ବିଷୟ ଚୟନ ଓ ଭବିଷ୍ୟତ ନିର୍ମାଣ

ଡ. ମନୋରଞ୍ଜନ ପ୍ରଧାନ

ମାତାପିତାଙ୍କ ପାଇଁ ବଡ଼ ଚିନ୍ତାର କାରଣ ହେଉଛି ସେମାନଙ୍କ ପୁଅ ଝିଅମାନଙ୍କ ଲାଗି କେଉଁ ଷ୍ଟ୍ରିମ୍‌ ବା କେଉଁ ପାଠ୍ୟକ୍ରମ ବାଛିବେ? ଯଦି ଷ୍ଟ୍ରିମ୍‌ ବଛା ସରିଲା, ତେବେ କେଉଁ ବିଷୟଗୁଡ଼ିକ ଉଭୟ ଜୀବନ ଓ ଜୀବିକା ପାଇଁ ଫଳପ୍ରଦ ହୋଇପାରିବ? ବିଶେଷକରି ଦଶମ ଅଥବା ଯୁକ୍ତ୨ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଅଭିଭାବକ ମହଲରେ ଛନକା ପଶିଯାଏ। ବହୁ ସମୟରେ ସେମାନେ କିଛି ଲାଭଖୋର ଅସାଧୁ ଶିକ୍ଷା ବେପାରୀଙ୍କ ମିଥ୍ୟା ପ୍ରରୋଚନାର ବଶବର୍ତ୍ତୀ ହୋଇ ନିଜ ପିଲାମାନଙ୍କ ଭବିଷ୍ୟତ ସହ ଖେଳନ୍ତି। ଆଉ କେତେବେଳେ ମାତାପିତାମାନେ ଅତ୍ୟନ୍ତ ଭାବପ୍ରବଣ ହୋଇ ନିଜ ଜୀବନର ଅସଫଳତାକୁ ପିଲାଙ୍କ ଦାରା ସାଫଲ୍ୟ ମଣ୍ଡିତ କରିବା ଆଶାରେ ପିଲାମାନଙ୍କ ସାମର୍ଥ୍ୟ ଓ ଫଳପ୍ରଦ ଇଚ୍ଛା ବିରୋଧରେ ଯାଇ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ଏବଂ ପାଠ୍ୟ ବିଷୟ ଚୟନ କରିବାକୁ ବାଧ୍ୟ କରନ୍ତି। ଫଳରେ ପିଲାମାନେ କୋଉ କୂଳର ନ ହୋଇ ନିଜ ଭାଗ୍ୟକୁ ନିନ୍ଦି ବଞ୍ଚିବାକୁ ବାଧ୍ୟ ହୁଅନ୍ତି। ଅପରପକ୍ଷରେ ପିଲାମାନେ ନିଜର ଦକ୍ଷତା ଓ ସାମର୍ଥ୍ୟକୁ ଅଣଦେଖା କରି ସାଙ୍ଗସାଥୀମାନଙ୍କ ପ୍ରରୋଚନାରେ ତ୍ରୁଟିପୂର୍ଣ୍ଣ ପାଠ୍ୟକ୍ରମ ବାଛି ନିଅନ୍ତି। ତ୍ରୁଟିପୂର୍ଣ୍ଣ ପାଠ୍ୟକ୍ରମ କହିଲେ, ଯେଉଁ ପାଠ୍ୟକ୍ରମ ନିଜର ରୁଚି, ସାମର୍ଥ୍ୟ ଓ ଭବିଷ୍ୟତ ନିର୍ମାଣ କରିବା ପାଇଁ ବିଶେଷ ଉପଯୋଗୀ ନୁହେଁ। ସେହିପରି ମାତାପିତା ଓ ଛାତ୍ରୀଛାତ୍ରଙ୍କ ଅଜ୍ଞାନତା ମଧ୍ୟ ଠିକ୍‌ ପାଠ୍ୟ ବିଷୟ ଚୟନରେ ଅନ୍ତରାୟ ସୃଷ୍ଟି କରେ। ଗୋଟିଏ ବାସ୍ତବ ଉଦାହରଣ ଦେଲେ ଭଲ ହେବ।
କିଛିଦିନ ପୂର୍ବେ ଜଣେ ମେଧାବୀ ବିଦ୍ୟାର୍ଥୀ ମୋଠାରୁ ବୃତ୍ତିଗତ ପରାମର୍ଶ ନେବାକୁ ଆସିଲେ ଏବଂ କହିଲେ, ପିଲାଟି ଦିନରୁ ହାଇସ୍କୁଲ ଶିକ୍ଷକ ହେବାର ସ୍ବପ୍ନ ଦେଖିଛି। କେଉଁ ପ୍ରଶିକ୍ଷଣ ଅନୁଷ୍ଠାନରେ ସ୍ନାତକ ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ ନେଲେ ଭଲ ହେବ ଓ ସେଥିପାଇଁ କିଭଳି ପ୍ରସ୍ତୁତ ହେବାକୁ ହେବ। ପିଲାଟିର ଆଗ୍ରହ ଦେଖି କଳା ସ୍ନାତକରେ କେଉଁ ସବୁ ବିଷୟ ଥିଲା ବୋଲି ପଚାରିଲି। ସେ କହିଲେ ଶିକ୍ଷା ସମ୍ମାନ, ସମାଜ ବିଜ୍ଞାନ ଓ ଦର୍ଶନ ଶାସ୍ତ୍ର ଇଲେକ୍ଟିଭ। ପିଲାର ପାଠ୍ୟ-ବିଷୟଗୁଡ଼ିକ ଶୁଣି ମୁଁ ହତାଶ ହେଲି। କାରଣ ବିଏଡ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜଣେ ଆଶାୟୀ ଅନୂ୍ୟନ ଦୁଇଟି ସ୍କୁଲ ବିଷୟରେ ଅନ୍ତତଃ ଦୁଇ ଶହ ମାର୍କର ପାଠ ସ୍ନାତକ ସ୍ତରରେ ପଢ଼ିଥିବା ଦରକାର। କିନ୍ତୁ ପିଲାଟିର ସମସ୍ତ ବିଷୟ ଅଣ-ସ୍କୁଲ ବିଷୟ ଅନ୍ତର୍ଗତ। ଜଣେ ମେଧାବୀ ଛାତ୍ରର ଶିକ୍ଷକତା ପ୍ରତି ପ୍ରବଳ ଇଚ୍ଛା ସତ୍ତ୍ୱେ ପ୍ରଶିକ୍ଷଣ ନେବାରୁ ବଞ୍ଚିତ ହେବ କି ନାହିଁ! କହିବାର ତାତ୍ପର୍ଯ୍ୟ ହେଲା ଭବିଷ୍ୟତର ବାଞ୍ଛିତ ଲକ୍ଷ୍ୟ ଅନୁସାରେ ବିଷୟବସ୍ତୁ ଚୟନ କରାଯିବା ଉଚିତ। ନଚେତ ପରେ ପଶ୍ଚାତ୍ତାପ କରିବାକୁ ପଡ଼ିବ। ଡାକ୍ତରୀ ପଢ଼ିବାକୁ ଇଚ୍ଛକ ପ୍ରାର୍ଥୀ କଳା ପାଠ୍ୟକ୍ରମ ଚୟନ କରି ନିଟ୍‌ ପ୍ରବେଶିକା ପରୀକ୍ଷା ଦେଇପାରିବ କି? ତେଣୁ ପାଠ୍ୟକ୍ରମ ଓ ପାଠ୍ୟ ବିଷୟବସ୍ତୁ ଚୟନ ଜୀବନ ଓ ଜୀବିକାର କଳାକୌଶଳ ନିର୍ଦ୍ଧାରଣରେ ବଡ଼ ଭୂମିକା ନିର୍ବାହ କରିଥାଏ।
ତେବେ ବିଷୟ ଚୟନରେ ଆଉ ଏକ ଅପାରଗତାର ପ୍ରାମାଣିକ ଓ ବାସ୍ତବ କାରଣଟି ଉଲ୍ଲେଖଯୋଗ୍ୟ ମନେକରୁଛି। ବର୍ତ୍ତମାନ ସାରା ରାଜ୍ୟରେ ଯୁକ୍ତ୨ ଓ ଡିଗ୍ରୀ କଲେଜଗୁଡ଼ିକରେ ନାମଲେଖା ଚାଲିଛି। ପିଲାମାନେ ଉଭୟ କଲେଜ ଓ ବିଷୟ ଚୟନରେ ଅନେକ ତ୍ରୁଟି କରି ତାହା ବଦଳେଇବା ପାଇଁ ଅନୁରୋଧ କରୁଛନ୍ତି, ଯାହାକି ଆମ ସ୍ତରରେ ସମ୍ଭବପର ନୁହେଁ। ସମସ୍ୟାଟି ହେଉଛି ଅନ୍‌ଲାଇନରେ ଦରଖାସ୍ତ ଦାଖଲ କରିବାକୁ ପଡୁଥିବାରୁ ବିଶେଷକରି ଗ୍ରାମାଞ୍ଚଳ ଓ ବନବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନେ ସାଇବର କାଫେ ବା ଇଣ୍ଟରନେଟ ସେବା କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ଫଳରେ କୌଣସି କାରଣରୁ ଫର୍ମ ପୂରଣ ବେଳେ ନିଜ ପସନ୍ଦର କଲେଜ ଓ ବିଷୟ ଚୟନରେ ଅନେକ ପିଲା ବିଫଳ ହେଉଛନ୍ତି। ନାମଲେଖା ବେଳେ ସେମାନେ ଯେତେବେଳେ ତାଙ୍କ ଅସନ୍ତୋଷ ବ୍ୟକ୍ତ କରି କଲେଜ ଓ ଅନର୍ସ ବିଷୟ ବଦଳେଇବାକୁ ଆଗ୍ରହ ପ୍ରକାଶ କରନ୍ତି,ତାହା କଲେଜ ସ୍ତରରେ ସମ୍ଭବପର ହୋଇପାରୁନାହିଁ। ସେତେବେଳେ କାହିଁକି ପସନ୍ଦର କଲେଜ ଓ ବିଷୟ ଚୟନ କଲ ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ସେମାନେ କହନ୍ତି କମ୍ପ୍ୟୁଟର ଭାଇନା ଭୁଲ କରିଦେଲେ, ଇତ୍ୟାଦି। ତେବେ ଏ କଥା ଜାଣି ରଖିବା ଉଚିତ କି ବିଷୟ ଚୟନ ଜଣେ ବିଦ୍ୟାର୍ଥୀର ଭାଗ୍ୟ ଓ ଭବିଷ୍ୟତ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ତେବେ ପାଠ୍ୟକ୍ରମ ଚୟନ କିପରି ହେବା ଆବଶ୍ୟକ? ପ୍ରଥମତଃ, ଚୟନ ବେଳେ ମାତାପିତା ଅତ୍ୟନ୍ତ ଭାବପ୍ରବଣ କିମ୍ବା ଓଭର କନ୍‌ଫିଡେନ୍ସ ନ ହୋଇ ପିଲାମାନଙ୍କର ଦକ୍ଷତା, ଆଗ୍ରହ ଓ ସେମାନଙ୍କର ବାଞ୍ଛିତ ଲକ୍ଷ୍ୟ ସମ୍ପର୍କରେ ଗଭୀର ଅନୁଶୀଳନ କରିବା ଉଚିତ। ଦ୍ବିତୀୟତଃ, ପାଠ୍ୟକ୍ରମ ଚୟନ ବେଳେ ନିଜ ପୁଅ ଝିଅମାନଙ୍କ ସହ ଆଲୋଚନା କରି ନିର୍ଦ୍ଧାରଣ କରିବା ଦରକାର। ଏହା ସହ ପାରିବାରିକ ଆର୍ଥିକ ପରିସ୍ଥିତିକୁ ଅତି ସମ୍ବେଦନଶୀଳ ଭାବେ ଆଲୋଚନାର ପ୍ରସଙ୍ଗ ହେବା ଉଚିତ। ତୃତୀୟରେ ଦରଖାସ୍ତ ଦାଖଲ ସମୟରେ ଉଭୟ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଫର୍ମଟିକୁ ଭଲ ଭାବରେ ପଢ଼ି ଓ ବୁଝି ଦାଖଲ କରିବାର ଆବଶ୍ୟକତା ରହିଛି। ଚତୁର୍ଥରେ, ଯଦି ବିଷୟ ଚୟନରେ ସମସ୍ୟା ଓ ଦ୍ୱନ୍ଦ୍ୱ ରହୁଛି ପେସାଦାର ପରାମର୍ଶଦାତା କିମ୍ବା ଠିକ୍‌ ମାର୍ଗଦର୍ଶନ ଦେଇ ପାରୁଥିବା ଅଧ୍ୟାପକ ଅଧ୍ୟାପିକାମାନଙ୍କର ସହାୟତା ନେଇପାରନ୍ତି। ପଞ୍ଚମରେ, ବିଷୟ ଚୟନ ବେଳେ ଭବିଷ୍ୟତରେ ସେଗୁଡ଼ିକ କର୍ମନିଯୁକ୍ତି କ୍ଷେତ୍ରରେ କେତେ ଉପଯୋଗୀ ହୋଇପାରିବ ସେ ବିଷୟରେ ଗଭୀର ଚିନ୍ତନ ଆବଶ୍ୟକ। ଶେଷରେ, ପାଠ୍ୟକ୍ରମ ମନୋନୟନ ଓ ବିଷୟ ନିର୍ବାଚନ ପଢ଼ିବାକୁ ଥିବା ବିଦ୍ୟାର୍ଥୀର ମାନସିକ ପ୍ରସ୍ତୁତି,ବୌଦ୍ଧିକ କ୍ଷମତା, ଅଭିରୁଚି, ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି, ଶୈଖିକ ବ୍ୟବସ୍ଥା, ଶିକ୍ଷଣ ପରିବେଶ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ପ୍ରତି ଧ୍ୟାନଦେବା ଜରୁରୀ ମନେହୁଏ।
ଆଶା ଶ୍ରଦ୍ଧେୟ ବିଦ୍ୟାର୍ଥୀ ପାଠ୍ୟକ୍ରମ ମନୋନୟନ କଲାବେଳେ ସତର୍କତା ଅବଲମ୍ବନ କରି ସଫଳ ଭବିଷ୍ୟତର କୁସୁମିତ ମାର୍ଗ ଚୟନରେ ସଫଳ ହେବେ।
ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁର, କୋରାପୁଟ, ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri