ଶ୍ରୀଲଙ୍କା ସଙ୍କଟ

୪ ଏପ୍ରିଲ ୨୦୨୨ରେ ଶ୍ରୀଲଙ୍କା କ୍ୟାବିନେଟ ବୈଠକ ବସିଥିଲା ଓ ସେଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସମ୍ପୂର୍ଣ୍ଣ ମନ୍ତ୍ରିମଣ୍ଡଳ ଏକକାଳୀନ ଇସ୍ତଫା ଦେଇଛନ୍ତି। ଦ୍ୱୀପ ଦେଶ ଶ୍ରୀଲଙ୍କାରେ ରାଜନୈତିକ ଖିଆଲି ନିଷ୍ପତ୍ତି ତା’ର ଅର୍ଥନୀତିକୁ ତଳିତଳାନ୍ତ କରିଦେଇଛି। ଅର୍ଥ, ଖାଦ୍ୟ ଓ ତେଲ ସଙ୍କଟ ଯୋଗୁ ସେଠାକାର ନାଗରିକ ଦହଗଞ୍ଜ ହୋଇପଡ଼ିଲେଣି ବୋଲି ଦେଶବ୍ୟାପୀ ପ୍ରତିବାଦରୁ ବୁଝାପଡ଼ୁଛି। ଜନସାଧାରଣ ରାସ୍ତାଠାରୁ ଆରମ୍ଭକରି ରାଷ୍ଟ୍ରପତିଙ୍କ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ସରକାର ସେଠାରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। କର୍ଫ୍ୟୁ ଲାଗୁ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ନାଗରିକମାନେ ଏକତ୍ରିତ ହୋଇ ସରକାର ବିରୋଧୀ ସ୍ଲୋଗାନ ଦେଉଛନ୍ତି। ପର୍ଯ୍ୟଟନରୁ ମିଳୁଥିବା ଅର୍ଥ ଓ ବିଶ୍ୱକୁ ବସ୍ତ୍ର ରପ୍ତାନି କରି ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁଦୃଢ଼ କରି ରଖିଥିବା ଶ୍ରୀଲଙ୍କା ଅର୍ଥନୀତିରେ ଗ୍ରହଣ ଲଗେଇ ଦେଇଥିଲା ୨୦୧୯ର ଇଷ୍ଟର ସଣ୍ଡେ ବିସ୍ଫୋରଣ। ତା’ ପରେ କୋଭିଡ୍‌-୧୯ ଯୋଗୁ ଏହି କ୍ଷେତ୍ର ୨୦୨୦ରେ ଅଧିକ ପ୍ରଭାବିତ ହୋଇଥିଲା। ଫୁଟା ଡଙ୍ଗାରେ ପାଣି ପଶୁଥିବା ବେଳେ ତାହାକୁ ବୁଡ଼ାଇବାରେ ବଳ ଦେଇଛି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଏବଂ ଅର୍ଥମନ୍ତ୍ରୀ ବାସିଲ ରାଜପାକ୍ସେଙ୍କ ପରିବାର। ଦେଶର ସମ୍ପୂର୍ଣ୍ଣ ରାଜନୀତିକୁ ଏହି ତିନିଭାଇ ନିୟନ୍ତ୍ରଣ କରିବା ଦେଶ ପାଇଁ କାଳ ହୋଇଛି। ଏଥିସହିତ କୃଷି କ୍ଷେତ୍ରରେ ରାସାୟନିକ ସାର ପ୍ରୟୋଗକୁ ହଠାତ୍‌ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇ ଜୈବିକ କୃଷିକୁ ବାଧ୍ୟତାମୂଳକ କରି ଦିଆଯିବା ଦ୍ୱାରା ଖାଦ୍ୟ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଅର୍ଥନୈତିକ ସ୍ଥିତି ଏଭଳି ସ୍ତରକୁ ଚାଲିଯାଇଛି ଯେ, ନିକଟ ଭବିଷ୍ୟତରେ ଏଥିରେ ପରିବର୍ତ୍ତନ ଆସିବା ଦେଖାଯାଉ ନାହିଁ ବୋଲି କୁହାଗଲାଣି।
ଶ୍ରୀଲଙ୍କା ଆଜି ଯେଉଁ ଘୋର ଦୁର୍ଦ୍ଦିନ ଦେଇ ଗତି କରୁଛି ତାହାର କାରଣ ଖୋଜିଲେ ପ୍ରଥମରେ ଆସୁଛି ଜୈବିକ କୃଷି ନୀତି। କୌଣସି ଏକ ବ୍ୟବସ୍ଥିତ ପର୍ଯ୍ୟାୟରୁ ନୂତନ ପର୍ଯ୍ୟାୟକୁ ଗତି କରିବା ଲାଗି ନୀତି ପ୍ରଣୟନ କରାଗଲେ ସମ୍ପୂର୍ଣ୍ଣ ଭାବେ ପୁରୁଣାକୁ ବାଦ୍‌ ଦିଆଯିବା କଥା ନୁହଁ। ଯେହେତୁ ଦୀର୍ଘବର୍ଷ ଧରି ଜନସାଧାରଣ ରାସାୟନିକ ସାର ବ୍ୟବହାର କରି ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉତ୍ପାଦନ କରିପାରୁଥିଲେ ଓ ତାହା ଦ୍ୱାରା ସେମାନଙ୍କ ଖାଦ୍ୟ ନିରାପତ୍ତା ବଜାୟ ରହୁଥିଲା, ସେହେତୁ ଜୈବିକ ପ୍ରଣାଳୀର ଚାଷ ସେହି ସ୍ଥାନ ଶୀଘ୍ର ନେଇପାରିବ ନାହିଁ ବୋଲି ନୀତି ନିର୍ଦ୍ଧାରକମାନେ ଚିନ୍ତା କରିବାର ଥିଲା। ଏମିତି ଦେଖିଲେ ଜୈବିକ କୃଷିରେ ଉତ୍ପାଦନ ରାସାୟନିକ ପଦ୍ଧତିରେ ହେଉଥିବା ଚାଷଠାରୁ କମ୍‌ ରହିଥାଏ। ଏବେ ଯେତେବେଳେ ଆବଶ୍ୟକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରୁ ନାହିଁ, ଜନସାଧାରଣ ଭୋକ ବିକଳରେ ରାସ୍ତାକୁ ଓହ୍ଲାଇଛନ୍ତି। ଦ୍ୱିତୀୟରେ ରାଜପାକ୍ସେ ଭ୍ରାତୃତ୍ରୟଙ୍କ ନୀତି ଯୋଗୁ ଚାଇନାର ଋଣ ଯନ୍ତାରେ ପଡ଼ିଛି ଶ୍ରୀଲଙ୍କା। ଚାଇନାଠାରୁ ଅଧିକ ସୁଧହାରରେ ଋଣ ଆଣି ତାହାକୁ ଶୁଝିବାରେ ତହବିଲରୁ ବିପୁଳ ଅର୍ଥ ବ୍ୟୟ ହେଉଛି। ଏଥିସହିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ରୁ ଆଣିଥିବା ଋଣ ଅର୍ଥ ପରିଶୋଧ କରିବ କ’ଣ କଲମ୍ବୋ ଏହି ଅନ୍ତର୍ଜାତୀୟ ସଂସ୍ଥାଠାରୁ ବେଲ୍‌ଆଉଟ୍‌ (ତ୍ରାଣଥାଳ) ପ୍ୟାକେଜ ଆଶା କଲାଣି। ଏଭଳି ସ୍ଥଳେ ଭାରତ ୨.୪୦ ବିଲିୟନ ଡଲାର ଆର୍ଥତ୍କ ସହାୟତା ଶ୍ରୀଲଙ୍କାକୁ ଆଶ୍ୱସ୍ତି ଆଣିଦେଇଛି।
ଏକଦା ଏକ ଉତ୍ତମ ଅର୍ଥନୈତିକ ସ୍ଥିତିରେ ଥିବା ଶ୍ରୀଲଙ୍କା ଏବେ ତଳକୁ ଖସିବା ପଛରେ ରାଜନୈତିକ ନେତୃତ୍ୱ ଦାୟୀ ବୋଲି କୁହାଯାଇପାରେ। ସର୍ବସାଧାରଣଙ୍କ ଅର୍ଥକୁ ଠିକ୍‌ ଭାବେ ପରିଚାଳନା କରିବାରେ ସରକାର ଥରେ ବିଫଳ ହେଲେ ‘ବୁଡ଼ି ଯାଉଥିବା ଗୋଡ଼ ତଳକୁ ତଳକୁ’ ଭଳି ଉପରକୁ ଉଠିବା ସହସା ସମ୍ଭବ ହୋଇ ନ ଥାଏ। ଶ୍ରୀଲଙ୍କାରେ ଆୟକର ଓ ଭାଟ୍‌ ପଞ୍ଜୀକରଣରେ ଅତ୍ୟଧିକ ସୁବିଧା ଦିଆଯାଇଥିବାରୁ ପ୍ରବଳ ରାଜସ୍ବ କ୍ଷତି ଘଟିଛି। ଉଲ୍ଲେଖଯୋଗ୍ୟ, ଏବେ ଖବର ମିଳିଛି ଭାରତର କେନ୍ଦ୍ର ସରକାରଙ୍କ କେତେକ ବରିଷ୍ଠ ଅମଲାତନ୍ତ୍ରୀ କହିଛନ୍ତି ଯେ ରାଜ୍ୟଗୁଡ଼ିକ ଲୋକପ୍ରିୟ ଯୋଜନା କରି ସରକାରୀ ସାହାଯ୍ୟ ଓ ସବ୍‌ସିଡି ଦେବା ଫଳରେ ଏଠାରେ ମଧ୍ୟ ଶ୍ରୀଲଙ୍କା ଭଳି ସ୍ଥିତି ଉପୁଜିପାରେ। ଏଠାରେ ଏହି କଥାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇପାରିବ। କାରଣ ଏହି ସଚିବମାନେ ଦେଇଥିବା ଉକ୍ତ ଚିଠାରେ ପଞ୍ଜାବ, ଦିଲ୍ଲୀ, ପଶ୍ଚିମବଙ୍ଗ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ନାମ ଉଲ୍ଲେଖ କରିଛନ୍ତି। ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଅଣଭାଜପା ରାଜ୍ୟଗୁଡ଼ିକୁ ଲକ୍ଷ୍ୟରେ ରଖି ଏଭଳି ମତ ପ୍ରଦାନ କରାଯାଇଛି। ଭାରତର କେନ୍ଦ୍ର ସରକାର ଦେଇଥିବା ବିଭିନ୍ନ ଆର୍ଥିକ ଲାଞ୍ଚ ଯଥା ଉଜ୍ଜ୍ୱଳା ଓ ପିଏମ୍‌କିଷାନ ଭଳି କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଭାରତର ଅମଲାତନ୍ତ୍ରୀ ମଧ୍ୟ ଦେଶର ହିତ ପରିବର୍ତ୍ତେ ରାଜନୈତିକ ଖେଳ ଖେଳିବାରେ ବ୍ୟସ୍ତ ରହୁଛନ୍ତି।
କୋଭିଡ୍‌-୧୯ ଶ୍ରୀଲଙ୍କାର ପର୍ଯ୍ୟଟନକୁ ନଷ୍ଟ କରିବା ସହ ଲକ୍‌ଡାଉନ୍‌ ଯୋଗୁ ଅସଂଖ୍ୟ ବସ୍ତ୍ର ଶିଳ୍ପରେ ତାଲା ପଡ଼ିଯିବାରୁ ରପ୍ତାନି ଘୋର ପ୍ରଭାବିତ ହୋଇଛି। ବର୍ତ୍ତମାନ ଖାଦ୍ୟ ସଙ୍କଟ ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେଉଛି। ଏହା ସ୍ବାଭାବିକ ବିଷୟ ଯେ, ଏକ ରାଷ୍ଟ୍ରରେ ଖାଦ୍ୟ ସଙ୍କଟ ଦେଖାଦେଲେ ନାଗରିକଙ୍କ ଯୋଗଦାନ ଜାତୀୟ ଆୟକୁ କ୍ଷୀଣ କରିଦେବ।
ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ସଙ୍କଟରୁ ଭାରତ ଶିକ୍ଷା ଗ୍ରହଣ କରିବା କଥା। କେବଳ ଶ୍ରୀଲଙ୍କା ନୁହେଁ, ପାକିସ୍ତାନରେ ଅର୍ଥନୈତିକ କୁପରିଚାଳନାରୁ ଦେଖାଦେଇଥିବା ରାଜନୈତିକ ବିଶୃଙ୍ଖଳାକୁ ମଧ୍ୟ ନୂଆଦିଲ୍ଲୀ ଅନିଶା କରିବା ଦରକାର। ଶ୍ରୀଲଙ୍କାକୁ ଜୈବିକ କୃଷି ରାଷ୍ଟ୍ରରେ ପରିଣତ କରିବା ଲାଗି ରାଜପାକ୍ସେ ଭ୍ରାତାଙ୍କ ଚିନ୍ତନ ଦେଶ ପାଇଁ ଅଶୁଭ ସାବ୍ୟସ୍ତ ହେଲା ଭଳି ଭାରତରେ କୃଷି କ୍ଷେତ୍ରରେ ନିଆଯାଉଥିବା ନିଷ୍ପତ୍ତି ଭବିଷ୍ୟତରେ ଏଠାକାର ଖାଦ୍ୟ ନିରାପତ୍ତା ପ୍ରତି ବିପଦ ଆଣିଦେଇପାରେ। ଅବଶ୍ୟ ଭାରତରେ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଭୁଲ ଥିଲା ବୋଲି ସ୍ବୀକାର କରିଛନ୍ତି। ନିକଟ ଅତୀତକୁ ଦେଖିଲେ ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଭଳି ଅର୍ଥନୈତିକ ପଦକ୍ଷେପ କାର୍ଯ୍ୟକାରୀ କରି କେନ୍ଦ୍ର ସରକାର ଜାତୀୟ ଅର୍ଥନୀତିକୁ ଯେଉଁ କ୍ଷତି ପହଞ୍ଚାଇଛନ୍ତି, ତାହାକୁ ଦେଶବାସୀ ଭୋଗୁଛନ୍ତି। ଏବେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ କରିବା ଏବଂ ବଳକା ସରକାରୀ ସମ୍ପତ୍ତିକୁ ବିକ୍ରି କିମ୍ବା ଲିଜ୍‌ ସୂତ୍ରରେ ଦିଆଯାଇ ଅର୍ଥ ଆଦାୟର ଯୋଜନା କରାଯାଉଛି। ଏଭଳି ସ୍ଥିତି ଜାରି ରହିଲେ ଭାରତର ଲୋକସଂଖ୍ୟା ଓ ଆକାରକୁ ଦେଖିଲେ ଯଦି ଭବିଷ୍ୟତରେ ଅର୍ଥନୈତିକ ଦୁଃସ୍ଥିତି ଘଟେ, ତେବେ ତାହାକୁ ଏଠାକାର ନେତୃତ୍ୱ ନିୟନ୍ତ୍ରଣ ମଧ୍ୟକୁ ଆଣିବା କଷ୍ଟକର ହୋଇପଡ଼ିବା ଥୟ।

ଭାରତର ଅମଲାତନ୍ତ୍ରୀ ମଧ୍ୟ ଦେଶର ହିତ ପରିବର୍ତ୍ତେ ରାଜନୈତିକ ଖେଳ ଖେଳିବାରେ ବ୍ୟସ୍ତ ରହୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri