ଚିତ୍ରରୁ ଆରମ୍ଭ

ଡ. ଗୌରହରି ରାଉତ

ପାଠ ନ ପଢ଼ି ପିଲାଟି ସବୁବେଳେ ଚିତ୍ରରେ ମନ ଦେଉଥିଲା। ଏଥିପାଇଁ ଘରେ ସମସ୍ତଙ୍କର ରୋଷର ଶିକାର ହେଲା ସେ, ଦୂର୍‌ ଦୂର୍‌ ମାର୍‌ ମାର୍‌ କଲେ ସଭିଏଁ। ପିତାଙ୍କର ଚିନ୍ତା ବଢ଼ିଲା, କୋଷ୍ଠି ନେଇ ଦେଖାଇଲେ ଜ୍ୟୋତିଷୀଙ୍କୁ। ‘ଏ ପିଲାର ଭବିଷ୍ୟତ ବହୁତ ଉଜ୍ଜ୍ୱଳ। ଜୀବନରେ ଅସରନ୍ତି ଯଶକୀର୍ତ୍ତି ଅର୍ଜନ କରିବା ସହ ଦୂର ବିଦେଶର ଏକ କୁମାରୀଙ୍କୁ ବିବାହ କରିବାର ଯୋଗ ଅଛି ଏହାର’ – ଜ୍ୟୋତିଷୀଙ୍କର ଏ ପ୍ରକାର ଭବିଷ୍ୟବାଣୀ ଆନ୍ଦୋଳିତ କଲା ପିତାଙ୍କ ମନକୁ। ତଥାପି ମନ କଥା ମନରେ ରଖି ପିଲାର ମନକୁ ପାଠରେ ବାନ୍ଧି ରଖିବାକୁ ଯତ୍ନବାନ ହେଲେ।
ମାତ୍ର ସବୁ ଚେଷ୍ଟା ବିଫଳ। ପିଲାଟି ସବୁବେଳେ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ଆଙ୍କୁଥିଲା ଚିତ୍ର। ଶେଷରେ ଯେନତେନ ଭାବରେ ମାଟ୍ରିକ ପାସ୍‌ ପରେ ନିଜର ଅନିଚ୍ଛା ସତ୍ତ୍ୱେ ପିତା ବାଧ୍ୟ ହୋଇ ଆର୍ଟ କଲେଜରେ ପିଲାର ନାମ ଲେଖାଇଦେଲେ ଏବଂ ସମୟକ୍ରମେ ସେ ସେଥିରେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଥାଏ l କଳା ଶିକ୍ଷା ସମାପ୍ତ କରି ଦିଲ୍ଲୀର ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଲୋକଙ୍କର ପ୍ରତିକୃତି ଆଙ୍କୁଥିବା ଅବସରରେ ଏକ ବିଦେଶୀ ତରୁଣୀଙ୍କ ଅନୁରୋଧକ୍ରମେ ତାଙ୍କ ଛବି ଅଙ୍କନ କଲେ। ପ୍ରତିକୃତିର ଅବିକଳତାରେ ବିଭୋର ହୋଇଗଲେ ବିଦେଶିନୀ। ସେବେଠାରୁ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ିଲା। ୟା’ ଭିତରେ ତରୁଣୀ ନିଜ ଦେଶକୁ ଫେରିବା ପୂର୍ବରୁ ଯୁବଶିଳ୍ପୀଙ୍କୁ ତାଙ୍କର ଠିକଣା ସହ ଫୋନ୍‌ ନମ୍ବର ଦେଇଯାନ୍ତି। ଦୁହିଁଙ୍କ ମଧ୍ୟରେ ଚିଠି ଓ ଫୋନ୍‌ ମାଧ୍ୟମରେ ଭାବର ଆଦାନ ପ୍ରଦାନ ଅତୁଟ ରହେ। ବିରହ ବ୍ୟାକୁଳରେ ସନ୍ତୁଳି ହୋଇ ଯୁବଶିଳ୍ପୀ ଦିନେ ସିଦ୍ଧାନ୍ତ ନିଅନ୍ତି – ସେ ବିଦେଶ ଯିବେ ତାଙ୍କ ପ୍ରାଣପ୍ରିୟାଙ୍କୁ ଦେଖା କରିବାକୁ। ହେଲେ ଯିବେ କେମିତି ? ପ୍ରତିବନ୍ଧକ ସାଜେ ଭିଜା ଏବଂ ଅର୍ଥ ସମ୍ବଳ। ମାତ୍ର ଦୃଢ଼ ମନୋବଳ ନେଇ ଶେଷରେ ନିଜର ପୁରୁଣା ସାଇକେଲ ଖଣ୍ଡେ ଧରି ଦିଲ୍ଲୀରୁ ବିଦେଶ ଯିବାର ଦୁଃସାହସିକ ସ୍ବପ୍ନ ଦେଖନ୍ତି ଏବଂ କହିବା ବାହୁଲ୍ୟ- ଯନ୍ତ୍ରଣା, ତୁଷାରପାତକୁ ଖାତିର ନ କରି ଦୁର୍ଗମ ପଥରେ ମାସାଧିକ ଅହୋରାତ୍ର ଯାତ୍ରାକରି ତାଙ୍କ ସ୍ବପ୍ନର ସାଥୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୁଅନ୍ତି ଓ ବିଦେଶିନୀଙ୍କୁ ବିବାହ କରନ୍ତି। ଜ୍ୟୋତିଷୀଙ୍କ ଭବିଷ୍ୟବାଣୀ ସତ ହେଲା। ସେ ଆଉ କେହି ନୁହନ୍ତି, ଆଠମଲ୍ଲିକରେ ଜନ୍ମିତ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ- ଯାହାଙ୍କୁ ଆମେ ସଂକ୍ଷେପରେ ପି.କେ.ମହାନନ୍ଦିଆ ଭାବରେ ଜାଣୁ l କେବଳ ଆମ ଓଡ଼ିଶା ନୁହେଁ, ପରନ୍ତୁ ଆମ ଦେଶର ଗର୍ବ ଓ ଗୌରବର ଜଣେ ବିଶ୍ୱ ପ୍ରସିଦ୍ଧ ବ୍ୟକ୍ତିତ୍ୱ। ବର୍ତ୍ତମାନ ସେ ସୁଇଡେନର ନାଗରିକତ୍ୱ ଗ୍ରହଣ କଲେ ମଧ୍ୟ ମାଟିର ଆକର୍ଷଣରେ ପ୍ରତି ବର୍ଷ ନିଜର ଧର୍ମପତ୍ନୀ ‘ଚାରଲୋଟ’ (ବିବାହ ପରେ ଭାରତୀୟ ନାମକରଣ ଅନୁସାରେ ମହାନନ୍ଦିଆ ତାଙ୍କର ନାମ ‘ଚାରୁଲତା’ ଦେଇଛନ୍ତି)ଙ୍କ ସହ ଓଡ଼ିଶା ଆସନ୍ତି l ଏକଦା ସେ ଓଡ଼ିଶା ଆସିଥିବା ଅବସରରେ ଏ ଲେଖକ ତାଙ୍କୁ ଏକ ପଞ୍ଚତାରକା ହୋଟେଲରେ ସାକ୍ଷାତ୍‌ କରିଥିଲା।
ଆମେ ଅନେକ ସମୟରେ ଶିଶୁ ବା କିଶୋରମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଅନୁଧ୍ୟାନ ନ କରି ତଥାକଥିତ ପାଠ ପଢ଼ିବାକୁ ବାଧ୍ୟ କରିଥାଉ। ଆମ ସାଧାରଣ ଦୃଷ୍ଟିରେ ଗଣିତ, ଇଂଲିଶ, ଇତିହାସ, ଭୂଗୋଳ ଆଦି ବିଷୟବସ୍ତୁ କେବଳ ପାଠର ଅନ୍ତର୍ଭୁକ୍ତ ଏବଂ ୟା ବାହାରେ ଯାହା ଅଛି ସେସବୁ ପାଠ ନୁହେଁ l ଯଦି ପିଲାଏ ତଥାକଥିତ ପାଠ ନ ପଢ଼ି ଚିତ୍ର ଆଙ୍କିଲେ, ନୃତ୍ୟ କଲେ କିମ୍ବା ଗୀତ ଗାଇଲେ, ଆମେ କହୁ- ସେମାନେ ବିଗିଡ଼ିଗଲେ। କିନ୍ତୁ ତାଙ୍କ ଭିତରେ ଲୁଚିରହିଥିବା ପ୍ରତିଭାକୁ ନ ଚିହ୍ନିବାର ଅର୍ଥ ପ୍ରତିଭାକୁ ହତ୍ୟା କରିବା l କୌଣସି ଶିଶୁର ସୃଜନାତ୍ମକ ଗୁଣକୁ ଅଣଦେଖା କରିବାର ଅଧିକାର ମାତାପିତା, ଅଭିଭାବକ ଅଥବା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ନାହିଁ। ପ୍ରତିଭାକୁ ପ୍ରୋତ୍ସାହିତ ନ କରିବା ଏକ ଅପରାଧ ବୋଲି ଗଣାଯାଇପାରେ। ନାଲିଆଖି ଦେଖାଇ କେବଳ ତଥାକଥିତ ପାଠ ପଢ଼ିବାକୁ ତାଗିଦ କଲେ କିଛି ସୁଫଳ ତ ମିଳିବନି ବରଂ ନକାରାତ୍ମକ ପ୍ରଭାବ ପଡ଼ିବ ସେମାନଙ୍କ ଜୀବନ ଉପରେ। ଚିତ୍ର, ସଙ୍ଗୀତ, ନୃତ୍ୟ – ଏ ସବୁ ଈଶ୍ୱରପ୍ରଦତ୍ତ ଐଶୀ ଗୁଣ, ଯାହା ସମସ୍ତଙ୍କଠାରେ ଦେଖାଯାଏ ନାହିଁ। ଈଶ୍ୱର ଯଦି କାଣିଚାଏ କରୁଣା କରି କାହାକୁ ଏପ୍ରକାର ପ୍ରତିଭାରେ ଧନୀ କରିଥାନ୍ତି, ଜୋର ଜବରଦସ୍ତ ନାଲିଆଖି ଦେଖାଇ ମାଡ଼ ଗାଳି ଦେଇ ଶିଶୁଠାରୁ ସେସବୁ ଲୁଟିବାର ଅପଚେଷ୍ଟା କରିବାର ଅର୍ଥ ଈଶ୍ୱରଙ୍କ ଠାରେ ଦ୍ରୋହୀ ହେବା। ଆମେ ଯେତେ ଚେଷ୍ଟା କଲେ ବି ଈଶ୍ୱରଦତ୍ତ ଦିବ୍ୟ ଧନକୁ ତାଙ୍କ ଠାରୁ ଛଡ଼ାଇ ନେଇପାରିବା ନାହିଁ। ପ୍ରକୃତିରୁ ଏଇ ଦିବ୍ୟ ଧନକୁ ଶିଶୁ ଆହରଣ କରି ନିଜ ଭିତରେ ବିକଶିତ କରିଥାଏ। ଏ ସଂକ୍ରାନ୍ତରେ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ଦୃଷ୍ଟିଭଙ୍ଗୀ ହେଲା – ଯେଉଁ ଶିକ୍ଷା ପ୍ରକୃତି ସହ ଯୋଡ଼ି ନ ହେଲା, ପିଲାର ଅନ୍ତର୍ନିହିତ ସୃଜନାତ୍ମକ ପ୍ରତିଭା ସହ ଯୋଡ଼ି ନ ହେଲା ତାହା ପୂର୍ଣ୍ଣାଙ୍ଗ ଶିକ୍ଷା ନୁହେଁ। ରବୀନ୍ଦ୍ରନାଥଙ୍କ ଦୃଷ୍ଟିଭଙ୍ଗୀକୁ ସମ୍ମାନ ଜଣାଇ ଭାରତ ସରକାର ନୂତନ ଶିକ୍ଷା ନୀତି ପ୍ରଣୟନ କରିଛନ୍ତି, ଯେଉଁଥିରେ ଶିଶୁ ମନର ସୃଜନାତ୍ମକ ଦିଗକୁ ଅଗ୍ରାଧିକାର ଦିଆଯାଇଛି।
ନୃତ୍ୟ, ସଙ୍ଗୀତ ସମେତ ଚିତ୍ର ଅଙ୍କନ ଏକ ଖରାପ ଅଭ୍ୟାସ ବା ଏସବୁରେ ମନ ଦେଲେ ତଥାକଥିତ ପାଠପଢ଼ା ନଷ୍ଟ ହୁଏ ବୋଲି ସାଧାରଣରେ ଯାହା ଧାରଣା ଅଛି ତାହା ସମ୍ପୂର୍ଣ୍ଣ ଅମୂଳକ ତଥା ଭିତ୍ତିହୀନ। ପ୍ରଥମତଃ ଏଥିରେ ବାଧା ଦେଲେ ଶିଶୁର ସୃଜନଶୀଳତା ସହ ପଢ଼ିବାର ଏକାଗ୍ରତା ନଷ୍ଟ ହୁଏ। ଦ୍ୱିତୀୟତଃ ଚିତ୍ର କଲେ କେବଳ ଯେ ଚିତ୍ରକଳାଜନିତ ସୃଜନଶୀଳତା ବୃଦ୍ଧି ହୁଏ ତା’ ନୁହେଁ – ବରଂ ସାହିତ୍ୟ, ସଙ୍ଗୀତ, ବିଜ୍ଞାନ ଆଦି ଯେ କୌଣସି ସୃଜନଶୀଳତାକୁ ଆମନ୍ତ୍ରଣ କରିଥାଏ ଚିତ୍ରକଳା। ବିଶ୍ୱରେ ବହୁ ଖ୍ୟାତନାମା ଚିତ୍ରଶିଳ୍ପୀ ଅଛନ୍ତି, ଯେଉଁମାନେ କେବଳ ନିଜ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ନାହାନ୍ତି ବରଂ ଅନ୍ୟ ଅନେକ ସୃଜନାତ୍ମକ ଦିଗକୁ ସଞ୍ଚରିଯାଇଛି ତାଙ୍କ ପ୍ରତିଭା। ମାଇକେଲ ଏଞ୍ଜେଲୋ ତ ଥିଲେ ଏକାଧାରରେ ଭାସ୍କର, ଚିତ୍ରକର, ସ୍ଥପତି ଓ କବି। ଲିଓନାର୍ଦୋ – ଦା – ଭିଞ୍ଚଙ୍କ କଥା ଚିନ୍ତା କରନ୍ତୁ ତ! ଜଣେ ଚିତ୍ରକର, ସ୍ଥପତି, ଲେଖକ ଓ ବୈଜ୍ଞାନିକ ଭାବରେ କମ୍‌ ଖ୍ୟାତି ସାଉଁଟିନାହାନ୍ତି ସେ। ଏଇ କ୍ରମରେ ଆମ ଭାରତୀୟ ଚିତ୍ରକରଙ୍କ ଭିତରେ ଅଛନ୍ତି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର। ଏକାଧାରରେ ଜଣେ ଚିତ୍ରଶିଳ୍ପୀ, କବି, ନାଟ୍ୟଶିଳ୍ପୀ, ସଙ୍ଗୀତକାର, ନାଟ୍ୟକାର, ଲେଖକ, ଦାର୍ଶନିକ, ଶିକ୍ଷାବିତ୍‌- ଏମିତି ବହୁ ପ୍ରତିଭାର ଅଧିକାରୀ ରବୀନ୍ଦ୍ରନାଥ ଭାରତୀୟ ଶିକ୍ଷା, ସଂସ୍କୃତି କ୍ଷେତ୍ରରେ ନବଜାଗରଣ ଆଣିଛନ୍ତି। ସତ୍ୟଜିତ ରାୟ ମଧ୍ୟ ଅନନ୍ୟ ପ୍ରତିଭାଧାରୀ ଆଉ ଏକ ବ୍ୟକ୍ତିତ୍ୱ। ଆମ ଓଡ଼ିଶାର ଚିତ୍ରକରମାନେ ଅନ୍ୟ ସୃଜନଶୀଳ କ୍ଷେତ୍ରରେ କମ୍‌ ପରାକାଷ୍ଠା ଦେଖାଇ ନାହାନ୍ତି। ଚିତ୍ରଶିଳ୍ପୀ ଗୋପାଳ କାନୁନ୍‌ଗୋଙ୍କ ଅନୁଦିତ ‘ଓମର ରୁବାୟତ’ ଯେ ପଢ଼ିଥିବେ ସେ ନିଶ୍ଚୟ ଅନୁଭବ କରିବେ ସାହିତ୍ୟରେ ତାଙ୍କର କେତେ ଗଭୀର ପ୍ରବେଶ ଥିଲା। ଶିଳ୍ପୀ ବିମ୍ବାଧର ବର୍ମା, ବିନୋଦ ରାଉତରାୟ, ଡକ୍ଟର ଦୀନନାଥ ପାଠୀ, ଅସୀମ ବସୁ, ଦୁର୍ଗା ଚରଣ ପଣ୍ଡା ଏବଂ ଆହୁରି ଅନେକ ପ୍ରତିଷ୍ଠିତ ଶିଳ୍ପୀ ସାହିତ୍ୟ କ୍ଷେତ୍ରରେ ବିଶେଷ ଛାପ ସୃଷ୍ଟି କରିଛନ୍ତି। ଲଣ୍ଡନରେ ରହୁଥିବା ଚିତ୍ରଶିଳ୍ପୀ ଓ ସ୍ଥପତି ପ୍ରଫୁଲ୍ଲ ମହାନ୍ତିଙ୍କ ‘ମାଇଁ ଭିଲେଜ ମାଇଁ ଲାଇଫ’ ତ ଶିଳ୍ପୀ ଆତ୍ମଲିପିର ଏକ ମାଇଲଖୁଣ୍ଟ!
ଆଧୁନିକ ଚିତ୍ରଶିଳ୍ପୀ ଯତୀନ ଦାସ ବହୁମୁଖୀ ପ୍ରତିଭାର ଆଉ ଏକ ଉଦାହରଣ। ଏମିତି ଦେଖିଲେ ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ପ୍ରତିଷ୍ଠିତ ଶିଳ୍ପୀମାନେ ଚିତ୍ରକଳା ବ୍ୟତିରେକେ ଅନ୍ୟ ଅନେକ ସୃଜନାତ୍ମକ କ୍ଷେତ୍ରରେ ନିଜର ପ୍ରତିଭା ପ୍ରତିପାଦନ କରିପାରିଛନ୍ତି।
ସୃଜନାତ୍ମକ ପ୍ରତିଭାର ଅଙ୍କୁରୋଦ୍‌ଗମ ହେଲେ ତାହା କେଉଁ ଦିଗକୁ ବିସ୍ତାରିତ ହେବ- ଏହା କହିବା ମୁସ୍କିଲ। ମାଟି ଫଟାଇ ଉଠିବାକୁ ଉପକ୍ରମ କରୁଥିବା ଗଜା ଉପରେ ପଥର ଲଦିଦେଲେ ତାହା ଅନ୍ୟ ପଥ ଦେଇ ନିଶ୍ଚୟ ସୂର୍ଯ୍ୟାଭିମୁଖୀ ହେବ। କିଏ ଜାଣେ – ଛୋଟିଆ ବୀଜ ଭିତରେ ବିରାଟ ବଟଦ୍ରୁମର ଆକାଶୋନ୍ମୁଖୀ ସମ୍ଭାବନା ଥିଲା ପରି କଅଁଳ ଶିଶୁ ପ୍ରାଣରେ କି ପ୍ରକାର ପ୍ରଚଣ୍ଡ ପ୍ରତିଭା ଲୁକ୍କାୟିତ ହୋଇ ନ ଥିବ ବୋଲି! କଳ୍ପନା ଶକ୍ତିକୁ ଚିଆଁଇଲେ /ଜଗାଇଲେ ତାହା ବିଶମୁଖୀ ହେବ – ଏଥିରେ ଦ୍ବିରୂକ୍ତି ନାହିଁ l ପିଲାଏ ଚିତ୍ର କରନ୍ତୁ – ଏଥିରେ ଅଙ୍କୁଶ ନ ଲଗାଇ ଉତ୍ସାହିତ କରାଯାଉ। କେବଳ ଜଗିବାର ଅଛି – ଚିତ୍ର ଭିତରେ ମଜ୍ଜିଯାଇ ପାଠ ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା ନ କରନ୍ତୁ ସେମାନେ। ପ୍ରତ୍ୟହ ସେମାନେ ଯେପରି ଖୋଲା ଆକାଶର ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ଦେଖିବେ, ପକ୍ଷୀର କାକଳି ଶୁଣିବେ ଏବଂ ପ୍ରକୃତି ସହ ଯୋଡ଼ିହେବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ l
ଚିତ୍ରରୁ ଆରମ୍ଭ ପ୍ରତିଭା ଯେକୌଣସି ସମୟରେ ଅନ୍ୟ ଯେକୌଣସି ପ୍ରତିଭାକୁ ସଞ୍ଚରିଯାଇପାରେ। ଅତଏବ ଶିଶୁ ପ୍ରତିଭାର ଜୟଗାନ କରାଯାଉ।
ଭୋଇନଗର, ଭୁବନେଶ୍ୱର,
ମୋ- ୮୭୬୩୮୫୩୨୪୪


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri