ଅର୍ଦ୍ଧଭଗ୍ନ ଅବସ୍ଥାରେ ରାଜ୍ୟର ପ୍ରଥମ ଡପ୍‌ଲର ରାଡାର କେନ୍ଦ୍ର

ପାରାଦୀପ,୨୬।୬(ଶରତ ରାଉତ): ଓଡ଼ିଶାର ପ୍ରଥମ ଡପ୍‌ଲର ରାଡାର ଘର ଏବେ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି। ପ୍ରାୟ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚରେ ନିର୍ମାଣ ହୋଇଥିବା ୩୯ ମିଟର ଉଚ୍ଚତା ବିଶିଷ୍ଟ ଏହି ୭ ମହଲା ଘର ଏବେ ମଳିନ ଦେଖାଯାଉଛି। ଘରର ଚତୁଃପାଶର୍‌ବରେ ଘାସ ଓ ଅନାବନା ଗଛ ଉଠିଯାଇଛି। ପାଦଚଲା ରାସ୍ତାରେ ଗଛ ଉଠିଥିବାବେଳେ ପାର୍କିଂ ଶେଡ୍‌ରେ ଥିବା ଆଜ୍‌ବେଷ୍ଟସ୍‌ ଭାଙ୍ଗିଯାଇଛି। ଷ୍ଟିଲ୍‌ ବାଡ଼ରେ କଳଙ୍କି ଲାଗିଯାଇଛି। ଘରର କାଚ ସୌନ୍ଦର୍ଯ୍ୟକରଣ ଜାଗା ଭାଙ୍ଗିଯାଇଛି। କାନ୍ଥରେ ଖୋଦେଇ ହୋଇଥିବା ଫାଇବର ଉଠିଯାଇଛି। ଏପରି କି ଅନେକ ନିର୍ମାଣ କାମ ଭଙ୍ଗାରୁଜା ଅବସ୍ଥାରେ ରହିଛି। ସେହି ଘର ଉପରେ ରହିଛି ଚାଇନା ନିର୍ମିତ ରାଡାର। ଏହା ଦୂରରୁ ଫୁଟବଲ ସଦୃଶ ଦେଖାଯାଏ। ଏହି ରାଡାର ଜରିଆରେ ସମଗ୍ର ଦେଶକୁ ବାତ୍ୟା, ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ପ୍ରାକ୍‌ ସୂଚନା ମିଳିପାରୁଛି।
ସୂଚନାଯୋଗ୍ୟ, ୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶାର ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର ପ୍ରଭୂତ କ୍ଷୟକ୍ଷତି ହୋଇଥିଲା। ସେତେବେଳେ ଏପରି ବାତ୍ୟା ସମ୍ପର୍କରେ ସତର୍କ କଲାଭଳି ସୂଚନା ଦେଶରେ ନ ଥିଲା। ମହାବାତ୍ୟାର ଭୟାବହତା ସମ୍ପର୍କରେ ଆଗୁଆ ସୂଚନା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଭୂପୃଷ୍ଠ ଓ ବିଜ୍ଞାନ ବିଭାଗ ପକ୍ଷରୁ ଦେଶରେ ୫ଟି ଡପ୍‌ଲର ରାଡାର ସ୍ଥାପନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ। ଉକ୍ତ ରାଡାର ମଧ୍ୟରୁ ପ୍ରଥମ ରାଡାର ଓଡ଼ିଶାର ଜଗତ୍‌ସିଂହପୁର ଜିଲା ପାରାଦୀପର ବତୀଘର ପାଖରେ ହେବ ବୋଲି ସ୍ଥିର ହୋଇଥିଲା। ଏହି କ୍ରମରେ ବତୀଘର ପାଖରେ ଡପ୍‌ଲର ରାଡାର ପାଇଁ ଘର ନିର୍ମାଣ ହୋଇଥିଲା। ତେବେ ସରକାର ବଦଳି ଯିବା ପରେ ଉକ୍ତ ନିର୍ମାଣ କାର୍ଯ୍ୟ ୨୦୦୭ ପର୍ଯ୍ୟନ୍ତ ବିଳମ୍ବ ହୋଇଥିଲା। ପ୍ରଥମେ କୁହାଯାଇଥିଲା, ଭେଲ(ଭାରତ ହେଭି ଇଲେଟ୍ରୋନିକ୍ସ ଲିମିଟେଡ) ଉକ୍ତ ରାଡାର ସ୍ଥାପନ କରିବ। ୨୦୦୯ରେ ସରକାର ପୁଣି ନିଷ୍ପତ୍ତି ବଦଳାଇ ଚାଇନା ନିର୍ମିତ ରାଡାର ଲଗାଇବା ପାଇଁ ସ୍ଥିର କଲେ। ୨୦୧୦ରେ ଚାଇନା ରାଡାର ପାରାଦୀପରେ ପହଞ୍ଚତ୍ଥିଲା। ସେତେବେଳେ ବାଲେଶ୍ୱର ଡିଆରଡିଓ ପକ୍ଷରୁ ଚାଇନା ରାଡାର ପାଇଁ ବାରଣ କରାଯିବାରୁ ତାହା ୫ ବର୍ଷ ସେମିତି ଅଟକି ରହିଥିଲା। ୨୦୧୪ରେ ସରକାର ବଦଳିବା ପରେ ପୁଣି ସେହି ରାଡାର ସ୍ଥାପନ ପାଇଁ ସ୍ବୀକୃତି ମିଳିଥିଲା। ଭେଲ କମ୍ପାନୀ ପକ୍ଷରୁ ଉକ୍ତ ଚାଇନା ରାଡାରର କିଛି ସିଗ୍‌ନାଲ ବନ୍ଦ କରାଯିବାପରେ ତାହାକୁ ସ୍ଥାପନ କରାଯାଇଥିଲା। ୨୦୧୫ ନଭେମ୍ବର ୨୧ରେ ଏହା ଲୋକାର୍ପଣ ହୋଇଥିଲା। ଏହି ରାଡାର ଲାଗିବା ପୂର୍ବରୁ ଅର୍ଥାତ୍‌ ୧୯୭୦ରୁ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ସିଗ୍‌ନାଲ ପଏଣ୍ଟରେ ଭାରତ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଛୋଟ ରାଡାର ଲଗାଯାଇଥିଲା। ସେତେବେଳେ ଉକ୍ତ ରାଡାରରୁ ମିଳୁଥିବା ସିଗ୍‌ନାଲ ଜରିଆରେ କେବଳ ବର୍ଷା, ପବନର ଗତି, ତାପମାତ୍ରା ଆଦି ସମ୍ପର୍କରେ ସୂଚନା ମିଳିପାରୁଥିଲା। ତାହା ସରକାରୀ ଭାବେ ୨୦୧୨ରୁ ବନ୍ଦ ହୋଇଯାଇଛି। ନୂଆ ଡପ୍‌ଲର ରାଡାର ନିର୍ମାଣ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ସିପିଡବ୍ଲ୍ୟୁ (ସେଣ୍ଟ୍ରାଲ ପ୍ରୋଜେକ୍ଟ ୱାର୍କ)ସଂସ୍ଥା କରିଥିଲେ। ଉକ୍ତ ଘରର ନିର୍ମାଣଶୈଳୀ, ଆଧୁନିକ କାରୁକାର୍ଯ୍ୟ ଓ ଉଚ୍ଚତା ଯୋଗୁ ସେଠାରେ ଅନେକ ଆଲବମ୍‌ ଏବଂ ଓଡ଼ିଆ ସିନେମା ଶୁଟିଂ ହେଉଥିଲା। ଏବେ ଉକ୍ତ ଘରର ସୌନ୍ଦର୍ଯ୍ୟକରଣ କମିବା ପରେ ସେଭଳି ଶୁଟିଂ ହେଉନାହିଁ। ଅନେକ ସମୟରେ ସ୍କୁଲ ଛାତ୍ରୀଛାତ୍ର, ପର୍ଯ୍ୟଟକମାନେ ରାଡାର ଦେଖିବା ପାଇଁ ଯାଉଥିଲେ। କୋଭିଡ ସମୟ (୨୦୨୦, ମାର୍ଚ୍ଚ)ପରଠାରୁ ତାହା ମଧ୍ୟ ବନ୍ଦ ରହିଛି। ଏବେ ରାଡାର ସୂଚନା ସବୁବେଳେ ଭୁବନେଶ୍ୱରରେ ଦିଆଯାଉଛି। ଡପ୍‌ଲର ରାଡାରର ବିଶେଷତ୍ୱ ହେଉଛି ଏହା ବାତ୍ୟା, ଝଡ଼ ସମ୍ପର୍କରେ ୫ ଦିନ ପୂର୍ବରୁ ସୂଚନା ଦିଏ। ସମୁଦ୍ରର ୫୦୦ କିମି ପର୍ଯ୍ୟନ୍ତ ଏହା ଅନୁଧ୍ୟାନ କରିଥାଏ ବୋଲି ରାଡାର ଅଫିସର ଇନଚାର୍ଜ ଧାନିଶ କେ. କୁହନ୍ତି। ଘର ମରାମତି ନ ହେବା ପ୍ରସଙ୍ଗରେ ସେ କୁହନ୍ତି, ଏ ସମ୍ପର୍କରେ ୨ ବର୍ଷ ହେବ ବିଭାଗୀୟ ଅଧିକାରୀ ଓ ସିପିଡବ୍ଲ୍ୟୁକୁ ଲିଖିତ ଭାବେ ଜଣାଯାଇଛି। ଚଳିତ ବର୍ଷ ମରାମତି କାର୍ଯ୍ୟ ହୋଇପାରେ ବୋଲି ସେ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?