ଶୂନରୁ ଆରମ୍ଭ ହେଉ

ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୦ରେ ୪ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଛନ୍ତି ଯେ, ବିମୁଦ୍ରୀକରଣ କଳାଧନ ରୋକିବାରେ ସହାୟକ ହୋଇଛି। ଏହାଦ୍ୱାରା ଟିକସ ଅନୁପାଳନ ବଢ଼ିବା ସହ ଅର୍ଥ ବ୍ୟବସ୍ଥା ଅଧିକ ପାରଦର୍ଶୀ ହୋଇପାରିଛି ବୋଲି ସେ କହିଛନ୍ତି। କିନ୍ତୁ ପାରଦର୍ଶିତାର ସୁଫଳ ଭାରତୀୟମାନେ ପାଇ ନ ଥିବା ନିମ୍ନଗାମୀ ହୋଇଥିବା ଅର୍ଥ ବ୍ୟବସ୍ଥାରୁ ବୁଝି ହେଉଛି। ୮ ନଭେମ୍ବର ୨୦୧୬ରେ ଦେଶ ଉପରେ ଏହି ଅର୍ଥନୈତିକ ଅସ୍ତ୍ରକୁ ନିଜେ ମୋଦି ପ୍ରୟୋଗ କରିଥିବାରୁ ତାହାକୁ ସେ କଦାପି ଭୁଲ କହିବେ ନାହିଁ ବୋଲି ସମସ୍ତେ ବୁଝୁଥିବେ। ଏବେ ମନେପଡ଼ୁଛି ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିମୁଦ୍ରୀକରଣ ଯୋଗୁ ଅର୍ଥ ବ୍ୟବସ୍ଥାକୁ ମୁଖ୍ୟତଃ ୩ ପ୍ରକାର ସୁବିଧା ମିଳିପାରିବ। ସେଗୁଡ଼ିକ ହେଲା-କଳାଧନ ରୋକିବା, ନକଲି ନୋଟ୍‌ ପ୍ରସାରଣ ଉପରେ ରୋକ ଲାଗିବା ଏବଂ ଆତଙ୍କବାଦ ଲାଗି ପାଣ୍ଠି ଯୋଗାଣ ବନ୍ଦ ହୋଇପାରିବ। ପରବର୍ତ୍ତୀ ସମୟରେ ବିମୁଦ୍ରୀକରଣ ଯୋଗୁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ମୁକାବିଲା କରିବା ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ତତ୍କାଳୀନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଟେଲିଭିଜନରେ ବାହାରି ନୂଆ ନୂଆ ନିୟମ ଘୋଷଣା କରିଚାଲିଲେ। ଫଳରେ ଜନସାଧାରଣ ହଇରାଣ ହେବା ସହିତ ବିମୁଦ୍ରୀକରଣର ମୂଳ ଲକ୍ଷ୍ୟ ବାଟବଣା ହୋଇଗଲା। କୁହାଗଲା ଯେ, ନୂଆ ଟଙ୍କା ଆସିଲେ ଏବଂ ପୁରୁଣା ଟଙ୍କା ବ୍ୟାଙ୍କକୁୁ ଚାଲିଗଲେ ସବୁ ଆର୍ଥିକ ସମସ୍ୟା ଦୂର ହୋଇଯିବ। ଏଥିସହିତ ନଗଦବିହୀନ (କ୍ୟାଶ୍‌ଲେସ୍‌) ଅର୍ଥନୀତି ଏବଂ ଡିଜିଟାଲ କାରବାର କରାଯାଇପାରିଲେ ଭବିଷ୍ୟତରେ କଳାଧନ ସୃଷ୍ଟି ହେବ ନାହିଁ। ଏଭଳି ଏକ ମାରାତ୍ମକ ନିଷ୍ପତ୍ତି ବିରୋଧରେ କୌଣସି ବ୍ୟକ୍ତି ସ୍ବର ଉତ୍ତୋଳନ କରିବାକୁ ସାହସ କଲେ ନାହିଁ। ପରିସ୍ଥିତି ଏଭଳି ସୃଷ୍ଟି କରିଦିଆଗଲା ଯେ ସମସ୍ତଙ୍କ ମନରେ ଭୟ ଜନ୍ମିଲା। ମୋଦିଙ୍କ ଏହି ପଦକ୍ଷେପକୁ ବିରୋଧ କଲେ ସେହି ବିରୋଧୀ କେବଳ ଯେ କଳାଧନ ରଖିଛନ୍ତିି ତାହା ନୁହେଁ, ତାଙ୍କ କାର୍ଯ୍ୟକଳାପ ଦେଶ ବିରୋଧରେ ଯାଉଛି ବୋଲି ଗଣାଗଲା। ହାତଗଣତି ରାଜନେତା ଯଥା ମମତା ବାନାର୍ଜୀ ଓ ରାହୁଲ ଗାନ୍ଧୀଙ୍କୁ ବାଦ୍‌ ପକାଇଲେ ଅନ୍ୟ କାହାର ସ୍ବର ଉତ୍ତୋଳନ କରିବା ପାଇଁ ସାହସ ହେଲା ନାହିଁ। ୨୦୧୬ରେ ଭାଜପା ଏବଂ ବିଶେଷକରି ମୋଦି ସମର୍ଥକଙ୍କ ତାଉ ଅତ୍ୟଧିକ ମାତ୍ରାରେ ଜଳୁଥିବା ହେତୁ ଅର୍ଥନୀତିଜ୍ଞମାନେ ମଧ୍ୟ ଚୁପ୍‌ ରହିବାକୁ ପସନ୍ଦ କଲେ। ସେହି ତ୍ରୁଟିପୂର୍ଣ୍ଣ ପଦକ୍ଷେପର କୁଫଳ ତତ୍‌କ୍ଷଣାତ୍‌ ଦେଖିବାକୁ ମିଳିଲା ଯେତେବେଳେ ଧନୀ ପରିବର୍ତ୍ତେ ଗରିବ ହେଲା ହନ୍ତସନ୍ତ। କଳାଧନ ରଖିଥିବା ବ୍ୟକ୍ତିବିଶେଷ ବା ସଂସ୍ଥା ବିଭିନ୍ନ ଉପାୟରେ ଏବଂ ଅଳ୍ପ କିଛି କମିଶନ ଦେଇ ନୂତନ ଟଙ୍କା ହାତେଇ ନେଲେ। ଅନ୍ୟପଟେ ଧାଡ଼ିରେ ଠିଆ ହୋଇ ବ୍ୟାଙ୍କରେ ନୋଟ୍‌ ବଦଳାଇବାକୁ ଅପେକ୍ଷାରତ ସାଧାରଣ ନାଗରିକଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଲା। ସେଥିପାଇଁ କେତେ ଜଣଙ୍କ ପ୍ରାଣହାନି ହେଲା ସେହି ତଥ୍ୟ କେବେହେଲେ ମିଳିବ ନାହିଁ। ଭାରତ ସରକାର ଏଭଳି ଏକ ବ୍ୟବସ୍ଥା, ଯେଉଁଥିରେ କୌଣସି ଡାଟା ବା ତଥ୍ୟକୁ ସମ୍ମାନ ଦେଇ ରଖାଯାଇ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଇଚ୍ଛାକୃତ ବ୍ୟବସ୍ଥା। କୌତୂହଳର ବିଷୟ ହେଲା ଯେ ଶେଷରେ ଯେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଫେରିଥିବା ପୁରୁଣା ଟଙ୍କାର ହିସାବ କରାଯାଇ ପରିମାଣ ଘୋଷଣା କରାଗଲା ତାହା ୯୯.୩ ପ୍ରତିଶତ ବୋଲି ଜଣାପଡ଼ିଥିଲା। ଏହି ଗୋଟିଏ ପରିସଂଖ୍ୟାନରୁ ଜଣାପଡ଼ିଲା ଯେ, ସତେ ଯେମିତି ଭାରତରେ କୌଣସି କଳାଧନ ନାହିଁ। ଏହା ବିଶେଷକରି ଅନେକ ବୁଦ୍ଧିଜୀବୀଙ୍କୁ ବାଧିଲା କାରଣ ବିମୁଦ୍ରୀକରଣ ଘୋଷଣା କରିବାର କିଛିଦିନ ପରେ ପ୍ରଧାନମନ୍ତ୍ରୀ ମୋଦି ଜାପାନ ଗସ୍ତରେ ଗଲେ। ଜାପାନ ମାଟିରୁ ସେଠାକାର ଲୋକଙ୍କ ସାମ୍‌ନାରେ ମୋଦିଙ୍କ ଭାଷଣ କେବଳ ଭାରତୀୟଙ୍କ ପାଖରେ ଥିବା କଳାଧନ ସମ୍ପର୍କରେ ଉଦ୍ଦିଷ୍ଟ ଥିଲା। ସେହି ଭାଷଣକୁ ଯେଉଁମାନେ ଶୁଣିଥିଲେ ସେମାନଙ୍କ ମନରେ ଦୁଃଖ ଜନ୍ମିଥିଲା ଯେ ଖୋଦ୍‌ ପ୍ରଧାନମନ୍ତ୍ରୀ ଦେଶର ସବୁ ନାଗରିକଙ୍କୁ ଚୋର ଭଳି ଦେଖୁଥିଲେ। ସତେ ଯେମିତି ସମସ୍ତଙ୍କ ପାଖରେ କଳାଧନ ରହିଛି। ସରକାରୀ ଆକଳନ ଅନୁଯାୟୀ ବିମୁଦ୍ରୀକରଣ ପୂର୍ବରୁ ଭାରତବର୍ଷରେ ୧୫.୪୧ ଲକ୍ଷ କୋଟି ନୋଟ୍‌ ଟଙ୍କା ବଜାରରେ ଉପଲବ୍ଧ ଥିଲା। ସେଥିରୁ ୧୫.୩୦ ଲକ୍ଷ କୋଟି ବ୍ୟାଙ୍କ ବ୍ୟବସ୍ଥାକୁ ଆସିଲା। ମାର୍ଚ୍ଚ ୨୦୧୯ ତଥ୍ୟ ମୁତାବକ ଦେଶ ମଧ୍ୟରେ ୨୧.୪୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟ୍‌ ପ୍ରଚଳନ ରହିଛି, ଯାହା ବିମୁଦ୍ରୀକରଣ ସମୟଠାରୁ ୧୯.୪୧ ପ୍ରତିଶତ ଅଧିକ। ଯଦି ଏହି ସରକାରୀ ତଥ୍ୟ ସତ୍ୟ ହୋଇଥାଏ ତେବେ ମୋଦିଙ୍କର କଳାଧନ ବିରୋଧୀ ଅଭିଯାନ ଗୋଟିଏ ପଟେ ଆନ୍ତରିକତାବିହୀନ ଥିଲା ଏବଂ ଅନ୍ୟପଟେ ଗରିବ ଓ ଧନୀର ବିଭେଦ ସୃଷ୍ଟି କରି ରାଜନୈତିକ ଫାଇଦା ଉଠାଇବାର ଉଦ୍ଦେଶ୍ୟ ଥିଲା।
ବିମୁଦ୍ରୀକରଣ ଯୋଗୁ ଅନେକ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଓ ଶିଳ୍ପ ବନ୍ଦ ହୋଇଯିବାରୁ ଅର୍ଥନୀତି ଦବିବା ସହିତ ସାଧାରଣ ଲୋକର ଚାକିରି ଚାଲିଗଲା। ଅନେକ ଲକ୍ଷ ଲୋକଙ୍କ ରୋଜଗାର ପନ୍ଥା ବନ୍ଦ ହୋଇଯିବାରୁ କୁହାଗଲା ଯେ ଏହି ଗୁରୁତ୍ୱପୂର୍ଣ୍ଣ ଲଢ଼େଇରେ ଯେଉଁମାନେ ଭାଗନେଇ କ୍ଷତିଗ୍ରସ୍ତ ହେଉଛନ୍ତି, ସେମାନେ ତାହା ଦେଶର ମଙ୍ଗଳ ପାଇଁ ସହିବା ଦରକାର। ଏହା ସ୍ବୀକାରଯୋଗ୍ୟ ଯେ, ଅନେକ କୋଟି ଅଶିକ୍ଷିତ ଭାରତୀୟ ସେହି ମିଥ୍ୟା ଉପରେ ଆଧାରିତ ସ୍ଲୋଗାନରେ ଭାସି ଯାଇ ଦେଶପ୍ରେମୀ ଦେଖାଇଲେ। କିନ୍ତୁ ବିମୁଦ୍ରୀକରଣର କୁଫଳ ବାସ୍ତବରେ ଦେଶବାସୀଙ୍କ ପାଖରେ ଏବେ ଆସି ପହଞ୍ଚିଛି। ଅନ୍ୟ ଦେଶଗୁଡିକ କୋଭିଡ୍‌-୧୯ ଯୋଗୁ ଅର୍ଥନୀତି ଉପରେ ପଡ଼ିଥିବା ଚାପକୁ ସମ୍ମୁଖୀନ ହୋଇ ଉତ୍ତୀର୍ଣ୍ଣ ହୋଇସାରିଲେଣି। ଭାରତରେ କେବଳ ଅସତ୍ୟ ଉପରେ ନିର୍ଭର କରି ତଥ୍ୟ ଘୋଷଣା କରାଯାଉଥିବାରୁ ବାସ୍ତବରେ ଜାତୀୟ ଅର୍ଥନୀତି ମୁଣ୍ଡ ଟେକିବାରେ ସମର୍ଥ ହେଉନାହିଁ। ବିମୁଦ୍ରୀକରଣ ପରେ ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରି ଅର୍ଥ ବ୍ୟବସ୍ଥାକୁ ଅଧିକ ପଙ୍ଗୁ କରିଦେଇଥିବା ବିଷୟରେ ଅନେକ ଆଲୋଚନା ହୋଇଯାଇଛି। ୨୦୨୦ ମାର୍ଚ୍ଚରୁ ଭାରତରେ କୋଭିଡ୍‌-୧୯ ମହାମାରୀ ସୁକୁସୁୁକୁ ହୋଇ ନିଃଶ୍ୱାସ ନେଉଥିବା ଅର୍ଥ ବ୍ୟବସ୍ଥାକୁ ମୃତବତ୍‌ କରିଦେଇଛି। ଏଭଳି ସମୟରେ ଫମ୍ପା ବାହୁସ୍ଫୋଟ ମାରି ସରକାରୀ ପରିସଂଖ୍ୟାନକୁ ଏପଟସେପଟ କରିବା ପରିବର୍ତ୍ତେ ବାସ୍ତବ ପଦକ୍ଷେପ ନିିଆଯିବା ଦରକାର। ବିମୁଦ୍ରୀକରଣ ସମ୍ପୂର୍ଣ୍ଣ ବିଫଳ ହୋଇଛି ଭାବି ବିଶେଷଜ୍ଞଙ୍କ ମତ ଲୋଡ଼ା ଯାଇ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସରକାର ଶୂନରୁ ଆରମ୍ଭ କରିବା ଚିନ୍ତାଧାରା ରଖିଲେ ହୁଏତ ପରିବର୍ତ୍ତନ ଆସିପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri