ବୁଲା କୁକୁର

ଭୁବନେଶ୍ୱରରେ ୩ ଏପ୍ରିଲରେ ବିଷ ଦିଆଯାଇ ୬ ବୁଲା କୁକୁରଙ୍କୁ ମାରି ଦିଆଯାଇଥିବା ଖବର ପ୍ରଚାରିତ ହେବା ପରେ ପ୍ରାଣୀପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି। ଏଗୁଡ଼ିକ ମଧ୍ୟରେ ୩ ଛୁଆ କୁକୁର ଥିବା ବେଳେ ୩ ମା’ କୁକୁର ଅଛନ୍ତି। କିଏ ଏଭଳି ଅମାନୁଷିକ କାଣ୍ଡ ଘଟାଇଲେ ସେହି ବିଷୟରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅନ୍ୟପକ୍ଷରେ କୁକୁରମାନଙ୍କ ଉପଦ୍ରବ ଯୋଗୁ ମଣିଷ ବିଶେଷକରି ଶିଶୁମାନଙ୍କ ଜୀବନ ଯାଉଥିବା ଖବର ବାରମ୍ବାର ଶୁଣିବାକୁ ମିଳୁଛି। ଚଳିତବର୍ଷ ଭାରତରେ ୪ ଜଣ ଶିଶୁ କୁକୁର କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀରେ ୭ ବର୍ଷୀୟ ଓ ୫ ବର୍ଷୀୟ ଦୁଇ ସମ୍ପର୍କୀୟ ଶିଶୁ, ଗୁଜରାଟର ସୁରଟରେ ୨ ବର୍ଷୀୟ ଶିଶୁ ଏବଂ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ୪ ବର୍ଷର ପିଲାକୁ କୁକୁର କାମୁଡ଼ି ମାରିଦେଇଛନ୍ତି। ହାଇଦ୍ରାବାଦର ଶିଶୁକୁ କୁକୁର ଝୁଣି ମାରିଦେବାର ଭିଡିଓ ଫୁଟେଜ ସୋସିଆଲ ମିଡିଆରେ ଦେଖିବାକୁ ମିଳିବା ପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେଠାକାର ଲୋକେ କୁକୁରକୁ ଖାଇବାକୁ ନ ଦେବା ଲାଗି ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଥିବା ବେଳେ କୁକୁରପ୍ରେମୀଙ୍କୁ ଦମନ କରିବା ଲାଗି ବାଉନ୍‌ସର ନିୟୋଜିତ କରିଥିବା ଖବର ଶୁଣିବାକୁ ମିଳିଥିଲା।
୨୦୧୯ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତରେ ଦେଢ଼ କୋଟି ବୁଲା କୁକୁର ଥିବା ଜଣାପଡ଼ିଥିଲା। ତେବେ ୨୦୧୯ରୁ ୨୦୨୨ ମଧ୍ୟରେ ଦେଢ଼ କୋଟି କୁକୁର କାମୁଡ଼ା ଘଟଣା ମଧ୍ୟ ପଦାକୁ ଆସିଥିଲା। ୨୦୧୯ ଲାଇଭ୍‌ଷ୍ଟକ ସେନ୍‌ସସ୍‌ ଅନୁଯାୟୀ ରାଜ୍ୟଓ୍ବାରି ବୁଲା କୁକୁରଙ୍କ ସଂଖ୍ୟା ଦେଖିଲେ ଉତ୍ତର ପ୍ରଦେଶରେ ୨୦ ଲକ୍ଷ ଥିବାବେଳେ ତା’ ପଛକୁ ଓଡ଼ିଶାରେ ୧୭ ଲକ୍ଷ ଥିଲେ। ଇତିମଧ୍ୟରେ ସେହି ସଂଖ୍ୟା ଅନେକ ବଢ଼ିଯାଇଥିବ। କୁକୁରଙ୍କ ଦ୍ୱାରା ମଣିଷ ଖଣ୍ଡିଆଖାବରା ଓ ସ୍ଥଳବିଶେଷରେ ମୃତ୍ୟୁମୁଖରେ ପଡ଼ୁଛି। ଅନ୍ୟପକ୍ଷରେ ମଣିଷ ପ୍ରତିକ୍ରିୟାଶୀଳ ହୋଇ ଅସଂଖ୍ୟ କୁକୁରଙ୍କୁ ମାରିଦେଉଥିବା ଖବର ପ୍ରକାଶ ପାଉଛି। ଉଦାହରଣ ସ୍ବରୂପ, ୨୦୨୧ ଅଗଷ୍ଟରେ ଆନ୍ଧ୍ରପ୍ରଦେଶର ଓ୍ବେଷ୍ଟ ଗୋଦାବରୀ ଜିଲାର ଲିଙ୍ଗାପାଲେମ୍‌ ଗ୍ରାମରେ ଲୋକେ ୩୦୦ କୁକୁରଙ୍କୁ ବିଷ ଦେଇ ମାରିଦେବା ପରେ ଗାତରେ ପୋତି ଦେଇଥିଲେ। ସେହିପରି ମାର୍ଚ୍ଚ ୨୦୨୨ରେ ତେଲଙ୍ଗାନାର ସିଦ୍ଧିପେଟ୍‌ ଜିଲାରେ ୧୦୦ କୁକୁରଙ୍କୁ ବିଷ ଦେଇ ମାରିଦିଆଯାଇଥିବା ଖବର ପ୍ରକାଶ ପାଇଥିଲା।
ସାଧାରଣରେ ମଣିଷ ଓ ବଣୁଆ ଜନ୍ତୁ ସଂଘର୍ଷ ବିଷୟରେ ବେଶି ଆଲୋଚନା ହେଉଛି। ହାତୀ-ମଣିଷ ଲଢ଼େଇ ଦେଶର ବହୁ ପ୍ରାନ୍ତରେ ଦେଖିବାକୁ ମିଳୁଛି। ହେଲେ ବିଗତ କିଛି ବର୍ଷ ହେବ ବୁଲା କୁକୁର-ମଣିଷ ମଧ୍ୟରେ ସଂଘର୍ଷ ତୀବ୍ର ହେଉଛି। ପୋଷା କୁକୁରକୁ ଅତି ଯତ୍ନର ସହକାରେ ବଢ଼ାଯାଉଥିବାରୁ ସେମାନେ ବେଶି ହିଂସ୍ର ହେଉନାହାନ୍ତି। ଯଦି ମାଲିକର ନିର୍ଦ୍ଦେଶ ଯାଏ, ତାହା ହେଲେ ସ୍ଥିତି ଅଲଗା ଆଡ଼କୁ ଯାଉଛି। କିନ୍ତୁ ବୁଲା କୁକୁରଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେମାନଙ୍କୁ ଆବଶ୍ୟକ ଖାଦ୍ୟ ମିଳୁ ନ ଥିବାରୁ ଭୋକିଲା ବୁଲୁଛନ୍ତି। ଏଥିସହିତ ପୂର୍ବାପେକ୍ଷା କୁକୁର ପ୍ରତି ଅନେକ ଲୋକ ଦୂର୍‌ଦୂର୍‌ ମାର୍‌ମାର୍‌ କଲା ଭଳି ବ୍ୟବହାର ପ୍ରଦର୍ଶନ କରୁଥିବାରୁ ସେମାନେ କାମୁଡ଼ି ଗୋଡ଼ାଉଛନ୍ତି। ଯଦି ଇତିହାସ ଦେଖାଯାଏ, ମଣିଷ ଓ କୁକୁର ପ୍ରାୟ ୨୫ ହଜାର ବର୍ଷ ତଳେ ସହାବସ୍ଥାନ କରୁଥିଲେ। ମଣିଷକୁ କୁକୁର ସୁରକ୍ଷା ଯୋଗାଇଥାଏ ଓ ଉଭୟଙ୍କ ମଧ୍ୟରେ ଏକ ଆବେଗିକ ବନ୍ଧନ ରହିଆସିଛି। ସେମାନେ ଅନୁଗତ ଓ ଅତ୍ୟନ୍ତ ବୁଦ୍ଧିଆ। ସମ୍ଭବତଃ ସେଥିପାଇଁ ପୋଲିସ, ଗୋଇନ୍ଦାଠାରୁ ଆରମ୍ଭକରି ସେନା ଯାଏ କୁକୁରଙ୍କ ଉପସ୍ଥିତି ରହିଆସିଛି। କିନ୍ତୁ ଏବେ ଦିନକୁଦିନ ବୁଲା କୁକୁରଙ୍କ ପ୍ରତି ମଣିଷ ଅସହିଷ୍ଣୁ ହୋଇପଡ଼ୁଥିବାରୁ ଅସ୍ବାଭାବିକ ସ୍ଥିତି ଉପୁଜୁଛି। କେବଳ କୁକୁର ନୁହେଁ, ଘରକୁ ଘର ବୁଲୁଥିବା ବିରାଡ଼ି ପ୍ରତି ଅନେକ ସ୍ଥାନରେ ମଣିଷର ଅମାନୁଷିକଭାବ ପ୍ରଦର୍ଶିତ ହେଉଥିବା ଦେଖିବାକୁ ମିଳୁଛି।
ଏବେ ବିତର୍କ ହେଲାଣି ଯାହାଙ୍କୁ ବୁଲା କୁକୁର ଗୋଡ଼ାଉଛି ବା କାମୁଡ଼ୁଛି ତାଙ୍କର କଦାପି ଏହି ପ୍ରାଣୀ ପ୍ରତି ସହାନୁଭୂତି ରହିବ ନାହିଁ। ଅନ୍ୟପକ୍ଷରେ କୁକୁରପ୍ରେମୀ ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ଲାଗି ମାମଲା ମଧ୍ୟ ରୁଜୁ କରୁଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏ ସମ୍ବନ୍ଧୀୟ ମାମଲାରେ ରାୟ ଦେଇ ଗତ ବର୍ଷ କହିଥିଲେ, ବୁଲା କୁକୁରଙ୍କୁ ଖାଦ୍ୟ ଦେବା ମାନବୀୟ ଦିଗରୁ ଯେତିକି ମହତ୍ତ୍ୱପୂର୍ଣ୍ଣ ସେମାନଙ୍କ ଆକ୍ରମଣରୁ ମଣିଷକୁ ସୁରକ୍ଷା ଦେବା ସେତିକି ଗୁରୁତ୍ୱପୂର୍ଣ୍ଣ। ଏଥିରୁ ବୁଝାପଡ଼ୁଛି ଯେ ସର୍ବୋଚ୍ଚ ନ୍ୟାୟାଳୟ ବୁଲା କୁକୁର-ମଣିଷର ସଂଘର୍ଷକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି। ତେଣୁ ମୂକ ପ୍ରାଣୀର ହିଂସ୍ରତା କମାଇବାକୁ ହେଲେ ମଣିଷକୁ ତା’ର ବ୍ୟବହାର ବଦଳାଇବାକୁ ପଡ଼ିବ। ଏଥିସହିତ ଏ ଦିଗରେ ପ୍ରଶାସନିକ ପଦକ୍ଷେପର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ପ୍ରାଣୀ ଜନ୍ମ ନିୟନ୍ତ୍ରଣ (କୁକୁର) ନିୟମ, ୨୦୦୧ରେ ବୁଲା କୁକୁରଙ୍କ ସଂଖ୍ୟା କମାଇବା ସକାଶେ ବନ୍ଧ୍ୟାକରଣ ଓ ଟିକାକରଣ ବ୍ୟବସ୍ଥା ରହିଥିଲେ ମଧ୍ୟ ତାହାର କାର୍ଯ୍ୟକାରିତା ନେଇ ସେଭଳି ତତ୍ପରତା ପ୍ରକାଶ ପାଉ ନ ଥିବା ଦେଖିବାକୁ ମିଳୁଛି। କୁକୁର ବନ୍ଧ୍ୟାକରଣ ଓ ଟିକାକରଣ ଯୋଜନା ରାଜଧାନୀ ଭୁବନେଶ୍ୱର ଭଳି ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା କାଁଭାଁ କାହା ନଜରରେ ପଡ଼ୁଥାଇପାରେ। ଏହା ଏକ ସମୂହ ଅଭିଯାନରେ ପରିଣତ ହୋଇ ନିୟମିତ ଚାଲିଲେ ବୁଲା କୁକୁରଙ୍କ ସଂଖ୍ୟା ହୁଏତ ହ୍ରାସ ପାଇପାରନ୍ତା। ଏମାନଙ୍କ ସଂଖ୍ୟା କମିଗଲେ ଆପେକ୍ଷାକୃତ ଭାବେ ସେମାନେ ଅଧିକ ଖାଇବାକୁ ପାଇପାରନ୍ତେ। ଫଳରେ ଖାଦ୍ୟାଭାବଜନିତ କାରଣରୁ ବଢ଼ୁଥିବା ସେମାନଙ୍କ ହିଂସ୍ର ସ୍ବଭାବ କମିବାରେ ସହାୟକ ହୋଇପାରନ୍ତା। ଅପରପକ୍ଷରେ ବୁଲା କୁକୁରଙ୍କ ପ୍ରତି ମଣିଷର ଆଚରଣରେ ପରିବର୍ତ୍ତନ ଘଟିଲେ କଥିତ ସଂଘର୍ଷକୁ ସମ୍ଭବତଃ ଆୟତ୍ତ କରିବା ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?