ସ୍ପୋଟର୍‌ସ କ୍ୟାପିଟାଲ ଓ କ୍ରୀଡ଼ାର ବିକାଶ

ଅନିଲ ବିଶ୍ୱାଳ

ଓଡ଼ିଶା ହେଉଛି ଦେଶର ସ୍ପୋଟର୍‌ସ କ୍ୟାପିଟାଲ ଅର୍ଥାତ୍‌ ଖେଳର ରାଜଧାନୀ। ବିଭିନ୍ନ ସଭାସମିତିରେ, ସରକାରଙ୍କର ପ୍ରଚାରପତ୍ରରେ, ଗଣମାଧ୍ୟମରେ ପ୍ରକାଶିତ ବିଜ୍ଞାପନ ମାଧ୍ୟମରେ ଏହି ଶବ୍ଦ ଏପରି ପ୍ରଚଳନ ହୋଇଯାଇଛି ଯେ ଯେମିତି ଲାଗୁଛି ଓଡ଼ିଶା ଭାରତରେ ବୋଧହୁଏ କ୍ରୀଡ଼ା କ୍ଷେତ୍ରରେ ବହୁତ ଆଗରେ ଅଛି ଓ କ୍ରୀଡ଼ା ଭିତ୍ତିଭୂମି, କ୍ରୀଡ଼ାବିତ୍‌ଙ୍କର ବିକାଶ ଆଦି କ୍ଷେତ୍ରରେ ଦେଶର ସମସ୍ତ ରାଜ୍ୟଙ୍କୁ ପଛରେ ପକାଇ ସାରିଲାଣି,ଏମିତି ଗୋଟିଏ ଧାରଣା ତିଆରି ହୋଇସାରିଛି। ହଁ ଏଥିରେ ସନ୍ଦେହ ନାହିଁ ଯେ ଓଡ଼ିଶାରେ ବିଗତ କିଛିବର୍ଷ ଭିତରେ ଅନେକ ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ ହୋଇଛି। ହେଲେ ଆମେ କେବଳ ପ୍ରତିଯୋଗିତା ଆୟୋଜନରେ ସୀମିତ ହୋଇଯାଉଛୁ ନା ସତରେ ଆମ ରାଜ୍ୟରେ କ୍ରୀଡ଼ାର ବିକାଶ ହୋଇଛି ଏହା ଆଜିର ସମୟର ଏକ ବଡ଼ ପ୍ରଶ୍ନ। ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ୨୦୧୭ରେ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ, ୨୦୧୮ର ପୁରୁଷ ହକି ବିଶ୍ୱ କପ, ଦକ୍ଷିଣ ଏସିଆ ୨୦ବର୍ଷରୁ କମ୍‌ ଫୁଟବଲ ଟୁର୍ନାମେଣ୍ଟ, ବିଶ୍ୱ ହକି ସିରିଜ, ହକି ଜୁନିୟର ବିଶ୍ୱ କପ ଭଳି ଅନେକ ସମ୍ମାନଜନକ ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଛି। ସେହିପରି ଆଗାମୀ ୨୦୨୩ରେ ପୁରୁଷ ହକି ବିଶ୍ୱ କପ ମଧ୍ୟ ଆୟୋଜନ ହେବାକୁ ଯାଉଛି। ହକି ଖେଳୁଥିବା ଦେଶଗୁଡ଼ିକ ତାଲିକାରେ ଅନେକ ବିକଶିତ ଦେଶ ରହିଛନ୍ତି। ହେଲେ ସେହି ବିକଶିତ ଦେଶଗୁଡ଼ିକ ଯେତିକି ପ୍ରତିଯୋଗିତା ଆୟୋଜନ କରୁଛନ୍ତି ତା’ଠାରୁ ବେଶି ପ୍ରତିଯୋଗିତା ଆମ ଓଡ଼ିଶାରେ ହେଉଛି, ତାହା ପୁଣି ସରକାରୀ ଅର୍ଥ ଖର୍ଚ୍ଚ ବିନିମୟରେ। ୨୦୧୦-୧୧ରେ ଓଡ଼ିଶାର କ୍ରୀଡ଼ା ବଜେଟ ଥିଲା ମାତ୍ର ୨୮କୋଟି ଟଙ୍କା । ୨୦୨୧-୨୨ ବଜେଟରେ ଏହାର ପରିମାଣ ଥିଲା ୪୦୫ କୋଟି।
୨୦୨୨-୨୩ରେ ଆଗତ ହୋଇଥିବା ରାଜ୍ୟ ବଜେଟରେ କ୍ରୀଡ଼ା କ୍ଷେତ୍ର ପାଇଁ ଆବଣ୍ଟିତ ହୋଇଛି ୯୧୧ କୋଟି ଟଙ୍କା। ମାତ୍ର ଗୋଟିଏ ବର୍ଷରେ ବଜେଟ ବଢିଛି ୫୦୬କୋଟି ଟଙ୍କା ଆଉ ସେହି ଅର୍ଥ କେବଳ ବିଭିନ୍ନ ପ୍ରତିଯୋଗିତାରେ ଖର୍ଚ୍ଚ ହେଉଛି। ରାଜ୍ୟର ଅନ୍ୟ ଅଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ ନାହିଁ। ରାଜ୍ୟର ବିଭିନ୍ନ କ୍ରୀଡ଼ା ହଷ୍ଟେଲରେ ଅଭ୍ୟାସ କରୁଥିବା ଖେଳାଳିମାନଙ୍କର ଷ୍ଟାଇପେଣ୍ଡ ଆଜି ବି ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ କମ୍‌। ତେଣୁ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନରେ ଓଡ଼ିଶାର କ’ଣ ଲାଭ ହେଉଛି ତା’ର ଅନୁଶୀଳନ ହେବାର ଆବଶ୍ୟକତା ରହିଛି।
ଅଲିମ୍ପିକ୍ସ ପ୍ରତିଯୋଗିତାରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଓଡ଼ିଆ ବ୍ୟକ୍ତିଗତ ଭାବରେ କେବେ ପଦକ ପାଇନାହାନ୍ତି। ଏଥିରୁ ଅନୁମାନ କରାଯାଇପାରେ ଆମେ କ୍ରୀଡ଼ା କ୍ଷେତ୍ରରେ କେତେ ପ୍ରଗତି କରିଛୁ। କ୍ରିକେଟରେ ଭାରତୀୟ ଜାତୀୟ ଦଳରେ ଆଜକୁ ୨୦ ବର୍ଷ ହେଲା ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା କୌଣସି ଖେଳାଳି ସ୍ଥାନ ପାଇନାହାନ୍ତି। ଆଜି ପର୍ଯ୍ୟନ୍ତ ଓଡ଼ିଶା କ୍ରିକେଟ ଦଳ ରଣଜୀ ଟ୍ରଫି ହେଉ କି ବିଜୟ ହଜାରେ ଟ୍ରଫି ହେଉ ବା ସୟେଦ ମୁସ୍ତାକ ଅଲି ଟ୍ରଫି ହେଉ ଜିତିପାରି ନାହାନ୍ତି। ଜାତୀୟ ମହିଳା କ୍ରିକେଟ ଦଳରେ ଆଜି ପର୍ଯ୍ୟନ୍ତ ମାତ୍ର ଜଣେ ଓଡ଼ିଆ ଖେଳାଳି ଦେଶ ପାଇଁ ଖେଳିଛନ୍ତି। କ୍ରିକେଟର ବଡ଼ ଘରୋଇ ଟୁର୍ନାମେଣ୍ଟ ପାଲଟିଥିବା ଆଇପିଏଲ୍‌ରେ ମଧ୍ୟ କୌଣସି ଓଡ଼ିଆ ଖେଳାଳି ମ୍ୟାଚ ଖେଳିବାର ସୁଯୋଗ ପାଉନାହାନ୍ତି। ସେହିଭଳି ଯଦି ଆମେ ଫୁଟବଲ କଥା ଦେଖିବା ବର୍ତ୍ତମାନ ଜାତୀୟ ପୁରୁଷ ଫୁଟବଲ ଦଳରେ ମଧ୍ୟ ଓଡ଼ିଶାରୁ କୌଣସି ଖେଳାଳି ନାହାନ୍ତି। ଜାତୀୟ ମହିଳା ଦଳରେ ମାତ୍ର ଜଣେ ଓଡ଼ିଆ ଖେଳାଳି ଅଛନ୍ତି।
କେବଳ ହକି ଦଳରେ ଓଡ଼ିଶାର ପ୍ରତିନିଧିତ୍ୱ ରହିଆସିଛି। ହେଲେ ସେଥିପାଇଁ ସରକାରଙ୍କ ଭୂମିକା ଯେତିକି ନାହିଁ ତା’ଠାରୁ ବେଶି ଭୂମିକା ରହିଛି ସୁନ୍ଦରଗଡ଼ର ହକି ପ୍ରତି ଥିବା ଭାବପ୍ରବଣତାର। ଏବେ ବି ଓଡ଼ିଶାର ଯେତିକି ଖେଳାଳି ଜାତୀୟ ହକି ଦଳରେ ସ୍ଥାନ ପାଇଛନ୍ତି ସମସ୍ତେ ସେହି ସୁନ୍ଦରଗଡ଼ ଜିଲାର।
ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଆମେ ସ୍ପୋଟର୍‌ସ କ୍ୟାପିଟାଲ ନାଁରେ ଗୋଟିଏ ଆତ୍ମପ୍ରଚାର କରୁଛେ ନା ସତରେ କ୍ରୀଡ଼ାର ଭିତ୍ତିଭୂମି, କ୍ରୀଡ଼ାର ବିକାଶ ପାଇଁ ଯତ୍ନବାନ ଅଛେ। ଲୋକଙ୍କ ଟିକସ ପଇସାକୁ କେବଳ ପ୍ରତିଯୋଗିତା କରିବାରେ ସାରିବା ଅପେକ୍ଷା ଏହାକୁ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ବିନିଯୋଗ କଲେ ଆମ ରାଜ୍ୟର ପ୍ରଦର୍ଶନ ଭଲ ହୁଅନ୍ତାନି କି? ଆମେ ଯଦି ଏମିତି ପ୍ରତିବର୍ଷ ସରକାରୀ ଅର୍ଥକୁ ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଖର୍ଚ୍ଚ କରିଚାଲିବା ଓ ଓଡ଼ିଶାର ଖେଳାଳିଙ୍କର ବିକାଶ ପାଇଁ କିଛି ନ କରିବା ତା’ହେଲେ ଏହି ସ୍ପୋଟର୍‌ସ କ୍ୟାପିଟାଲର ଲାଭ କ’ଣ ହେବ?
କ୍ରିକେଟ ଆଇପିଏଲ୍‌ ଶୈଳୀରେ ଫୁଟବଲରେ ଇଣ୍ଡିଆନ ସୁପର ଲିଗ୍‌ ପ୍ରତିଯୋଗିତା ହେଉଛି। ସେଥିରେ ଗୋଟିଏ ଦଳ ଅଛି, ତା’ର ନାଁ ହେଉଛି ଓଡ଼ିଶା ଏଫ୍‌ସି। ସେହି ଦଳର ପ୍ରାୟୋଜକ ମଧ୍ୟ ଓଡ଼ିଶା ସରକାର। ଏକଥା ଦୁଃଖର ସହ କହିବାକୁ ପଡୁଛି ଓଡ଼ିଶା ନାମରେ ନାମିତ ସେହି ଫୁଟବଲ ଦଳରେ କୌଣସି ଓଡ଼ିଆ ଖେଳାଳି ନାହାନ୍ତି। ସେହି ଆଇସିଏଲ୍‌ ପ୍ରତିଯୋଗିତାରେ ଆହୁରି ଅନେକ ଦଳ ଯେମିତିକି ବେଙ୍ଗାଲୁରୁ, ଗୋଆ, ମୁମ୍ବାଇ, କେରଳ, ଜାମସେଦପୁର, ଚେନ୍ନାଇ ଆଦି ଅଛନ୍ତି। ହେଲେ ସେହି ସବୁ ଦଳର ପ୍ରାୟୋଜକ କେଉଁ ରାଜ୍ୟର ସରକାର ବା କୌଣସି ସରକାରୀ କମ୍ପାନୀ ନୁହନ୍ତି। କେବଳ ଘରୋଇ ବ୍ୟବସାୟିକ ସଂସ୍ଥାମାନେ ଏହାର ପ୍ରାୟୋଜକ। ଆଉ ସେହି ଦଳଗୁଡ଼ିକରେ ନିଜ ରାଜ୍ୟର ଖେଳାଳିମାନଙ୍କୁ ପ୍ରାଧାନ୍ୟ ମିଳୁଛି। ଘରୋଇ କମ୍ପାନୀଗୁଡ଼ିକର ସାମାଜିକ ଦାୟିତ୍ୱ ପାଣ୍ଠି, ବିଜ୍ଞାପନ ପାଣ୍ଠିକୁ ସେମାନେ କ୍ରୀଡ଼ା ପାଇଁ ଖର୍ଚ୍ଚ କରୁଛନ୍ତି। ଓଡ଼ିଶାରେ ବ୍ୟବସାୟ କରୁଥିବା ଟାଟା, ଜିନ୍ଦଲ ଭଳି କମ୍ପାନୀ ଜାମସେଦପୁର, ବେଙ୍ଗାଲୁରୁ ଫୁଟବଲ ଦଳର ପ୍ରାୟୋଜକ ଅଛନ୍ତି। ହେଲେ ଓଡ଼ିଶା ଦଳର ପ୍ରାୟୋଜକ ହେଉଛନ୍ତି ଓଡ଼ିଶା ରାଜ୍ୟ ସରକାର; ଯେଉଁଥିରେ ସାଧାରଣ ଲୋକଙ୍କ ଟିକସ ପଇସା ଖର୍ଚ୍ଚ ହେଉଛି, ସେଥିରେ ଓଡ଼ଆ ଖେଳାଳିଙ୍କୁ ସ୍ଥାନ ମିଳୁନି।
ସେହିଭଳି ହକି ଇଣ୍ଡିଆ ଲିଗ୍‌ରେ ୬ଟି ଦଳ ଖେଳୁଛନ୍ତି। ସେଥିରୁ ଗୋଟିଏ ହେଉଛି କଳିଙ୍ଗ ଲାନ୍ସର, ଯାହାର ପ୍ରାୟୋଜକ ସାଜିଛନ୍ତି ରାଜ୍ୟ ସରକାର। ବାକି ଅନ୍ୟ ଦଳଗୁଡ଼ିକର ପ୍ରାୟୋଜକ ହେଉଛନ୍ତି ଘରୋଇ କମ୍ପାନୀମାନେ। କୌଣସି କ୍ଷେତ୍ରରେ ସରକାର ବା ସରକାରୀ କମ୍ପାନୀ କୌଣସି ଦଳର ପ୍ରାୟୋଜକ ନାହାନ୍ତି। ଅଲ୍ଟିମେଟ୍‌ ଖୋଖୋ ଲିଗ୍‌ରେ କେବଳ ଓଡ଼ିଶା ଦଳକୁ ଛାଡ଼ିଦେଲେ ବାକି ସମସ୍ତ ଦଳର ପ୍ରାୟୋଜକମାନେ ହେଉଛନ୍ତି ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନମାନେ। ହେଲେ ଓଡ଼ିଶା ଦଳର ପ୍ରାୟୋଜକ ନିଜେ ରାଜ୍ୟ ସରକାର। ଘରୋଇ ବ୍ୟବସାୟିକ ସଂସ୍ଥାମାନେ ଆଗ୍ରହୀ ହେଉଛନ୍ତି ବାହାର ରାଜ୍ୟର ଦଳଗୁଡ଼ିକୁ ସାହାଯ୍ୟ କରିବାକୁ। ହେଲେ ଆମ ରାଜ୍ୟରେ କାହିଁକି ସେହି ବାତାବରଣ ହେଉନାହିଁ। କ୍ରୀଡ଼ା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ସରକାରଙ୍କୁ ମନା ନାହିଁ କିନ୍ତୁ ଯେଉଁଠି ଏହା ଘରୋଇ ବ୍ୟବସାୟିକ ସଂସ୍ଥାଗୁଡ଼ିକ ସହଯୋଗରେ ହୋଇପାରୁଛି ସେଠି ସାଧାରଣ ଟିକସଦାତାଙ୍କ ପଇସା କାହିଁକି ଖର୍ଚ୍ଚ ହେବ? ସରକାର କ୍ରୀଡ଼ାର ବିକାଶ ଚାହାନ୍ତି ଏକଥା ଦେଖେଇହେବା କ’ଣ ସତରେ ଏତେ ଆବଶ୍ୟକ ହୋଇପଡିଛି କି?
ଆମ ସରକାର ଯେତିକି ଅର୍ଥ ଖର୍ଚ୍ଚ କରି ଓଡ଼ିଶାରେ ଏଭଳି ବିଶ୍ୱସ୍ତରୀୟ ପ୍ରତିଯୋଗିତା କରୁଛନ୍ତି ଯଦି ସେହି ଅର୍ଥକୁ ରାଜ୍ୟରେ ବାସ୍ତବିକ କ୍ରୀଡ଼ାର ବିକାଶରେ ବିନିଯୋଗ କରନ୍ତେ ତା’ହେଲେ ଆହୁରି ଭଲ ହୁଅନ୍ତା।
ହକି ଷ୍ଟାଡିୟମ ଆମ ରାଜ୍ୟରେ ମାତ୍ର ୨ଟି ଅଛି। ମହାରାଷ୍ଟ୍ରରେ ୬ଟି, ଉତ୍ତର ପ୍ରଦେଶରେ ୬ଟି, ପଞ୍ଜାବରେ ୪ଟି ଅଛି। ଆମ ରାଜ୍ୟରେ ଆଥ୍‌ଲେଟିକ୍ସ ପାଇଁ କଳିଙ୍ଗ ଷ୍ଟାଡିୟମ ଛଡା ଆଉ ସେଭଳି ଭଲ ଷ୍ଟାଡିୟମ ନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ପୁରୁଣା ବିଶ୍ୱବିଦ୍ୟାଳୟରେ ବି କ୍ରୀଡ଼ା ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ। ତେଣୁ ଆମେ ପ୍ରତିଯୋଗିତାରେ ବା ପ୍ରାୟୋଜକ ସାଜିବାରେ ନ ମାତି ଯଦି ନିଜ ରାଜ୍ୟରେ କେମିତି ଭଲ ଖେଳାଳି ବାହାରିବେ ସେ ଦିଗରେ ପ୍ରଚେଷ୍ଟା କରନ୍ତେ ତେବେ ଓଡ଼ିଶାରେ ଭବିଷ୍ୟତରେ ଅସଲି ସ୍ପୋଟର୍‌ସ କ୍ୟାପିଟାଲ ହୋଇପାରନ୍ତା।
ଓଡ଼ିଶାରେ ଯେତିକି ବ୍ୟବସାୟିକ ସଂସ୍ଥା ଏହାର ପ୍ରାକୃତିକ ସମ୍ପଦକୁ ବିନିଯୋଗ କରି ଏଠାରେ ବ୍ୟବସାୟ କରୁଛନ୍ତି ସେମାନଙ୍କର କାରବାର, ଲାଭର ପରିମାଣ ଆର୍ଥତ୍କ ଆକାରରେ ଢେର ଅଧିକ। ଯେତିକି ଲାଭ ଉଠାଉଛନ୍ତି ସେହି ତୁଳନାରେ ନିଜର ସାମାଜିକ ଦାୟିତ୍ୱ ନିଭାଉ ନାହାନ୍ତି। ରାଜ୍ୟ ସରକାର ଚାହିଁଲେ ସେହି କର୍ପୋରେଟମାନଙ୍କୁ ବିଭିନ୍ନ ଦଳ, ପ୍ରତିଯୋଗିତାର ପ୍ରାୟୋଜକ କରାଇ ପାରନ୍ତେ ଓ ରାଜ୍ୟର ଝାଳବୁହା ଟିକସଦାତାଙ୍କ ପଇସା ଅନ୍ୟ ଆବଶ୍ୟକ ବିକାଶମୂଳକ କାମରେ ଲାଗିପାରନ୍ତା।
ହରିରାଜପୁର, ପୁରୀ
ମୋ- ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?