ମିଲିଟାରୀ ହାତରେ ସୁଦାନ

ଉତ୍ତରପୂର୍ବ ଆଫ୍ରିକାରେ ସୁଦାନ ଅବସ୍ଥିତ। ବିଶ୍ୱର ଅନ୍ୟତମ ଅତ୍ୟନ୍ତ ଦରିଦ୍ର ଦେଶ ଭାବେ ସର୍ବଦା କୁଖ୍ୟାତି ଅର୍ଜନ କରିଆସିଛି। ଅନେକ ହଜାର ଶିଶୁ ଅପପୁଷ୍ଟି ଯୋଗୁ ମୃତ୍ୟୁମୁଖରେ ପଡ଼ିବା ଖବର ସର୍ବଦା ଶୁଣିବାକୁ ମିଳେ। ଗୃହଯୁଦ୍ଧ ଯୋଗୁ ଏହାର ଅର୍ଥନୀତି ନିମ୍ନ ସ୍ତରରେ ଅଛି। ଏବେ ସେଠାରେ ସାମରିକ ବଳ ପ୍ରୟୋଗ ଯୋଗୁ ରାଜନୈତିକ ସଙ୍କଟ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଦୀର୍ଘବର୍ଷ ଧରି ଏକଚ୍ଛତ୍ରବାଦ ଚଳାଇ ଆସିଥିବା ତତ୍‌କାଳୀନ ରାଷ୍ଟ୍ରପତି ଓମାର ଅଲ୍‌-ବଶିରଙ୍କୁ ୨୦୧୯ରେ କ୍ଷମତାଚ୍ୟୁତ କରାଯାଇଥିଲା। ପରେ ସେଠାରେ ସେନା ଓ ନାଗରିକ ନେତାମାନେ ମିଶି ସରକାର ଗଠନ କରିଥିଲେ। ସଂସ୍କାର ଆଣିବା ନାମରେ ସେନା କ୍ୟାବିନେଟକୁ ହଟେଇବା ଲାଗି ଚାହିଁବାରୁ ନାଗରିକ ନେତାମାନେ ନିକଟରେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରିଣାମ ସ୍ବରୂପ ସେନା ୨୫ ଅକ୍ଟୋବରରେ ସାମରିକ ବିଦ୍ରୋହ କରି ଦେଶର ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ ଥିବା ଅବଦୁଲ୍ଲା ହମ୍‌ଦୋକ୍‌ଙ୍କୁ ଅଜ୍ଞାତ ସ୍ଥାନକୁ ନେଇଯାଇଛି। ତାଙ୍କ ସହିତ ସରକାରରେ ଥିବା କେତେକ ମନ୍ତ୍ରୀ ଓ ନେତାଙ୍କୁ ଅଟକ ରଖାଯାଇଥିବା ଖବର ମିଳିଛି। ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରକ୍ରିୟାରେ ବ୍ୟାହତ ସୃଷ୍ଟି କରି ସେନା ବଳପୂର୍ବକ ଶାସନକୁ ନିଜ ଆଡ଼କୁ ନେବାରେ କରିଥିବା ଉଦ୍ୟମକୁ ଦେଶବାସୀ ନିନ୍ଦା କରିଛନ୍ତି। ରାଜଧାନୀ ଖାର୍ଟୁମ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରତିବାଦ ସ୍ବରୂପ ନାଗରିକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଦୁଇ ପ୍ରତିବାଦକାରୀ ପ୍ରାଣ ହରାଇଛନ୍ତି। ହିଂସାକାଣ୍ଡ ବ୍ୟାପକ ହେବା ଆଶଙ୍କାରେ ଦେଶରେ ଜରୁରିକାଳୀନ ସ୍ଥିତି ଜାରି କରାଯାଇଛି। ଫଳରେ ବିଶ୍ୱବ୍ୟାପୀ ଏ ନେଇ ଚିନ୍ତା ପ୍ରକଟ ପାଇଛି।
ଆମେରିକୀୟ ଗବେଷକ ଜୋନାଥନ୍‌ ପାଓ୍ବେଲ ଓ କ୍ଲେଟନ୍‌ ଦାଏନିଙ୍କ ରିପୋର୍ଟ ଅନୁଯାୟୀ ୧୯୫୦ରୁ ଆଫ୍ରିକାର ବିଭିନ୍ନ ଦେଶରେ ୨୦୦ ଥର ସାମରିକ ବିଦ୍ରୋହ ଜରିଆରେ କ୍ଷମତା ଦଖଲ କରାଯାଇଛି। ୧୯୫୬ରେ ସୁଦାନ ବ୍ରିଟେନଠାରୁ ସ୍ବାଧୀନ ହୋଇଥିଲା। ଏହା ପରେ ସେଠାରେ ହୋଇଥିବା ୮ ଥର ସାମରିକ ବିଦ୍ରୋହ ମଧ୍ୟରୁ ୫ଟି ସଫଳ ହୋଇଛି। ଅଲ୍‌-ବଶିର ୧୯୮୯ରେ କ୍ଷମତାକୁ ଆସିବା ପରେ ଦେଶର ଅର୍ଥନୀତି ଅଧିକ ଦୁର୍ବଳ ହୋଇଯାଇଥିଲା। ଏବର ସ୍ଥିତ ଅର୍ଥ ବ୍ୟବସ୍ଥାକୁ ଆହୁରି ଦୟନୀୟ କରିଦେବାର ଆଶଙ୍କା ସୃଷ୍ଟି ହୋଇଛି।
ବିଶ୍ୱର ଭୂ-ରାଜନୈତିକ ମାନଚିତ୍ରକୁ ଦେଖିଲେ ଗତ ଅଗଷ୍ଟ ୧୫ରେ ତାଲିବାନ୍‌ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରଠାରୁ ଆତଙ୍କବାଦୀ ଓ ଉଗ୍ରପନ୍ଥୀମାନେ ଅଧିକ ସକ୍ରିୟ ହୋଇଯାଇଥିବା ଦେଖିବାକୁ ମିଳୁଛି। ଏହାର କାରଣ ହେଉଛି ତାଲିବାନ୍‌ ସେଠାରେ ଯେତେ ଅତ୍ୟାଚାର କଲେ ମଧ୍ୟ ନାଗରିକଙ୍କୁ ସୁରକ୍ଷା ଦେବା, ଏପରି କି ବଡ଼ ଧମକଟିଏ ଦେବାରେ ଜାତିସଂଘ ବିଫଳ ହୋଇଛି। ବିଶ୍ୱର ବିଭିନ୍ନ ଦେଶରୁ ଅନୁଦାନ ପାଇ ସମୃଦ୍ଧ ହୋଇଛି ଜାତିସଂଘ। ବିଶ୍ୱଯୁଦ୍ଧ ପରେ ଚିନ୍ତା କରାଯାଇଥିଲା ଏହି ସଙ୍ଗଠନ ପ୍ରତି ସବୁ ଦେଶର ସାମାଜିକ, ଆର୍ଥିକ ଓ ରାଜନୈତିକ ସମର୍ଥନ ରହିବ। ଫଳରେ ପୃଥିବୀର ଯେକୌଣସି ସ୍ଥାନରେ ଅଶାନ୍ତି ସୃଷ୍ଟି ହେଲେ ସେଥିରେ ହସ୍ତକ୍ଷେପ କରି ମାନବ ଅଧିକାର ସୁରକ୍ଷିତ କରିବାରେ ଜାତିସଂଘ ଚେଷ୍ଟିତ ହେବ। ଏବେ ତାହାର ଦାନ୍ତ ନ ଥିବା ଭଳି ମନେହେଉଛି। ଯେଉଁ ନେତାମାନେ ନ୍ୟୁୟର୍କ ଯାଇ ଜାତିସଂଘରେ ଭାଷଣ ଦେଉଛନ୍ତି, ସେହି ସଂସ୍ଥାର କାର୍ଯ୍ୟ ସେତିକିରେ ସୀମିତ ରହିଗଲା ଭଳି ପ୍ରତୀୟମାନ ହେଉଛି। ଏଭଳି ସ୍ଥିତିରେ ସୁଦାନ ଭଳି ଦେଶକୁ ସୁରକ୍ଷା ଦେବାକୁ କେହି ଆଗେଇ ଆସିବେ ବୋଲି ବିଶ୍ୱାସ ହେଉନାହିଁ। ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ, ଚାଇନା ଓ ରୁଷିଆ ଭଳି ଦେଶ ନିଜ ସ୍ବାର୍ଥ ପାଇଁ ତାଲିବାନକୁ ସମର୍ଥନ କରୁଛନ୍ତି। ବିଶ୍ୱର ସୁପରପାଓ୍ବାର କୁହାଯାଉଥିବା ଆମେରିକା ଓ ନାଟୋର ସେନା ଆଫଗାନିସ୍ତାନରୁ ପ୍ରତ୍ୟାହାର ହେବା ଆରମ୍ଭ କରିବା ଦିନୁ ତାଲିବାନ୍‌ ଆତଙ୍କରାଜ ସୃଷ୍ଟି କରିଦେଇଥିଲା। ତାଲିବାନ୍‌ ବଳୀୟାନ ହେବା ଦେଖି ମନେହେଉଛି ଯେପରି ଅନ୍ୟସବୁ ମୁସଲମାନ ଦେଶର ଅରାଜକତା ବୃଦ୍ଧି କରାଉଥିବା ଶକ୍ତି ବଳବାନ ହେଉଛନ୍ତି। ସୁଦାନ ତାହାର ଏକ ଜ୍ୱଳନ୍ତ ଉଦାହରଣ।
କିଛିବର୍ଷ ତଳେ ଆତଙ୍କବାଦ ଉଗ୍ର ରୂପ ଧାରଣ କରିଥିବା ବେଳେ ଜାତିସଂଘ ସହ ଅନ୍ତର୍ଜାତୀୟ ସ୍ତରୀୟ ବହୁ ସଙ୍ଗଠନ ଏହାକୁ ବିରୋଧ କରିଥିଲେ। କେତେକ ଦେଶ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ତା’ ପରେ ଉଗ୍ରପନ୍ଥୀମାନେ ଡରିବାକୁ ଲାଗିଥିଲେ। ଏହା ପରେ ସେହି ପ୍ରସଙ୍ଗକୁ ଗୌଣ କରି ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନକୁ ଅଗ୍ରାଧିକାର ଦିଆଗଲା। ଆଜିର ସ୍ଥିତିରେ ଏହା ଗୁରୁତ୍ୱ ପାଇବା ଦରକାର। କିନ୍ତୁ ଏଥିସହିତ ଏକଚ୍ଛତ୍ରବାଦ, ଆତଙ୍କବାଦ ଓ ସାମରିକ ବଳ ପ୍ରୟୋଗ କରୁଥିବା ବ୍ୟକ୍ତି ଏବଂ ସଙ୍ଗଠନ ଉପରେ ବିଶ୍ୱସ୍ତରରେ ତୀକ୍ଷ୍ଣ ନଜର ରଖା ନ ଗଲେ ଆଫଗାନିସ୍ତାନ ଭଳି ସୁଦାନ ମଧ୍ୟ ଅନ୍ଧାର ଯୁଗକୁ ଠେଲି ହୋଇଯାଇପାରେ। ଏଥିସହିତ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ନିକଟରେ କହିଛନ୍ତି, ପୃଥିବୀ ପାଇଁ ଏବେ ମୁଖ୍ୟ ବିପଦ ଭାବେ ପୁନଃ ଆତଙ୍କବାଦ ଆବିର୍ଭାବ ହୋଇଛି। ଚାଇନା ନେତାଙ୍କ ଏଭଳି ମତ ବିଶ୍ୱକୁ ବିବ୍ରତ କରିବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri