Posted inଫୁରସତ

ଗ୍ରୀଷ୍ମର ମଜା ହିଲ୍‌ ଷ୍ଟେଶନରେ

ହିଲ୍‌ ଷ୍ଟେଶନ ବା ଶୈଳନିବାସର ଆକର୍ଷଣୀୟ ପ୍ରାକୃତିକ ପରିବେଶ କାହାକୁ ବା ଭଲ ନ ଲାଗେ। ଖାସ୍‌କରି ଖରାଦିନେ ଥଣ୍ଡାର ଅନୁଭବ ପାଇବା ପାଇଁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି…

ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନରେ ଦେହମୁଣ୍ଡ ପୋଡ଼ିଗଲା ଭଳି ଲାଗେ। ଇଚ୍ଛା ହୁଏ ଏମିତି କେଉଁ ସ୍ଥାନକୁ ଚାଲିଯିବା ପାଇଁ; ଯେଉଁଠି ଖରାଦିନେ ବି ଶୀତଳ ପବନର ସ୍ପର୍ଶ ମିଳୁଥିବ। ଏ କ୍ଷେତ୍ରରେ ହିଲ୍‌ ଷ୍ଟେଶନଠୁ ଭଲ ସ୍ଥାନ ଆଉ କ’ଣ ହୋଇପାରେ। ତେଣୁ ଏଠାରେ ସେମିତି କେତୋଟି ପ୍ରମୁଖ ହିଲ୍‌ଷ୍ଟେଶନ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ ବୁଲିଗଲେ ଖରାଦିନେ ବେଶ୍‌ ଆରାମ ଅନୁଭବ ହୋଇପାରିବ…

ଊଟି: ଊଟି ବା ଉଦ୍‌ଗମଣ୍ଡଳମ୍‌ ହେଉଛି ତାମିଲନାଡ଼ୁର ନୀଳଗିରି ଜିଲା ଅନ୍ତର୍ଗତ ଏକ ସହର। ହିଲ୍‌ ଷ୍ଟେଶନ ଭାବେ ବି ଏହା ପରିଚିତ। ସମୁଦ୍ରପତ୍ତନଠାରୁ ପ୍ରାୟ ୨,୨୪୦ ମିଟର ଉଚ୍ଚତାରେ ଥିବା ଏହି ହିଲ୍‌ ଷ୍ଟେଶନରେ ପର୍ଯ୍ୟଟକ ଅନେକ ଆକର୍ଷଣୀୟ ପାର୍କ, ବଗିଚା, ହ୍ରଦ, ଡ୍ୟାମ୍‌, ଐତିହାସିକ ପ୍ରାସାଦ, ସଂଗ୍ରହାଳୟ ଇତ୍ୟାଦି ଦେଖିବାକୁ ପାଇପାରିବେ। ତା’ଛଡ଼ା ଏଠାରେ ଏକ ଚା’ ଫ୍ୟାକ୍ଟ୍ରି ମଧ୍ୟ ରହିଛି; ଯେଉଁଠାକୁ ବୁଲିଯାଇ ଆଗନ୍ତୁକ ଚା’ ଚାଷ ସମ୍ପର୍କିତ ବହୁ ତଥ୍ୟ ଜାଣିପାରିବେ। ତେବେ ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ବିଶେଷକରି ଖରାଦିନେ ଏଠାରେ ପର୍ଯ୍ୟଟକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।

କୋଡୈକନାଲ: ଏହା ହେଉଛି ତାମିଲନାଡ଼ୁର ଡିଣ୍ଡିଗଲ୍‌ ଜିଲା ଅନ୍ତର୍ଗତ ଏକ ହିଲ୍‌ ଷ୍ଟେଶନ। ଏଠାକାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଶାନ୍ତ ବାତାବରଣ ପର୍ଯ୍ୟଟକଙ୍କୁ ବେଶ୍‌ ସମ୍ମୋହିତ କରିଥାଏ। ତା’ଛଡ଼ା ଏଠାରେ ଥିବା ଅନେକ ବଡ଼ ବଡ଼ ଚଟାଣ, ହ୍ରଦ, ପାର୍କ ତଥା ଫଳ ବଗିଚା, ଘାଟି ଓ ଆଖପାଖର ସୁନ୍ଦରତାକୁ ସୁବିଧାରେ ଦେଖିବା ନିମନ୍ତେ ରହିଥିବା ଟେଲିସ୍କୋପ୍‌ ହାଉସ୍‌, ବିୟର ଶୋଲା ଫଲ୍ସ (ଯେଉଁ ଜଳପ୍ରପାତରେ ଅଧିକାଂଶ ସମୟ ଭାଲୁମାନେ ଆସି ପାଣି ପିଇଥାନ୍ତି) ତଥା ଚାରିଆଡ଼ର ହରାଭରା ଦୃଶ୍ୟ ବି ଖୁବ୍‌ ଆକର୍ଷକ ଲାଗିଥାଏ। ଅନ୍ୟପକ୍ଷେ ଏଠାରେ ଥିବା ୟୁକାଲିପଟାସ ଓ ପାଇନ୍‌ ଜଙ୍ଗଲରୁ ଆସୁଥିବା ସ୍ବଚ୍ଛ ବାୟୁ ସ୍ଥାନୀୟ ବାତାବରଣକୁ ବେଶ୍‌ ମନଲୋଭା କରିଦେଇଥାଏ। ଖାସ୍‌ ସେଥିପାଇଁ କୋଡୈକନାଲକୁ ‘ହିଲ୍‌ ଷ୍ଟେଶନର ରାଜକୁମାରୀ’ ବୋଲି କୁହାଯାଇଥାଏ। ଖରାଦିନେ ବୁଲିବା ସହ ଟ୍ରେକିଂ ଓ ବୋଟିଂର ମଜା ନେବାକୁ ପର୍ଯ୍ୟଟକମାନେ ଏଠାକୁ ଧାଇଁ ଆସିଥାନ୍ତି।

ମଡିକେରୀ: ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ମଡିକେରୀ ହେଉଛି କର୍ନାଟକର କୋଡ଼ଗୁ ଜିଲାରେ ଅବସ୍ଥିତ ଏକ ହିଲ୍‌ ଷ୍ଟେଶନ ଟାଉନ୍‌। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧୫୦ ମିଟର ଉଚ୍ଚରେ ଅବସ୍ଥିତ ଏହି ଟାଉନ୍‌ରେ ଦେଖିବାକୁ ରହିଛି ଅନେକ ପାହାଡ଼, ଝରଣା, ସବୁଜ ବନାନୀ, କଫି ବଗିଚା, ଐତିହାସିକ ତଥା ଧାର୍ମିକ ସ୍ଥଳୀ। ଖାସ୍‌କରି ଏଠାକାର ଅବ୍ବେ ଝରଣା, ମଡିକେରୀ ଦୁର୍ଗ, ରାଜା କି ସିଟ୍‌ (ଯେଉଁଠାରେ କୋଡ଼ଗୁର ରାଜା ବସି ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖୁଥିଲେ) ତଥା କଫି ବଗିଚା ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଖାସ୍‌କରି ଖରାଦିନେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିବାରୁ ଏହି ସମୟରେ ଆଗନ୍ତୁକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।

ପଞ୍ଚଗନୀ: ମହାରାଷ୍ଟ୍ରର ସତାରା ଜିଲାରେ ରହିଛି ଏହି ହିଲ୍‌ ଷ୍ଟେଶନ। ସମୁଦ୍ରପତ୍ତନଠାରୁ ପ୍ରାୟ ୧୨୯୩ ମିଟର ଉଚ୍ଚତାରେ ଥିବା ଏହି ହିଲ୍‌ ଷ୍ଟେଶନରେ ପର୍ଯ୍ୟଟକ ଟେବୁଲ୍‌ ଲ୍ୟାଣ୍ଡ, ସିଡ୍‌ନୀ ପଏଣ୍ଟ, ପାର୍ସୀ ପଏଣ୍ଟ, ଡେଭିଲ୍ସ କିଚେନ୍‌, ମାର୍ପୋ ଗାର୍ଡେନ୍‌ ଇତ୍ୟାଦି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇପାରିବେ। ମନୋରମ ପରିବେଶ ଭିତରେ ଆବଦ୍ଧ ହୋଇ ରହିଥିବା ପଞ୍ଚଗନୀର ଜଳବାୟୁ ଗ୍ରୀଷ୍ମଦିନେ ବେଶ୍‌ ଥଣ୍ଡା ପ୍ରଦାନ କରୁଥିବାରୁ ଏଠାରେ ଗ୍ରୀଷ୍ମଛୁଟି କଟାଇବାକୁ ବହୁତ ଭଲ ଲାଗିଥାଏ।
ମାଥେରାନ୍‌: ଏହା ହେଉଛି ମହାରାଷ୍ଟ୍ରସ୍ଥିତ ଅନ୍ୟ ଏକ ପ୍ରସିଦ୍ଧ ହିଲ୍‌ ଷ୍ଟେଶନ। ସମୁଦ୍ରପତ୍ତନଠାରୁ ପ୍ରାୟ ୮୦୦ ମିଟର ଉଚ୍ଚତାରେ ଥିବା ଏହି ହିଲ୍‌ ଷ୍ଟେଶନରେ ପର୍ଯ୍ୟଟକ ପ୍ରାୟ ୪୦ଟି ପଏଣ୍ଟ, ଦୁଇଟି ହ୍ରଦ, ଦୁଇଟି ପାର୍କ ତଥା ୪/୫ଟି ପ୍ରମୁଖ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଦେଖିବାକୁ ପାଇପାରିବେ। ତା’ଛଡ଼ା ଏଠାରେ ଥିବା ସନ୍‌ସେଟ୍‌ ପଏଣ୍ଟ ବି ଖୁବ୍‌ ଆକର୍ଷକ ଲାଗିଥାଏ। ଟ୍ରେକିଂ ପ୍ରିୟ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିଛି ଅନେକ ସୁବିଧା ଓ ସୁଯୋଗ। ଖାସ୍‌ କରି ଖରାଛୁଟି କଟାଇବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ହୋଇଥାଏ।

ମାଉଣ୍ଟ ଆବୁ: ସବୁଜ ବନାନୀ ତଥା ଉଚ୍ଚ ପାହାଡ଼ ଦ୍ୱାରା ଘେରି ହୋଇ ରହିଥିବା ରାଜସ୍ଥାନସ୍ଥିତ ଏହି ହିଲ୍‌ ଷ୍ଟେଶନର ପରିବେଶ ଖରାଦିନେ ବେଶ୍‌ ଆରାମଦାୟକ ରହିଥାଏ। ପର୍ଯ୍ୟଟକ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଠାରେ ଥିବା ଏକାଧିକ ଐତିହାସିକ ମନ୍ଦିର, ଦୁର୍ଗ ତଥା ମାଉଣ୍ଟ ଆବୁ ବନ୍ୟପ୍ରାଣୀ ଅଭୟାରଣ୍ୟ ବୁଲି ଦେଖିବାର ମଜା ମଧ୍ୟ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ…

୩୫ ବର୍ଷ ପରେ ଦେଶରେ ନୂଆ ସାପ ପ୍ରଜାତି ଚିହ୍ନଟ : ସାମ୍ନାକୁ ଆସିଲା ରହସ୍ୟମୟ ଦୋମୁହାଁ ସାପ

ଥର୍‌ ମରୁଭୂମି ବିକାନେରର ଜୋଡ଼ବୀଡ଼ କଞ୍ଜରଭେସନ ରିଜର୍ଭରେ ମିଳିଥିବା ଏକ ବିରଳ ସାପର ଚିହ୍ନଟ ‘ସିସ୍ତାନ ସ୍ୟାଣ୍ଡ ବୋଆ’ (Eryx sistanensis) ଭାବରେ କରାଯାଇଛି। ବୈଜ୍ଞାନିକମାନଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri