କଲମ୍ବୋ,୭।୧୧: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସୋମବାର ଏହାର ଜାତୀୟ ଦଳର ଖେଳାଳି ଦନୁଷ୍କା ଗୁନାଥିଲାକାଙ୍କୁ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ନିଲମ୍ବିତ କରିଛି। ବିଶ୍ୱକପ୍ ସମୟରେ ଅଷ୍ଟ୍ରେଲିଆର ଜଣେ ମହିଳାଙ୍କୁ ବଳାତ୍କାର ଅଭଯୋଗରେ ସେ ଗିରଫ ହେବା ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ରବିବାର ସକାଳେ ଗୁନାଥିଲାକାଙ୍କୁ ଗିରଫ କରାଯାଇଥିଲା। ନଭେମ୍ବର ୨ରେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗର ଅନୁସନ୍ଧାନ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଶ୍ରୀଲଙ୍କା କ୍ରିକେଟ ଏକ ବିବୃତ୍ତିରେ କହିଛି ଯେ, ଶ୍ରୀଲଙ୍କା କ୍ରିକେଟ କାର୍ଯ୍ୟନିର୍ବାହୀ କମିଟି ଜାତୀୟ ଦଳର ଖେଳାଳି ଗୁନାଥିଲାକା ସମସ୍ତ ପ୍ରକାର କ୍ରିକେଟରୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି। ଚୟନ ଲାଗି ତାଙ୍କ ନାମ ବିଚାର କରାଯିବ ନାହିଁ। ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗୁନାଥିଲାକା ଗିରଫ ହେବା ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ଏଥିସହ ଶ୍ରୀଲଙ୍କା କ୍ରିକେଟ ଅଭିଯୁକ୍ତ ଅପରାଧର ତଦନ୍ତ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ଏବଂ ଯଦି ଅଷ୍ଟ୍ରେଲିଆରେ କୋର୍ଟରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ଉକ୍ତ ଖେଳାଳିଙ୍କୁ ଦଣ୍ଡିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ବୋର୍ଡ କହିଛି। ଜଣେ ଖେଳାଳିଙ୍କ ଏପରି ଆଚରଣ ହେଲେ ଏହା ଏକ ଶୂନ୍ୟ-ସହନଶୀଳତା ନୀତି ଆପଣାଇଥାଏ ଏବଂ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଅଷ୍ଟ୍ରେଲୀୟ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବ ବୋଲି ଏସ୍ଏଲ୍ସି କହିଛି।