ଥୁଆମୂଳରାମପୁର, ୧୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ଯୁକ୍ତ ତିନି ମହାବିଦ୍ୟାଳୟରେ ଛାତ୍ର ସଂସଦ ଚୟନ ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ନ ହେବାରୁ ଶତାଧିକ ଛାତ୍ରୀଛାତ୍ର ଶୁକ୍ରବାର ଭବାନୀପାଟଣାସ୍ଥିତ ଜିଲାପାଳ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା, ଲିଙ୍ଗଡୋ କମିଟିର ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଏବଂ ଛାତ୍ରୀଛାତ୍ରଙ୍କ ମତଦାନ ଅଧିକାର କ୍ଷୁଣ୍ଣ ହୋଇଥିବା ଅଭିଯୋଗ କରି ସେମାନେ ଏହି ପଦକ୍ଷେପ ନେଇଛନ୍ତି।
ସଭାପତି ପ୍ରାର୍ଥୀ ଯଦୁମଣି ନାଏକ, ଗିରିଜା ବାଗ ଓ ଯଶକେତନ ନାଏକଙ୍କ ସମେତ ବହୁ ଛାତ୍ରଛାତ୍ରୀ ଜିଲାପାଳ ଓ ଉପଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଦର୍ଶାଯାଇଛି ଯେ, କଲେଜ କର୍ତ୍ତୃପକ୍ଷ ଓ ନିର୍ବାଚନ ଅଧିକାରୀ କୌଣସି ସ୍ପଷ୍ଟ ନିର୍ଦ୍ଦେଶାବଳୀ ସମ୍ପର୍କରେ ପୂର୍ବରୁ ଅବଗତ ନ କରାଇ ଏକପାଖିଆ ଭାବେ ଚୟନ ଫଳାଫଳ ଘୋଷଣା କରିଛନ୍ତି। ଏହାକୁ ବିରୋଧ କରି ଛାତ୍ରୀଛାତ୍ରମାନେ ପ୍ରଶାସନ ନିକଟରେ ନିମ୍ନଲିଖିତ ଦାବି ରଖିଛନ୍ତି।
୧. ଘୋଷିତ ଛାତ୍ର ସଂସଦ ଚୟନ ଫଳାଫଳକୁ ତୁରନ୍ତ ବାତିଲ କରାଯାଉ।
୨. ସମଗ୍ର ଚୟନ ପ୍ରକ୍ରିୟାର ନିରପେକ୍ଷ ତଦନ୍ତ କରାଯାଉ।
୩. ସମସ୍ତ ସରକାରୀ ନିୟମ ଓ ନିର୍ଦ୍ଦେଶାବଳୀ ପାଳନ କରି ସ୍ୱଚ୍ଛତାର ସହ ପୁନର୍ବାର ନିର୍ବାଚନ କରାଯାଉ।
୪. ଚୟନ ଫଳାଫଳର ଆଧାର ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ ଅଧ୍ୟକ୍ଷଙ୍କ ସହ ଏକ ବୈଠକ ଆୟୋଜନ କରାଯାଉ।
ଏହି ଅଭିଯୋଗପତ୍ରର ଏକ ନକଲ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ନିକଟକୁ ମଧ୍ୟ ପଠାଯାଇଛି।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୫ ତାରିଖରେ କଲେଜ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜରିଆରେ ଛାତ୍ର ସଂସଦ ଚୟନ ଫଳାଫଳ ପ୍ରକାଶ କରିଥିଲେ। ପ୍ରଥମେ ନିର୍ବାଚନ ହେବ ବୋଲି କହି ନାମାଙ୍କନପତ୍ର ଦାଖଲ କରାଇବା ପରେ ହଠାତ୍ ଚୟନ ପ୍ରକ୍ରିୟା ଆପଣାଇବାକୁ ନେଇ କ୍ୟାମ୍ପସରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଅଧ୍ୟକ୍ଷ ସର୍ବେଶ୍ୱର ଉଠାନ ସିଂହ ଦାୟିତ୍ୱରୁ ଓହରି ଚାଲିଯାଇଥିବା ଏବଂ କଲେଜରେ ସ୍ଥାୟୀ କୋଠା ଓ ଶୌଚାଳୟ ଭଳି ମୌଳିକ ସୁବିଧା ନଥିବା ସତ୍ତ୍ୱେ ରାଜନୈତିକ ଚାପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି।
କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ୱହୀନତାକୁ ବିରୋଧ କରି ଛାତ୍ରୀଛାତ୍ରମାନେ ଅପରାହ୍ନରେ ଧାରଣାରେ ବସିବା ସହ ଚପଲ ଦେଖାଇ ତୀବ୍ର ପ୍ରତିବାଦ କରିଥିଲେ ଏବଂ ନାରାବାଜି କରିଥିଲେ। ପରେ ଛାତ୍ର ସଂସଦର ଶପଥ ଗ୍ରହଣ ସମାରୋହକୁ ସମ୍ପୂର୍ଣ୍ଣ ବର୍ଜନ କରି ସେମାନେ ସିଧାସଳଖ ଜିଲାପାଳ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି।

