Posted inଫୁରସତ

ନମାମୀ ଗୁରୁ

କୁହାଯାଏ ଜ୍ଞାନଠୁ ବଡ଼ ଦାନ ନାହିଁ। ଆଉ ଗୁରୁଙ୍କଠୁ ବଡ଼ କେହି ଦାନୀ ନାହିଁ। ସେ ହେଉଛନ୍ତି ଏକ ପଥ ଯେ ନିଜେ ସ୍ଥିର ରହି ଅନ୍ୟକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାନ୍ତି। ତ୍ୟାଗ ତାଙ୍କର ଅନନ୍ୟ। ସେ ନିଜକୁ ଜାଳି ଜ୍ଞାନର ଆଲୋକ ଜଳାନ୍ତି। ସେଥିପାଇଁ ତ ଯୁଗେ ଯୁଗେ ଗୁରୁ ନମସ୍ୟ। ଆଜି ବି ଅନେକ ଗୁରୁ ଅଛନ୍ତି, ଯେଉଁମାନେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ଶିକ୍ଷା ପାଇଁ। ଆଉ ଅର୍ଥ ଲାଳସା ନ ରଖି ଗଢୁଛନ୍ତି ଉତ୍ତମ ଛାତ୍ର ଏକ ଉତ୍ତମ ସମାଜ ଗଢ଼ିବା ପାଇଁ…

ବୈଷୟିକ ଜ୍ଞାନକୌଶଳରେ ଜଟିଳକୁ ସରଳ କରି ପଢ଼ାଇ ହୋଇଛନ୍ତି ସମ୍ମାନିତ: ଜଟିଳ ପାଠକୁ ସରଳ କରି ପଢାଇବାରେ ସେ ବେଶ୍‌ ପାରଙ୍ଗମ। ଏଥିପାଇଁ ସେ ଆଧୁନିକ ବୈଷୟିକ ଜ୍ଞାନକୌଶଳର ସାହାଯ୍ୟ ନିଅନ୍ତି। ବିଭିନ୍ନ ଗବେଷଣା ବି କରନ୍ତି। ସେଇଥିପାଇଁ ତ ଭାରତ ସରକାରଙ୍କ ଦ୍ୱାରା ଶିକ୍ଷକମାନଙ୍କୁ ଦିଆଯାଉଥିବା ଦୁଇଟି ସର୍ବୋଚ୍ଚ ଶିକ୍ଷା ସମ୍ମାନ ଜାତୀୟ ଶିକ୍ଷକ ପୁରସ୍କାର ଏବଂ ଜାତୀୟ ଆଇ.ସି.ଟି. ଶିକ୍ଷକ ପୁରସ୍କାର ସେ ହାସଲ କରିଛନ୍ତି। ଆଉ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ଶିକ୍ଷକ ଯେକି ଏହି ଦୁଇ ସର୍ବୋଚ୍ଚ ଶିକ୍ଷା ସମ୍ମାନ ପାଇଛନ୍ତି। ତାଙ୍କ ନାମ ହେଉଛନ୍ତି ଓଁପ୍ରକାଶ ମିଶ୍ର। ତାଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି I ଓଁପ୍ରକାଶ ମିଶ୍ର ୨୪ା୧୨ା୧୯୯୮ ମସିହାରେ କୋରାପୁଟ ଜିଲାର ଏକ ଉପାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୋଳପୁରରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ କଠୋର ଅଧ୍ୟବସାୟ ଓ ସାଧନା ବଳରେ ପଞ୍ଚାୟତ, ବ୍ଲକ, ଜିଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ବିଜ୍ଞାନ ଓ ଗଣିତର କଠିନ ପ୍ରସଙ୍ଗଗୁଡିକୁ ସେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗଦ୍ୱାରା ସରଳ କରି ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି। ତା’ ସହ ବିଜ୍ଞାନରେ ବ୍ଲଗ ତିଆରି କରିବା, ୟୁ ଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରିବା, ଜିଓଜେବ୍ରା, ଆଲଗୋଡୋ, ଟ୍ରାଇଅମ୍ଫ କ୍ଲାଉଡ଼, ଜାମବୋର୍ଡ, ଆନିମେସନ, ୱାର୍ଡୱାଲ.ନେଟ, କହୁଟ୍‌, ଏଡ୍‌ପଜଲ୍‌, ଟେଡ୍‌-ଏଡ୍‌, phEt ଆଦି ଏଜୁକେଶନାଲ ସଫ୍ଟଓ୍ବେର ଓ ଓ୍ବେବସାଇଟ୍‌ ବ୍ୟବହାର କରି ବିଜ୍ଞାନ ଶିକ୍ଷାକୁ ରୁଚିମନ୍ତ କରିବାରେ ସେ ସଫଳ ହୋଇଛନ୍ତି I ତେବେ ସେ କେବଳ ଘରେ ବସି ଏସବୁ ଆପ୍‌ ଓ ସଫ୍ଟୱେର ଦ୍ୱାରା ଶିକ୍ଷାପ୍ରଦାନରେ ସୀମିତ ନାହାନ୍ତି। ବରଂ କୋଭିଡ୍‌-୧୯ରେ ଶିକ୍ଷା ବ୍ୟବସ୍ଥାରେ ହୋଇଥିବା କ୍ଷତିକୁ ଭରଣା କରିବା ନିମନ୍ତେ ସେ ଲକ୍‌ଡାଉନ ସମୟରେ ଜୟପୁର ନିକଟବର୍ତ୍ତୀ ପ୍ରାୟ ସାତଖଣ୍ଡ ଗ୍ରାମକୁ ଯାଇ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷାଦାନ କରିଛନ୍ତି। ଇ-ଛାତ୍ରୀଛାତ୍ରମାନଙ୍କ ନିମନ୍ତେ ଭିଡିଓ ଶିକ୍ଷା ବ୍ୟତୀତ pdf ମାଧ୍ୟମରେ ଶିକ୍ଷାଦାନକୁ ଅନବରତ ଚାଲୁ ରଖିବାରେ ବି ସକ୍ଷମ ହୋଇଥିଲେ। କୋଭିଡ୍‌ ସଚେତନତା ନିମନ୍ତେ ତଥା ଅନ୍‌ଲାଇନ ଶିକ୍ଷାଦାନ ନିମନ୍ତେ ସେ ନିଜକୁ ପ୍ରସ୍ତୁତ କରିବା ଲାଗି ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ, ନିଉ ଦିଲ୍ଲୀ ତଥା ଅନ୍ତର୍ଜାତୀୟ ସ୍ତରର ଅନେକ ଅନୁଷ୍ଠାନର କର୍ମଶାଳାରେ ଭାଗନେଇ ICT ମାଧ୍ୟମରେ ଶିକ୍ଷାଦାନ ସମ୍ବନ୍ଧୀୟ କୌଶଳଗୁଡ଼ିକ ଶିଖିଥିଲେ। କେବଳ ସେତିକି ନୁହେଁ ମିଶ୍ର ଆମେରିକାସ୍ଥିତ ଏଡିନବର୍ଗ ବିଶ୍ୱବିଦ୍ୟାଳୟ, ଡିଉକ ବିଶ୍ୱବିଦ୍ୟାଳୟ, ଭର୍ଜିନିଆ ବିଶ୍ୱବିଦ୍ୟାଳୟ, IIT କାନପୁର, NCERT, SWAYAM ତଥା ଭାରତୀୟ ବିଜ୍ଞାନ ସଞ୍ଚାର ଅନୁଷ୍ଠାନଗୁଡ଼ିକରୁ ଅନେକ ଅନ୍‌ଲାଇନ କୋର୍ସ କରି ନିଜର ଶିକ୍ଷାର ଗୁଣବତ୍ତାକୁ ରୁଦ୍ଧିମନ୍ତ କରିଛନ୍ତି I ମାଧ୍ୟମିକ ଶିକ୍ଷାର୍ଥୀଙ୍କ ନିମନ୍ତେ ସେ ଗଣିତ ଓ ବିଜ୍ଞାନ ବିଷୟ ପାଇଁ EXPERIMENTO, KINETICS, TRANSIT, INITIATIVE ଆଦି ସାତ ଖଣ୍ଡ ଉପାଦେୟ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ଏହା ଦ୍ୱାରା ଛାତ୍ରୀଛାତ୍ରମାନଙ୍କୁ NMMS ଭଳି ପ୍ରବେଶିକା ପରୀକ୍ଷାଗୁଡି଼କରେ ଅନେକ ସହାୟତା ଓ ସଫଳତା ମିଳୁଛି I ମିଶ୍ରଙ୍କର ଶିକ୍ଷା ସମ୍ବନ୍ଧୀୟ ଗବେଷଣା ଲବ୍ଧ ସନ୍ଦର୍ଭଗୁଡ଼ିକ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି I ଏହାଛଡ଼ା ଅହମଦାବାଦ, ପୁଣେ, ମୁମ୍ବାଇ, ମେଘାଳୟ, ଦିଲ୍ଲୀ, କୋଲକାତା, ଭୁବନେଶ୍ୱର ଓ କଟକରେ ବିଭିନ୍ନ ସମୟରେ ଅନୁଷ୍ଠିତ ଜାତୀୟ ତଥା ଅନ୍ତର୍ଜାତୀୟ ସେମିନାରରେ ମଧ୍ୟ ମିଶ୍ର ନିଜର ସନ୍ଦର୍ଭ ଉପସ୍ଥାପନ କରି ସମ୍ମାନିତ ହୋଇଛନ୍ତି I ନିଜର ଏହି ଉଚ୍ଚକୋଟୀର ଗବେଷଣା ନିମନ୍ତେ ସ ରିସର୍ଚ ଗେଟୱେ ଫାଉଣ୍ଡେଶନ ଦ୍ୱାରା ୨୦୨୦ ମସିହା ନିମନ୍ତେ ଶ୍ରେଷ୍ଠ ଗବେଷକ ପୁରସ୍କାର ମଧ୍ୟ ପାଇସାରିଛନ୍ତି। ଅଧୁନା ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ନିଜର ପିଏଚ.ଡି ଜାରି ରଖିଛନ୍ତି I
ରାଜ୍ୟ ଏବଂ ଜାତୀୟ ସ୍ତରର ସେମିନାର୍‌ରେ STEM ଏଜୁକେଶନ, ଡିଷ୍ଟାନ୍ସ ଏଜୁକେଶନ ଭଳି ନୂଆ ବିଷୟଗୁଡ଼ିକ ଉପରେ ସେ ଲେଖନୀ ଉପସ୍ଥାପନା କରିଛନ୍ତି I DIKSHA ଓ YOUTUBE ପ୍ଲାଟଫର୍ମରେ ସେ ଗୁଡ଼ାଏ ଇ-କଣ୍ଟେଣ୍ଟସ ମଧ୍ୟ ଅପଲୋଡ କରିଛନ୍ତି। ତେଣୁ ଏଜୁକେଶନ ଆଇକନ ଆୱାର୍ଡ, ଗ୍ଲୋବାଲ ଇ-ଇନୋଭେସନ ଆୱାର୍ଡ, ରାଷ୍ଟ୍ରୀୟ ଗୌରବ ଆୱାର୍ଡ, ଦ୍ରୋଣ ଏଜୁକେଟର ଆୱାର୍ଡ, IITA, କୋରାପୁଟ ଗୌରବ, ପରବ ସମ୍ମାନ, କଳିଙ୍ଗ ସମାଜ (ଦିଲ୍ଲୀ) ଆଦି ସମ୍ମାନରେ ମିଶ୍ର ସମ୍ମାନିତ ହୋଇଛନ୍ତି I
IISER ଭୋପାଲ, ଅଗସ୍ତ୍ୟା ଫାଉଣ୍ଡେସନ-ଆନ୍ଧ୍ରପ୍ରଦେଶ, ପଠାଣି ସାମନ୍ତ ପ୍ଲାନେଟୋରିଅମ, OKCL ଇତ୍ୟାଦିରେ ବିଭିନ୍ନ ବିଷୟରେ କର୍ମଶାଳାରେ ଯୋଗଦାନ ଦେଇଥିଲା ବେଳେ ଭାରତୀୟ ବିଜ୍ଞାନ କଂଗ୍ରେସ (ISCA), କୋଲକାତା; VIBHAINDIA, ଦିଲ୍ଲୀ ଭଳି ସମ୍ମାନଜନକ ସଂସ୍ଥାର ଆଜୀବନ ସଦସ୍ୟତାପ୍ରାପ୍ତ କରିଛନ୍ତି। ମିଶ୍ର ହେଉଛନ୍ତି ଜଣେ ଜିଲା ତଥା ରାଜ୍ୟ ସ୍ତରୀୟ ସାଧନକର୍ମୀ। ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ତଥା ମଙ୍ଗଳ ବିଭାଗ ଦ୍ୱାରା ଆୟୋଜିତ ଶିକ୍ଷକ ପ୍ରଶିକ୍ଷଣ ଶିବିରଗୁଡ଼ିକରେ ସେ ବହୁବାର ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇସାରିଛନ୍ତି I ବିଭିନ୍ନ ସମୟରେ ରାଜ୍ୟର ଅନ୍ୟ ଜିଲାଗୁଡ଼ିକୁ ମଧ୍ୟ ସାଧନକର୍ମୀଭାବେ ନିମନ୍ତ୍ରିତ ହୋଇ ସେ ଶିକ୍ଷକ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ନବମ ଶ୍ରେଣୀ ଛାତ୍ରଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଉତ୍କର୍ଷ କାର୍ଯ୍ୟକ୍ରମରେ ତଥା ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ନିମନ୍ତେ ଚାଲିଥିବା ୟୁଟ୍ୟୁବ୍‌ ଲାଇଭ୍‌ କାର୍ଯ୍ୟକ୍ରମରେ ମଧ୍ୟ ମିଶ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି I

ଅନ୍ୟଠୁ ସାହାଯ୍ୟ ମାଗି ଉଚ୍ଚଶିକ୍ଷିତ କରାଉଛନ୍ତି
ଅର୍ଥର ଅଭାବ ପାଇଁ ଯେମିତି କୌଣସି ପିଲା ପାଠପଢ଼ାରୁ ବଞ୍ଚତ୍ତ ନ ହୁଏ ସେଥିପାଇଁ ସେ ପଣ କରିଛନ୍ତି। ଏଣୁ ସେମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହ ଗରିବ ମେଧାବୀ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ବି ସହାୟତା କରୁଛନ୍ତି। ନିଜେ ଆର୍ଥିକ ସହାୟତା ନ କରିପାରିଲେ ସେ ଅନ୍ୟଙ୍କୁ ସାହାଯ୍ୟ ମାଗୁଛନ୍ତି। କେଉଁଠୁ ବି ହେଉ ଅର୍ଥ ଯୋଗାଡ଼ କରି ଅଭାବୀ ପିଲାଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରାଉଛନ୍ତି। ଏହି ଛାତ୍ର ବତ୍ସଳ ଶିକ୍ଷକ ଜଣକ ହେଉଛନ୍ତି କେନ୍ଦୁଝର ସରସ୍ବତୀ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ା ବାଲେଶ୍ୱର ଜିଲା କାଞ୍ଚପଡା ଗ୍ରାମରେ ତାଙ୍କ ଘର ା ଛାତ୍ରମାନେ ଉଚ୍ଚଶିକ୍ଷିତ ହୋଇ ଉଚ୍ଚ ପଦାଧିକାରୀ ହୋଇପାରିଲେ ତାଙ୍କୁ ମିଳେ ଆତ୍ମସନ୍ତୋଷ। ତେଣୁ ଗରିବ ମେଧାବୀ ଛାତ୍ରଙ୍କୁ ନିଜେ ଆର୍ଥିକ ସହାୟତା ନ କରିପାରିଲେ ଭଲ ସମ୍ପର୍କ ଥିବା ଅଭିଭାବକମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କଠାରୁ ଆର୍ଥତ୍କ ସହାୟତା ଆଣି ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ସହଯୋଗ କରୁଛନ୍ତି ା ଏପର୍ଯ୍ୟନ୍ତ ସେ ପ୍ରାୟ ୩୦ ଜଣ ଗରିବ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା କରିସାରିଲେଣି। ୧୯୩୮ ମସିହାରେ ବିଜେବି କଲେଜରୁ ଆଇଏ ପାସ୍‌ କରିବା ପରେ ରାଜେନ୍ଦ୍ର ପ୍ରସାଦ ଭୁବନେଶ୍ୱର ଶିଶୁ ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଭାବେ ନିଯୁକ୍ତି ପାଇଥିଲେ। ସେବେଠାରୁ ଆଜିଯାଏଁ ଦୀର୍ଘ ୩୯ବର୍ଷ ଧରି ଭୁବନେଶ୍ୱର, ଭଦ୍ରକ, ଅନୁଗୋଳ, ଚମ୍ପୁଆ, କେନ୍ଦୁଝରରେ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଭାବରେ ସେ କାମ କରିଆସୁଛନ୍ତି। ଆଉ ପିଲାଙ୍କ ଭବିଷ୍ୟତ ଗଠନରେ ଅହରହ ଲାଗି ରହିଛନ୍ତି। ତାଙ୍କର ଏଭଳି ସହାୟତାରେ ଅନେକ ଛାତ୍ର ଆଜି ବଡ ବଡ ପଦପଦବୀରେ ଅଛନ୍ତି। ଯେମିତି କି ଅନୁଗୋଳରେ ଥିବା ବେଳେ ଉଚ୍ଚଶିକ୍ଷା ପାଇଁ ସହାୟତା କରିଥିବା ନରେନ୍ଦ୍ର ଦେହୁରୀ ଆଜି ଇସ୍ରୋ ଭଳି ଖ୍ୟାତିସମ୍ପନ୍ନ ସଂସ୍ଥାରେ ବୈଜ୍ଞାନିକ ଭାବରେ କାମ କରୁଛନ୍ତି, ଯାହା କି ତାଙ୍କ ପାଇଁ ଏକ ବଡ ଉପଲବ୍ଧତ୍। ସେହିପରି ଦେବାଶିଷ ପାଲ ନାମକ ଜଣେ ଛାତ୍ର ଡାକ୍ତର ହୋଇପାରିଛନ୍ତି। କେନ୍ଦୁଝର ଜିଲା ଗୋନାସିକାର ଜୁଆଙ୍ଗ ଜନଜାତି ସଂପ୍ରଦାୟର ସୁରେଶ ଜୁଆଙ୍ଗଙ୍କୁ ବି ସେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଇଂଜିନିୟରିଂରେ ଡିପ୍ଲୋମା ପଢିବା ପାଇଁ ା ସେ ଯେଉଁ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ ଭାବେ ନିଯୁକ୍ତି ପାଇଥାନ୍ତି ସେହି ବିଦ୍ୟାଳୟର ମେଧାବୀ ଛାତ୍ର ଅର୍ଥାଭାବରୁ ଉଚ୍ଚ ଶିକ୍ଷା ଲାଭ କରିପାରୁ ନ ଥିବା ଜାଣିବାକୁ ପାଇ ଅର୍ଥ ଯୋଗାଡ଼ କରି ତାଙ୍କୁ ଉଚ୍ଚ ଶିକ୍ଷା ଲାଭ କରିବାକୁ ସହାୟତା କରିଥାନ୍ତି ା ତା’ସହ ସେହି ଶିଶୁ ବିଦ୍ୟାମନ୍ଦିରର ପରୀକ୍ଷା ଫଳାଫଳ ଓ ସାମଗ୍ରିକ ଦକ୍ଷତା ବୃଦ୍ଧି କରିଥାନ୍ତି। ତେଣୁ ସେ ବହୁ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ପାଠ ପଢାଇବା ବ୍ୟତୀତ ସେ ଲେଖାଲେଖି ଓ ପରିବେଶ ସୁରକ୍ଷା ପାଇଁ ମଧ୍ୟ କାମ କରନ୍ତି। ଅଦ୍ୟାବଧି ରାଜେନ୍ଦ୍ର ପ୍ରସାଦ ୩୦ ଖଣ୍ଡ ଶିକ୍ଷା ସମ୍ବନ୍ଧୀୟ ପୁସ୍ତକ ଓ ଯୋଗ ବହି ଲେଖିଛନ୍ତି ା ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟକରି ପ୍ରକୃତିବନ୍ଧୁ ପୁରସ୍କାର ମଧ୍ୟ ପାଇଛନ୍ତି ା ସେ କୁହନ୍ତି, ‘ଯଦି ସମାଜରେ ସବୁ ଲୋକ ଅଭାବ ଅସୁବିଧାରେ ରହୁଥିବା ମେଧାବୀ ଗରିବ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା କରିବେ ତେବେ ଦେଶ ଗଠନରେ ସେମାନେ ଅଧିକ ସହାୟକ ହୋଇପାରିବେ ା’

ଅବସର ପରେ ବି ମାଗଣା ଶିକ୍ଷାଦାନ କରୁଛନ୍ତି
ସରକାରଙ୍କ ନିୟମ ଅନୁସାରେ ଜଣେ କର୍ମଚାରୀ ୬୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକରିବା ପରେ ଅବସର ନେବେ ା କିନ୍ତୁ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ୍‌ ଡିଆ ପଞ୍ଚାୟତ କାଶିପୁର ଗ୍ରାମର କମଳଲୋଚନ ପ୍ରଧାନ ଦୀର୍ଘବର୍ଷ ଶିକ୍ଷାଦାନ କରି ସରକାରଙ୍କଠାରୁ ୨୦୧୨ରୁ ଅବସର ନେଇସାରିଛନ୍ତି। ହେଲେ ସେ ଘରେ ଗୋଟିଏ ମୁହୂର୍ତ୍ତ ବି ଖାଲିରେ ବସି ପାରି ନ ଥିଲେ। ଶ୍ରେଣୀଗୃହ, ପିଲାଙ୍କ କୋଳାହଳ ତାଙ୍କୁ ବହୁତ ମନେ ପଡିଲା। ତେଣୁ ଖାଲିରେ ନ ବସି ନିକଟସ୍ଥ ସ୍କୁଲକୁ ଗଲେ। ଆଗଭଳି ନିୟମିତ ପିଲାଙ୍କୁ ପଢାଇବା ଆରମ୍ଭ କଲେ। ସେପୁଣି ବିନା ମୂଲ୍ୟରେ। ଆଉ ଏଇଥିରେ ତାଙ୍କୁ ଖୁବ ଆନନ୍ଦ ମିଳୁଛି ବୋଲି ସେ କୁହନ୍ତି ା ୧୯୭୬ ମସିହାରେ ସେ ବି.ଏ.(ସି ଟି)ପାସ୍‌ କରି ପ୍ରଥମେ ଓଡିଶା ସିଲେକ୍ସସନ ଦ୍ୱାରା ସିଲେକ୍ଟ ହୋଇ ବିରିତୋଇ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ପରେ ୫ା୧୧ା୧୯୮୨ମସିହାରେ ସେ ପୁରୀ ଜିଲା କଣାସ ବ୍ଲକ୍‌ ଓହ୍ଲାଣ ହାଇସ୍କୁଲରେ ଶିକ୍ଷାଦାନ କଲେ। ସେଠାରେ ସେ ଦୀର୍ଘ ୩୯ ବର୍ଷଧରି କାର୍ଯ୍ୟରତ ଥିଲେ। ଆଉ ୩୦ା୪ା୨୦୧୨ମସିହାରେ ଅବସର ଗ୍ରହଣ କଲେ। କିନ୍ତୁ ଅବସର ସମୟ ତାଙ୍କୁ କାମୁଡି ଗୋଡେଇଲା ପରି ଲାଗିଲା। ପିଲାଙ୍କ କୋଳାହଳ ତାଙ୍କ କାନରେ ଗୁଞ୍ଜରିତ ହେଲା। ତେଣୁ ସେ ସ୍ଥାନୀୟ ନିରାକାରପୁରଠାରେ ଥିବା କ୍ଷେତ୍ରବାସୀ ଏକାଡେମୀ ସ୍କୁଲକୁ ଯାଇ ପିଲାଙ୍କୁ ପଢାଇଲେ ା ସେବେଠାରୁ ଆଜିଯାଏ ସେ ବିନା ବେତନରେ ପଢାଇବା ଜାରି ରଖିଛନ୍ତି। ସେ କୁହନ୍ତି, ‘ମୋ ଶିକ୍ଷାଦାନରେ ଅନେକ ଛାତ୍ରୀଛାତ୍ର ଖାଲି ଓଡ଼ିଶାରେ ନୁହେଁ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦପଦବୀରେ ରହିଛନ୍ତି। ପିଲାମାନେ ଉତ୍ତମ ଶିକ୍ଷା ପାଇ ଉଚ୍ଚ ପଦପଦବୀରେ ରହିଲେ ନିଜ ଆତ୍ମାକୁ ସନ୍ତୋଷ ମିଳିଥାଏ। ତେଣୁ ଶେଷ ନିଃଶ୍ୱାସ ଥିବା ଯାଏ ମୁଁ ଶିକ୍ଷାଦାନ କରିବି।’

୫ ଜଣ ଗରିବ ଓ ଜଣେ ଅନାଥ ଛାତ୍ରଙ୍କୁ ଦେଉଛନ୍ତି ମାଗଣା ଶିକ୍ଷାଦାନ
ଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ନିଃସ୍ବାର୍ଥପର ଭାବେ ନିଜର ଦାୟିତ୍ୱ ତୁଲାଉଥିବା ଜଣେ ଶିକ୍ଷକ ହେଉଛନ୍ତି ବ୍ରହ୍ମପୁର ସହର କାଳୁ ପାତ୍ର ସାହି ଅଞ୍ଚଳର ଶିକ୍ଷକ କାହ୍ନୁ ଚରଣ ପାତ୍ର। କୁକୁଡାଖଣ୍ଡି ବ୍ଲକ ଲାଞ୍ଜିଆ ପଞ୍ଚାୟତ ବାଳକୃଷ୍ଣପୁର ହେଉଛି ତାଙ୍କ ଗାଁ। କାହ୍ନୁଙ୍କ ପିତା ବୃନ୍ଦାବନ ପାତ୍ର ବାଳକୃଷ୍ଣପୁର ଗ୍ରାମରେ ସ୍କୁଲ ଶିକ୍ଷକ ଥିଲେ। ସେ ଶୈକ୍ଷିକତା କରୁଥିବା ସମୟରେ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢାଇବା ସହ ତାଙ୍କର ସମସ୍ତ ପଢା ଖର୍ଚ୍ଚ ବହନ କରୁଥିଲେ। ତେବେ ପିତାଙ୍କ ଦେହାନ୍ତ ପରେ କାହ୍ନୁଙ୍କ ପରିବାରର ଆର୍ଥିକ ଅବସ୍ଥା ଦୋହଲି ଯାଇଥିଲା। ଆଉ କାହ୍ନୁ ଚରଣ ୧୯୯୫, ଯୁକ୍ତ ୩ରେ ପଢୁଥିବା ସମୟରେ ହିଁ ନିଜ ବାପାଙ୍କ ଭଳି ଘରୋଇ ଟ୍ୟୁସନ୍‌ କରିବା ଆରମ୍ଭ କରିଥିଲେ। ଗଣିତ ବିଷୟକୁ ଭଲ ପାଉଥିବା କାହ୍ନୁ ସାର୍‌ ଗଣିତର ସୂତ୍ର ଓ ଶୈଳୀକୁ ଖୁବ୍‌ ସରଳ ଭାବେ ପିଲାଙ୍କୁ ପଢ଼ାଇଥାନ୍ତି। ତେଣୁ ତାଙ୍କ ନିକଟକୁ ଅଧିକରୁ ଅଧିକ ପିଲା ଆସିବାକୁ ଲାଗିଲେ। ପଢ଼ାଇବା ବ୍ୟତୀତ ସେ ନିଜ ବାପାଙ୍କ ପଥ ଅନୁସରଣ କରି ବର୍ତ୍ତମାନ ଦଶମ ଓ ଯୁକ୍ତ ୨ ରେ ପଢୁଥିବା ୫ ଜଣ ଛାତ୍ରଙ୍କୁ ମାଗଣାରେ ପାଠ ପଢାଉଛନ୍ତି। ଏପରି କି ମହାମାରୀ କରୋନାରେ ମୃତ୍ୟୁବରଣ କରିଥିବା ଜଣେ ଯୁକ୍ତ ୨ ଛାତ୍ରର ସମସ୍ତ ପାଠପଢା ଖର୍ଚ୍ଚ ସାଙ୍ଗକୁ ତାକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ମହାମାରୀ ସମୟରେ ସେ ପଢା ବନ୍ଦ ନ କରି ଅନ୍‌ ଲାଇନ୍‌ ମାଧ୍ୟମରେ ପଢାଇବା ଜାରି ରଖିଥିଲେ। ତା’ସହ ସେ ଛାତ୍ରୀଛାତ୍ରଙ୍କ ଟ୍ୟୁସନ୍‌ ଫି ବି ଛାଡ଼ କରିଥିଲେ। ଏହାବାଦ୍‌ ବିଦ୍ୟାଳୟଗୁଡିକରେ ଯେମିତି କିଛି ଅଭାବ ନ ରହୁ ସେଥିପାଇଁ ବ୍ରହ୍ମପୁର ସହର ସମେତ ନିଜ ଗ୍ରାମରେ ରହିଥିବା ବାଘଝରୀ ସ୍କୁଲକୁ ସେ ଖେଳ ଉପକରଣ ସହ ଅନ୍ୟାନ୍ୟ ସରଞ୍ଜାମ ପ୍ରଦାନ କରିଛନ୍ତି। ଆଉ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଶିକ୍ଷକ କାହ୍ନୁ ଶିକ୍ଷକତା ସାଙ୍ଗକୁ ସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହିଥାନ୍ତି। ଏହାବାଦ୍‌ ସେ ବୃକ୍ଷରୋପଣ, ରକ୍ତଦାନ କରିବା ଓ ସ୍ବାସ୍ଥ୍ୟ ସେବା ବି ପ୍ରଦାନ କରନ୍ତି। ନିକଟରେ ସେ ନିଜର ଜନ୍ମଦିନ ଅବସରରେ ଏମ୍‌କେସିଜି ଆନାଟୋମି ବିଭାଗକୁ ନିଜର ଅଙ୍ଗଦାନ ମଧ୍ୟ କରିଛନ୍ତି।

ପିଲାଙ୍କୁ ପଢ଼ାଇବାରେ ମିଳେ ଆନନ୍ଦ:
ପାରାଦୀପରେ ବିଷ୍ଣୁ ସାର ନାମ କହିଲେ ଊଣାଧିକ ଲୋକଙ୍କ ନଜରକୁ ଆସେ ତାଙ୍କର ଚେହେରା। ସବୁବେଳେ ଧଳାଶାର୍ଟ ପିନ୍ଧି ସାଇକେଲ ଚଳାଇ ସ୍କୁଲ ଯାଉଥିବା ସେହି ସାର୍‌ ବୟସର ସାୟାହ୍ନରେ ପହଞ୍ଚି ଗଲେଣି କିନ୍ତୁ ଛାଡି ନାହାନ୍ତି ଶିକ୍ଷକତା। ବୟସ ୭୫ ପାଖାପାଖି ହେଲାଣି। ଏବେ ବି ସବୁଦିନ ପିଲାଙ୍କୁ ପଢାଇବାରେ କଟୁଛି ସମୟ। ସେ ହେଉଛନ୍ତି ବିଷ୍ଣୁ ଚରଣ ସୂତାର। ୧୯୪୭ ସେପ୍ଟେମ୍ବର ୪, କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଡଗବପୁର ଗ୍ରାମରେ ତାଙ୍କର ଜନ୍ମ। ପିଲାବେଳୁ ମେଧାବୀ ଥିଲେ। ଗଣିତରେ ଶହେରୁ ଶହେ ରଖି ମାଟ୍ରିକ ପାଶ୍‌ କରିଥିଲେ। ସେତେବେଳେ ତାଙ୍କ ମାମୁଘର ଗ୍ରାମ ବାମଦେଇପୁରରେ ନୂଆକରି ମଧ୍ୟଇଂରାଜୀ ସ୍କୁଲ ଖୋଲିଥାଏ। ସେଥିରେ ଶିକ୍ଷକତା କରିବା ପାଇଁ ଗାଁ ଲୋକେ ଅନୁରୋଧ କରିବାରୁ ସେଠାରେ ୧୯୬୫ରେ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ମାସକୁ ୩୦ ଟଙ୍କା ମିଳୁଥିଲା। ପରେ ମାଟ୍ରିକ ସିଟି ପରୀକ୍ଷା ଦେଇସାରିଲା ପରେ ପାରାଦୀପ ଆସି ଗୋପାଳଜୀଉ ପ୍ରାଥମିକ ବିଦ୍ୟାଳୟ(ଏବେକାର ସଞ୍ଜୟ ଗାନ୍ଧୀ ବିଦ୍ୟାପୀଠ)ରେ ନିଯୁକ୍ତି ପାଇଥିଲେ। ଏହାପରେ ୧୯୭୭ ମସିହାରେ ପୋର୍ଟ ଟ୍ରଷ୍ଟ ୟୁ ପି ସ୍କୁଲରେ ଶିକ୍ଷକତା କଲେ। ପରେ ପୋର୍ଟ ହାଇସ୍କୁଲରେ ଶିକ୍ଷକ ଭାବେ ଅବସର(୨୦୦୫) ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଦୀର୍ଘ ବର୍ଷର ଶିକ୍ଷକତା ମଧ୍ୟରେ ପିଲାଙ୍କ ସହିତ ଏମିତି ଜଡ଼ିତ ହୋଇ ଯାଇଥିଲେ ଯେ ଅବସର ପରେ ତାଙ୍କ ସମୟ ଯେମିତି କଟୁ ନ ଥିଲା। ଆଉ ପ୍ରତି ମୁହୂର୍ତ୍ତ ଭାରି କଷ୍ଟରେ ବିତୁଥିଲା। ତେଣୁ ସେ ପୁଣିଥରେ ପିଲାଙ୍କୁ ପଢ଼ାଇବା ଆରମ୍ଭ କଲେ। ପାରିଶ୍ରମିକ ମିଳୁ କି ନ ମିଳୁ ଶରୀରରେ ବଳ ଥିବାଯାଏ ପିଲାଙ୍କୁ ପଢ଼ାଇବା ଲକ୍ଷ୍ୟରେ ସେ ଭିନ୍ନ ଭିନ୍ନ ସ୍କୁଲକୁ ଯାଇ ନିଜର ପସନ୍ଦ ବିଷୟ ଗଣିତ ପଢ଼ାଇଲେ। ପ୍ରାୟ ୨ ବର୍ଷ ଏଭଳି ମାଗଣା ପଢ଼ାଇବା ତାଙ୍କର ଜାରି ରହିଲା। ପରେ ୨୦୦୭ରେ ପାରାଦୀପରେ ନୂଆ ଖୋଲିଥିବା ନବପ୍ରଭାତ ସ୍କୁଲ ପରିଚାଳକ ବସନ୍ତ ବିଶ୍ବାଳ (ବିଷ୍ଣୁ ସାରଙ୍କ ପୁରାତନ ଛାତ୍ର) ଶିକ୍ଷା ପ୍ରତି ତାଙ୍କର ନିଷ୍ଠା ଦେଖି ତାଙ୍କୁ ଅନୁରୋଧ କରିଥିଲେ ତାଙ୍କ ନୂଆ ସ୍କୁଲରେ ପିଲାଙ୍କୁ ପଢ଼ାଇବା ପାଇଁ। ସେବେଠୁ ସେଠାରେ ସେ ଖୁବ୍‌ କମ୍‌ ବେତନରେ ଶିକ୍ଷକତା କରିଆସୁଛନ୍ତି। ଶିକ୍ଷକତା ବାଦ୍‌ ତାଙ୍କର କୌଳିକ ବୃତ୍ତି କାଠ କାମରେ ବି ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ବିଭିନ୍ନ ମହାପୁରୁଷ, ରଥ, ବିଭାନ, ଚାଷ ଉପକରଣଗୁଡ଼ିକୁ ସେ ନିଖୁଣ ଭାବେ ତିଆରି କରନ୍ତି। ମହାତ୍ମା ଗାନ୍ଧୀ, ବିଜୁ ପଟ୍ଟନାୟକ, ଶଗଡ଼, ଆଦି କଳାକୃତି କଳିଙ୍ଗ ବାଲିଯାତ୍ରାରେ ପ୍ରଦର୍ଶିତ ହୋଇଛି।

ଏଭଳି ନିଃସ୍ବାର୍ଥ ଶିକ୍ଷାଦାନ ପାଇଁ ହିଁ ତ ଗୁରୁଙ୍କ ସ୍ଥାନ ସର୍ବଦା ଉଚ୍ଚରେ ରହିଆସିଛି। ଯଦିଓ ଆଜିର ଅର୍ଥସର୍ବସ୍ବ ଦୁନିଆରେ ଏଥିରେ କିଛି ବ୍ୟତିକ୍ରମ ଆସିଛି, ତଥାପି କିଛି ଶିକ୍ଷକଙ୍କ ଶିକ୍ଷା ପ୍ରତି ସମର୍ପଣ ପାଇଁ ଆଜ ିବି ଗୁରୁ ନମସ୍ୟ।
-ଶିବାନୀ ମହାନ୍ତି
ତଥ୍ୟ- ପବନ ପାଣିଗ୍ରାହୀ, ନରେଶ ଚନ୍ଦ୍ର ପଟ୍ଟନାୟକ,
ଶରତ କୁମାର ରାଉତ, ସ୍ମୃତିରଞ୍ଜନ ମହାଲିକ୍‌, ମାନସ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?