Posted inଫୁରସତ

ଦୁର୍ନୀତିଆଙ୍କ ସପକ୍ଷରେ…!!

ବକ୍ତାଙ୍କ ଗରମାଗରମ ଭାଷଣ ଶୁଣି ଭକ୍ତଗଣ ଉତ୍ତ୍ୟକ୍ତ ହୋଇଉଠିଲେ l ବକ୍ତା ଗର୍ଜନ କରି କହିଲେ, ମୋତେ ଦୁର୍ନୀତିଆ କହି ଯେଉଁମାନେ ଅପମାନିତ କରୁଛନ୍ତି.. ତାହା ମୋର ଖାଲି ଅପମାନ ନୁହଁ ବରଂ ଏ ରାଜ୍ୟର ଏ ଦେଶର ଅପମାନ l ଅସଂଖ୍ୟ ଜନସାଧାରଣଙ୍କ ଘୋର ଅପମାନ l ଏ କଥା ଶୁଣି ଭକ୍ତଗଣ ସମସ୍ବରରେ କହିଲେ… ”ହଁ ହଁ l ଦୁର୍ନୀତି ଯେବେ ନୀତି ନ ହୋଇବ ଆତ୍ମହତ୍ୟା କରିଦେବୁ /ଦୁର୍ନୀତିଆ ଯଦି ଜେଲ ଯାଏ ଶୁଣୁ ଶୁଣୁ ମରିଯିବୁ…l“

ଆଜ୍ଞା! ସେମାନେ କ’ଣ ଭୁଲ କହିଲେ କି? କଥାଟା ଥଣ୍ଡା ମଗଜରେ ପୂରେଇ ଟିକେ ଭଲରେ ହେଜନ୍ତୁ l ଯୋଉମାନେ ଲାଜସରମ ଛାଡି, ଡରଭୟ ପରିତ୍ୟାଗ କରି, ଯାବତୀୟ ଅପମାନ ସହ୍ୟକରି, ଜେଲରେ ରହିବା ଦଣ୍ଡ ଜାଣିବି ବଡ଼ ବଡ଼ ଦୁର୍ନୀତିରେ ନିଷ୍ଠାରଖି, ବହୁ କଷ୍ଟକରି, ମହଣ ମହଣ ସୁନା, କୋଟି କୋଟି ଟଙ୍କା, ଶହ ଶହ ଏକର ଜାଗା, ଅସଂଖ୍ୟ ଫ୍ଲାଟ, ଗୃହ ଉପଯୋଗୀ ପ୍ଲଟ, ଅନେକ ଶପିଙ୍ଗ୍‌ ମଲ୍‌, ଫିଲିମ୍‌ ହଲ, ଦେଶ ବିଦେଶରେ ମୁଣ୍ଡ ଖଟେଇ କିଣିପାରନ୍ତି.. ସେମାନଙ୍କୁ ଅପମାନସୂଚକ ଶବ୍ଦ.. ଠକ, ଚୋର, ଶୋଷକ, ଟାଉଟର ଭଳି ଅଣଅଭିଧାନିକ କଥା କହି ତାଙ୍କ ମାନହନି କରି ତାଙ୍କଠି କଳା ବୋଳିବା କ’ଣ ଠିକ୍‌? ବରଂ ଏମାନେ ଦୁଃସାହସୀ, ଆମ ହିତାକାଂକ୍ଷୀ, ପରୋପକାରୀ ସର୍ବଗୁଣସମ୍ପନ୍ନ, ସର୍ବସଂହା ଅତି ଭଦ୍ର ମହାମାନବ ଭଳି ଉଚ୍ଚ ବିଶେଷଣଯୁକ୍ତ ଶବ୍ଦରେ ସମ୍ବୋଧିତ ହେବା ଆବଶ୍ୟକ। ଏଇଭଳି ବ୍ୟକ୍ତି ହିଁ ଆମ ଦେଶର ନୂତନ ଇତିହାସ ସୃଷ୍ଟିକାରୀ l ମାନ୍ୟଗଣ୍ୟର ଅସଲି ହକ୍‌ଦାର। ଏଁ.. ପଚାରୁଛନ୍ତି କେମିତି? ଆଜ୍ଞା ଶୁଣୁନାହାନ୍ତି l

ଏମାନଙ୍କର ମୁଣ୍ଡ ଏଡ଼େ ଦୁର୍ବଳିଆ କି? ଜନତାଙ୍କ ସେବା ପାଇଁ ସଂକଳ୍ପ ନେଇଥିବା ଏମାନେ ମୁଣ୍ଡିଆଳ। ସେଇଭଳି ସାହସୀ ଉନ୍ନତମୁଣ୍ଡ ତୁଣ୍ଡ ହୋଇ ନ ଥିଲେ, କ’ଣ ଏସବୁ କରିବା ଏଡ଼େ ସହଜ ? ତା’ ଛଡ଼ା ଆମ ଦେଶର ଆଦର୍ଶ, ଉନ୍ନତିର ମୂଳମନ୍ତ୍ର କ’ଣ, ତାହା ଭଲରେ ଜାଣିଛନ୍ତି l ଆମ ଭାରତବର୍ଷ ତ୍ୟାଗ ବୈରାଗୀ ମୁନିଋଷିଙ୍କର ଦେଶ l ଏଠି ଭୋଗଠାରୁ ତ୍ୟାଗର ମହତ୍ୱ ବେଶି ବୋଲି ପ୍ରଚାରିତ। ଆସକ୍ତ ନୁହଁ ଅନାସକ୍ତ ନିର୍ଲିପ୍ତ ଜୀବନରେ ବଞ୍ଚିବାର ଶିକ୍ଷା ଦିଆଯାଏ। ନେବାଠୁ ଦେବାର ଆନନ୍ଦ ଅଧିକ ବୁଝାଯାଏ l ନିଜଠୁ ଅନ୍ୟର ଉନ୍ନତି ଦେଖି ଆନନ୍ଦିତ ହେବାର ଆଦର୍ଶ ଉଦାହରଣ ଅଛି l ମୋଟାମୋଟି ବୁଝିଲେ.. ଯଦି ଜନସାଧାରଣ ଅଧିକ ଧନୀ ହୁଅନ୍ତି ତାହା କ୍ଷତିକାରକ l ଘରୁ ଚୋରି ଡକେଇତି ହେବାର ଭୟଥାଏ। ରାତିରେ ଆଖିରୁ ନିଦ ହଜିଯାଏ l ଧନ ଚିନ୍ତାରେ ରୋଗ ମାଡ଼ିବସେ l ଏ ସବୁ ବିଷୟରେ ଚିନ୍ତାକରି ଲୋକେ ନିରାପଦରେ ନିର୍ଭୟରେ ରୁହନ୍ତୁ ବୋଲି ଯିଏ ନିଜ ଉପରେ ରିକ୍ସନେଇ ବିପଦ ଜାଣିବି ସାଧାରଣ ଜନତାଙ୍କ ଧନକୁ ନିଜ ଦାୟିତ୍ୱରେ ନେଲେ, ପଡୋଶୀ ସମ୍ପର୍କୀୟଙ୍କ ଘରେ ଅଥବା ପାଇଖାନା ଘରେ ସାଇତିପାରିଲେ… ସେମିତିଆ ହିତ ଚିନ୍ତକ ବନ୍ଧୁ ମୁରବିଙ୍କୁ ଆପଣ ଶୋଷକ ଦୁର୍ନୀତିଆ କହୁଛନ୍ତି କେମିତି! ବରଂ ଏମାନେ ସଚ୍ଚା ସେବକ l
ଆପଣ ଦେଖିଥିବେ.. ଏମିତିକା ଅତି ଭଦ୍ର ସେବକମାନଙ୍କ ମଧ୍ୟରୁ ଅଧିକାଂଶ ଯାବତୀୟ ବେମାରଗ୍ରସ୍ତ l ମୁଖ୍ୟତଃ ଏମାନଙ୍କୁ ଅନେଶ୍ୱତ ବେମାରି, ମାନେ ଯେତେଧନ ପ୍ରାପ୍ତି ହେଲେବି ତୃପ୍ତ ନ ହୋଇ ସର୍ବଦା କ୍ଷୁଧାର୍ତ୍ତ ଥାନ୍ତି l ହାର୍ଟ ଦୁର୍ବଳ, ଡାଇବେଟିସ ପ୍ରବଳ, କିଡ୍‌ନୀ ଫେଲ ହେଉଥିଲେ ବି -ମନୋବଳ ଦୃଢ଼ l କାମରେ ସଫଳ ହୋଇଥାନ୍ତି l ଏମାନେ ଅନ୍ୟମାନଙ୍କ ପରି ଭଲମନ୍ଦ ସ୍ବାଦିଷ୍ଟ ଖାଦ୍ୟ ନ ଖାଇ ରୁଟି କଲରା ସିଝା ଖାଇ, ବଟିକା ଗିଳି ବିଡ଼ା ବିଡ଼ା ଟଙ୍କା.. ସରକାରୀ ଧନ ଜନତାଙ୍କ ସମ୍ପତ୍ତିକୁ ବେଶ୍‌ ଆରାମରେ ହଜମ କରିବାର କ୍ଷମତା ରଖିଥାନ୍ତି l ଶରୀର ଦୁର୍ବଳ, ଚର୍ମ ଶିଥିଳ, ଦନ୍ତ ଗଳିତ, କେଶ ପକ୍ୱଯୁକ୍ତ ହୋଇ କାଳର ପାଟିରେ ପଶିଥିଲେବି ନିଜ ଡିଉଟିରେ ଖିଲାପ ନ କରି ଅଧିକରୁ ଅଧିକ ଗିଳୁ ଗିଳୁ ବେଳେବେଳେ ପେଟରେ ବଦହଜମି କାରଣରୁ ଦୁର୍ଗନ୍ଧ ବାୟୁର ବିସ୍ଫୋରଣ ହୁଏ l ସେଇ ମନ୍ଦବାୟୁ ଗନ୍ଧର ଆଭାସ ପାଇ, କେହି କେହି ସିବିଆଇ ନହେଲେ ଇଡି ଭଳି ବିଶେଷଜ୍ଞଙ୍କୁ ଆରୋଗ୍ୟକାମନାରେ ଡକେଇଥାନ୍ତି l ତାଙ୍କ ଚିକିତ୍ସାରେ ଭୟଭୀତ ହୋଇ ଛପିଥିବା ପୁରୁଣାରୋଗ .. ହାର୍ଟ କିଡ୍‌ନି ବ୍ରେନ୍‌ ଭଳି ବେମାରି ହଠାତ ଉଠିବାରୁ ତୁରନ୍ତ ମେଡିକାଲ ଖଟିଆରେ ରହି ଅନିର୍ଦ୍ଦିଷ୍ଟ ବିଶ୍ରାମ ନିମନ୍ତେ ସତ୍ୟ ସାର୍ଟିଫିକେଟ ଡାକ୍ତରଙ୍କ ଦ୍ୱାରା ଦିଆଯାଏ l

ହଠାତ ଏ ରୋଗ ବାହାରିବାର ଅସଲ କାରଣ ହେଲା ସେ ଜେଲରେ ରହିଲେ.. ଆଉ କିଏ ଦେଶର ଜନସାଧାରଣଙ୍କ ଧନକୁ ନେଇ ନିରାପଦରେ କୋଉଠି ରଖିବ l ତାଙ୍କୁ ଶାନ୍ତିନିଦ୍ରା ପ୍ରଦାନ କରିବ l
ଏମାନଙ୍କର ଆଉ ଗୋଟେ ସଦ୍‌ଗୁଣ ହେଲା ଇଡି ଧରିବା ପରେ ଏମାନେ ତ୍ୟାଗୀ ବୈରାଗୀ ଆସକ୍ତିଶୂନ୍ୟ ହୋଇଯାନ୍ତି l ଏତେ ଧନ କୋଉଠୁ ଆସିଲା କିଏ କେମିତି ରଖିଲା ସବୁ ଭୁଲି ସଫେଇ ଦିଅନ୍ତି.. ବୋଧହୁଏ ଭଗବାନ ତାଙ୍କପରି ସଚ୍ଚୋଟ ସଚ୍ଚାମଣିଷ ଦେଖି ଦେଇଛନ୍ତି l ତାଙ୍କପରି ବିଶୁଦ୍ଧ ଜନସେବକ ପରୋପକାରୀଙ୍କ ସଦ୍‌ଗୁଣ ଦେଶ ରାଜ୍ୟ ମୁଖ୍ୟ ଜାଣନ୍ତି ନାହିଁ। ଯଦି ଏତେ ଭଲଗୁଣ ଜାଣିଥାନ୍ତେ.. ତେବେ କ’ଣ ଜାତୀୟ ପୁରସ୍କାର ନ ଦେଇ ରହିପାରିଥାନ୍ତେ ! ଏମିତିକା ଅତି ଭଦ୍ରଙ୍କୁ କାରାମୁକ୍ତ କରାଯାଇ ରାଜ୍ୟ ଦେଶର ସମ୍ପୂର୍ଣ୍ଣ ଶାସନଭାର ଦେବାକଥା l ତା ହେଲେ ବହୁଦିନର ପ୍ରତୀକ୍ଷା.. ଦୁର୍ନୀତିକୁ ନୀତିରେ ବଦଳାଯାଇ ନୂଆଯୁଗର ସୁରୁୱାତ୍‌ ହୁଅନ୍ତା l ଜେଲରେ ସେଇମାନେ ରୁହନ୍ତେ. ଯେଉଁମାନେ ଦୁର୍ନୀତି ଦୁର୍ନୀତି ରଡି କରୁଛନ୍ତି l ତାଙ୍କଭଳି ଭଲ ଲୋକଙ୍କ ନିନ୍ଦା କରୁଛନ୍ତି l ସେତେବେଳେ ଆମ ଦେଶ ସାରା ପୃଥିବୀରେ ଉଦାହରଣ ସୃଷ୍ଟି କରନ୍ତା l ଆକାଶରେ ଲକ୍ଷ ଲକ୍ଷ ତାରାମଧ୍ୟରେ ଏମାନେ ଚନ୍ଦ୍ର ପରି ଚମକନ୍ତେ l ଦେଶ ପୂରା ଉପରକୁ ଉଠିଯାଇ ଦୁର୍ନୀତିର ଜୟ ଜୟକାର ଶୁଭନ୍ତା… l

-ମଙ୍ଗରାଜପୁର, ପୁରୀ
ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri