ଆତ୍ମହତ୍ୟା ମାନସିକତା

ଡା. ବିରଞ୍ଚତ୍ ନାରାୟଣ ମଲ୍ଲିକ

ଚର୍ଚ୍ଚିତ ସିନେ କଳାକାର ସୁଶାନ୍ତ ସିଂ ରାଜପୁତ ଓ ପରେ ପରେ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ସମାଜସେବୀଙ୍କ ଆତ୍ମହତ୍ୟା ଘଟଣା ନିଶ୍ଚିତ ଭାବରେ ଆଲୋଡ଼ନ ସୃଷ୍ଟି କରିଛି। ଏ ବର୍ଷର ଜାତୀୟ ସ୍ବାସ୍ଥ୍ୟ ପାର୍ଶ୍ୱଚିତ୍ର ଅନୁସାରେ ଦେଶରେ ବର୍ଷକୁ ୧ଲକ୍ଷ ୩୩ ହଜାର ୬୨୩ ଜଣ ଆତ୍ମହତ୍ୟା କରିଛନ୍ତି। ପ୍ରତିଦିନ ୩୬୬ ଭାରତୀୟ ଆତ୍ମହତ୍ୟା କରୁଛନ୍ତି। ଏ କ୍ଷେତ୍ରରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ତାରତମ୍ୟକୁ ବି ଦେଖିତ୍ବାକୁ ପଡ଼ିବ। କାରଣ ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ଆତ୍ମହତ୍ୟା କରୁଛନ୍ତି। ମୋଟ ଆତ୍ମହତ୍ୟାର ପ୍ରାୟ ୭୦ ପ୍ରତିଶତ ହେଲା ପୁରୁଷ। ବର୍ଷକରେ ୯୧,୫୨୮ ପୁରୁଷ ଆତ୍ମହତ୍ୟା କରିଥିବାବେଳେ ଆତ୍ମହତ୍ୟା କରିଥିବା ମହିଳାଙ୍କ ସଂଖ୍ୟା ୪୨,୦୮୮। ପୁରୁଷ ଆତ୍ମହତ୍ୟା ବର୍ଷକୁ ବର୍ଷ ବଢ଼ୁଛି। ୨୦୦୦ରେ ୬୬,୦୩୨ ପୁରୁଷ ଆତ୍ମହତ୍ୟା କରିଥିଲେ। ୨୦୦୮ରେ ସେମାନଙ୍କ ସଂଖ୍ୟା ୮୦,୫୪୪କୁ ବଢ଼ିଥିଲା ଓ ଏବେ ତାହା ଆଉ ୧୧ ହଜାର ବଢ଼ିଯାଇଛି। ଦେଖାଯାଉଛି ଯେ, ମହିଳାଙ୍କ ତୁଳନାରେ ଦୁଇଗୁଣ ପୁରୁଷ ଆତ୍ମହତ୍ୟା କରୁଛନ୍ତି। ସ୍ବାସ୍ଥ୍ୟ ପରିସଂଖ୍ୟାନ ଅନୁସାରେ ଆତ୍ମହତ୍ୟାକାରୀଙ୍କ ମଧ୍ୟରୁ ସର୍ବାଧିକ ହେଲେ ୩୦ରୁ ୪୫ ବର୍ଷ ବୟସର। ଏଥିରୁ ଜଣାପଡ଼ୁଛି ଉପାର୍ଜନକ୍ଷମ ଓ ଘର ଚଳାଇବା ବୟସର ପୁରୁଷମାନେ ବିଭିନ୍ନ କାରଣରୁ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଛନ୍ତି। ଏହି ମାନସିକ ସ୍ବାସ୍ଥ୍ୟ ବିଶୃଙ୍ଖଳା ବୃଦ୍ଧି ସମସ୍ୟାକୁ କିପରି ରୋକାଯାଇପାରିବ ସରକାର ସେ ସଂକ୍ରାନ୍ତରେ ଉପଯୁକ୍ତ ନୀତି ପ୍ରଣୟନ କରିବା ଦରକାର। କାରଣ ଦେଶରେ ଅସଂକ୍ରମିତ ରୋଗଜନିତ ମୃତ୍ୟୁ ବଢ଼ୁଥିବାବେଳେ ସେଥିରେ ଏହାକୁ ଯୋଡ଼ିବାକୁ ହେବ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପୃଥିବୀର ରୋଗ ଚାପ ସମ୍ପର୍କରେ ନିକଟରେ ପ୍ରକାଶ କରିଥିବା ରିପୋର୍ଟରେ ସଭ୍ୟ ରାଷ୍ଟ୍ରଗୁଡ଼ିକୁ ଉପଯୁକ୍ତ ନୀତି ପ୍ରଣୟନ ଜରିଆରେ ଆତ୍ମହତ୍ୟାଜନିତ ମୃତ୍ୟୁକୁ ରୋକିବା ପାଇଁ ପରାମର୍ଶ ଦେଇଛି। ନିଯୁକ୍ତି ନୀତି ପ୍ରଣୟନ କଲାବେଳେ ଉପରୋକ୍ତ ପ୍ରସଙ୍ଗରେ ନିଯୁକ୍ତିଦାତାଙ୍କ ବିଷୟକୁ ବିଚାରରେ ରଖିବାକୁ ପରାମର୍ଶ ଦିଆଯାଇଛି। ଦେଶରେ ଜାତୀୟ ମାନସିକ ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ପ୍ରାୟ ୧୫ କୋଟି ଭାରତୀୟଙ୍କ ମାନସିକ ଚିକିତ୍ସା ଆବଶ୍ୟକ। କିନ୍ତୁ ୩ କୋଟିରୁ କମ୍‌ ଲୋକ ଏହି ଚିକିତ୍ସା ନେଉଛନ୍ତି। ବିିଷାଦ ଯୋଗୁ ପ୍ରତି ୨୦ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଅସୁସ୍ଥତାର ଶିକାର ହେଉଛନ୍ତି ବୋଲି ବେଙ୍ଗାଲୁରୁର ନିମ୍‌ହାଂସ୍‌ ସର୍ଭେରୁ ପ୍ରକାଶ। ମାନସିକ ଅସୁସ୍ଥତା ବଢ଼ୁଥିବା ବେଳେ ସେଥିପାଇଁ ଯଥେଷ୍ଟ ସଂଖ୍ୟକ ବିଶେଷଜ୍ଞ ଅର୍ଥାତ୍‌ ମନସ୍ତତ୍ତ୍ୱବିତ୍‌ ମନୋବ୍ୟାଧି ଚିକିତ୍ସକ ନାହାନ୍ତି। ଦେଶରେ ୬୬,୨୦୦ ମାନସିକ ରୋଗ ଚିକିତ୍ସକଙ୍କର ଅଭାବ ରହିଛି। ମାନସିକ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସାଙ୍ଗକୁ ଆତ୍ମହତ୍ୟାର ସମସ୍ତ କାରଣ ବିଚାରକୁ ନିଆଯିବା ଦରକାର ଏବଂ ତା’ର ସମାଧାନ ଲାଗି ପଦକ୍ଷେପ ନିଆଯିବା ଆବଶ୍ୟକ। ତାହା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇ ବିଶେଷ ଭାବରେ ପରିବାର ଦ୍ୱାରା ବିଷାଦଗ୍ରସ୍ତ ଲୋକଙ୍କୁ ସୁଧାରିବାକୁ ବି ଉଦ୍ୟମ ହେବା ଲୋଡ଼ା।
ଆତ୍ମହତ୍ୟା ପଛରେ ସାମାଜିକ କାରଣ ସବୁ ରହିଛି। ବିଫଳ ବିବାହ, ବିବାହରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ପରକୀୟା ପ୍ରୀତି ଏଭଳି ପରିସ୍ଥିତି ପଛରେ ଥିବା କାରଣଗୁଡ଼ିକ ଭିତରୁ ଅନ୍ୟତମ। ଅର୍ଥସର୍ବସ୍ବ ଜୀବନରେ ସ୍ନେହ, ସଦ୍ଦିଚ୍ଛା, ସମ୍ବେଦନଶୀଳତା ଓ ତ୍ୟାଗ ଭଳି ଭାବର ମୂଲ୍ୟ ଦ୍ରୁତଗତିରେ କମିବାରେ ଲାଗିଛି। ସେମିତି ଦୁରାରୋଗ୍ୟ ବ୍ୟାଧି ଯୋଗୁ ବୃଦ୍ଧି ପାଏ ଆତ୍ମହତ୍ୟା ଘଟଣା। ବ୍ୟୟବହୁଳ ଚିକିତ୍ସା ଲାଗି ସମର୍ଥ ଲୋକେ ବି କାହିଁକି ଏଭଳି ସ୍ଥଳେ ଆତ୍ମହତ୍ୟା କରୁଛନ୍ତି?
ଆଧୁନିକ ଜୀବନଶୈଳୀରେ ବ୍ୟସ୍ତବିବ୍ରତ ମଣିଷ ସମସ୍ୟା ସମାଧାନର ପନ୍ଥା ନ ପାଇ ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ବାଛି ନେଉଛି। ତଥ୍ୟାନୁଯାୟୀ, ଦେଶରେ ପ୍ରତି ୧ଘଣ୍ଟାରେ ହାରାହାରି ୧୫ ଜଣ ଆତ୍ମହତ୍ୟା କରୁଛନ୍ତି। ପ୍ରତି ୬ଟି ଆତ୍ମହତ୍ୟାରେ ଜଣେ ଗୃହିଣୀ ଜୀବନ ହାରୁଛନ୍ତି। ଅନ୍ୟପକ୍ଷରେ ପ୍ରତି ୧୦୦ଟି ଆତ୍ମହତ୍ୟାରେ ୬୮ ପୁରୁଷ ଓ ୩୨ ଜଣ ମହିଳା ଥିବା ଜଣାପଡ଼ିଛି। ସାମାଜିକ ଜୀବନଶୈଳୀରେ ଏବେ ବିଚିତ୍ର ବିରୋଧାଭାସ ଦେଖିବାକୁ ମିଳିଛି। ପୁରୁଷ ଓ ନାରୀ କର୍ମକ୍ଷେତ୍ରରେ ସମାନ ସ୍ଥାନ ଅଧିକାର କରୁଛନ୍ତି। ବଡ଼ ବଡ଼ କର୍ପୋରେଟ ସଂସ୍ଥାର ମୁଖ୍ୟ ଭାବେ ମହିଳାମାନଙ୍କୁ ଦେଖିବାକୁ ମିଳୁଛି। ଅନ୍ୟ ପକ୍ଷରେ ପୁରୁଷ କର୍ମକ୍ଷେତ୍ରରେ ବିଫଳତାକୁ ସହଜ ଭାବେ ଗ୍ରହଣ କରିପାରୁନାହିଁ। ଘରୋଇ ହିଂସାରେ ପୀଡ଼ିତାଟିଏ ମଧ୍ୟ ଆତ୍ମହତ୍ୟାକୁ ଶେଷ ପରିଣତି ବୋଲି ସ୍ଥିର କରିନେଉଛି। ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ବଢ଼ିବା ଏହି ପ୍ରେମରେ ବିଫଳତାର ଏକ ମୁଖ୍ୟ କାରଣ। ଗତବର୍ଷ ପ୍ରେମ ବ୍ୟାପାରରେ ୨୭୫ ଜଣ ଜୀବନ ହାରିଥିବା ଜଣାପଡ଼ିଛି। ସେହିପରି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ୬୭ ଜଣ ଛାତ୍ର ଓ ୫୦ ଜଣ ଛାତ୍ରୀ ଗତବର୍ଷ ଆତ୍ମହତ୍ୟା କରିଛନ୍ତି। ଦାରିଦ୍ର୍ୟ, ଅଭାବ ଅନଟନକୁ ସାମ୍ନା କରି ନ ପାରି ଅଭାବୀ ଲୋକଟିଏ ଆତ୍ମହତ୍ୟାକୁ ବାଛି ନେଉଛି। ଦେଶରେ ଚାଷୀ ଆତ୍ମହତ୍ୟା ମଧ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଗତବର୍ଷ ଦେଶରେ ୫,୬୫୦ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଏନ୍‌ସିଆରବି ରିପୋର୍ଟରୁ ପ୍ରକାଶ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ପରିସଂଖ୍ୟାନ ଅନୁସାରେ ହାରାହାରି ୧ଲକ୍ଷ ଟଙ୍କାରୁ କମ୍‌ ବାର୍ଷିକ ଆୟ ଥିବା ଲୋକଙ୍କ ଆତ୍ମହତ୍ୟା ହାର ୬୯.୭ ପ୍ରତିଶତ। ବାର୍ଷିକ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ଲୋକଙ୍କ ଆତ୍ମହତ୍ୟା ହାର ୨୬.୯ପ୍ରତିଶତ। ୨୦୧୪ରେ ମହାରାଷ୍ଟ୍ରରେ ସର୍ବାଧିକ ୧୬,୩୧୦ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୩ ତୁଳନାରେ ଓଡ଼ିଶାରେ ଆତ୍ମହତ୍ୟା ସଂଖ୍ୟା ପାଖାପାଖି ୧,୧୦୦ କମିଛି। ୨୦୧୩ରେ ୫,୨୫୨ଜଣ ଆତ୍ମହତ୍ୟା କରିଥିବାବେଳେ ୨୦୧୪ରେ ସେହି ସଂଖ୍ୟା ୪,୧୬୦କୁ ହ୍ରାସ ପାଇଛି। ଦେଶରେ ସଂଘଟିତ ଆତ୍ମହତ୍ୟା ମଧ୍ୟରେ ଓଡ଼ିଶାର ୩.୨ ପ୍ରତିଶତ ଅନ୍ତର୍ଭୁକ୍ତ। ରାଜ୍ୟରେ ବିବାହ ଓ ଯୌତୁକଜନିତ ଆତ୍ମହତ୍ୟାରେ ୭୧ ପୁରୁଷ ଓ ୧୦୦ ମହିଳା ଜୀବନ ହାରିଥିବା ଏହି ପରିସଂଖ୍ୟାନରୁ ପ୍ରକାଶ। ତେବେ ପାରିବାରିକ ସମସ୍ୟାରେ ରାଜ୍ୟର ୪୧୧ ପୁରୁଷ ଓ ୩୩୭ ମହିଳା ଗତବର୍ଷ ଆତ୍ମହତ୍ୟା କରିଛନ୍ତି। ଦୁରାରୋଗ୍ୟ କର୍କଟ ପୀଡ଼ିତଙ୍କ ମଧ୍ୟରୁ ୨୮, ପକ୍ଷାଘାତ ରୋଗୀଙ୍କ ମଧ୍ୟରୁ ୧୬, ମାନସିକ ବିକାରଗ୍ରସ୍ତ ରୋଗୀଙ୍କ ମଧ୍ୟରେ ୯୦ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ଜୀବନରେ ଗୋଟିଏ ରାସ୍ତା ବନ୍ଦ ହୋଇଗଲେ ଅନ୍ୟ ରାସ୍ତାଟିଏ ଖୋଲିଯାଏ। ତେଣୁ କୌଣସି ବିଫଳତାରେ ଭାଙ୍ଗିପଡ଼ିବା ଉଚିତ ନୁହେଁ। ଗୋଟିଏ ସମୟରେ ଶ୍ରେଣୀରେ ପଛୁଆ ଛାତ୍ର ଥିବା ଆଇନଷ୍ଟାଇନ୍‌ ପରବର୍ତ୍ତୀ ସମୟରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ହୋଇପାରିଥିଲେ। ସେହିପରି ଏକ ସମୟରେ ନିଜ କଣ୍ଠସ୍ବର ପାଇଁ ଆକାଶବାଣୀ ପାଇଁ ମନୋନୀତ ହୋଇପାରି ନ ଥିବା ବଲିଉଡର କିମ୍ବଦନ୍ତୀ ନାୟକ ଅମିତାଭ ବଚ୍ଚନଙ୍କ କଣ୍ଠସ୍ବରର ସଂଳାପ ଆଜି ସମୟରେ ବହୁ ମୂଲ୍ୟବାନ, ଏକଥା ପ୍ରମାଣିତ ହୋଇସାରିଛି। ଆତ୍ମହତ୍ୟା ଏକ ପାପ, ଏକ ଅପରାଧ। ଜୀବନଯୁଦ୍ଧରେ ପରାହତ ସୈନିକ ଭଳି ଅନୁଭବ କରି ଆତ୍ମହତ୍ୟାକୁ ଚରମ ପନ୍ଥା ଭାବେ ଆପଣେଇ ନେବା କେତେଦୂର ସମୀଚୀନ, ଏକଥା ଆଜିର ମଣିଷ ହୃଦୟଙ୍ଗମ କରିବା ଉଚିତ।
ସର୍ଜରି ବିଶେଷଜ୍ଞ, କଟକ,
ମୋ: ୯୪୩୭୨୭୭୭୪୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri