ପରିସଂଖ୍ୟାନ ଗୁରୁ

ପରିସଂଖ୍ୟାନ ପାଠ ପଢ଼ିଥିବା ୪ ଜଣ ବନ୍ଧୁ ଏକ ନଦୀ କୂଳରେ ପହଞ୍ଚତ୍ ତାହାକୁ ଅତିକ୍ରମ କରିବାକୁ ଚାହିଁଲେ। ନଦୀର ଗଭୀରତା ମାପିବାକୁ ଯାଇ ଦେଖିଲେ ଯେ ୫ ଫୁଟ ୪ ଇଞ୍ଚ ଜଳ ରହିଛି। ବନ୍ଧୁମାନଙ୍କ ଉଚ୍ଚତା ଯଥାକ୍ରମେ ୬ ଫୁଟ ୨ ଇଞ୍ଚ, ୬ ଫୁଟ, ୫ ଫୁଟ ୮ ଇଞ୍ଚ ଏବଂ ୫ ଫୁଟ ୩ ଇଞ୍ଚ। ହାରାହାରି ଉଚ୍ଚତା ବାହାର କଲା ବେଳକୁ ଏହା ରହିଲା ୫ ଫୁଟ ୭ ଇଞ୍ଚରୁ ସାମାନ୍ୟ ଅଧିକ। ଜଳର ଗଭୀରତା ୫ ଫୁଟ ୪ ଇଞ୍ଚ ଥିବାରୁ ସମସ୍ତେ ଅତିକ୍ରମ କରିଯାଇପାରିବେ ବୋଲି ହିସାବ କରି ନଦୀ ଭିତରକୁ ପଶିଲେ। ହେଲେ ୫ ଫୁଟ ୩ ଇଞ୍ଚ୍‌ର ବନ୍ଧୁ ବୁଡ଼ିଗଲେ। ତତ୍‌କ୍ଷଣାତ୍‌ ବନ୍ଧୁମାନେ କୂଳକୁ ଫେରି ଆସି ବୁଡ଼ିବାର କାରଣ ଖୋଜିଲେ ଓ ପରେ ବୁଝିଗଲେ ପରିସଂଖ୍ୟାନ ସବୁ କ୍ଷେତ୍ରରେ ବାସ୍ତବ ଫଳ ଦେଇ ନ ଥାଏ। ତେଣୁ ପରିସ୍ଥିତି, ପରିବେଶ ଓ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ବିଚାର କଲାବେଳେ ଏଥିପ୍ରତି ଗଭୀର ଅନୁଶୀଳନ ଦରକାର। ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିସଂଖ୍ୟାନ ୯୯ ପ୍ରତିଶତରୁ ଅଧିକ ପରିଶୁଦ୍ଧ ଫଳ ଦେଉଥିବାରୁ ତାହାର ଉପସ୍ଥିତି ସବୁଆଡ଼େ ଲୋଡ଼ା ପଡ଼ୁଛି। ସେଥିପାଇଁ ଗଣିତ ସମେତ ଅର୍ଥନୀତିଠାରୁ ଆରମ୍ଭ କରି ନୃତତ୍ତ୍ୱ, ଭୂତତ୍ତ୍ୱ, ଜାତୀୟ ଯୋଜନା, ଜନସଂଖ୍ୟା ତତ୍ତ୍ୱ, ଭେଷଜ କ୍ଷେତ୍ରଯାଏ ଏହାର ବହୁଳ ଆଦୃତି ରହିଛି। ଏବେ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ଯେ, ଭାରତୀୟ-ଆମେରିକୀୟ ପରିସଂଖ୍ୟାନବିତ୍‌ ତଥା ଗଣିତଜ୍ଞ ସି.ଆର୍‌. ରାଓ ତାଙ୍କ ଦୀର୍ଘବର୍ଷର ଗବେଷଣା ଓ ତାହାକୁ ପ୍ରୟୋଗ କରି ଜୀବନବ୍ୟାପୀ ଯେଉଁସବୁ ଜନହିତକର ତତ୍ତ୍ୱ ଆଣିଥିଲେ, ତାହା ତାଙ୍କୁ ବିଶ୍ୱର ବଡ଼ ସମ୍ମାନ ଦେବାରେ ସହାୟକ ହୋଇଛି। ନୋବେଲ ପୁରସ୍କାର ସମକକ୍ଷ ‘ଇଣ୍ଟରନ୍ୟାଶନାଲ ପ୍ରାଇଜ୍‌ ଇନ୍‌ ଷ୍ଟାଟିଷ୍ଟିକ୍ସ ୨୦୨୩’ ପାଇବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି। ୮୦ ହଜାର ଆମେରିକୀୟ ଡଲାର ଅର୍ଥରାଶିର ଏହି ପୁରସ୍କାର ଆସନ୍ତା ଜୁଲାଇରେ କାନାଡ଼ାର ଓଟ୍ଟାଓ୍ବାଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିବାର୍ଷିକ ଇଣ୍ଟରନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ଓ୍ବାର୍ଲଡ ଷ୍ଟାଟିଷ୍ଟିକ୍ସ କଂଗ୍ରେସରେ ପ୍ରଫେସର ରାଓଙ୍କୁ ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି। ୭୫ବର୍ଷ ତଳେ ତାଙ୍କ ଯୁଗାନ୍ତକାରୀ କାର୍ଯ୍ୟ ପରିସଂଖ୍ୟାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥିଲା ବୋଲି ଇଣ୍ଟରନ୍ୟାଶନାଲ ପ୍ରାଇଜ୍‌ ଇନ୍‌ ଷ୍ଟାଟିଷ୍ଟିକ୍ସ ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ରାଓଙ୍କ ବ୍ୟକ୍ତିତ୍ୱ ଏତେ ବ୍ୟାପକ ଯେ କିଛି ଶବ୍ଦରେ ବର୍ଣ୍ଣନା କରି ତାଙ୍କୁ ସୀମିତ ରଖାଯାଇପାରିବ ନାହିଁ। କାରଣ ୧୦୨ ବର୍ଷରେ ପହଞ୍ଚତ୍ ସକ୍ରିୟ ଥିବା ଏଭଳି ଜଣେ ଶତାୟୁ ପୁରୁଷ ବିଶ୍ୱକୁ ଯେଉଁ ଭାବେ ଦେଖିଆସିଛନ୍ତି, ତାହା ନିଶ୍ଚିତ ଭାବେ ପିଢ଼ି ପରେ ପିଢ଼ିକୁ ଦିଗ୍‌ଦର୍ଶନ ଦେବା ପାଇଁ ଯଥେଷ୍ଟ ହେବ।
୧୯୨୦ ସେପ୍ଟେମ୍ବର ୧୦ରେ ବ୍ରିଟିଶ ଇଣ୍ଡିଆ ଅଧୀନ ମାଡ୍ରାସ ପ୍ରେସିଡେନ୍ସିର ହାଡାଗାଲି (ଏବେ କର୍ନାଟକ)ଠାରେ କାଲ୍ୟାମ୍‌ପୁଡି ରାଧାକ୍ରିଷ୍ଣ ରାଓ (ସି.ଆର୍‌. ରାଓ) ଏକ ତେଲୁଗୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାରର ୧୦ ସନ୍ତାନ ମଧ୍ୟରୁ ତାଙ୍କ ସ୍ଥାନ ଥିଲା ଅଷ୍ଟମ। ତେବେ ତାଙ୍କ ସ୍କୁଲ ଶିକ୍ଷା ଆନ୍ଧ୍ରପ୍ରଦେଶର ଗୁଡୁର, ନୁଜ୍‌ଭିଡ୍‌, ନନ୍ଦିଗାମା ଓ ବିଶାଖାପାଟଣାରେ ହୋଇଥିଲା। ସେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଗଣିତରେ ସ୍ନାତକୋତ୍ତର ଏବଂ ୧୯୪୩ରେ କାଲ୍‌କାଟା ୟୁନିଭର୍ସିଟିରୁ ପରିସଂଖ୍ୟାନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଗବେଷଣା କ୍ଷେତ୍ରକୁ ଯାଇ ସେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର କିଙ୍ଗ୍‌ସ କଲେଜରୁ ଆର୍‌. ଏ. ଫିସରଙ୍କ ଅଧୀନରେ ୧୯୪୮ରେ ପିଏଚ୍‌.ଡି. କରିଥିଲେ। ସେହି ବିଶ୍ୱବିଦ୍ୟାଳୟରୁ ୧୯୬୫ରେ ଡିଏସ୍‌ ଡିଗ୍ରୀ ମଧ୍ୟ ଅର୍ଜନ କରିଥିଲେ। ରାଓଙ୍କ ଚାକିରି ଜୀବନ ଦେଖିଲେ ସେ ପ୍ରଥମେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଯୋଗ ଦେଇଥିଲେ। କେମ୍ବ୍ରିଜ୍‌ର ଆନ୍ଥ୍ରୋପୋଲୋଜିକାଲ୍‌ ମ୍ୟୁଜିୟମ୍‌ରେ କାମ କରିଥିଲେ। ପରବର୍ତ୍ତୀ ସମୟରେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ମଧ୍ୟ ହୋଇଥିଲେ। ଭାରତରେ ଜବାହରଲାଲ ନେହେରୁ ପ୍ରଫେସର, ନ୍ୟାଶନାଲ ପ୍ରଫେସର ହେବା ପରେ ଆମେରିକାର ୟୁନିଭର୍ସିଟି ଅଫ୍‌ ପିଟ୍ସବର୍ଗ, ପେନ୍‌ସିଲଭାନିଆ ଷ୍ଟେଟ୍‌ ୟୁନିଭର୍ସିଟିର ‘ଦି ସେଣ୍ଟର ଫର୍‌ ମଲ୍ଟିଭାରିଏଟ୍‌ ଆନାଲିସିସ୍‌’ରେ ନିର୍ଦ୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପ୍ରଫେସର ରାଓ ଅବସ୍ଥାପିତ ହୋଇଥିଲେ। ତେବେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ଓ ପରେ ନିର୍ଦ୍ଦେଶକ ଭାବେ ୪୦ ବର୍ଷ ଧରି ଜଡ଼ିତ ରହିବା ବେଳେ ସେ ବିକଶିତ କରିଥିବା ଗବେଷଣା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ବହୁ ଗଣିତ ଓ ପରିସଂଖ୍ୟାନ ବିଶେଷଜ୍ଞ ସୃଷ୍ଟି କରିପାରିଛନ୍ତି।
ରାଓଙ୍କ ଶ୍ରେଷ୍ଠ ଆବିଷ୍କାର ଭାବେ ଅଟକଳକାରୀଙ୍କ ଗୁଣବତ୍ତା ଲାଗି କ୍ରାମେର-ରାଓ ବାଉଣ୍ଡ୍‌ ଏବଂ ରାଓ-ବ୍ଲାକ୍‌-ଓ୍ବେଲ ଥିଓରମ୍‌ ପ୍ରସିଦ୍ଧି ଅର୍ଜନ କରିଛି। ସେହିପରି ମଲ୍ଟିଭେରିଏଟ୍‌ ଆନାଲିସିସ୍‌, ଏଷ୍ଟିମେଶନ ଥିଓରି, ଡିଫରେନ୍‌ସିଆଲ୍‌ ଜୋମେଟ୍ରି, ରାଓ ଡିଷ୍ଟାନ୍ସ ଏବଂ ଅର୍ଥୋଗୋନାଲ ଆରେଜ୍‌ ଭଳି ଗବେଷଣାପ୍ରସୂତ କାର୍ଯ୍ୟ ଗଣିତ ଓ ପରିସଂଖ୍ୟାନ କ୍ଷେତ୍ରକୁ ଅବାଦନ ସ୍ବରୂପ ହୋଇଛି। ୧୪ ଖଣ୍ଡ ପୁସ୍ତକର ରଚୟିତା ତଥା ୪୦୦ ଜର୍ନାଲ ପବ୍ଲିକେଶନ୍ସ ରାଓଙ୍କ ବୌଦ୍ଧିକତାର ଜ୍ୱଳନ୍ତ ନିଦର୍ଶନ ବୋଲି କୁହାଯାଇଥାଏ। ଜୀବନବ୍ୟାପୀ ସାଧନା ଲାଗି ସେ ବିଶ୍ୱର ପ୍ରସିଦ୍ଧ ୧୯ଟି ବିଶ୍ୱବିଦ୍ୟାଳୟରୁ ୩୮ ସମ୍ମାନସୂଚକ ଡକ୍ଟୋରାଲ୍‌ ଡିଗ୍ରୀ ଅର୍ଜନ କରିଛନ୍ତି। ଏଥିସହିତ ୨୦୦୨ରେ ବିଜ୍ଞାନ କ୍ଷେତ୍ରରେ ଆମେରିକାର ସର୍ବୋଚ୍ଚ ସମ୍ମାନ ୟୁନାଇଟେଡ୍‌ ନେଶନ୍ସ ନ୍ୟାଶନାଲ ମେଡାଲ ଅଫ୍‌ ସାଇନ୍ସ ଏବଂ ଭାରତରେ ବିଜ୍ଞାନ କ୍ଷେତ୍ରରେ ଶ୍ରେଷ୍ଠ ସମ୍ମାନ ଇଣ୍ଡିଆନ୍‌ ସାଇନ୍ସ ଆଓ୍ବାର୍ଡ ୨୦୧୦ରେ ମିଳିଥିଲା। ଏପରି କି ୨୦୧୩ରେ ତାଙ୍କ ନାମ ଇଣ୍ଟରନ୍ୟାଶନାଲ ଏନ୍‌ସାଇକ୍ଲୋପିଡିଆ ଅଫ୍‌ ଷ୍ଟାଟିଷ୍ଟିକାଲ୍‌ ସାଇନ୍ସକୁ ଅବଦାନ ନିମନ୍ତେ ନୋବେଲ ଶାନ୍ତି ପୁରସ୍କାର ସକାଶେ ମଧ୍ୟ ମନୋନୀତ ହୋଇଥିଲା। ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସେ ଭୂଷିତ ହୋଇଛନ୍ତି। ତେବେ ତାଙ୍କ ସଫଳତାରେ ଆଉ ଏକ ଅନ୍ତର୍ଜାତୀୟ ଫର୍ଦ୍ଦ ଯୋଡ଼ିଦେଇଥିବା ‘ଇଣ୍ଟରନ୍ୟାଶନାଲ ପ୍ରାଇଜ୍‌ ଇନ୍‌ ଷ୍ଟାଟିଷ୍ଟିକ୍ସ ୨୦୨୩’ ରାଓଙ୍କୁ ବିଶ୍ୱର ‘ପରିସଂଖ୍ୟାନ ଗୁରୁ’ ସ୍ଥାନରେ ନେଇ ବସାଇ ଦେଇଛି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri