ଆତ୍ମହତ୍ୟା: ସାମାଜିକ ଓ ସ୍ବାସ୍ଥ୍ୟ ସମସ୍ୟା

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ମୁତାବକ ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି। ଅର୍ଥାତ ପ୍ରତି ଦିନ ୩,୦୦୦ ଲୋକ ଆତ୍ମହତ୍ୟା କରୁଛନ୍ତି। ଯେତେ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ, କରୁଛନ୍ତି ତାହାର କୋଡ଼ିଏ ଗୁଣ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଅର୍ଥାତ୍‌ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଥିଲା ବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛି। ଭାରତବର୍ଷରେ ଆତ୍ମହତ୍ୟା ଏକ ଗମ୍ଭୀର ସାମାଜିକ ଓ ସ୍ବାସ୍ଥ୍ୟଗତ ସମସ୍ୟା ରୂପରେ ପରିଗଣିତ ହୋଇଛି। ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଭାରତରେ ଆତ୍ମହତ୍ୟାର ହାର ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଫଳ ସ୍ବରୂପ ଭାରତକୁ ଏବେ ବିଶ୍ୱର ଆତ୍ମହତ୍ୟାର ରାଜଧାନୀ ବୋଲି କୁହାଯାଉଛି।
ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ସଦ୍ୟତମ (୨୦୨୨) ରିପୋର୍ଟ ଅନୁସାରେ ଗତ ବର୍ଷ ପାଖାପାଖି ଏକ ଲକ୍ଷ ଏକସ୍ତରି ହଜାର ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଭାରତରେ ସର୍ବାଧିକ ଆତ୍ମହତ୍ୟା କରୁଥିବା ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର (୧୩.୩%), ତାମିଲନାଡୁ (୧୧.୬%), ମଧ୍ୟପ୍ରଦେଶ (୯%), କର୍ନାଟକ(୮%) ଏବଂ ପଶ୍ଚିମ ବଙ୍ଗଳା (୭.୪%)। ଏହି ପାଞ୍ଚଟି ରାଜ୍ୟର ଆତ୍ମହତ୍ୟା ସଂଖ୍ୟା ଭାରତବର୍ଷର ମୋଟ ଆତ୍ମହତ୍ୟାର ଅର୍ଦ୍ଧାଧିକ। ଏଥିମଧ୍ୟରୁ ଓଡ଼ିଶାରେ ୨୦୨୨ରେ ମୋଟ ୬୧୪୦ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ଆମ ରାଜ୍ୟର ଆତ୍ମହତ୍ୟା ହାର (୧୩.୩) ଜାତୀୟ ହାର (୧୨.୪) ଠାରୁ ଅଧିକ। ପୂର୍ବ ବର୍ଷ ତୁଳନାରେ ୨୦୨୨ ମସିହାରେ ଆମ ରାଜ୍ୟରେ ଆତ୍ମହତ୍ୟା ସଂଖ୍ୟା ୮.୭% ବୃଦ୍ଧି ପାଇଛି। ଏନ୍‌ସିଆର୍‌ବିର ଏହି ରିପୋର୍ଟ ଅନୁସାରେ ଭାରତରେ ଆତ୍ମହତ୍ୟାର ପ୍ରମୁଖ କାରଣ ଗୁଡିକ ହେଲା ପାରିବାରିକ କଳହ (୩୧.୭%), ବିଭିନ୍ନ ରୋଗ (ମାନସିକ ରୋଗ, ବିଭିନ୍ନ ଦୂରାରୋଗ୍ୟ) (୧୮.୪%), ବିଭିନ୍ନ ନିଶାଦ୍ରବ୍ୟ ସେବନ(୬.୮%), ବୈବାହିକ ସମ୍ପର୍କରେ ତିକ୍ତତା (୪.୮%), ପ୍ରେମ ସମ୍ପର୍କରେ ବିଫଳତା(୪.୫%), ଆର୍ଥିକ ସଙ୍କଟ(୪.୧%), ବେରୋଜଗାରୀ(୧.୯%), ପରୀକ୍ଷାରେ ଖରାପ ପ୍ରଦର୍ଶନ, ଚାକିରୀ ଜନିତ ସମସ୍ୟା ଓ ଆତ୍ମୀୟ ଲୋକର ହଠାତ ମୃତ୍ୟୁ ଆଦି।
ଆମ ଦେଶରେ ଯୁବବର୍ଗର (୧୮-୩୦ବର୍ଷ) ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟା ସର୍ବାଧିକ (୩୪.୬%) ଦେଖା ଦେଉଛି, ଏହା ସହିତ ମଧ୍ୟମ ବୟସ୍କ (୩୦-୪୫ ବର୍ଷ) ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟା (୩୧.୮%) ଦ୍ୱିତୀୟ ସର୍ବାଧିକ ଦେଖାଦେଉଛି। ପାଖାପାଖି ୧୧ ହଜାର ଅଠର ବର୍ଷରୁ କମ୍‌ ପିଲା ଏବଂ କିଶୋର ଓ କିଶୋରୀମାନେ ୨୦୨୨ରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ୧୫ରୁ ୨୪ ବର୍ଷ ବୟସ ଭିତରେ ଯୁବବର୍ଗର ମୃତ୍ୟୁର ସବୁଠାରୁ ପ୍ରମୁଖ କାରଣ ହେଲା ଆତ୍ମହତ୍ୟା। ସାରା ବିଶ୍ୱର ଯୁବକ ଓ ଯୁବତୀମାନଙ୍କ ମଧ୍ୟରୁ ଭାରତୀୟ ଯୁବକ ଓ ଯୁବତୀମାନେ ସର୍ବାଧିକ ସଂଖ୍ୟାରେ ଆତ୍ମହତ୍ୟା କରିଥାନ୍ତି, ଯାହାକି ଅତ୍ୟନ୍ତ ଚିନ୍ତାଜନକ।
ଏନ୍‌ସିଆର୍‌ବିର ରିପୋର୍ଟ ଅନୁସାରେ ୨୦୨୨ ମସିହାରେ ୧୩,୦୪୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଛନ୍ତି। ଏହି ସଂଖ୍ୟା ଗତ କିଛି ବର୍ଷ ହେବ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଅଭିଭାବକମାନଙ୍କର ଚାପ ଯୋଗୁଁ ପିଲାମାନେ ମାନସିକ ଦୁଶ୍ଚିନ୍ତାର ସମ୍ମୁଖୀନ ହେଉଛନ୍ତି। ଏହି ମାନସିକ ଦୁଶ୍ଚିନ୍ତାର ସଫଳତାର ସହିତ ମୁକାବିଲା କରି ପାରୁନାହାନ୍ତି। ସେଥିମଧ୍ୟରୁ କିଛି ଛାତ୍ରୀଛାତ୍ର ନିଜ ମନର ଭାବନା ଓ ଆବେଗକୁ ଠିକ୍‌ ଭାବରେ ନିୟନ୍ତ୍ରଣ କରିପାରୁନାହାନ୍ତି, ଯାହା ଫଳରେ ସେମାନେ ଆତ୍ମହତ୍ୟା କରୁଛନ୍ତି। ଆତ୍ମହତ୍ୟାର ଯେଉଁ ସଂଖ୍ୟା ଏନ୍‌ସିଆର୍‌ବି ଦ୍ୱାରା ପ୍ରକାଶିତ ହୋଇଛି, ପ୍ରକୃତ ଆତ୍ମହତ୍ୟା ସଂଖ୍ୟା ତାହାଠାରୁ ଢେର ଅଧିକ। ବାସ୍ତବରେ ଆମ ଦେଶରେ ଯେତେ ଲୋକ ଆତ୍ମହତ୍ୟା କରି ମୃତ୍ୟୁମୁଖରେ ପଡ଼ୁଛନ୍ତି ବା ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି, ସବୁ ଘଟଣା ସରକାରୀ ସ୍ତରରେ ପଞ୍ଜୀକୃତ ହେଉନାହିଁ। ଗତ କିଛି ମାସ ଧରି ଆମ ରାଜ୍ୟରେ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଛି। ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଉପାୟରେ ଅଳ୍ପ ଦିନ ଭିତରେ କିଛି ଲୋକ ଆତ୍ମହତ୍ୟା କରନ୍ତି ଓ ସେ ବିଷୟକୁ ଗଣମାଧ୍ୟମରେ ବେଶିି ଆଲୋଚନା କରାଯାଏ, ସେତେବେଳେ ଆତ୍ମହତ୍ୟାପ୍ରବଣତା ଦେଖାଦେଉଥିବା ଲୋକମାନେ ସେହି ନିର୍ଦ୍ଦିଷ୍ଟ ଉପାୟରେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରିଥାନ୍ତି। ଏହାକୁ କପି-କ୍ୟାଟ ସୁଇସାଇଡ୍‌ କୁହାଯାଏ।
ଆତ୍ମହତ୍ୟାର ସଂଖ୍ୟା ବୃଦ୍ଧି ପାଇବାର ଏକ କାରଣ ହେଲା ସାମାଜିକ ସ୍ଥିତିରେ ପରିବର୍ତ୍ତନ। ଗତ କିଛି ବର୍ଷ ହେଲା ସମାଜରେ ଯୌଥ ପରିବାରର ପରମ୍ପରା ହ୍ରାସ ପାଇବାରେ ଲାଗିଲାଣି। ପରିବାରର ସଦସ୍ୟମାନେ ପରସ୍ପରର ନିକଟତର ହୋଇ ପାରୁନାହାନ୍ତି। ନିଜ ମନର ଭାବର ଆଦାନପ୍ରଦାନ କରିପାରୁ ନାହାନ୍ତି। ଫଳରେ ଜୀବନରେ କୌଣସି ସମସ୍ୟା ଦେଖାଦେଲେ ବ୍ୟକ୍ତି ଯଦି ତାହାର ଏକୁଟିଆ ସମାଧାନ କରି ପାରୁନାହିଁ, ତେବେ ସେ ମାନସିକ ରୂପରେ ଚାପଗ୍ରସ୍ତ ହୋଇଯାଉଛି। ଯେଉଁମାନେ ଏହି ମାନସିକ ଚାପର ଠିକ ମୁକାବିଲା କରି ପାରୁନାହାନ୍ତି, ସେମାନେ ଆତ୍ମହତ୍ୟାର ଉଦ୍ୟମ କରୁଛନ୍ତି।
ଆତ୍ମହତ୍ୟା ରୋକିବାକୁ ହେଲେ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିିବ। ପ୍ରତ୍ୟେକ ବ୍ୟକ୍ତି ନିଜ ମଧ୍ୟରେ ଆତ୍ମବିଶ୍ୱାସ ଓ ଆତ୍ମସଞ୍ଜମତା ବଢାଇବା ଉଚିତ। ଏହାଛଡ଼ା ସକାରାତ୍ମକ ମନୋଭାବ ନେଇ ସମସ୍ତ କାମ କରିବା ଉଚିତ। ଜୀବନରେ ଦେଖାଦେଉଥିବା ଅସୁବିଧାଗୁଡ଼ିକୁ ସମାଧାନ କରିବାର କୌଶଳ ଶିଖନ୍ତୁ। ସମାଜରେ ଅନ୍ୟମାନଙ୍କ ସହିତ ଖାପ ଖୁଆଇ ଚଳିବା ଶିଖନ୍ତୁ। ବର୍ତ୍ତମାନର ପରିସ୍ଥିତିରେ ପ୍ରତ୍ୟେକ ଅଭିଭାବକ ନିଜ ପିଲାର ମାନସିକ ସ୍ଥିତି ବିଷୟରେ ଅବଗତ ରହିବା ନିହାତି ଜରୁରୀ। ସେମାନଙ୍କ ଉପରେ ପାଠପଢ଼ା ପାଇଁ କିମ୍ବା ପରୀକ୍ଷାରେ ଅଧିକ ମାର୍କ ରଖିବା ଲାଗି ଅତ୍ୟଧିକ ଚାପ ପକାଇବା ଅନୁଚିତ। ନିଜ ପିଲା ସହିତ ଯଥେଷ୍ଟ ସମୟ ଅତିବାହିତ କରନ୍ତୁ, ସେମାନଙ୍କ ମନର କଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଛାତ୍ରୀଛାତ୍ରମାନେ ନିଜର ପାଠପଢ଼ାକୁ ଯୋଜନାବଦ୍ଧ ଭାବରେ କରିବା ଉଚିତ, ଯଦ୍ଦ୍ବାରା ପରୀକ୍ଷାରେ ଭଲ କରିପାରିବେ ଓ ପାଠପଢ଼ାର ମାନସିକ ଚାପ ମଧ୍ୟ କମିପାରିବ।
ଆତ୍ମହତ୍ୟା କରିବାର ଯଥେଷ୍ଟ ପୂର୍ବରୁ ବ୍ୟକ୍ତି ଏହା ସମ୍ବନ୍ଧରେ ନିଜ ନିକଟତର ଲୋକଙ୍କୁ କିଛି ନା କିଛି ପ୍ରାକ୍‌ ସୂଚନା ଦେଇଥାଏ। ଯେଭଳି କି ବ୍ୟକ୍ତି ଅନ୍ୟମାନଙ୍କ ସହ ମିଳାମିଶା କରେ ନାହିଁ, ଏକୁଟିଆ ରହିବାକୁ ବେଶି ପସନ୍ଦ କରିଥାଏ, ନିଜର ଦୈନନ୍ଦିନ କାମ ଠିକ୍‌ସେ କରେ ନାହିଁ, ରାତିରେ ଅନିଦ୍ରା ରହେ, ଖାଦ୍ୟ ଖାଇବା କମିଯାଏ, ଅତି ଛୋଟ ଛୋଟ କଥାରେ ଭାବବିହ୍ବଳ ହୋଇଯାଏ, କାନ୍ଦି ପକାଏ, ପରିବାରର ଲୋକଙ୍କ ସହିତ ଜୀବନ ଓ ମୃତ୍ୟୁ ବିଷୟରେ ଆଲୋଚନା କରେ ଓ ଇଣ୍ଟରନେଟ୍‌ରୁ ଆତ୍ମହତ୍ୟା ବିଷୟରେ ସର୍ଚ୍ଚ କରେ।
ଯଦି ନିଜ ପରିବାର କିମ୍ବା ନିଜର କୌଣସି ନିକଟତର ବ୍ୟକ୍ତିଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖାଯାଉଥାଏ, ତେବେ ତାଙ୍କୁ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ। ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ, ତାଙ୍କ ମନର ଭାବନା ଓ ସମସ୍ୟା ସମ୍ବନ୍ଧରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ତାଙ୍କୁ ଉତ୍ସାହ ଦିଅନ୍ତୁ। ତାଙ୍କ ବ୍ୟବହାର ଉପରେ ନଜର ରଖନ୍ତୁ। ତାଙ୍କୁ ଗୋଟିଏ ବି ମୁହୂର୍ତ୍ତ ପାଇଁ ଏକୁଟିଆ ଛାଡ଼ନ୍ତୁ ନାହିଁ। ଦରକାର ପଡ଼ିଲେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାନ୍ତୁ। ନିଜ ମନରେ ଆତ୍ମହତ୍ୟାର ଚିନ୍ତା ଆସିଲେ ଆପଣ ନିଜ ମନର କଥା ନିକଟତର ଲୋକଙ୍କୁ ଜଣାନ୍ତୁ। ନିଜର ଅସୁବିଧା ସମ୍ବନ୍ଧରେ ଅନ୍ୟମାନଙ୍କ ସହିତ ବିଚାରବିମର୍ଶ କରନ୍ତୁ। ଏହି ସମୟରେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ। ଭାବପ୍ରବଣ ହୋଇ ହଠାତ୍‌ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହି ସମୟରେ ଧୈର୍ଯ୍ୟର ସହିତ ସମସ୍ତ କାମ କରନ୍ତୁ।
ମାନସିକ ରୋଗ ବିଶେଷଜ୍ଞ
ମୋ: ୮୪୫୬୯୧୫୫୦୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?