ପରିସଂଖ୍ୟାନ ଗୁରୁ

ପରିସଂଖ୍ୟାନ ପାଠ ପଢ଼ିଥିବା ୪ ଜଣ ବନ୍ଧୁ ଏକ ନଦୀ କୂଳରେ ପହଞ୍ଚତ୍ ତାହାକୁ ଅତିକ୍ରମ କରିବାକୁ ଚାହିଁଲେ। ନଦୀର ଗଭୀରତା ମାପିବାକୁ ଯାଇ ଦେଖିଲେ ଯେ ୫ ଫୁଟ ୪ ଇଞ୍ଚ ଜଳ ରହିଛି। ବନ୍ଧୁମାନଙ୍କ ଉଚ୍ଚତା ଯଥାକ୍ରମେ ୬ ଫୁଟ ୨ ଇଞ୍ଚ, ୬ ଫୁଟ, ୫ ଫୁଟ ୮ ଇଞ୍ଚ ଏବଂ ୫ ଫୁଟ ୩ ଇଞ୍ଚ। ହାରାହାରି ଉଚ୍ଚତା ବାହାର କଲା ବେଳକୁ ଏହା ରହିଲା ୫ ଫୁଟ ୭ ଇଞ୍ଚରୁ ସାମାନ୍ୟ ଅଧିକ। ଜଳର ଗଭୀରତା ୫ ଫୁଟ ୪ ଇଞ୍ଚ ଥିବାରୁ ସମସ୍ତେ ଅତିକ୍ରମ କରିଯାଇପାରିବେ ବୋଲି ହିସାବ କରି ନଦୀ ଭିତରକୁ ପଶିଲେ। ହେଲେ ୫ ଫୁଟ ୩ ଇଞ୍ଚ୍‌ର ବନ୍ଧୁ ବୁଡ଼ିଗଲେ। ତତ୍‌କ୍ଷଣାତ୍‌ ବନ୍ଧୁମାନେ କୂଳକୁ ଫେରି ଆସି ବୁଡ଼ିବାର କାରଣ ଖୋଜିଲେ ଓ ପରେ ବୁଝିଗଲେ ପରିସଂଖ୍ୟାନ ସବୁ କ୍ଷେତ୍ରରେ ବାସ୍ତବ ଫଳ ଦେଇ ନ ଥାଏ। ତେଣୁ ପରିସ୍ଥିତି, ପରିବେଶ ଓ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ବିଚାର କଲାବେଳେ ଏଥିପ୍ରତି ଗଭୀର ଅନୁଶୀଳନ ଦରକାର। ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିସଂଖ୍ୟାନ ୯୯ ପ୍ରତିଶତରୁ ଅଧିକ ପରିଶୁଦ୍ଧ ଫଳ ଦେଉଥିବାରୁ ତାହାର ଉପସ୍ଥିତି ସବୁଆଡ଼େ ଲୋଡ଼ା ପଡ଼ୁଛି। ସେଥିପାଇଁ ଗଣିତ ସମେତ ଅର୍ଥନୀତିଠାରୁ ଆରମ୍ଭ କରି ନୃତତ୍ତ୍ୱ, ଭୂତତ୍ତ୍ୱ, ଜାତୀୟ ଯୋଜନା, ଜନସଂଖ୍ୟା ତତ୍ତ୍ୱ, ଭେଷଜ କ୍ଷେତ୍ରଯାଏ ଏହାର ବହୁଳ ଆଦୃତି ରହିଛି। ଏବେ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ଯେ, ଭାରତୀୟ-ଆମେରିକୀୟ ପରିସଂଖ୍ୟାନବିତ୍‌ ତଥା ଗଣିତଜ୍ଞ ସି.ଆର୍‌. ରାଓ ତାଙ୍କ ଦୀର୍ଘବର୍ଷର ଗବେଷଣା ଓ ତାହାକୁ ପ୍ରୟୋଗ କରି ଜୀବନବ୍ୟାପୀ ଯେଉଁସବୁ ଜନହିତକର ତତ୍ତ୍ୱ ଆଣିଥିଲେ, ତାହା ତାଙ୍କୁ ବିଶ୍ୱର ବଡ଼ ସମ୍ମାନ ଦେବାରେ ସହାୟକ ହୋଇଛି। ନୋବେଲ ପୁରସ୍କାର ସମକକ୍ଷ ‘ଇଣ୍ଟରନ୍ୟାଶନାଲ ପ୍ରାଇଜ୍‌ ଇନ୍‌ ଷ୍ଟାଟିଷ୍ଟିକ୍ସ ୨୦୨୩’ ପାଇବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ୮୦ ହଜାର ଆମେରିକୀୟ ଡଲାର ଅର୍ଥରାଶିର ଏହି ପୁରସ୍କାର ଆସନ୍ତା ଜୁଲାଇରେ କାନାଡ଼ାର ଓଟ୍ଟାଓ୍ବାଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିବାର୍ଷିକ ଇଣ୍ଟରନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଓ୍ବାର୍ଲଡ ଷ୍ଟାଟିଷ୍ଟିକ୍ସ କଂଗ୍ରେସରେ ପ୍ରଫେସର ରାଓଙ୍କୁ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି। ୭୫ବର୍ଷ ତଳେ ତାଙ୍କ ଯୁଗାନ୍ତକାରୀ କାର୍ଯ୍ୟ ପରିସଂଖ୍ୟାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥିଲା ବୋଲି ଇଣ୍ଟରନ୍ୟାଶନାଲ ପ୍ରାଇଜ୍‌ ଇନ୍‌ ଷ୍ଟାଟିଷ୍ଟିକ୍ସ ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ରାଓଙ୍କ ବ୍ୟକ୍ତିତ୍ୱ ଏତେ ବ୍ୟାପକ ଯେ କିଛି ଶବ୍ଦରେ ବର୍ଣ୍ଣନା କରି ତାଙ୍କୁ ସୀମିତ ରଖାଯାଇପାରିବ ନାହିଁ। କାରଣ ୧୦୨ ବର୍ଷରେ ପହଞ୍ଚତ୍ ସକ୍ରିୟ ଥିବା ଏଭଳି ଜଣେ ଶତାୟୁ ପୁରୁଷ ବିଶ୍ୱକୁ ଯେଉଁ ଭାବେ ଦେଖିଆସିଛନ୍ତି, ତାହା ନିଶ୍ଚିତ ଭାବେ ପିଢ଼ି ପରେ ପିଢ଼ିକୁ ଦିଗ୍‌ଦର୍ଶନ ଦେବା ପାଇଁ ଯଥେଷ୍ଟ ହେବ।
୧୯୨୦ ସେପ୍ଟେମ୍ବର ୧୦ରେ ବ୍ରିଟିଶ ଇଣ୍ଡିଆ ଅଧୀନ ମାଡ୍ରାସ ପ୍ରେସିଡେନ୍ସିର ହାଡାଗାଲି (ଏବେ କର୍ନାଟକ)ଠାରେ କାଲ୍ୟାମ୍‌ପୁଡି ରାଧାକ୍ରିଷ୍ଣ ରାଓ (ସି.ଆର୍‌. ରାଓ) ଏକ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାରର ୧୦ ସନ୍ତାନ ମଧ୍ୟରୁ ତାଙ୍କ ସ୍ଥାନ ଥିଲା ଅଷ୍ଟମ। ତେବେ ତାଙ୍କ ସ୍କୁଲ ଶିକ୍ଷା ଆନ୍ଧ୍ରପ୍ରଦେଶର ଗୁଡୁର, ନୁଜ୍‌ଭିଡ୍‌, ନନ୍ଦିଗାମା ଓ ବିଶାଖାପାଟଣାରେ ହୋଇଥିଲା। ସେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଗଣିତରେ ସ୍ନାତକୋତ୍ତର ଏବଂ ୧୯୪୩ରେ କାଲ୍‌କାଟା ୟୁନିଭର୍ସିଟିରୁ ପରିସଂଖ୍ୟାନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଗବେଷଣା କ୍ଷେତ୍ରକୁ ଯାଇ ସେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର କିଙ୍ଗ୍‌ସ କଲେଜରୁ ଆର୍‌. ଏ. ଫିସରଙ୍କ ଅଧୀନରେ ୧୯୪୮ରେ ପିଏଚ୍‌.ଡି. କରିଥିଲେ। ସେହି ବିଶ୍ୱବିଦ୍ୟାଳୟରୁ ୧୯୬୫ରେ ଡିଏସ୍‌ ଡିଗ୍ରୀ ମଧ୍ୟ ଅର୍ଜନ କରିଥିଲେ। ରାଓଙ୍କ ଚାକିରି ଜୀବନ ଦେଖିଲେ ସେ ପ୍ରଥମେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଯୋଗ ଦେଇଥିଲେ। କେମ୍ବ୍ରିଜ୍‌ର ଆନ୍ଥ୍ରୋପୋଲୋଜିକାଲ୍‌ ମ୍ୟୁଜିୟମ୍‌ରେ କାମ କରିଥିଲେ। ପରବର୍ତ୍ତୀ ସମୟରେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ମଧ୍ୟ ହୋଇଥିଲେ। ଭାରତରେ ଜବାହରଲାଲ ନେହେରୁ ପ୍ରଫେସର, ନ୍ୟାଶନାଲ ପ୍ରଫେସର ହେବା ପରେ ଆମେରିକାର ୟୁନିଭର୍ସିଟି ଅଫ୍‌ ପିଟ୍ସବର୍ଗ, ପେନ୍‌ସିଲଭାନିଆ ଷ୍ଟେଟ୍‌ ୟୁନିଭର୍ସିଟିର ‘ଦି ସେଣ୍ଟର ଫର୍‌ ମଲ୍ଟିଭାରିଏଟ୍‌ ଆନାଲିସିସ୍‌’ରେ ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପ୍ରଫେସର ରାଓ ଅବସ୍ଥାପିତ ହୋଇଥିଲେ। ତେବେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ଓ ପରେ ନିର୍ଦ୍ଦେଶକ ଭାବେ ୪୦ ବର୍ଷ ଧରି ଜଡ଼ିତ ରହିବା ବେଳେ ସେ ବିକଶିତ କରିଥିବା ଗବେଷଣା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ବହୁ ଗଣିତ ଓ ପରିସଂଖ୍ୟାନ ବିଶେଷଜ୍ଞ ସୃଷ୍ଟି କରିପାରିଛନ୍ତି।
ରାଓଙ୍କ ଶ୍ରେଷ୍ଠ ଆବିଷ୍କାର ଭାବେ ଅଟକଳକାରୀଙ୍କ ଗୁଣବତ୍ତା ଲାଗି କ୍ରାମେର-ରାଓ ବାଉଣ୍ଡ୍‌ ଏବଂ ରାଓ-ବ୍ଲାକ୍‌-ଓ୍ବେଲ ଥିଓରମ୍‌ ପ୍ରସିଦ୍ଧି ଅର୍ଜନ କରିଛି। ସେହିପରି ମଲ୍ଟିଭେରିଏଟ୍‌ ଆନାଲିସିସ୍‌, ଏଷ୍ଟିମେଶନ ଥିଓରି, ଡିଫରେନ୍‌ସିଆଲ୍‌ ଜୋମେଟ୍ରି, ରାଓ ଡିଷ୍ଟାନ୍ସ ଏବଂ ଅର୍ଥୋଗୋନାଲ ଆରେଜ୍‌ ଭଳି ଗବେଷଣାପ୍ରସୂତ କାର୍ଯ୍ୟ ଗଣିତ ଓ ପରିସଂଖ୍ୟାନ କ୍ଷେତ୍ରକୁ ଅବାଦନ ସ୍ବରୂପ ହୋଇଛି। ୧୪ ଖଣ୍ଡ ପୁସ୍ତକର ରଚୟିତା ତଥା ୪୦୦ ଜର୍ନାଲ ପବ୍ଲିକେଶନ୍ସ ରାଓଙ୍କ ବୌଦ୍ଧିକତାର ଜ୍ୱଳନ୍ତ ନିଦର୍ଶନ ବୋଲି କୁହାଯାଇଥାଏ। ଜୀବନବ୍ୟାପୀ ସାଧନା ଲାଗି ସେ ବିଶ୍ୱର ପ୍ରସିଦ୍ଧ ୧୯ଟି ବିଶ୍ୱବିଦ୍ୟାଳୟରୁ ୩୮ ସମ୍ମାନସୂଚକ ଡକ୍ଟୋରାଲ୍‌ ଡିଗ୍ରୀ ଅର୍ଜନ କରିଛନ୍ତି। ଏଥିସହିତ ୨୦୦୨ରେ ବିଜ୍ଞାନ କ୍ଷେତ୍ରରେ ଆମେରିକାର ସର୍ବୋଚ୍ଚ ସମ୍ମାନ ୟୁନାଇଟେଡ୍‌ ନେଶନ୍ସ ନ୍ୟାଶନାଲ ମେଡାଲ ଅଫ୍‌ ସାଇନ୍ସ ଏବଂ ଭାରତରେ ବିଜ୍ଞାନ କ୍ଷେତ୍ରରେ ଶ୍ରେଷ୍ଠ ସମ୍ମାନ ଇଣ୍ଡିଆନ୍‌ ସାଇନ୍ସ ଆଓ୍ବାର୍ଡ ୨୦୧୦ରେ ମିଳିଥିଲା। ଏପରି କି ୨୦୧୩ରେ ତାଙ୍କ ନାମ ଇଣ୍ଟରନ୍ୟାଶନାଲ ଏନ୍‌ସାଇକ୍ଲୋପିଡିଆ ଅଫ୍‌ ଷ୍ଟାଟିଷ୍ଟିକାଲ୍‌ ସାଇନ୍ସକୁ ଅବଦାନ ନିମନ୍ତେ ନୋବେଲ ଶାନ୍ତି ପୁରସ୍କାର ସକାଶେ ମଧ୍ୟ ମନୋନୀତ ହୋଇଥିଲା। ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସେ ଭୂଷିତ ହୋଇଛନ୍ତି। ତେବେ ତାଙ୍କ ସଫଳତାରେ ଆଉ ଏକ ଅନ୍ତର୍ଜାତୀୟ ଫର୍ଦ୍ଦ ଯୋଡ଼ିଦେଇଥିବା ‘ଇଣ୍ଟରନ୍ୟାଶନାଲ ପ୍ରାଇଜ୍‌ ଇନ୍‌ ଷ୍ଟାଟିଷ୍ଟିକ୍ସ ୨୦୨୩’ ରାଓଙ୍କୁ ବିଶ୍ୱର ‘ପରିସଂଖ୍ୟାନ ଗୁରୁ’ ସ୍ଥାନରେ ନେଇ ବସାଇ ଦେଇଛି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri