ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ପୁରୀ ଜିଲା ଗୋପ ବ୍ଲକ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ଦାୟୀ। ହେଲେ ତାଙ୍କୁ ମନ୍ତ୍ରିପଦରୁ ଏଯାବତ୍‌ ବହିଷ୍କାର କରାଯାଉନି କି ଗିରଫ କରାଯାଉନି। ତେଣୁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏସଆଇଟି ଏହି ଘଟଣାର ତଦନ୍ତ ଦାବିରେ ଶନିବାର ରାଜଧାନୀରେ ପୁଣି ଥରେ ଛାତ୍ର କଂଗ୍ରେସ ଗର୍ଜିଛି। ଏଥିସହ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ସଭାପତି ୟାସିର ନଓ୍ବାଜ କହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ଦାଶଙ୍କ ଗିରଫ ଦାବିରେ ନବୀନ ନିବାସ ଘେରାଉ କରିବା ପାଇଁ ୟାସିରଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର ଶତାଧିକ କର୍ମୀ ରାସ୍ତାକୁ ଓହ୍ଲାଇ ବିଭିନ୍ନ ସ୍ଲୋଗାନ ଦେବା ସହ ନାରାବାଜି ଦେଇଥିଲେ। ପ୍ରଥମେ ଛାତ୍ର କଂଗ୍ରେସ କର୍ମୀମାନେ ଶିଶୁଭବନ ଛକଠାରୁ ଏକ ରାଲିରେ ଫରେଷ୍ଟପାର୍କ ବାଟ ଦେଇ ନବୀନ ନିବାସମୁହାଁ ହେଉଥିବାବେଳେ ଫରେଷ୍ଟ ପାର୍କ ନିକଟରେ ସେମାନଙ୍କୁ ପୋଲିସ ଅଟକାଇଥିଲା। ଫଳରେ ଉଭୟ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ କିଛି କଂଗ୍ରେସ କର୍ମୀ ବ୍ୟାରିକେଡ୍‌ ଡେଇଁ ଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ ଟେକି ନେଇ ଯାଇଥିଲା। ଫଳରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଉକ୍ତ ସ୍ଥାନ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା। ଉତକ୍ଷିପ୍ତ ହୋଇ କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ଏନେଇ ଛାତ୍ର କଂଗ୍ରେସ ସଭାପତି ନୱାଜ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି। ଏହା ରାଜ୍ୟରେ ଘୋର ଅନ୍ୟାୟ। ଅନ୍ୟପଟେ ପୋଲିସ ଅଧାବାଟରୁ ଅଟକାଇବାରୁ ଛାତ୍ର କଂଗ୍ରେସ କର୍ମୀ ହଠାତ୍‌ ମୋଡ଼ ବଦଳାଇ ସ୍ଥାନୀୟ ଗାନ୍ଧୀମାର୍ଗସ୍ଥିତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କ୍ୱାର୍ଟର୍ସକୁ ଯିବାକୁ ବାହାରିଥିଲେ। ମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ରାଲିରେ ଯାଉଥିବାବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଣି ପୋଲିସ ରୋକିବାକୁ ଚେଷ୍ଟା କରିଥିଲା। ସେଠାରେ ମଧ୍ୟ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କିଛି କଂଗ୍ରେସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। କର୍ମୀମାନେ ମନ୍ତ୍ରୀଙ୍କ କ୍ୱାର୍ଟର୍ସ ଉପରେ ଅଣ୍ଡାମାଡ଼ କରିଥିଲେ। ସ୍ଥିତି ନିୟନ୍ତ୍ରଣ ନିମନ୍ତେ ଘଟଣାସ୍ଥଳରେ ଖୋଦ୍‌ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ୨ଜଣ ଏସିପି, ଜଣେ ଆଇଆଇସି ଏବଂ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ କିଛି କର୍ମୀ ମନ୍ତ୍ରୀଙ୍କ ବାସଭବନ ପରିସରକୁ ପଶିଯାଇଥିଲେ। ଅଧିକ ସଂଖ୍ୟାକ ପୋଲିସ ଫୋର୍ସ ମୁତୟନ ହେବାରୁ ୨୦ରୁ ଅଧିକ ଛାତ୍ର କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିବା ପରେ ଛାଡି ଦେଇଥିବା ଜଣାପଡ଼ିଛି। ବିକ୍ଷୋଭକାରୀଙ୍କ ଆକ୍ରମଣରେ ପୋଲିସ ଭ୍ୟାନ୍‌ କାଚ ଭାଙ୍ଗିଥିଲେ ସୁଦ୍ଧା ଏନେଇ କୌଣସି ମାମଲା ରୁଜୁ ହୋଇ ନ ଥିବା କୁହାଯାଉଛି। ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରଜତ ଚୌଧୁରୀ, ଶିବାନନ୍ଦ ରାୟ, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମନୋଜ ଜେନା, ମନୋଜ ବିଶ୍ୱାଳ, କିରଣ ସାହୁ, ନୀହାର ବେହେରା, ରଣଜିତ ପାତ୍ର, ଅଜୟ ସାହୁ, ଆଲୋକ ଲେଙ୍କା, ସୁଶ୍ରୀ ଶାନ୍ତିଲତା, ଅଖିଳେଶ ଯାଦବ, ରାଜଲକ୍ଷ୍ମୀ ସାହୁ, ଜଗଦୀଶ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାନୁସାରେ, ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ଟେଲିଫୋନ ଯୋଗେ ତାଙ୍କ ମୃତ୍ୟୁ ପାଇଁ ୭ଜଣଙ୍କ ନାମ କହିଥିବାବେଳେ ଏଥିରେ ଗଣଶିକ୍ଷା ମନ୍ତ୍ରୀଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ। ଏହାସହ ତାଙ୍କ ୨ଟି ମୋବାଇଲ ଫୋନ୍‌ରେ ସବୁ ପ୍ରମାଣ ରହିଛି। ତେଣୁ ଏହାକୁ ଲୋକଲୋଚନକୁ ଆଣିବାକୁ ସେ ତାଙ୍କ ସାଙ୍ଗଙ୍କୁ ଫୋନରେ କହିଥିଲେ। ହେଲେ ପୋଲିସ ହାତରେ ମୋବାଇଲ ଥିବାରୁ ପ୍ରମାଣ ନଷ୍ଟ ପାଇଁ ଚକ୍ରାନ୍ତ ଚାଲିଛି। ତେଣୁ ଏହାର ନିରପେକ୍ଷ ତଦନ୍ତ ପାଇଁ ପୂର୍ବରୁ ଛାତ୍ର କଂଗ୍ରେସ ଦାବି କରିବା ସହ ଆନ୍ଦୋଳନ ଦେବା ଚେତାବନୀ ଦେଇଥିଲା। ହେଲେ ଘଟଣାକୁଅଧିକ ସମୟ ବିତିଯାଇଥିଲେ ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଶନିବାର ଛାତ୍ର କଂଗ୍ରେସ ପକ୍ଷରୁ ଏହାକୁ ପ୍ରବଳ ମାତ୍ରାରେ ବିରୋଧ କରାଯାଇଥିଲା। ଯଦି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦାବି ନ ମାନିବେ, ତେବେ ଆଗକୁ ସମସ୍ତ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri