ରାଜ୍ୟ ବଜେଟ: ସମ୍ବଳ ବାଧକ

ଡ. ସନ୍ତୋଷ କୁମାର ମହାପାତ୍ର

ଫେବୃୟାରୀ ୨୨ରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥତ୍କବର୍ଷ ପାଇଁ କାଗଜବିହୀନ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। ସାଧାରଣତଃ ଏକ ବଜେଟକୁ ଯେତେବେଳେ ସମୀକ୍ଷା କରାଯାଏ, ନୋମିନାଲ ବା ନାମାଙ୍କନ ମୂଲ୍ୟରେ କେତେ ବୃଦ୍ଧି ପାଇବ ତାହା ବିଚାର କରାଯାଏ ନାହିଁ। କାରଣ ଏହା ପ୍ରତ୍ୟେକ ବର୍ଷ ବୃଦ୍ଧି ପାଇଥାଏ। ଏଣୁ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ କେତେ ବ୍ୟୟ ଅଟକଳ ବୃଦ୍ଧି ପାଇଛି, ତାହା ସମୀକ୍ଷା ହେବା କଥା। ରାଜ୍ୟ ଜିଡିପି ଅନୁସାରେ ମୋଟ ବ୍ୟୟ ତଥା ବିଭିନ୍ନ କ୍ଷେତ୍ରରେ ବ୍ୟୟ, ରାଜସ୍ବ, ଅଣରାଜସ୍ବ କେତେ ବୃଦ୍ଧି ପାଇଛି ତାହାକୁ ବିଚାରକୁ ନିଆଯାଇଥାଏ।
ଗତବର୍ଷ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ୨୦୨୦-୨୧ ବର୍ଷରେ ନୋମିନାଲ ବା ନାମାଙ୍କନ ଜିଏସ୍‌ଡିପି ୧୧.୭% ଏବଂ ବାସ୍ତବ ଜିଏସ୍‌ଡିପି ବୃଦ୍ଧି ୭% (ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ) ହେବ ବୋଲି ଆକଳନ କରିଥିଲେ। କିନ୍ତୁ କରୋନା ମହାମାରୀର କୁପ୍ରଭାବରେ ବାସ୍ତବ ଜିଏସ୍‌ଡିପି ବିଯୁକ୍ତାତ୍ମକ ୪.୯୨% (ଭାରତୀୟ ଅର୍ଥନୀତିରେ ବିଯୁକ୍ତାତ୍ମକ ୭.୬% ହ୍ରାସ ପାଇଛି) ହେବା ସହିତ ନାମାଙ୍କନ ଜିଏସ୍‌ଡିପି ବିଯୁକ୍ତାତ୍ମକ ୨.୨୪% ହୋଇଛି। ଅର୍ଥାତ୍‌ ନୋମିନାଲ ଜିଏସ୍‌ଡିପି ୨୦୨୦-୨୧ ବର୍ଷ ପାଇଁ ଏହା ୫,୯୬,୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ କରୋନା ମହାମାରୀର କୁପ୍ରଭାବରେ ଏହା ୨୦୨୦-୨୧ରେ ୫୦୯୫୭୫ କୋଟି ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ୨୦୨୧-୨୨ ବର୍ଷ ପାଇଁ ନାମାଙ୍କନ ଜିଏସ୍‌ଡିପି ଗତବର୍ଷ ତୁଳନାରେ ୧୦.୫% (କେନ୍ଦ୍ର ବଜେଟରେ ୧୦%) ବୃଦ୍ଧି ପାଇ ୫.୮୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅର୍ଥାତ୍‌ ଏକ ବର୍ଷ ପଛରେ ରହିଛୁ। ଅବଶ୍ୟ କେନ୍ଦ୍ର ଆହୁରି ପଛରେ ରହିଛି।
ଏହାକୁ ଭିତ୍ତିକରି ଅର୍ଥମନ୍ତ୍ରୀ ୨୦୨୧-୨୨ବର୍ଷ ପାଇଁ ମୋଟ ବଜେଟ ବ୍ୟୟ ଅଟକଳ ୧୭୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ୨୦୨୦-୨୧ବର୍ଷ ପାଇଁ ମୋଟ ବଜେଟ ବ୍ୟୟ ଅଟକଳ ୧,୫୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ବାସ୍ତବରେ ଏହା ୧୦% ହ୍ରାସ ପାଇ ୧,୩୫,୦୦୦ କୋଟି ଟଙ୍କା ହୋଇଥିଲା। ଅର୍ଥାତ୍‌ ୨୦୨୦-୨୧ର ବଜେଟର ମୂଳ ଅଟକଳ ଉପରେ ୨୦୨୧ -୨୨ରେ ୧୩.୩୩% ବୃଦ୍ଧିପାଇଲା ବେଳେ ସଂଶୋଧିତ ଅଟକଳ ଉପରେ ୨୫.୯୨% ବୃଦ୍ଧିପାଇଛି। ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। କେନ୍ଦ୍ର ସରକାର କ୍ଷେତ୍ରରେ ଏହି ବୃଦ୍ଧି ବଜେଟର ମୂଳ ଅଟକଳ ଉପରେ ୧୪% ଏବଂ ସଂଶୋଧିତ ଅଟକଳ ଉପରେ ମାତ୍ର ୦.୯୫%। ନିକଟରେ ଉତ୍ତରପ୍ରଦେଶରେ ଉପସ୍ଥାପନ ହୋଇଥିବା ବଜେଟରେ ବ୍ୟୟ ଅଟକଳ ମାତ୍ର ୭.୩% ବୃଦ୍ଧିପାଇଛି।
ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ବ୍ୟୟ ଅଟକଳ ହ୍ରାସପାଇବା ଅର୍ଥ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବେଶି ବ୍ୟୟକରିବା ଅପେକ୍ଷା ବିତ୍ତୀୟ ଶୃଙ୍ଖଳାକୁ ବେଶି ପ୍ରାଧାନ୍ୟ ଦେଇଛନ୍ତି। ଅବଶ୍ୟ ଏଥିପାଇଁ ରାଜ୍ୟ ଅପେକ୍ଷା କେନ୍ଦ୍ର ବେଶି ଦାୟୀ। କାରଣ କେନ୍ଦ୍ର ନିଜେ ଋଣ କରି ହେଉ ବା ମନିଟାଇଜେଶନ ଡେଫିସିଟ କରି ରାଜ୍ୟକୁ ସହାୟତା ବୃଦ୍ଧି କଲାନାହିଁ ଏବଂ ଡେଫିସିଟ ବା ଋଣ ବୃଦ୍ଧି ଉପରେ ଅଙ୍କୁଶ ରଖିଲା। ଯେହେତୁ ରାଜ୍ୟ ଟିକସ ବସାଇ ସମ୍ବଳ ସଂଗ୍ରହ କରିବା ସମ୍ଭାବନା ବହୁତ କମ୍‌ ଏବଂ କେନ୍ଦ୍ର ରାଜ୍ୟର ଲୋକଙ୍କଠାରୁ ଟିକସ ନେଇଥାଏ, ତେଣୁ କେନ୍ଦ୍ର ରାଜ୍ୟଗୁଡ଼ିକୁ ବେଶି ଦେବା କଥା। କେନ୍ଦ୍ରର ସହାୟତା ହ୍ରାସ ରାଜ୍ୟ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି। କରୋନା ମହାମାରୀ ସମୟରେ ଏହା ବୃଦ୍ଧି ନ ହୋଇ ହ୍ରାସପାଇବା ଚିନ୍ତାର ବିଷୟ।
ସବୁଠାରୁ ଚିନ୍ତାର ବିଷୟ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବୃଦ୍ଧିପାଇବା ପରିବର୍ତ୍ତେ ହ୍ରାସପାଇବା। ୨୦୨୦-୨୧ରେ ଓଡ଼ିଶା ୩୬୨୯୯କୋଟି ଟଙ୍କା ପାଇବ ବୋଲି ଲକ୍ଷ୍ୟ ରଖିଥିଲା, କିନ୍ତୁ ତାହା ହ୍ରାସପାଇଛି। ଏହି ବଜେଟରେ ଏହା ୩୦୧୩୬.୬୮କୋଟି ଟଙ୍କାକୁ ହ୍ରାସପାଇବ। ଏହାର କାରଣ ହେଲା କେନ୍ଦ୍ରର ଟିକସ-ଜିଡିପି ହ୍ରାସପାଇବା ଏବଂ କେନ୍ଦ୍ରୀୟ ଟିକସ ହ୍ରାସପାଇବା ଯୋଗୁ କେନ୍ଦ୍ରରୁ ରାଜ୍ୟଗୁଡ଼ିକ ଅର୍ଥ କମିଶନ ସୁପାରିସ ଅନୁଯାୟୀ ଯେଉଁ ପାଣ୍ଠି ପାଇଥାନ୍ତି ତାହା ହ୍ରାସପାଇବା। ବିଶେଷକରି ଓଡ଼ିଶାର ଭାଗ ହ୍ରାସପାଇବା। ପୁନଶ୍ଚ କେନ୍ଦ୍ର ୩ରୁ ୪ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ସମ୍ବଳସେସ୍‌ ଏବଂ ସରଚାର୍ଜରୁ ସଂଗ୍ରହ କରୁଛି; ଯାହା ଆବଣ୍ଟିତ ପାଣ୍ଠିକୁ ଯାଏନାହିଁ ବା ରାଜ୍ୟଗୁଡ଼ିକ କିଛି ଅଂଶ ପାଆନ୍ତି ନାହିଁ।
ବଜେଟରେ ବିଭିନ୍ନ କ୍ଷେତ୍ରରେ ବ୍ୟୟବରାଦ ନାମାଙ୍କନ ମୂଲ୍ୟରେ, ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ବୃଦ୍ଧିପାଇଲା ବେଳେ କିଛି କ୍ଷେତ୍ରରେ ମଧ୍ୟ ହ୍ରାସପାଇଛି। ପ୍ରଶାସନିକ ବ୍ୟୟ ୨୦୨୦-୨୧ ବଜେଟରେ ୬୫, ୬୫୫କୋଟି ଟଙ୍କା ହେବ ବୋଲି ଧାର୍ଯ୍ୟ କରାଯାଇଥିଲା ବେଳେ ଏହା ସଂଶୋଧିତ ଅଟକଳରେ ୬୩୧୫୦କୋଟି ଟଙ୍କାକୁ ହ୍ରାସପାଇଛି। ୨୦୨୧ -୨୨ରେ ଏହା ୮୫ହଜାର କୋଟି ଧାର୍ଯ୍ୟ କରାଯାଇଛି। ସେହିପରି କାର୍ଯ୍ୟକ୍ରମ ବ୍ୟୟ ଯାହା ୨୦୨୦-୨୧ ବଜେଟରେ ୭୪,୦୦୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା, ତାହା ସଂଶୋଧିତ ଅଟକଳରେ ୬୨୦୦୦କୋଟି ଟଙ୍କାକୁ ହ୍ରାସପାଇଛି। କିନ୍ତୁ ୨୦୨୧ -୨୨ ବଜେଟରେ ଏହା ୭୫,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରଶାସନିକ ବ୍ୟୟ ସାଧାରଣତଃ ସମ୍ପଦ ସୃଷ୍ଟିକରେନା। ଏହା ସଂଖ୍ୟା ଦୃଷ୍ଟିରୁ ବୃଦ୍ଧିପାଇବା ଚିନ୍ତାଜନକ ନୁହେଁ, କିନ୍ତୁ ବଜେଟର ଅଂଶରେ ବୃଦ୍ଧିପାଇବା ଚିନ୍ତାଜନକ। ଏହା ଗତବର୍ଷ ମୋଟ ବଜେଟ ବ୍ୟୟବରାଦର ୪୪.୧୨% ଧାର୍ଯ୍ୟ କରାଯାଇଥିଲା ବେଳେ ଏହି ବଜେଟରେ ୫୦%କୁ ବୃଦ୍ଧିପାଇବ ବୋଲି ଆକଳନ କରାଯାଇଛି।
ଅପରପକ୍ଷରେ କାର୍ଯ୍ୟକ୍ରମ ବ୍ୟୟ ସାମାନ୍ୟ ବୃଦ୍ଧି ଚିନ୍ତାଜନକ। ୨୦୨୦-୨୧ ବଜେଟରେ ବିପର୍ଯ୍ୟୟ ପ୍ରଶମନ ପାଇଁ ୩୨୦୦କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ୨୦୨୧ -୨୨ରେ ହ୍ରାସପାଇ ୩୦୫୦କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି। ହ୍ରାସର ମୂଳ କାରଣ ହେଲା କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସାହାଯ୍ୟ ହ୍ରାସପାଇବା। ସେହିପରି ୨୦୨୦-୨୧ ଲୋକାଲ ବଡିଜ୍‌ ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ପାଇଁ ୭୧୪୫କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା କିନ୍ତୁ ଏହି ବଜେଟରେ ୬,୯୫୦କୋଟି ଟଙ୍କାକୁ ହ୍ରାସପାଇଛି। ଏହି ହ୍ରାସର ମୂଳ କାରଣ ହେଲା, କେନ୍ଦ୍ର ଅର୍ଥ କମିଶନ ହସ୍ତାନ୍ତର ୩୩୪୫କୋଟି ଟଙ୍କାରୁ ୨୯୫୩.୦୧କୋଟି ଟଙ୍କାକୁ ହ୍ରାସପାଇବା।
କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରୁ ରାଜ୍ୟ ଯୋଜନା ପାଇଁ ୪୨୮୭୪କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି; ଯାହା ପୂର୍ବବର୍ଷର ମୂଳ ଅଟକଳ ୪୪୯୮୮.୧୦କୋଟି ଟଙ୍କାଠାରୁ କମ ୍‌ହୋଇଥିତ୍ବାବେଳେ ସଂଶୋଧିତ ଅଟକଳ ୩୬୦୦୦ କୋଟି ଟଙ୍କାରୁ ଅଧିକ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ମହାମାରୀ ଦ୍ୱାରା ରାଜ୍ୟ ଯୋଜନା ବହୁଭାବରେ ପ୍ରଭାବିତ। ସେହିପରି ୨୦୨୧ -୨୨ ବଜେଟରେ କେନ୍ଦ୍ରୀୟ ଯୋଜନା ୩୫୭.୫୮କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି; ଯାହା ଗତବର୍ଷର ସଂଶୋଧିତ ଅଟକଳ (୪୮୦.୯୦କୋଟି ଟଙ୍କା) ଏବଂ ମୂଳ ଅଟକଳ (୪୫୬.୨୦)ଠାରୁ କମ୍‌ । ପୁନଶ୍ଚ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ପାଇଁ ୨୦୨୦-୨୧ରେ ୨୮୫୫୫.୭୦କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ସଂଶୋଧିତ ଅଟକଳରେ ଏହା ହ୍ରାସପାଇ ୨୫୫୧୯.୧୦କୋଟି ଟଙ୍କା ହୋଇଛି। ୨୦୨୧-୨୨ ଏହା ଅଳ୍ପବୃଦ୍ଧି ପାଇଁ ୩୧୭୬୭.୫୦କୋଟି ଟଙ୍କା ସ୍ଥିର କରାଯାଇଛି।
ଚଳିତବର୍ଷ ବଜେଟରେ କୌଣସି ନୂତନ ଯୋଜନାକୁ ସାମିଲ କରାଯାଇନାହିଁ। ବଜେଟରେ ପାନୀୟଜଳ ଯୋଗାଣ, କୃଷିକ୍ଷେତ୍ର, ଜଳସେଚନ, ଶିଳ୍ପ, ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଓ କ୍ରୀଡ଼ାକ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି। ବଜେଟରେ ସ୍ବାସ୍ଥ୍ୟକ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଛନ୍ତି। ଏଥିପାଇଁ ବଜେଟରେ ୯,୧୬୪କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହା କି ଗତ ବଜେଟ ତୁଳନାରେ ୧୯% ଅଧିକ; କିନ୍ତୁ ବର୍ତ୍ତମାନର ସ୍ବାସ୍ଥ୍ୟସଙ୍କଟ ବେଳେ ଯଥେଷ୍ଟ ନୁହଁ। ପୂର୍ବପରି କୃଷି ପାଇଁ ମଧ୍ୟ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରାଯାଇଛି। କିନ୍ତୁ ବ୍ୟୟବରାଦ ହ୍ରାସପାଇବା ଚିନ୍ତାର ବିଷୟ। ୨୦୧୯-୨୦ ବଜେଟରେ ଏହା ୨୦,୭୧୬ କୋଟି ଟଙ୍କା ଥିଲାବେଳେ ୨୦୨୦-୨୧ରେ ଏହି ୧୯,୪୦୮କୋଟି ଟଙ୍କା ଆକଳନ କରାଯାଇଥିଲା। କିନ୍ତୁ ମହାମାରୀ ପ୍ରଭାବରେ ଏହି ବଜେଟରେ ଆହୁରି ହ୍ରାସପାଇ ୧୭୪୬୮କୋଟି ଟଙ୍କାରେ ସ୍ଥିର ହୋଇଛି।
ସାଧାରଣତଃ ପୁଞ୍ଜି ବ୍ୟୟ ଅଧିକ ହେବା ଭଲ। କାରଣ ଏହା ସମ୍ପଦ ସୃଷ୍ଟିକରିବା ସହିତ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ବଜେଟରେ ଏହା ବୃଦ୍ଧିପାଇଛି ବୋଲି କୁହାଯାଉଛି। କିନ୍ତୁ ଋଣପରିଶୋଧ ବାବଦରେ ରାଜ୍ୟ ସରକାର ୨୩୫୮୧କୋଟି ଟଙ୍କା ବ୍ୟୟକୁ ବିଚାରକୁ ନେଲେ ମୋଟ ପୁଞ୍ଜିବ୍ୟୟ ୨୬୮୫୧କୋଟି ଟଙ୍କା ହେବ; ଯାହା ଗତବର୍ଷର ସଂଶୋଧିତ ଅଟକଳଠାରୁ ଅଧିକ ହେଲାବେଳେ ମୂଳ ଆକଳନ ପାଖାପାଖି ହେବ। ଗତବର୍ଷ ବଜେଟରେ ଏହା ୨୬୫୧୩.୪କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା।
ଏହି ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ କର୍ପୋରେଟଙ୍କୁ ସୁହାଇଲାପରି ବଜେଟ ଉପସ୍ଥାପିତ କରିଥିଲେ ଏବଂ କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କ ଥଇଥାନ, ଲୋକଙ୍କ କ୍ରୟଶକ୍ତି ବୃଦ୍ଧି, ନିଯୁକ୍ତି ସୃଷ୍ଟି, ଖାଲିପଡିଥିବା ପଦବୀ ପୂରଣ ପାଇଁ ବଜେଟରେ କୌଣସି ବ୍ୟବସ୍ଥା କରି ନ ଥିଲେ। ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ କର୍ମନିଯୁକ୍ତି ଆଶାୟୀ ବେକାର ଯୁବତୀଯୁବକ ଓ ଜୀବିକାହରା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିପଡିଥିବା ପଦବୀ ପୂରଣ ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନ ଥିବା ଦୁଃଖର ବିଷୟ। କିନ୍ତୁ ତଫାତ୍‌ ହେଉଛି କେନ୍ଦ୍ର ସରକାରଙ୍କ ହାତରେ କ୍ଷମତା ଥାଇ ମଧ୍ୟ ଧନିକ ଉପରେ ଅଧିକ ଟିକସ ଆଦାୟ ନ କରି, ଏସବୁ ସମସ୍ୟାକୁ ଅଣଦେଖା କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ଇଚ୍ଛାଶକ୍ତି ଥିଲେ ମଧ୍ୟ ସମ୍ବଳ ବଡ ବାଧକ ହୋଇଛି। କିନ୍ତୁ ରାଜ୍ୟ ସରକାର କିଛି ବିକଳ୍ପ ଖୋଜିବା ଉଚିତ।
ମୋ-୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri