Posted inଫୁରସତ

ଓଡ଼ିଆ ସାହିତ୍ୟକୁ ଶନି ଦଶା

ଲାଗୁଛି ଓଡ଼ିଆ ସାହିତ୍ୟକୁ ଏବେ ଶନି ଦଶା ଚାଲିଛି । ବିଶେଷକରି ସମ୍ମାନ ଓ ପୁରସ୍କାରକୁ ନେଇ । ଏ ଶନି ଦଶା ଏପରି ଯେ ଯିଏ ପୁରସ୍କୃତ ହେଲା ସେ ପ୍ରକାରାନ୍ତରେ ଗୁଡ଼ାଏ ଅପବାଦ ମୁଣ୍ଡେଇବା ସହ ଯିଏ ଦେଲା ସେ ମଧ୍ୟ କିଛି କମ୍‌ ବଦନାମ ନେଲାନି । ଯିଏ ପାଇଲା ମଲା ଯିଏ ଦେଲା ସିଏ ମଲା। ପୁରସ୍କାର ଘୋଷଣା ହେଉ ହେଉ ଶହେ ବିରୋଧୀଙ୍କ ତୀକ୍ଷ୍ଣ କଟାକ୍ଷ ଶୁଣିବାକୁ ମିଳିବ । ଏପରି କି କିଛି ଆଜନ୍ମ ଅସନ୍ତୁଷ୍ଟ ଆସନ୍ତା ବର୍ଷ ପୁରସ୍କାର ଘୋଷଣାର ବିରୋଧ ପାଇଁ ଏବେଠୁ ଲେଖାଲେଖିରେ ନିମଗ୍ନ ନଚେତ ଲେଖିସାରିଛନ୍ତି । କେବଳ ଯାହା ପୁରସ୍କୃତଙ୍କ ନାଁ ଓ ସଂସ୍ଥାର ନାଁ ବଦଳେଇବା କଥା । ନଚେତ ପୂର୍ବ ବର୍ଷର ବିରୋଧ ଓ ଚଳିତ ବର୍ଷର ବିରୋଧ ଭିତରେ ସେମିତି କିଛି ନୂତନତା ନ ଥାଏ । ଏ ସଂକ୍ରାନ୍ତରେ ଗଣମାଧ୍ୟମର ଭୂମିକା ଆହୁରି ମଉଜିଆ। ଟିଭି ଡିବେଟ୍‌ରେ ତିନିଜଣ ଅତିଥି ପ୍ରମୁଖ ବକ୍ତା ହୋଇ ବସିଥାନ୍ତି । ଜଣେ ସପକ୍ଷରେ, ଜଣେ ବିପକ୍ଷରେ ଓ ଆଉ ଜଣେ ଏ ଦୁଇଜଣଙ୍କୁ ଟିହାଇବାପାଇଁ ଥା’ନ୍ତି । ସେମିତି କୌଣସି ପୁରସ୍କାର ଘୋଷଣା ହେବା ପରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଯାଏ । କିଛି ଲୋକ ଅଭିନନ୍ଦନ ଜଣେଇ ସପକ୍ଷରେ ଲେଖନ୍ତି ତ କିଛି ଲୋକ ବିଦ୍ରୂପ କରି ବିରୋଧ କରନ୍ତି । ଏହା ବାଦେ ଉଦାରବାଦୀ ଚିନ୍ତାଧାରାର କିଛି ଲୋକ ଉଭୟଙ୍କୁ ସମତୁଲ କରି ଲେଖନ୍ତି । ଏମାନଙ୍କ ଲେଖାରେ ନା ବିରୋଧ ଥାଏ ନା ସମର୍ଥନ ଥାଏ । ବାଡ଼ି ଭାଙ୍ଗିବ ନାହିଁ କି ସାପ ମରିବନି । ଏପରି ଲୋକ ଉଭୟ ଗୋଷ୍ଠୀଙ୍କ ପ୍ରିୟଭାଜନ ଅର୍ଥାତ୍‌ ଏମାନେ ଏ ଘର ପିଉସୀ ସେ ଘର ମାଉସୀ । ପୁରସ୍କୃତ ହୋଇଥିବା ଲୋକର ପୋଷ୍ଟିଂରେ‘ଅଭିନନ୍ଦନ’ ଲେଖିଥିବା ବେଳେ ବିରୋଧ କରୁଥିବା ଲୋକର ପୋଷ୍ଟରେ”ଆପଣଙ୍କ ସହ ସମ୍ପୂର୍ଣ୍ଣ ସହମତ“ ବୋଲି ଲେଖିଥିବେ ।

ପୁରସ୍କାର ଫେରେଇଥିବା ଦାର୍ଶନିକ ଜାଁ ପଲ୍‌ ସାର୍ତ୍ତେ କହିଥିଲେ, ପୁରସ୍କାର ଗୋଟେ ବୋଝ । କିନ୍ତୁ ଏଠି ସମସ୍ତେ ସେଇ ବୋଝ ବୋହିବା ପାଇଁ ବ୍ୟଗ୍ର । ବୋଝ ତ ଦୂରର କଥା ଛୋଟମୋଟ ଭୋଗେଇରେ ବି କୃତ୍ୟକୃତ୍ୟ ଅନୁଭବ କରନ୍ତେ ଆଉ ଗୋଟେ ଟାଇପର ଲେଖକ । କିଛି ନାହିଁ ସୋସିଆଲ ମିଡିଆରେ ସପ୍ତାହେ ଦି’ସପ୍ତାହେ ଅଭିନନ୍ଦନ, ଫୁଲତୋଡ଼ା, ମିଠେଇର ଇମୋଜି ପାଇବାର ସୁଖ ସ୍ବପ୍ନ। ଦେଖୁ ଦେଖୁ କାହାର ଅଧାରୁ ଅଧିକ ଜୀବନ ଏମିତି ଗଲାଣି । ମା’ ଗୋଜବାୟାଣୀ ସାଂସ୍କୃତିକ ଅନୁଷ୍ଠାନ ହେଉ କି ଗୁଣ୍ଡୁରି ବିକାଶ ପରିଷଦ ଭଳି ସାତ ହଜାର ଛଅଶହ ଅଣଚାଳିଶ ଅନୁଷ୍ଠାନ ଆଜିକାଲି ଲେଖାର ବିଭିନ୍ନ ବିଭାଗକୁ ତହକିକାତ କରି ସମ୍ମାନିତ ( ପୁରସ୍କୃତ ) କରିବାର ନଜିର ରହୁଛି ।

ଶୀତଦିନ ଆସିଲେ ଯେମିତି କିଛି ଲୋକଙ୍କ ମର୍ନିଂ ୱାକ୍‌ କଥା ମନେ ପଡେ ସେମିତି ଶୀତ ପଡିଲେ ସାହିତ୍ୟପ୍ରାଣମାନେ ଚଳଚଞ୍ଚଳ ହୋଇଉଠନ୍ତି । ମାଳ ମାଳ ଅନ୍ତର୍ଜାତୀୟ ସାହିତ୍ୟ ଓ କଳା ଉତ୍ସ, ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସ, ଜିଲାସ୍ତରୀୟ ପୁସ୍ତକ ମେଳା ଓ ପୁସ୍ତକ ଉନ୍ମୋଚନ ସଭା ବହୁଳଭାବେ ଦୃଶ୍ୟମାନ ହୁଏ । ଥୋକେ ସମ୍ବର୍ଦ୍ଧିତ ହେଉଥିବା ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାଡିଲା ବେଳକୁ ଆଉ ଥୋକେ ସମ୍ବର୍ଦ୍ଧନା ଦେଉଥିବା ଅନୁଷ୍ଠାନର ଚାରିତ୍ରିକ ଦୋଷ ବଖାଣିବାରେ ଲାଗିଯାଆନ୍ତି । ଖାସ୍‌ ତାକୁ ନଜରରେ ରଖି ଏବେ ପୁରସ୍କାର ବିଭାଗର ସଂଖ୍ୟା ବଢିବାରେ ଲାଗିଛି । ଗଳ୍ପ, କବିତା , ଉପନ୍ୟାସ, ଲୋକସାହିତ୍ୟ, ନାଟକ, ପ୍ରବନ୍ଧକୁ ବିଭାଗୀକରଣ କରି ଉଭୟ ଗୋଷ୍ଠୀର ଅଧିକରୁ ଅଧିକ ସାହିତି୍ୟକଙ୍କୁ ସନ୍ତୁଷ୍ଟ କରୁଥିବା ବେଳେ ଅଣସାହିତି୍ୟକମାନଙ୍କ ପାଇଁ ପ୍ରତି ସାହିତ୍ୟ ସଭାରେ ଦୃଶ୍ୟମାନ ବ୍ୟକ୍ତିଙ୍କୁ ‘ସାହିତ୍ୟପ୍ରାଣ’, ଆଗୁଆ ସଭାରେ ପହଞ୍ଚୁଥିବା ଲୋକକୁ ‘ସମୟାନୁବର୍ତ୍ତିତା’, ପଢ଼ କି ନ ପଢ଼ କିନ୍ତୁ ଫେସ୍‌ ବୁକ୍‌ରେ ପ୍ରତି ଲେଖାରେ ଲାଇକ ମାରୁଥିବା, ମତ ଦେଉଥିବା ବ୍ୟକ୍ତିକୁ ‘ଶ୍ରେଷ୍ଠ ପାଠକ’, ଭାଷା, ଦାମ,ବିଷୟ ନିର୍ବିଶେଷରେ ସବୁ ଲେଖକଙ୍କ ନୂତନ ପୁସ୍ତକ ଆଗମନର ସୂଚନାରେ ଅଭିନନ୍ଦନ ଜଣେଇ ଅପେକ୍ଷାରେ ରହିଲି ଲେଖୁଥିବା ଲୋକକୁ ‘ଶ୍ରେଷ୍ଠ କ୍ରେତା’ ଭଳି ପୁରସ୍କାର ଦେବା ସବୁ ଆରମ୍ଭ ହେଲାଣି । ଯେତିକି ଯେତିକି ଆଶାୟୀ ଅସନ୍ତୁଷ୍ଟିଆଙ୍କ ସଂଖ୍ୟା ବଢୁଛି ସେହି ଅନୁପାତରେ ପୁରସ୍କାରର ବିଭାଗ ବଢୁଛି । ଶୁଣିଲି, କାଳେ ଏ ବର୍ଷ ପ୍ରତି ସମ୍ବର୍ଦ୍ଧନା ମଞ୍ଚରେ ଚାଳିଶ ପଚାଶଟି ମାନପତ୍ର ଦେବା ପାଇଁ ଆରମ୍ଭରୁ ଶେଷ ଯାଏ ଧୈର୍ଯ୍ୟର ସହ ଛିଡା ହୋଇ ରହୁଥିବା ବୟୋଜ୍ୟେଷ୍ଠ ଅତିଥିଙ୍କୁ ‘ସମର୍ପିତ ତ୍ୟାଗ’ ନାଁରେ ଏକ ନୂତନ ପୁରସ୍କାର ଦେବା ପାଇଁ ଯୋଜନା ଚାଲିଛି । ଦେବା ବି ଉଚିତ । ଘଣ୍ଟା ଘଣ୍ଟା ଧରି ଛିଡାହୋଇ ମାନପତ୍ର ବାଣ୍ଟିଲା ପରେ ଆଣ୍ଠୁ ଯନ୍ତ୍ରଣା ସହ ଖାଲି ହାତରେ ଘରକୁ ଫେରୁଥିବା ବିଚରା ବୟସ୍କ ଅତିଥିଜଣଙ୍କୁ ଅନ୍ତତଃ ସାନ୍ତ୍ୱନାମୂଳକ ଭାବେ ଖଣ୍ଡେ ଗାମୁଛା ଓ ମାନପତ୍ର ମିଳିବା ଉଚିତ ।

କିଛିଦିନ ତଳେ ଜଣେ ସାହିତ୍ୟ ଠିକାଦାର ମନ ଦୁଃଖରେ କହିଲେ ସେଇ ସିମେଣ୍ଟ,ବାଲି, ଗୋଡି ଫେଣ୍ଟି ଫେଣ୍ଟି ମନ ଚିକିଟା ଧରିଲାଣି । ଆଉ ସେଥିପ୍ରତି ଲୋକଙ୍କ ଆଗ୍ରହ ଥିଲା ଭଳି ଲାଗୁନି । ନୂଆକିଛି ଆଇଡିଆ ଥିଲେ କୁହନ୍ତୁ, ମୁଁ କହିଲି ଅଛି, ଏକଦମ୍‌ ନୂଆ । ବିନା ସିମେଣ୍ଟ ବାଲିରେ କୋଠା ଠିଆ କରିଦେବୁ । କିଛି ପ୍ରତିଷ୍ଠିତ ସାହିତି୍ୟକଙ୍କ ସହ ଆଗୁଆ ଭିତିରି ଯୋଗାଯୋଗ କରି ତାଙ୍କୁ ଅମୁକ ପୁରସ୍କାର ଦିଆଯିବ ବୋଲି ଘୋଷଣା କରେ । ତା’ ପରେ ଏଇ ଭୋଗେଇ ଜାତୀୟ ପୁରସ୍କାର ନେବାକୁ ସେହି ସାହିତି୍ୟକ ନିଶ୍ଚୟ ନିଜର ବ୍ୟକ୍ତିଗତ ନୀତି ଓ ଆଦର୍ଶଗତ କାରଣ ହେତୁ ବିନମ୍ରତାର ସହ ପୁରସ୍କାର ଗ୍ରହଣ କରିବାକୁ ମନା କରିବେ । ପୁରସ୍କାର ନେଇ କିମ୍ବା ଦେଇକି ଅପବାଦ ମୁଣ୍ଡେଇବା ଅପେକ୍ଷା ଦେଖିବ ବିନା ସଭା ଓ ଖର୍ଚ୍ଚବାର୍ଚ୍ଚରେ ତୁମ ସଂସ୍ଥା ଓ ସମ୍ପୃକ୍ତ ସାହିତି୍ୟକ ବେଶି ନାଁ କମେଇବେ । ପୁରସ୍କାର ପାଉଥିବା ଲୋକଙ୍କ ଅପେକ୍ଷା ପୁରସ୍କାରକୁ ମନା କରୁଥିବା ଲୋକଙ୍କ ବେଶି ଚର୍ଚ୍ଚା ହୁଏ । ଲକ୍ଷ୍ୟ କର, ନୋବେଲ ପୁରସ୍କାର ପାଇଥିବା ଲୋକଙ୍କ ଅପେକ୍ଷା ପୁରସ୍କାର ନେବାପାଇଁ ମନା କରିଥିବା ସାହିତି୍ୟକଙ୍କୁ ବେଶି ଲୋକ ମନେରଖନ୍ତି । ଏଥିରେ କିଛି ଖର୍ଚ୍ଚ ନାହିଁ କିନ୍ତୁ ନାଁ ଅଧିକ । ବିନା ସିମେଣ୍ଟ ବାଲିରେ କୋଠା ଗଢିବା କଥା ।

ରାଜ୍ୟର ଶତକଡ଼ା ଅନେଶତ ଭାଗରୁ ଅଧିକ ଲୋକ ସାହିତ୍ୟ ଫାଇତ୍ୟ ବୁଝନ୍ତି ନାହିଁ । ସାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ପୁରସ୍କାର, ମୂର୍ତ୍ତିଦେବୀ ପୁରସ୍କାର କଥା ସେମାନେ ଜାଣନ୍ତି ନାହିଁ । ମୋ ପଡ଼ିଶା ଘର ଲୋକ ଆମ୍ଭ ଲେଖାଲେଖି କରିବା କଥାକୁ ଦେଖେଇ ହୋଇ ଅନ୍ୟ ପଡିଶା ଲୋକକୁ କେତେଥର କହିବା ଶୁଣିଲିଣି ସାହୁ ବାବୁ ମଣିଷ ହିସାବରେ ଭଲ ଯେ ହେଲେ ମୁଣ୍ଡ ଦୋଷ ଅଛି । ନ ହେଲେ କି ଲେଖାଲେଖି କରି ଏତେ ସମୟ କି ମୁଣ୍ଡ ସାରନ୍ତେ ! ସତ କହିବାକୁ ଗଲେ ଆଜି ଟୁଙ୍ଗୁରୁକୁ ସାଧାରଣ ଲୋକେ ଯେତିକି ଚିହ୍ନନ୍ତି କି ଜାଣନ୍ତି, ସାହିତ୍ୟରେ ନୋବେଲ ଭଳି ପୁରସ୍କାର ପାଇଥିବା ଲୋକକୁ ପ୍ରାୟ ସେତିକି ଜାଣନ୍ତିନି । ଖୋଦ ଲେଖାଲେଖି କରୁଥିବା ସାହିତି୍ୟକ ପୂର୍ବ ବର୍ଷ ରାଜ୍ୟ ସାହିତ୍ୟ ଏକାଡେମୀ କିଏ କିଏ ପାଇଛନ୍ତି କହି ପାରିବେନି। ତଥାପି ସେ ପୁରସ୍କାର ମାୟାରେ ବାୟା ସାହିତି୍ୟକମାନେ ଯେ କୌଣସି ସ୍ତରକୁ ଯାଇପାରନ୍ତି । ଆମ ସମାଜରେ ଲେଖକର ସ୍ଥିତି ଆମ ହୃଦୟରେ ବାଡ଼ି ଗୋବରେ ଗୋବେ ଜାଗା ସାହିତି୍ୟ ପାଇଁ ଅଛି କି ନାହିଁ ଭାବି ତ ହେବାକୁ ପଡ଼େ । ଶନି ଦଶାରୁ ମୁକୁଳିବା ଲାଗି ଆମ ସାହିତି୍ୟକମାନେ ଖୋଦ ଶନିଦେବଙ୍କ ପାଇଁ ନୂଆ ସ୍ତୋତ୍ର ନିଶ୍ଚୟ ତ ଲେଖିଦେବେ ହେଲେ ଶନିଦେବ ସେ ସ୍ତୋତ୍ର ବୁଝିଲେ ହେଲା !

-ବନମାଳୀ ଭବନ,ଖାନନଗର,କଟକ
ମୋ:୯୪୩୭୦୧୦୭୫୮

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri