଷ ହେଲା ଧରାପଡିନାହାନ୍ତି। କଣ୍ଟ୍ରାକ୍ଟ ଟିଚର୍‌ ଏ କେଳେଙ୍କାରିରେ ଅଭିଯୁକ୍ତ ତାଲିକାରେ ଅଛନ୍ତି ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ଲକ୍ଷ୍ମୀକାନ୍ତ ଶର୍ମା, ତାଙ୍କ ପି.ଏ. ସୁଧୀର ଶର୍ମା ଏବଂ ଓଏସ୍‌ଡି ଓ. ପି. ଶୁକ୍ଳ । ପ୍ରଫେସନାଲ୍‌ ଏକ୍‌୍‌ଜାମିନେଶନ୍‌ ବୋର୍ଡ (ପିଇବି)ର ଡାଇରେକ୍ଟର ଓ କଣ୍ଟ୍ରୋଲର୍‌ ପ୍ରତି ପରୀକ୍ଷା ପାଇଁ ୮୫ ଲକ୍ଷ ଟଙ୍କା ନେଇଥିବାର ପ୍ରମାଣ ମିଳିଛି। ଗଭର୍ନରଙ୍କ ଓଏସ୍‌ଡି ଧନରାଜ ଯାଦବ ବହୁତ ପ୍ରାର୍ଥୀଙ୍କୁ ବେଆଇନ ଭାବେ ରିକ୍ରୁଟ୍‌ କରାଇଛନ୍ତି। ଡିଆଇଜି ଆର୍‌. କେ. ଶିବହରେ ବହୁତ ପ୍ରାର୍ଥୀଙ୍କୁ ସବ୍‌ଇନ୍‌ସ୍ପେକ୍ଟର ରିକ୍ରୁଟ୍‌ମେଣ୍ଟ ପରୀକ୍ଷାରେ ପାସ୍‌ କରାଇଥିବାରୁ ଗିରଫ ହୋଇଛନ୍ତି। ତାଙ୍କ ଝିଅ ଓ ଜ୍ୱାଇଁ ଜାଲିଆତି କରି ପ୍ରିପିଜି ମେଡିକାଲ୍‌ ଟେଷ୍ଟ୍‌ରେ ପାସ୍‌ କରିଥିବା ଧରାପଡିଛନ୍ତି। ସେ ସମୟର ଗଭର୍ନର ରାମ ନରେଶ ଯାଦବଙ୍କ ନାଁରେ ଏତଲା ହେଲା ଯେ, ସେ ୫ଟି ଲୋକଙ୍କୁ ଫରେଷ୍ଟ ଗାର୍ଡ କରାଇ ଦେଇଛନ୍ତି, (ସାମ୍ବିଧାନିକ ପଦବୀ ଯୋଗୁ ଏତଲା ନାକଚ ହୋଇଛି)। ପ୍ରଶ୍ନପତ୍ର ଯୋଗାଇବା, କେତେକ ନକଲି ପରୀକ୍ଷାର୍ଥୀ ଯୋଗାଇବା, କେତେକଙ୍କୁ ଘରେ ଉତ୍ତର ଲେଖିଆଣିବାର ସୁଯୋଗ ଦେବା ଆଦି ଏକ ଲିକ୍‌ ବୋଲି କହିହେବ ନାହିଁ, ଇଏ ତ ପୂରା ଘାଇ!
ଆମ ପ୍ରଦେଶର ଷ୍ଟାଫ୍‌ ସିଲେକ୍ସନ କମିଶନ୍‌ ପରିଚାଳନା କରିଥିବା ଜୁନିୟର୍‌ ଇଞ୍ଜିନିୟର୍‌ ବାଛିବା ପରୀକ୍ଷାର କେଳେଙ୍କାରିର ଯାହା କିଛି ଏଯାଏ ଜଣାପଡିଲାଣି ତାହା ବ୍ୟାପମ୍‌ ତୁଳନାରେ ତୁଚ୍ଛ ମନେହେଉଛି। ଯେଉଁ ସଂସ୍ଥାର ଅଧ୍ୟକ୍ଷ ଜଣେ ପ୍ରାକ୍ତନ ଉଚ୍ଚତମ ପୋଲିସ ଅଧିକାରୀ, ସେ ସଂସ୍ଥାର ଚିତ୍ର ମଳିନ କରିବାକୁ ତଳ ପୋଲିସ ଚାହିଁ ନ ପାରେ – କିନ୍ତୁ ବାଲେଶ୍ୱର ପୋଲିସ ଏଯାବତ୍‌ ଯାହା ଖୁଲାସା କରିଛି, ସେଥିପାଇଁ ଏସ୍‌ପିଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ। ଗୁଡ଼ାଏ ଅପରାଧୀ ଠୁଳ ହେଉଥିବା ଖବରରୁ ସହଦେବଖୁଣ୍ଟା ଥାନା ପୋଲିସ ସେମାନଙ୍କୁ ଅନୁସରଣ କରି ଉପାନ୍ତ ଦୀଘା (ବାଲେଶ୍ୱର ସୀମାନ୍ତ ସମୁଦ୍ରକୂଳ ପର୍ଯ୍ୟଟନ ସ୍ଥାନ)ରୁ ଧରିଲା, ସନ୍ଦେହ ଆଳୁ ଖୋଳୁ ଖୋଳୁ କେଳେଙ୍କାରି-ମୁଷଳକୁ ପଦାରେ ପକାଇଲା, କିନ୍ତୁ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ଏ ଯାଏ ତଦନ୍ତର ପରିସରକୁ ଆସିନାହିଁ। ମନେହୁଏ ବ୍ୟାପମ୍‌ କେଳେଙ୍କାରି ଭଳି ଏ କେଳେଙ୍କାରି କେତେ ବର୍ଷ ହେଲା ଚାଲି ଆସିଛି। ଜାଲ୍‌ ସାର୍ଟିଫିକେଟ ଦେଇ ଟ୍ରେନ୍‌ଡ ଶିକ୍ଷକ ଚାକିରି ପାଇଥିବା ବଲାଙ୍ଗୀରର ଜଣେ ମହିଳା ଧରାପଡି ଜେଲ୍‌ ଯାଇଥିବା ଉଦାହରଣରୁ; ପୁଣି ଚାକିରିକାଳ ସରିବାର ଦୁଇବର୍ଷ ଆଗରୁ। ତା’ ମାନେ ପନ୍ଦର କୋଡିଏ ବର୍ଷ ଧରି ଜାଲ୍‌-ସାର୍ଟିଫିକେଟ୍‌ କେଳେଙ୍କାରି ଚାଲିଆସିଛି। ଆମେ ଦେଖିଆସିଲୁଣି – ଓଡ଼ିଆ ମାଧ୍ୟମ ନଥିବା ବାହାର ପ୍ରଦେଶର ଶିକ୍ଷାୟତନରୁ ଓଡ଼ିଆ ଭାଷା ସହ ମାଟ୍ରିକ୍‌ ପାସ୍‌ ସାର୍ଟିଫିକେଟ୍‌ ଦେଖାଇ, ପୁଣି ଓଡ଼ିଆରେ ୯୦% ବା ଅଧିକା ମାର୍କ ରଖିଥିବା ଦେଖାଇ ଗ୍ରାମାଞ୍ଚଳର ପୋଷ୍ଟମାଷ୍ଟର ହେବାକୁ ଆସିଛି, ଯେଉଁ ପୋଷ୍ଟାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଏଭଳି ଠକାମି ଧରିନାହିଁ ତାଙ୍କୁ କାହିଁକି ପୋଲିସ ଧରୁନାହିଁ? (ଏତେ ମାର୍କ ରଖିଥିବା ପିଲା ମାଟ୍ରିକ୍‌ ପରେ ଉଚ୍ଚ ପଢ଼ା ଛାଡ଼ିଲା କାହିଁକି, ଉତ୍ତର ପ୍ରଦେଶ ବା ବିହାର ସେକେଣ୍ଡାରୀ ବୋର୍ଡ କିପରି ଓଡ଼ିଆ ଭାଷାରେ ମାର୍କ ଦେଲା ସେ ପ୍ରଶ୍ନ ନିଯୁକ୍ତିକାରୀ ଅଫିସରଙ୍କ ମନକୁ ଛୁଇଁଲା ନାହିଁ)ା ଆଖିବୁଜି ସେପରି ସାର୍ଟିଫିକେଟ୍‌ ଗ୍ରହଣ କରିଥିବା ଅଫିସର୍‌ଙ୍କୁ ପୋଲିସ ଧରୁନାହିଁ କାରଣ ଶାସକ ଦଳର ଜଣେ ନେତା ଏପରି ସାର୍ଟିଫିକେଟ୍‌ ମାନୁଫାକ୍ଚରିଂ କମ୍ପାନୀ ଖୋଲିଛନ୍ତି ବୋଲି ଜଣାପଡ଼ିବାରୁ କେହି ସମ୍ଭବତଃ ଏତଲା ଦେଉନାହାନ୍ତି। ଓଡ଼ିଶା ବାହାର ୟୁନିଭର୍ସିଟିରୁ ଓଡ଼ିଆରେ ଖୁବ୍‌ ଭଲ ମାର୍କ ରଖିଥିବା ଦେଖାଇ କେତେ ଯେ ଯୁବକ ଯୁବତୀ ଗ୍ରାମ୍ୟ ଡାକପାଳ ହୋଇଛନ୍ତି ତା’ର ଯାଞ୍ଚ କେହି କରୁନାହିଁ। ଜାଲ୍‌ ବିଇଡି ସାର୍ଟିଫିକେଟ୍‌ ଦେଇ ଶିକ୍ଷକ ଚାକିରି କରି ରିଟାୟାର୍ଡ କରିବାକୁ ବାହାରିଥିବା ବଲାଙ୍ଗୀରର ଜଣେ ଶିକ୍ଷୟିତ୍ରୀଙ୍କୁ ଜେଲକୁ ନିଆଯାଇଛି, ଆଉମାନେ କୁଆଡେ ଗଲେ? ନିଯୁକ୍ତି ଦେଇଥିବା ଅଧିକାରୀମାନଙ୍କୁ କାହିଁକି ଭ୍ରଷ୍ଟାଚାରରେ ଗିରଫ କରାଯାଉନାହିଁ?
ଗୁପ୍ତ ରଖାଯାଇଥିବା (୧) ଛାପାଖାନାର ସମ୍ପୃକ୍ତି, (୨) ପ୍ରାର୍ଥୀମାନଙ୍କ ତାଲିକା ଗୋପନୀୟ, ପ୍ରାର୍ଥୀଙ୍କ ନାମ, ଧାମ ଓ ଫୋନ୍‌ ନମ୍ବର କିପରି ଠକମାନେ ଜାଣିଲେ, ୧୮ ଲକ୍ଷ ଟଙ୍କା ଯାଏ ଉତ୍କୋଚ ଦେଇପାରିବାର ସାମର୍ଥ୍ୟ ଥିବା ପ୍ରାର୍ଥୀଙ୍କୁ ବାଛିବା ପାଇଁ ସେମାନେ ବହୁତ ସମୟ ନେଇଥିବେ, (୩) ତେଣୁ ଷ୍ଟେନୋ ଓ କନ୍‌ଫିଡେନ୍ସିଆଲ୍‌ ସେକ୍ସନ ଚାର୍ଜରେ ଥିବା ଅଧିକାରୀ ଓ ସେମାନଙ୍କୁ ତଦାରଖ କରୁଥିବା ଅଧିକାରୀମାନେ ବି ଦାୟୀ, ତା’ ଧରାଯିବ ତ!

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri