ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ଓ ବାଜପକ୍ଷୀ

ଉପେନ୍ଦ୍ର ବିଶ୍ୱାଳ

ଆମେରିକାର ଚମକ ପଛରେ କେଉଁ ବିଶେଷ ଶକ୍ତିର ବଳିଷ୍ଠ ଯୋଗଦାନ ଅଛି ବୋଲି ଯଦି ପଚରାଯାଏ ତେବେ ଏହାର ନିକଟତମ ଉତ୍ତର ବୋଧେ ହେବ – ଭାରତୀୟ ମେଧାଶକ୍ତି। ଦୃଷ୍ଟାନ୍ତ ସ୍ବରୂପ ଆମେରିକାରେ ଅଧୁନା କାର୍ଯ୍ୟରତ ୪୦ଭାଗ ଡାକ୍ତର ଓ ନାସାରେ କାର୍ଯ୍ୟରତ ୩୬ଭାଗରୁ ଊଦ୍ଧର୍‌ବ ବୈଜ୍ଞାନିକ ହେଉଛନ୍ତି ଭାରତୀୟ। କେବଳ ଆମେରିକା କାହିଁକି ଭାରତର ପ୍ରଜ୍ଞାକୁ ନେଇ ବାକି ବିଶ୍ୱ ବି ବେଶ୍‌ ଉତ୍ସାହିତ ଓ ଉଦ୍ଭାସିତ। ବିଶ୍ୱର ୧୨ଟି ବିଭିନ୍ନ ବଡ଼ ବଡ଼ କମ୍ପାନୀର ସର୍ବୋଚ୍ଚ ପଦବୀ ଆଜି ଭାରତୀୟଙ୍କ ହାତେ; ଯାହା କି ଭାରତର ମେଧାଶକ୍ତିର ସାମର୍ଥ୍ୟ ଉପରେ ମୋହର ମାରିଥାଏ। ସୁନ୍ଦର ପିଚାଇ, ସତ୍ୟ ନାଦେଲା, ପରାଗ ଅଗ୍ରୱାଲ, ଲୀନା ନାୟାର, ଶାନ୍ତନୁ ନାରାୟଣ, ଅରବିନ୍ଦ କ୍ରୀଷ୍ଣl, ସଞ୍ଜୟ ମେହରୋତ୍ରା, ନିକେଶ ଆରୋରା, ଅଜୟପଲ ସିଂହ, ଜୟଶ୍ରୀ ଉଲାଲ, ଇନ୍ଦିରା ନୁଇ, ଆମ୍ରାପାଲୀ ଗାନ ଆଦି ଜଣେ ଜଣେ ଏ ମାଟିର ମହକିତ ମାନସ। ଆମେରିକାଠୁ ଆରବ, ଆଫ୍ରିକାଠୁ ୟୁରୋପ, ଅଷ୍ଟ୍ରେଲିଆ ଆଦି ଦେଶରେ ଭାରତୀୟ ମେଧାଶକ୍ତିର ଜାଜ୍ୱଲ୍ୟକାରୀ ଯୋଗଦାନ ଯଥେଷ୍ଟ। ବିଶ୍ୱମାରୀ ବିରୋଧୀ ଅମୋଘ ଅସ୍ତ୍ର, ଭ୍ୟାକ୍ସିନ ଉଦ୍ଭାବନରେ ବିଶ୍ୱକୀର୍ତ୍ତି ହେଉ ଅବା ଇସ୍ରୋର ଅପୂର୍ବ ସଫଳତା ଅବା ଚନ୍ଦ୍ରାୟନ ଅଭିଯାନ ହେଉ, ଆମ ମେଧାଶକ୍ତିର ଆଭାରେ ଆଲୋକିତ ଆଜି ଭାରତ। ଏହିପରି, ଯେତେବେଳେ ଭାରତୀୟ ମେଧାଙ୍କୁ ନେଇ ମହିମାନ୍ବିତ ଭୂମଣ୍ଡଳରୁ ଭୂମାମଣ୍ଡଳ ପର୍ଯ୍ୟନ୍ତ, ସେତେବେଳେ ଆଶାର ଆଲୋକ ଯଦି ନିର୍ବାପିତ ହୋଇଚାଲେ, ଜୀବନ ମଧ୍ୟାହ୍ନରେ ଏପରି ପ୍ରତିଭାତ ପ୍ରତିଭାମାନଙ୍କ ଜୀବନଜ୍ୟୋତି ଯଦି ନିଷ୍ପ୍ରଭ ହୋଇଯାଏ, ତେବେ ଦେଶର ଭାଗ୍ୟାକାଶ କ’ଣ ତମସାଚ୍ଛନ୍ନ ହେବନାହିଁ କି? ଅକସ୍ମାତ୍‌ଭାବେ ସୂର୍ଯ୍ୟସମ ଦୀପ୍ତିମନ୍ତ ଯୁବାଶକ୍ତିଙ୍କ ଜଣକ ପରେ ଜଣେ ଆତ୍ମହତ୍ୟାଜନିତ ଅକାଳ ବିୟୋଗ ଦେଶପାଇଁ ଅଶୁଭ ସଙ୍କେତ ବହନ କରେ। ଦିନକୁ ଦିନ ଏହି ଘଟଣା ଆହୁରି ବଢ଼ି ଚାଲିବା ଯେମିତି ଚିନ୍ତାଜନକ ସେମିତି ଗଭୀର ବିଡ଼ମ୍ବନାର ବିଷୟ। ଜାନୁୟାରୀ ମାସ ଆରମ୍ଭରୁ ଦୁଇ ସପ୍ତାହରେ ଦୁଇଟି ଉଜ୍ଜ୍ୱଳ ନକ୍ଷତ୍ର ଲିଭିଗଲା ଭାରତୀୟ ଭାଗ୍ୟାକାଶରୁ। ଜଣେ କାନପୁର ଆଇଆଇଟିର ଛାତ୍ରୀ ତ ଆର ଜଣକ ବମ୍ବେ ଆଇଆଇଟିର ଛାତ୍ର। ସଂସଦର ଗତ ଶୀତକାଳୀନ ଅଧିବେଶନରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଅନୁଯାୟୀ ବିଗତ ଛଅ ବର୍ଷରେ ଦେଶ ହରେଇସାରିଛି ୧୨୧ଜଣ ଅତିମେଧାଙ୍କୁ; ଯେଉଁମାନେ ସମସ୍ତେ ସମ୍ମାନଜନକ ଆଇଆଇଟି, ଆଇଆଇଏମ୍‌ ଓ ଆଇଆଇଏସ୍‌ର ଛାତ୍ରୀଛାତ୍ର। ଅର୍ଥାତ୍‌ ଦେଶର ଭାଗ୍ୟାକାଶରୁ ପ୍ରତିମାସରେ ପ୍ରାୟ ଦୁଇଟି ଲେଖାଏଁ ନକ୍ଷତ୍ର ନିରୁଦ୍ଦିଷ୍ଟ ହୋଇଯାଉଛନ୍ତି।
୨୦୨୦ ମସିହା ବିଶ୍ୱମାରୀ ସମୟରେ କେବଳ ଗୋଟେ ବର୍ଷରେ ଦୈନିକ ହାରାହାରି ୩୪ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବାର ଅତି ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା। ଜାତୀୟ ଅପରାଧ ବ୍ୟୁରୋ (ଏନ୍‌ସିଆର୍‌ବି)ର ତଥ୍ୟ ଅନୁଯାୟୀ ୨୦୧୯ରେ ଦେଶରେ ମୋଟ ଆତ୍ମହତ୍ୟାକାରୀ ୧.୩୨ଲକ୍ଷ ମଧ୍ୟରୁ ଶତକଡ଼ା ୭.୪ଭାଗ ଛାତ୍ରୀଛାତ୍ର ଥିଲାବେଳେ ୨୦୨୦ରେ ଦେଢ଼ଲକ୍ଷ ଆତ୍ମହତ୍ୟାକାରୀଙ୍କ ଭିତରୁ ଛାତ୍ରୀଛାତ୍ର ହେଉଛନ୍ତି ୮.୨ଭାଗ। ସେମିତି ବି ଜୀବନ ମଧ୍ୟାହ୍ନ ପୂର୍ବରୁ ଅର୍ଥାତ୍‌ କୈଶୋର ଅବସ୍ଥାରେ (୧୮ବର୍ଷରୁ କମ) ଆତ୍ମହତ୍ୟା ସଂଖ୍ୟା ୨୦୧୮ରେ ୯୪୧୩, ୨୦୧୯ରେ ୯୬୧୩, ୨୦୨୦ରେ ୧୧୩୯୬ ଥିଲା। ଅର୍ଥାତ୍‌ ଦିନକୁଦିନ ଅତି ଦ୍ରୁତଗତିରେ ପିଲାମାନଙ୍କ ଭିତରେ ବି ବଢ଼ି ଚାଲିଛି ଆତ୍ମହତ୍ୟା ପ୍ରବଣତା; ଯାହା ଆଲୋଚ୍ୟ ବିଷୟ। ଏନ୍‌ସିଆର୍‌ବିର ତଥ୍ୟାନୁଯାୟୀ ଆତ୍ମହତ୍ୟାର ପ୍ରମୁଖ କାରଣ ଭିତରେ ରହିଛି ନିଃସଙ୍ଗତା ଓ ପାରିବାରିକ ସମସ୍ୟା, ସ୍ବାସ୍ଥ୍ୟଗତ, ପ୍ରେମଜନିତ, ବେରୋଜଗାର, ନିଶା ଓ ନପୁଂସକତା ସମସ୍ୟାଦି।
ପ୍ରଶ୍ନ ଉଠେ, ଅତି ଆଦର ଯତ୍ନରେ ବଢ଼ାଉଥିବା ଏଭଳି ଦୁର୍ମୂଲ୍ୟ ଚାରାଗଛମାନ ଅସମୟରେ ମଉଳି ଯିବାରେ ଆମର କିଛି ତ୍ରୁଟି ରହିଯାଉନି ତ? ବଗିଚାରେ ଚାରାମାନ ମଉଳି ଯିବାର କାରଣଗୁଡ଼ିକୁ ଯଦି ଖୋଜିବା ତେବେ ଦେଖିବାକୁ ମିଳିବ କେଉଁଠି ନା କେଉଁଠି ମାଳୀଟିର ନିଘାର ଅଭାବ ଚାରାଟିକୁ ଦୃଢ଼କରି ଛିଡ଼ା କରିବାରେ ପ୍ରଯତ୍ନର ଅଭାବ ସହିତ, ବାରିହୁଏ ଦୂରଦର୍ଶିତାର ଢିଲାପଣ। ସମୁଚିତ ଢଙ୍ଗରେ ମୂଳରୁ ଖୁବ୍‌ ଦୃଢ଼ଭାବେ ବଢ଼ିବାରେ ଚାରାଟିକୁ ସମର୍ଥ କରାଇଥିଲେ, ସୁରଭିତ ଏହି ଚାରାମାନ ଏମିତି କ’ଣ ମଉଳି ଯାଆନ୍ତେ କି? ଅତି ଆଦର ଯତ୍ନରେ ବଢ଼ାଉଥିବା ଆମ ପିଲାମାନଙ୍କୁ ବୁଝେଇବାରେ ଅସମର୍ଥ ହେଉଛୁ ଯେ ଜୀବନର ଚଲାପଥ ସଦା କୁସୁମିତ ନୁହଁ । ଏଠି ଜିଇବାକୁ ହେଲେ କେବେ କଣ୍ଟାର ଆଘାତ ସହିବାକୁ ପଡ଼େ ତ ପୁଣି କେବେ ଗୋଲାପର ସ୍ନିଗ୍ଧତାର ଅନୁଭବ। ପାଦଚଲା ରାସ୍ତା ସବୁ ସାଦାସିଧା, ସହଜ ଓ ମସୃଣ ହୋଇ ନ ଥାଏ। ଖାଲ-ଢିପ, ଅଙ୍କା-ବଙ୍କାର ସମାହାରରେ ଗଢ଼ା ଜୀବନର ଯାତ୍ରାପଥ। ଚାଲୁଚାଲୁ କେତେବେଳେ ହୁଏତ ଝୁଣ୍ଟିପଡ଼ି ତଳେ ପଡ଼ିଯିବାର ସମ୍ଭାବନା ଥାଏ। ତଳୁ ଉଠି ପୁଣି ଚାଲିବାକୁ ହୁଏ ଯତ୍ନର ସହିତ। ସାମାନ୍ୟଟିକେ ଆଘାତ ବା ଧକ୍କା-ଧୋକା-ଧିକାରରେ ଭାଙ୍ଗିଯିବାଟା ହେଉଛି ବୋକାମି। ଆତ୍ମବିଶ୍ବାସର ସହିତ ଆଗକୁ ମାଡ଼ି ଚାଲିବା ହିଁ ତ ଜୀବନ। ଋତୁପରି, ଚକ୍ରବତ୍‌ ପରିବର୍ତ୍ତନ ଘଟିଥାଏ ଜୀବନର ବିବିଧ ପର୍ଯ୍ୟାୟ। ଆମକୁ ସାମ୍ନା କରିବାକୁ ପଡ଼େ ଭିନ୍ନଭିନ୍ନ ପରିସ୍ଥିତି ଓ ପରିବେଷ୍ଟନୀକୁ। ସେଥିରେ ବିଚଳିତ ହେବା ବା ଭାଙ୍ଗି ପଡ଼ିବା ଆଦୌ ଉଚିତ ନୁହେଁ।
ଯନ୍ତ୍ରଣାହୀନ ଜୀବନ, ଜୀବନ ନୁହଁ। ଇଗଲ ପରି ଜୀବନକୁ ଥରେ ବୁଝିଗଲେ, ଜାଣିଗଲେ ଜୀବନଟା ଏତେ ଦୁର୍ବିଷହ ମନେହୁଅନ୍ତା ନାହିଁ ଆମକୁ। କେବଳ ଜୀବନ ଜିଇବାର କଳା-କୌଶଳ ନୁହଁ, ଜୀବନ ଜିଣିବାର ବାଟ ବି ବତେଇଥାଏ ବାଜପକ୍ଷୀ। ପ୍ରାୟ ୭୦ବର୍ଷର ଆୟୁ ଧାରଣ କରିଥିବା ଏ ପକ୍ଷୀଟି ଜୀବନ ଯୁଦ୍ଧରେ ହାରିବା ଜାଣିନି। ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼ି ଜିତିବାର ଯେଉଁ ମଜା, ତାହାକୁ ଭଲଭାବେ ଜାଣିଛି ବାଜପକ୍ଷୀ। ଏଣୁ ଝଡ଼-ଝଞ୍ଜା ସହିତ ଯୁଝିବାର ମାନସିକତା, ଭୟଶୂନ୍ୟତା ଯୋଗୁ ପରାଜୟକୁ ପରାହତ କରି ଜୀବନରେ ଜୟଗୀତି ରଚିବାରେ ସିଦ୍ଧହସ୍ତ ସେ। ପ୍ରାୟତଃ ଦୁଇଟି ଲେଖାଏ ଡିମ୍ବ ଦେଉଥିବା ମାଆ ବାଜ, ଅପେକ୍ଷା କରି ରହିଥାଏ, ଶାବକର ଦେହରେ ଟିକିଏ ପର ଲାଗିବା ପର୍ଯ୍ୟନ୍ତ। ତା’ପରେ ଶିଶୁପକ୍ଷୀଙ୍କୁ ନିଜ ପଞ୍ଝାରେ ଧରି ଉଡ଼ିଯାଏ, ଆଖି ପାଉ ନ ଥିବା ସୁଉଚ୍ଚ ଆକାଶକୁ, ଯେଉଁ ଉଚ୍ଚତାରେ ବିମାନ ଉଡ଼ିଥାଏ। ପିଲାଙ୍କ ମନରେ ପ୍ରତ୍ୟୟ ଭାବ ସୃଷ୍ଟିକରେ- ବାବୁରେ, ଆମେ ହେଉଛୁ ଭିନ୍ନ ଦୁନିଆର ପକ୍ଷୀ। ଆମର ସ୍ବତନ୍ତ୍ର ପରିଚୟ ରହିଛି, ଗରିମା ରହିଛି। ତୁମେ ଆଗେ ଜାଣ ଯେ ତୁମର ଉଚ୍ଚତା କେତେ? ଆଗକୁ ବଢ଼ିବାକୁ ହେଲେ, ଲଢ଼ିବାକୁ ହେବ। ନିଜେ ହିଁ ନିଜକୁ ଗଢ଼ିବାକୁ ହେବ । ପ୍ରାୟ ୧୦/୧୨କିମି ଉଚ୍ଚତାରୁ ପଞ୍ଝାମୁକ୍ତ କରିଦିଏ ଶିଶୁପକ୍ଷୀଙ୍କୁ। ଶୂନ୍ୟରୁ ଦୁଇତିନି କି.ମି. ଖସିବାପରେ ଯେବେ ବାୟୁମଣ୍ଡଳ ସହିତ ଧକ୍କା ଖାଏ ପକ୍ଷୀଶାବକ, ସେଥିରୁ ମୁକୁଳିବାକୁ ସ୍ବତଃ ତତ୍ପର ହୋଇଉଠେ। ନିଜ ସୁରକ୍ଷା ପାଇଁ ଦେହରେ ଜଡ଼େଇ ହୋଇ ରହିଥିବା ଡେଣା ଦ୍ୱୟକୁ ଖୋଲିବାକୁ ଯଥାସାଧ୍ୟ ଚେଷ୍ଟାକରେ। ପ୍ରାୟ ନଅ କି.ମି.ତଳକୁ ଆସିଲା ବେଳକୁ ଡେଣା ଦୁଇଟି ସମ୍ପୂର୍ଣ୍ଣ ଖୋଲି ଯାଇଥାଏ। ତା’ପରେ ପରେ ସମ୍ଭାବ୍ୟ ସଙ୍କଟର ଆଶଙ୍କା କରି ଜୀବନ ବଞ୍ଚାଇବାକୁ ଯାଇ ଡେଣା ଦୁଇଟି ହଲାଇବା ଆରମ୍ଭ କରେ। ଭୂପତିତ ହେବାର ନିଶ୍ଚିତ ସମ୍ଭାବନା ନିଜ ଆଖିରେ ଦେଖୁଥିଲାବେଳେ, ହାର ମାନିବାକୁ ପ୍ରସ୍ତୁତ ନୁହେଁ ଶିଶୁପକ୍ଷୀ। ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ପ୍ରସ୍ତୁତ ହୋଇ ସାରିଥାଏ। ଭୂପୃଷ୍ଠରୁ ମାତ୍ର ୩୦୦/୪୦୦ମିଟର ଉଚ୍ଚତାରେ ଥିଲାବେଳେ ହଠାତ୍‌ ମାଆ ପକ୍ଷୀ ଝପଟିଆସେ ଏବଂ ନିଜର ବିଶାଳଡେଣାରେ ଶାବକ ଦ୍ୱୟଙ୍କୁ ଆୟତ୍ତକୁ ନେଇଯାଏ। ମାଆର ଆଶ୍ରା ପାଇ ଆହୁରି ସାହସ ବାନ୍ଧନ୍ତି ଏବଂ ଦୃଢ଼ ଆତ୍ମବିଶ୍ୱାସର ସହିତ ଡେଣାଗୁଡ଼ିକୁ ସଂଚାରଣ କରିଥାନ୍ତି ଶିଶୁ ଯୁଗଳ। ଏହିପରି ନିଜ ପିଲାଙ୍କୁ ଖୁବ ସାହସୀ, ନିର୍ଭୀକ ଓ ପୋଖତ କରିବାରେ ବିଶେଷ ଭୂମିକା ନିର୍ବାହ କରିଥାଏ ବାଜପକ୍ଷୀ; ଯଦ୍ଦ୍ବାରା ନିଜ ଓଜନଠାରୁ ୧୦ଗୁଣା ଓଜନର ଶିକାରକୁ ବି ଅକ୍ଳେଶରେ ନିଜ ଶକ୍ତପଞ୍ଝାରେ ଟେକି ନେଇପାରେ ସେ। ସାମାନ୍ୟ ଝଡ଼ବାତ୍ୟାକୁ ଡରି ସବୁ ପକ୍ଷୀ ଲୁଚୁଥିଲାବେଳେ ସବୁପ୍ରକାର ଝଡ଼-ଝଞ୍ଜାକୁ ସାମ୍ନାକରି ବିଜୟର ଇସ୍ତାହାର ଲେଖେ ଇଗଲ। ଆତ୍ମହତ୍ୟା କରିବା ଅର୍ଥ ହାରିଯିବା, ଶତ୍ରୁ ନିକଟରେ ଆତ୍ମସମର୍ପଣ କରିଦେବା, ଯାହା କି ଭୀରୁଙ୍କ ପରିଭାଷା। ପ୍ରତିକୂଳତା ଏକ ପରୀକ୍ଷା। ନିଜକୁ ଶକ୍ତକରି ଗଢ଼ିବାର ଏକ ଅବସର। ତା’ ବିରୋଧରେ ଯୁଝିଚାଲିବା ହିଁ ବୀରତ୍ୱର ବ୍ୟାକରଣ। ଏଥିରେ କିଛି ହରେଇବାର ନ ଥାଏ। ଯଦି ବା ହାରିଯାଉ, ତେବେ ବହୁତ କିଛି ଶିକ୍ଷାଲାଭ କରୁ। ସ୍ରୋତର ଅନୁକୂଳରେ ଯାଇ କିଛି ହାସଲ କରିବାରେ ନ ଥାଏ ଅସଲ ଆନନ୍ଦ। ବରଂ ସ୍ରୋତର ପ୍ରତିକୂଳରେ ଯାଇ ବିଜୟ ପ୍ରାପ୍ତିରେ ଥାଏ ଆନନ୍ଦ ଓ ଗୌରବବୋଧ। ଅତଏବ ଇଗଲପରି ସାହସର ସହ ପ୍ରତିଟି ପରିସ୍ଥିତିକୁ ମୁକାବିଲା କରିବା ହେଉ ଯୁବାପ୍ରାଣର ଜିଦିପଣ। ଦୃଢ଼ତାର ସହିତ ଯୁଝିବା ହେଉ ଜୀବନର ଜୟଘୋଷ।
ଗୋଡିଶୁଳ, ସଜନାଗଡ଼, ବାଲେଶ୍ୱର,
ମୋ- ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri