ମିଲିଟାରୀ ହାତରେ ସୁଦାନ

ଉତ୍ତରପୂର୍ବ ଆଫ୍ରିକାରେ ସୁଦାନ ଅବସ୍ଥିତ। ବିଶ୍ୱର ଅନ୍ୟତମ ଅତ୍ୟନ୍ତ ଦରିଦ୍ର ଦେଶ ଭାବେ ସର୍ବଦା କୁଖ୍ୟାତି ଅର୍ଜନ କରିଆସିଛି। ଅନେକ ହଜାର ଶିଶୁ ଅପପୁଷ୍ଟି ଯୋଗୁ ମୃତ୍ୟୁମୁଖରେ ପଡ଼ିବା ଖବର ସର୍ବଦା ଶୁଣିବାକୁ ମିଳେ। ଗୃହଯୁଦ୍ଧ ଯୋଗୁ ଏହାର ଅର୍ଥନୀତି ନିମ୍ନ ସ୍ତରରେ ଅଛି। ଏବେ ସେଠାରେ ସାମରିକ ବଳ ପ୍ରୟୋଗ ଯୋଗୁ ରାଜନୈତିକ ସଙ୍କଟ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଦୀର୍ଘବର୍ଷ ଧରି ଏକଚ୍ଛତ୍ରବାଦ ଚଳାଇ ଆସିଥିବା ତତ୍‌କାଳୀନ ରାଷ୍ଟ୍ରପତି ଓମାର ଅଲ୍‌-ବଶିରଙ୍କୁ ୨୦୧୯ରେ କ୍ଷମତାଚ୍ୟୁତ କରାଯାଇଥିଲା। ପରେ ସେଠାରେ ସେନା ଓ ନାଗରିକ ନେତାମାନେ ମିଶି ସରକାର ଗଠନ କରିଥିଲେ। ସଂସ୍କାର ଆଣିବା ନାମରେ ସେନା କ୍ୟାବିନେଟକୁ ହଟେଇବା ଲାଗି ଚାହିଁବାରୁ ନାଗରିକ ନେତାମାନେ ନିକଟରେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରିଣାମ ସ୍ବରୂପ ସେନା ୨୫ ଅକ୍ଟୋବରରେ ସାମରିକ ବିଦ୍ରୋହ କରି ଦେଶର ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ ଥିବା ଅବଦୁଲ୍ଲା ହମ୍‌ଦୋକ୍‌ଙ୍କୁ ଅଜ୍ଞାତ ସ୍ଥାନକୁ ନେଇଯାଇଛି। ତାଙ୍କ ସହିତ ସରକାରରେ ଥିବା କେତେକ ମନ୍ତ୍ରୀ ଓ ନେତାଙ୍କୁ ଅଟକ ରଖାଯାଇଥିବା ଖବର ମିଳିଛି। ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରକ୍ରିୟାରେ ବ୍ୟାହତ ସୃଷ୍ଟି କରି ସେନା ବଳପୂର୍ବକ ଶାସନକୁ ନିଜ ଆଡ଼କୁ ନେବାରେ କରିଥିବା ଉଦ୍ୟମକୁ ଦେଶବାସୀ ନିନ୍ଦା କରିଛନ୍ତି। ରାଜଧାନୀ ଖାର୍ଟୁମ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରତିବାଦ ସ୍ବରୂପ ନାଗରିକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଦୁଇ ପ୍ରତିବାଦକାରୀ ପ୍ରାଣ ହରାଇଛନ୍ତି। ହିଂସାକାଣ୍ଡ ବ୍ୟାପକ ହେବା ଆଶଙ୍କାରେ ଦେଶରେ ଜରୁରିକାଳୀନ ସ୍ଥିତି ଜାରି କରାଯାଇଛି। ଫଳରେ ବିଶ୍ୱବ୍ୟାପୀ ଏ ନେଇ ଚିନ୍ତା ପ୍ରକଟ ପାଇଛି।
ଆମେରିକୀୟ ଗବେଷକ ଜୋନାଥନ୍‌ ପାଓ୍ବେଲ ଓ କ୍ଲେଟନ୍‌ ଦାଏନିଙ୍କ ରିପୋର୍ଟ ଅନୁଯାୟୀ ୧୯୫୦ରୁ ଆଫ୍ରିକାର ବିଭିନ୍ନ ଦେଶରେ ୨୦୦ ଥର ସାମରିକ ବିଦ୍ରୋହ ଜରିଆରେ କ୍ଷମତା ଦଖଲ କରାଯାଇଛି। ୧୯୫୬ରେ ସୁଦାନ ବ୍ରିଟେନଠାରୁ ସ୍ବାଧୀନ ହୋଇଥିଲା। ଏହା ପରେ ସେଠାରେ ହୋଇଥିବା ୮ ଥର ସାମରିକ ବିଦ୍ରୋହ ମଧ୍ୟରୁ ୫ଟି ସଫଳ ହୋଇଛି। ଅଲ୍‌-ବଶିର ୧୯୮୯ରେ କ୍ଷମତାକୁ ଆସିବା ପରେ ଦେଶର ଅର୍ଥନୀତି ଅଧିକ ଦୁର୍ବଳ ହୋଇଯାଇଥିଲା। ଏବର ସ୍ଥିତ ଅର୍ଥ ବ୍ୟବସ୍ଥାକୁ ଆହୁରି ଦୟନୀୟ କରିଦେବାର ଆଶଙ୍କା ସୃଷ୍ଟି ହୋଇଛି।
ବିଶ୍ୱର ଭୂ-ରାଜନୈତିକ ମାନଚିତ୍ରକୁ ଦେଖିଲେ ଗତ ଅଗଷ୍ଟ ୧୫ରେ ତାଲିବାନ୍‌ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରଠାରୁ ଆତଙ୍କବାଦୀ ଓ ଉଗ୍ରପନ୍ଥୀମାନେ ଅଧିକ ସକ୍ରିୟ ହୋଇଯାଇଥିବା ଦେଖିବାକୁ ମିଳୁଛି। ଏହାର କାରଣ ହେଉଛି ତାଲିବାନ୍‌ ସେଠାରେ ଯେତେ ଅତ୍ୟାଚାର କଲେ ମଧ୍ୟ ନାଗରିକଙ୍କୁ ସୁରକ୍ଷା ଦେବା, ଏପରି କି ବଡ଼ ଧମକଟିଏ ଦେବାରେ ଜାତିସଂଘ ବିଫଳ ହୋଇଛି। ବିଶ୍ୱର ବିଭିନ୍ନ ଦେଶରୁ ଅନୁଦାନ ପାଇ ସମୃଦ୍ଧ ହୋଇଛି ଜାତିସଂଘ। ବିଶ୍ୱଯୁଦ୍ଧ ପରେ ଚିନ୍ତା କରାଯାଇଥିଲା ଏହି ସଙ୍ଗଠନ ପ୍ରତି ସବୁ ଦେଶର ସାମାଜିକ, ଆର୍ଥିକ ଓ ରାଜନୈତିକ ସମର୍ଥନ ରହିବ। ଫଳରେ ପୃଥିବୀର ଯେକୌଣସି ସ୍ଥାନରେ ଅଶାନ୍ତି ସୃଷ୍ଟି ହେଲେ ସେଥିରେ ହସ୍ତକ୍ଷେପ କରି ମାନବ ଅଧିକାର ସୁରକ୍ଷିତ କରିବାରେ ଜାତିସଂଘ ଚେଷ୍ଟିତ ହେବ। ଏବେ ତାହାର ଦାନ୍ତ ନ ଥିବା ଭଳି ମନେହେଉଛି। ଯେଉଁ ନେତାମାନେ ନ୍ୟୁୟର୍କ ଯାଇ ଜାତିସଂଘରେ ଭାଷଣ ଦେଉଛନ୍ତି, ସେହି ସଂସ୍ଥାର କାର୍ଯ୍ୟ ସେତିକିରେ ସୀମିତ ରହିଗଲା ଭଳି ପ୍ରତୀୟମାନ ହେଉଛି। ଏଭଳି ସ୍ଥିତିରେ ସୁଦାନ ଭଳି ଦେଶକୁ ସୁରକ୍ଷା ଦେବାକୁ କେହି ଆଗେଇ ଆସିବେ ବୋଲି ବିଶ୍ୱାସ ହେଉନାହିଁ। ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ, ଚାଇନା ଓ ରୁଷିଆ ଭଳି ଦେଶ ନିଜ ସ୍ବାର୍ଥ ପାଇଁ ତାଲିବାନକୁ ସମର୍ଥନ କରୁଛନ୍ତି। ବିଶ୍ୱର ସୁପରପାଓ୍ବାର କୁହାଯାଉଥିବା ଆମେରିକା ଓ ନାଟୋର ସେନା ଆଫଗାନିସ୍ତାନରୁ ପ୍ରତ୍ୟାହାର ହେବା ଆରମ୍ଭ କରିବା ଦିନୁ ତାଲିବାନ୍‌ ଆତଙ୍କରାଜ ସୃଷ୍ଟି କରିଦେଇଥିଲା। ତାଲିବାନ୍‌ ବଳୀୟାନ ହେବା ଦେଖି ମନେହେଉଛି ଯେପରି ଅନ୍ୟସବୁ ମୁସଲମାନ ଦେଶର ଅରାଜକତା ବୃଦ୍ଧି କରାଉଥିବା ଶକ୍ତି ବଳବାନ ହେଉଛନ୍ତି। ସୁଦାନ ତାହାର ଏକ ଜ୍ୱଳନ୍ତ ଉଦାହରଣ।
କିଛିବର୍ଷ ତଳେ ଆତଙ୍କବାଦ ଉଗ୍ର ରୂପ ଧାରଣ କରିଥିବା ବେଳେ ଜାତିସଂଘ ସହ ଅନ୍ତର୍ଜାତୀୟ ସ୍ତରୀୟ ବହୁ ସଙ୍ଗଠନ ଏହାକୁ ବିରୋଧ କରିଥିଲେ। କେତେକ ଦେଶ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ତା’ ପରେ ଉଗ୍ରପନ୍ଥୀମାନେ ଡରିବାକୁ ଲାଗିଥିଲେ। ଏହା ପରେ ସେହି ପ୍ରସଙ୍ଗକୁ ଗୌଣ କରି ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନକୁ ଅଗ୍ରାଧିକାର ଦିଆଗଲା। ଆଜିର ସ୍ଥିତିରେ ଏହା ଗୁରୁତ୍ୱ ପାଇବା ଦରକାର। କିନ୍ତୁ ଏଥିସହିତ ଏକଚ୍ଛତ୍ରବାଦ, ଆତଙ୍କବାଦ ଓ ସାମରିକ ବଳ ପ୍ରୟୋଗ କରୁଥିବା ବ୍ୟକ୍ତି ଏବଂ ସଙ୍ଗଠନ ଉପରେ ବିଶ୍ୱସ୍ତରରେ ତୀକ୍ଷ୍ଣ ନଜର ରଖା ନ ଗଲେ ଆଫଗାନିସ୍ତାନ ଭଳି ସୁଦାନ ମଧ୍ୟ ଅନ୍ଧାର ଯୁଗକୁ ଠେଲି ହୋଇଯାଇପାରେ। ଏଥିସହିତ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ନିକଟରେ କହିଛନ୍ତି, ପୃଥିବୀ ପାଇଁ ଏବେ ମୁଖ୍ୟ ବିପଦ ଭାବେ ପୁନଃ ଆତଙ୍କବାଦ ଆବିର୍ଭାବ ହୋଇଛି। ଚାଇନା ନେତାଙ୍କ ଏଭଳି ମତ ବିଶ୍ୱକୁ ବିବ୍ରତ କରିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri