ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ବୈଠକ କରି ସରକାରୀ କର୍ମଚାରୀଙ୍କ ଦାବି ଓ ମତାମତ ସମ୍ପର୍କରେ ଆଲୋଚନା କରୁଛି। ଏହି ମଧ୍ୟରେ ଦେଶର ଏକ ରାଜ୍ୟ କେନ୍ଦ୍ରୀୟ ଅଷ୍ଟମ ବେତନ ଆୟୋଗର ରିପୋର୍ଟ ଆସିବା ପୂର୍ବରୁ ହିଁ ନିଜ ରାଜ୍ୟରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଛି। ଏହି ରାଜ୍ୟ ହେଉଛି ଆସାମ। ଏହାଦ୍ୱାରା ରାଜ୍ୟର ସରକାରୀ କର୍ମଚାରୀଙ୍କ ଦରମା ଅଷ୍ଟମ ବେତନ ଢାଞ୍ଚା ଅନୁଯାୟୀ ବୃଦ୍ଧି ପାଇବାର ଆଶା ସୃଷ୍ଟି ହୋଇଛି।
ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ଘୋଷଣା କରିଛନ୍ତି। କେନ୍ଦ୍ରୀୟ ଅଷ୍ଟମ ବେତନ ଆୟୋଗର ରିପୋର୍ଟ ଆସିବା ପୂର୍ବରୁ ନିଜ ରାଜ୍ୟର କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗକୁ ମଞ୍ଜୁରି ଦେଇଥିବା ଆସାମ ଦେଶର ପ୍ରଥମ ରାଜ୍ୟ ବୋଲି ଦାବି କରାଯାଇଛି।
ପ୍ରକୃତରେ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜର ଅଧିକାରିକ X ଆକାଉଣ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ୧୧ ତାରିଖରେ ଗୁଆହାଟୀରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମର ଭିଡିଓ ସେ ଶେୟାର କରିଛନ୍ତି। ଏହି ଭିଡିଓ ସହ କ୍ୟାପ୍ସନରେ ସେ ଲେଖିଛନ୍ତି, ଅଷ୍ଟମ ରାଜ୍ୟ ବେତନ ଆୟୋଗ ଗଠନ କରିବାରେ ଆସାମ ଦେଶର ପ୍ରଥମ ରାଜ୍ୟ ହେବ। କର୍ମଚାରୀଙ୍କ କଲ୍ୟାଣ ଏବଂ ପ୍ରଗତିଶୀଳ ଶାସନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଶେୟାର କରାଯାଇଥିବା ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟର ଅଷ୍ଟମ ବେତନ ଆୟୋଗ ନିଜର କାର୍ଯ୍ୟ ଆରମ୍ଭ କରିଦେଇଛି। ଆୟୋଗ ସରକାରଙ୍କୁ ନିଜର ରିପୋର୍ଟ ପ୍ରଦାନ କରିବ। ଏହା ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ଦରମାରେ ପରିବର୍ତ୍ତନ କରାଯିବ।
ଆସାମ ସରକାର ଚଳିତ ବର୍ଷ ଜାନୁଆରୀରେ ନିଜର ଅଷ୍ଟମ ରାଜ୍ୟ ବେତନ ଆୟୋଗ ଗଠନ କରିଥିଲେ। ଏହା ସହିତ ଆସାମ ଏପରି ପଦକ୍ଷେପ ନେବାରେ ଦେଶର ପ୍ରଥମ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ରିପୋର୍ଟରେ ଦାବି କରାଯାଇଛି।
ଆସାମ ସରକାର ରାଜ୍ୟର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁଭାଷ ଦାସଙ୍କୁ ଏହି ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

