Posted inଫୁରସତ

କଳ୍ପନାର କୁଶଳୀ କାରିଗର: ହରିହର

ଓଡ଼ିଆ କବିତାର ନବନିର୍ମାଣରେ ସମକାଳୀନ ଭାବବୋଧକୁ ଅନୁପ୍ରାଣିତ କରୁଥିବା ଏକ ଶକ୍ତିଶାଳୀ କାବ୍ୟପୁରୁଷ ସେ । କବି, ନାଟ୍ୟକାର, ଔପନ୍ୟାସିକ, କଥାକାର, ଆଲୋଚକ, ଗୀତିକାର, ମଞ୍ଚ ଓ ବେତାର ଅଭିନେତା, ସମ୍ପାଦକ ପରି ଅନେକ ପରିଚୟରେ ପରିଚିତ ହରିହର ମିଶ୍ର…

ଓଡ଼ିଆ କବିତାର ନବନିର୍ମାଣରେ ସମକାଳୀନ ଭାବବୋଧକୁ ଅନୁପ୍ରାଣିତ କରୁଥିବା ଏକ ଶକ୍ତିଶାଳୀ କାବ୍ୟପୁରୁଷ ସେ । କାବ୍ୟଭଙ୍ଗୀରେ ସ୍ବଚ୍ଛନ୍ଦତା, ବିମ୍ବ ନିର୍ମାଣରେ ଅଲୌକିକତା, ବ୍ୟକ୍ତି ଚେତନାକୁ ସାର୍ବଜନୀନ ଚେତନାରେ ରୂପାନ୍ତରିତ କରିବାରେ ଦାର୍ଶନିକତା, କାବି୍ୟକ ଚିତ୍ରମୟତା ତାଙ୍କ ସର୍ଜନାର ବିଶେଷ ଗୁଣ । ଜଣେ ପୂର୍ଣାଙ୍ଗ ସାହିତ୍ୟ ସ୍ରଷ୍ଟା ସେ । କବି, ନାଟ୍ୟକାର, ଔପନ୍ୟାସିକ, କଥାକାର, ଆଲୋଚକ, ଗୀତିକାର, ମଞ୍ଚ ଓ ବେତାର ଅଭିନେତା, ସମ୍ପାଦକ ପରି ଅନେକ ପରିଚୟ ତାଙ୍କର । ବେଳେ ବେଳେ ତ ବିଶ୍ୱାସ ହୁଏନା ନିନ୍ଦିତ ଗଜପତିର ନାଟ୍ୟକାର, ଶଙ୍ଖନାଭିର କବି, ମୂକ ଡାହୁକର ଗାଳ୍ପିକ, ନୀଳ ହ୍ରଦର ରକ୍ତ କମଳର ଔପନ୍ୟାସିକ, ଢାଳି ଦିଅ ସାରା ଧରଣୀରେ ଆଜିର ସୁପ୍ରସିଦ୍ଧ ଗୀତିକାର ‘ଜଣେ’ ବୋଲି । ଆଉ ସେ ଜଣକ ହେଉଛନ୍ତି ଓଡ଼ିଆ କାବ୍ୟ ସାହିତ୍ୟର ଅନ୍ୟତମ ପ୍ରମୁଖ ନିର୍ମାତା ହରିହର ମିଶ୍ର।

ନଭେମ୍ବର ୧୯୪୦ରେ ମାର୍କଣ୍ଡେଶ୍ୱରସାହି ପୁରୀରେ ଜନ୍ମିତ ହରିହରଙ୍କ ପିତା ହେଉଛନ୍ତି ମଣିରାମ ମିଶ୍ର ଓରଫ ଚିନ୍ତାମଣି ମିଶ୍ର । ମାତାଙ୍କ ନଁା ସେବତୀ ଦେବୀ । ଓଡ଼ିଆ ଭାଷାସାହିତ୍ୟରେ ସ୍ନାତକୋତ୍ତର ହାସଲ କରିଥିବା ହରିହର ଅଧ୍ୟାପନା ଓ ଅଧ୍ୟକ୍ଷତା କ୍ଷେତ୍ରରେ କେବଳ ନିଜ କାର୍ଯ୍ୟଦକ୍ଷତା ପ୍ରତିପାଦନ କରି ନ ଥିଲେ ଅଧିକନ୍ତୁ ସାହିତ୍ୟ କ୍ଷେତ୍ରରେ ସକ୍ରିୟ ଥିଲେ ଏକାଦିକ୍ରମେ କବିତା, ଏକାଙ୍କିକା, ନାଟକ, ଗଳ୍ପ, ଉପନ୍ୟାସ, ସମାଲୋଚନା ଆଦି ରଚନା କରି । ସେ ‘ସମାବେଶ’ର ସମ୍ପାଦକ ହୁଅନ୍ତୁ କି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର ଥିଲେ ବହୁମୁଖୀ ।

ମଧୁଲିତା, ହଂସଧ୍ୱନି, ମଝିଦରିଆଠାରୁ ଆରମ୍ଭ କରି ଏବେ ନୁହେଁ ତ କେବେ ନୁହେଁ ପରି ନଅଗୋଟି ଉଚ୍ଚକୋଟୀର ନାଟକ ଲେଖି ଓଡ଼ିଆ ନାଟକ ସାହିତ୍ୟକୁ ସମୃଦ୍ଧ କରିଛି ତାଙ୍କ ଲେଖନୀ । ଶଙ୍ଖନାଭି, ଚନ୍ଦ୍ରବିମ୍ବ, ଚାହାଣି ମଣ୍ଡପ, ଅଣଅକ୍ଷର, ଦର୍ପଣଶିଳା, ସନ୍ଧ୍ୟାଦର୍ଶନ, ଅନେକ ଆଶ୍ଚର୍ଯ୍ୟ, ନେତ୍ରୋତ୍ସବ, ପାହାଡ଼ର ଡେଣାଠାରୁ ଇନ୍ଦ୍ରାଣୀ, ଭୁଜବର୍ଣ୍ଣ, ଅକିଞ୍ଚନ ଭଳି ଛବିଶ ଖଣ୍ଡ କବିତା ସଙ୍କଳନ, ବୃଷଭର ଏକପାଦ, ମୂକ ଡାହୁକ, ଇଚ୍ଛାର ସାମ୍ରାଜ୍ୟ, କଥା ପଞ୍ଚବିଂଶତି ପରି ଚାରିଖଣ୍ଡ ଗଳ୍ପ ସଙ୍କଳନ, ବନ ବିହଙ୍ଗୀ, ନୀଳହ୍ରଦର ରକ୍ତ କମଳ ପରି ଦୁଇଗୋଟି ଉପନ୍ୟାସ,ସ୍ବର ସାଧକ, ଗ୍ରନ୍ଥବିଳାସ ପରି ସମାଲୋଚନା ସାହିତ୍ୟ, ଜହ୍ନ ସବୁ କଥା ଜାଣେ, ବେଳାଭୂମି, ନୀଳ ଉପତ୍ୟକା, ମଙ୍ଗଳ ଆଳତି ଭଳି ଏକାଧିକ ସଙ୍ଗୀତ ସିଡୀରେ ସେ ଦେଇ ସାରିଛନ୍ତି ତାଙ୍କ ଗୀତିକାର ହୃଦୟର ଅଭୁଲା ସ୍ବାକ୍ଷର । ସାରଙ୍ଗଧର ରାୟଗୁରୁ, ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ପରେଶ ଦାଶ, ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଭଳି ପ୍ରଖ୍ୟାତ ମଣିଷ ତାଙ୍କ ଲେଖାକୁ ଇଂଲିଶରେ ଅନୁବାଦ କରି ତାଙ୍କ ସର୍ଜନା ପାଇଁ ଆନ୍ତର୍ଜାତିକ ପ୍ରସିଦ୍ଧି ଆଣିଛନ୍ତି । ଅନ୍ନପୂର୍ଣ୍ଣାଠାରୁ ଆରମ୍ଭ କରି ସାରା ଓଡ଼ିଶାର ପ୍ରସିଦ୍ଧ ରଙ୍ଗମଞ୍ଚଗୁଡ଼ିକରେ ତାଙ୍କର ଅନେକ ନାଟକ ମଞ୍ଚସ୍ଥ ହୋଇ ଦର୍ଶକଙ୍କ ହୃଦୟରେ ଘର କରି ରହିଯାଇଛି ।

ସେହିପରି ଗୋଟିଏ ଗୁଳି ବାଜି, ଧଳାଟୋପି କଳା ରୁମାଲ ଭଳି ନାଟକ ଯନ୍ତ୍ରସ୍ଥ ହୋଇରହିଛି । ତାଙ୍କର କବିତା ପାଠକ ତଥା ସମାଲୋଚକଙ୍କଠାରୁ ଯେତିକି ଶ୍ରଦ୍ଧା ଓ ସମ୍ମାନ ପାଇଛି, ତାଙ୍କ ରଚିତ ଗୀତ ବାଣିଜୟୀ ରାମ, ଚିତ୍ତରଞ୍ଜନ ଜେନା, ମହାପ୍ରସାଦ କରଙ୍କଠାରୁ ଅଶୋକ ମହାନ୍ତି, ଅଞ୍ଜଳି ମିଶ୍ର ଓ ଶ୍ରେୟସୀ ଦାସଙ୍କ କଣ୍ଠରେ ଗାନ କରାଯାଇ ସେତିକି ଲୋକପ୍ରିୟତା ଅର୍ଜନ କରିଛି ।

ମିଶ୍ର ନିଜେ ଜଣେ ଭଲ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ । ଅନାମ କାବ୍ୟ ଆନ୍ଦୋଳନ ସହ ତାଙ୍କର ସମ୍ପର୍କ ଓଡ଼ିଆ କବିତା କ୍ଷେତ୍ରରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । ବିଖ୍ୟାତ ସମାଲୋଚକ ସୁରେନ୍ଦ୍ର ମହାନ୍ତି ତାଙ୍କ କାବ୍ୟ ଦକ୍ଷତାକୁ ନେଇ ଗଭୀର ଆସ୍ଥା ପ୍ରକଟ କରିଥିଲେ ।

ହରିହର ମିଶ୍ରଙ୍କ ନାଟକଗୁଡ଼ିକରେ ଇତିହାସ ଓ ସାମାଜିକ ବାସ୍ତବତା ଉଭୟର ସମନ୍ବୟ ଦେଖିବାକୁ ମିଳେ । ଉଭୟ ଆଙ୍ଗିକ ଓ ଆତ୍ମିକ ଦିଗରୁ ଯଥେଷ୍ଟ ଶକ୍ତିଶାଳୀ ତାଙ୍କର ଗଳ୍ପସମୂହ । ପୁରୀ ସଂସ୍କୃତିର ପ୍ରତିଫଳନ ତାଙ୍କ ସାହିତ୍ୟକୁ ଏକ ବିଶେଷ ଆୟତନ ଦିଏ । ସାହିତ୍ୟ ସୃଷ୍ଟି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ଏକାଡେମୀ, ତିନି ତିନିଥର ଝଙ୍କାର ବିଷୁବ ସମ୍ମାନ, ସାରଳା ପୁରସ୍କାର, କାନ୍ତକବି ଲକ୍ଷ୍ମୀକାନ୍ତ ସମ୍ମାନ, ପଣ୍ଡିତ ଗୋଦାବରୀଶ ସମ୍ମାନ, ଗଙ୍ଗାଧର ମେହେର ସମ୍ମାନ, ସଚ୍ଚି ରାଉତରାୟ ସମ୍ମାନ, ବ୍ରଜନାଥ ବଡ଼ଜେନା ସମ୍ମାନ, ଅତିବଡ଼ୀ ସମ୍ମାନ, ଟାଇମ୍‌ସ ଅଫ୍‌ ଇଣ୍ଡିଆ ସମ୍ମାନ, ଧରିତ୍ରୀ ସମ୍ମାନ, ଭାନୁଜୀ ରାଓ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, ଭଳି ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । ତାଙ୍କ ସର୍ଜନାର ନିଷ୍ଠାପର ଆକଳନର ଆବଶ୍ୟକତା ରହିଛି ।
-ମାନମୟୀ ରଥ, ସେଣ୍ଟ ଜାଭିୟର୍ସ କିଡ୍ସ,
ବାଲିପୁଟ, ପୁରୀ ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?