ଆମ ସଂସ୍କୃତିର କେତୋଟି ବିଚାର

ଆମ ସଂସ୍କୃତିର ଏକ ସ୍ବାତନ୍ତ୍ର୍ୟ ହେଉଛି ‘ତେନତ୍ୟକ୍ତେନ ଭୂଞ୍ଜିଥା’ ଅର୍ଥାତ୍‌ ତ୍ୟାଗପୂର୍ବକ ଉପଭୋଗ କର। ଏକାକୀ ଉପଭୋଗ ନ କରି ସମୂହ ଭାବରେ ଦୁଃଖ ସୁଖକୁ ବାଣ୍ଟିନେବା ପାଇଁ ଆମକୁ ପିଲାଟି ଦିନରୁ ଶିଖା ହୋଇଛି। ଯେଭଳି ‘ପ୍ରସାଦ ବାଣ୍ଟିଣ ଖାଇବ, ଅଳ୍ପ ବହୁତ ନ କହିବ’, ‘ଏକତାର ବଳ ବା ଦଳର ବଳ’। ଏପରି ଅନେକ ଆପ୍ତବାକ୍ୟରେ ଆମ କୈଶୋର ସମୃଦ୍ଧ। କଣିକାଏ ନିର୍ମାଲ୍ୟରେ ବୈକୁଣ୍ଠ ପ୍ରାପ୍ତି ବୋଲି ସେଇ ବିଶ୍ୱାସରେ ଆମେ ବଞ୍ଚିଛୁ ଆଜିଯାଏ। ତେବେ ଏଭଳି ସମୂହ ଭାବନା ତ୍ୟାଗର ନାମାନ୍ତର ନୁହେଁ କର୍ତ୍ତବ୍ୟର ଅନ୍ୟତମ ରୂପ। ତେବେ ତ୍ୟାଗ ଆଉ କର୍ତ୍ତବ୍ୟକୁ ନେଇ ଦୁଇ କିମ୍ବଦନ୍ତୀ ପୁରୁଷ ଯେ କି ଗାନ୍ଧୀ ଓ ମାର୍କସ। ମାର୍କସ କହିଲେ ‘ନ ଥିଲା ଲୋକ ଥିଲା ଲୋକଙ୍କଠୁ ଛଡ଼େଇ ନିଅନ୍ତୁ କିନ୍ତୁ ଗାନ୍ଧୀ କହିଲେ, ଥିଲାବାଲା ନ ଥିଲାବାଲା ଲୋକଙ୍କୁ ଆପଣାର ମଣି ହାତଧରି ତଳୁ ଉପରକୁ ଉଠାଇ ନେଲେ ରକ୍ତାକ୍ତ ବିପ୍ଳବକୁ ଏଡ଼ାଇ ଦିଆ ଯାଇପାରନ୍ତା ଓ ସାମୂହିକ ସଦ୍‌ଭାବ ପ୍ରତିଷ୍ଠା ସହଜ ହୋଇପାରନ୍ତା। ତେବେ ଏ କଥା ଆଜିର ସମାଜରେ କେତେଦୂର ସମ୍ଭବ? ତେବେ ଏବକାର ସମାଜରେ କେତୋଟି ବିଚାର ଉପରେ ଆଲୋଚନା କରିବା। ଆଜି ଆଉ କେହି ଚିଠି ଲେଖିବାକୁ ପସନ୍ଦ କରୁ ନାହାନ୍ତି। ତେଣୁ ଚିଠି ଲେଖା ସାତସପନ ହେଲାଣି। ଚିଠି ଯେ କେତେ ପ୍ରତୀକ୍ଷାର ଅନ୍ତ ଘଟାଏ ଏ କଥା ଆମ ପିଲାଏ ଜାଣି ପାରୁନାହାନ୍ତି। ୩ ଏପ୍ରିଲ ୧୯୭୩ରେ ବିଜ୍ଞାନୀ ମାର୍ଟିନ କୁପର ପ୍ରଥମେ ‘ମୋଟୋରୋଲା’ ମୋବାଇଲ ପ୍ରସ୍ତୁତ କରିବା ସହ ତାଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱୀ ଡ. ଜୋଏଲସ୍‌ ଏଙ୍ଗଲଙ୍କ ସହ କଥା ହୋଇଥିଲେ। ସେହିପରି ପ୍ରଥମେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ ନୋକିଆ ହ୍ୟାଣ୍ଡ ସେଟ୍‌ରେ କେନ୍ଦ୍ରୀୟ ଦୂରସଂଚାର ମନ୍ତ୍ରୀ ସୁଖରାମଙ୍କ ସହିତ ବାର୍ତ୍ତାଳାପ କରିଥିଲେ। ସେହି ଦିନଠାରୁ ମୋବାଇଲ ତାର କାୟା ବିସ୍ତାର କରିବା ସହ ଆଜିର ଯୁବପିଢ଼ି ତଥା ସମସ୍ତଙ୍କୁ ହ୍ବାଟ୍‌ସ ଆପ, ଏସ୍‌ଏମ୍‌ଏସ୍‌, ଇନ୍‌ଷ୍ଟା ଗ୍ରାମ ଓ ଟୁଇଟର ଭିତରେ ସୀମିତ କରି ଦେଇଛି। ଡାକଘର ଆଉ ସମ୍ପର୍କର ସେତୁ ହୋଇ ରହିନାହିଁ।
ଏହି ମୋବାଇଲର ବ୍ୟବହାର ଫଳରେ ବର୍ଣ୍ଣଶୁଦ୍ଧିର ସଙ୍କଟ ବଢ଼ିବାରେ ଲାଗିଛି। ଓଡ଼ିଆ ଭାଷାକୁ ନେଇ ବହୁତ ସଭା ସମିତି ଆଲୋଚନା ଚକ୍ର ହେଉଛି। ଆକାର, ଇ, ଈ ର ପାର୍ଥକ୍ୟ, ଶ, ଷ,ସ ର ବ୍ୟବହାରକୁ ନେଇ ନାନା ମତ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। କେଉଁ ବନାନକୁ ସାଧାରଣ ଲୋକେ ବ୍ୟବହାର କରିବେ, ଏମିତି ସର୍ବସମ୍ମତ ମତ ବାହାରିପାରୁନି, ମାତ୍ର ମୋବାଇଲରେ ବନାନ ଅଛି କି? ଆମ ଭାଷା ଯେ କେତେ ବିପଦଗ୍ରସ୍ତ ଏକଥା ଆମେ ଜାଣି ଅଜଣା ହେଉଛୁ। ଏହା ହେଉଛି ବର୍ତ୍ତମାନ ସଂସ୍କୃତିର ବିଚାର। ଆଜି ଏଇ ଭାଷାରୁ ସମସ୍ତ ସମସ୍ୟା ମନରେ ଉଙ୍କି ମାରୁଛି! ପିଲାଙ୍କ ଭିତରେ ନିଜ ବିଦ୍ୟାଳୟକୁ ନେଇ କଥାବାର୍ତ୍ତା ”ତୁମ ସ୍କୁଲରେ ସୁଇମିଂ ପୁଲ୍‌ ଅଛି? ଆମ ସ୍କୁଲରେ ହର୍ଷ ରାଇଡିଂ ଟ୍ରେନିଂ ଦିଆଯାଉଛି। ମୋ ଜାଣିବାରେ ଷଷ୍ଠ ଦଶକ ଶେଷ ପର୍ଯ୍ୟନ୍ତ ଗାଁର ହାଇସ୍କୁଲରେ ଇଂଲିଶ ପଢ଼ା ଖୁବ୍‌ ଭଲ ହେଉଥିଲା। ତେବେ ଆଜି କାହିଁକି ଓଡ଼ିଆ ସ୍କୁଲରେ ସେହି ନାମକରା ପିଲାଙ୍କ ପୁଅ ଝିଅ ବା ନାତି ନାତୁଣୀମାନେ ପଢୁନାହାନ୍ତି? ଯିଏ ବି ଭଲ ପିଲା ପଢୁଛନ୍ତି ସେମାନେ ନିଜ ଭିତରେ କାହିଁକି ଇଂଲିଶ ମାଧ୍ୟମ ସ୍କୁଲରେ ପଢ଼ିଲେନି ବୋଲି ହୀନମନ୍ୟତା ନେଇ ବଢୁଛନ୍ତି।
ଆମ ସନାତନ ସଂସ୍କୃତିରେ ପରିଷ୍କାର ପରିଚ୍ଛନ୍ନତାର ସ୍ଥାନ ଉଚ୍ଚରେ। ସେଦିନ ଜଗଜ୍ଜନନୀ ମା’ ଲକ୍ଷ୍ମୀ ଠାକୁରାଣୀ ଗାଁ ଭ୍ରମଣରେ ଯିବା ସମୟରେ କାହାର ଦୁଆରେ ଶୁଚି ନ ଦେଖି ଶ୍ରୀୟା ଚଣ୍ଡାଳୁଣିର ଶୁଦ୍ଧପୂତ ପରିଷ୍କାର ପରିଚ୍ଛନତା କୁଡ଼ିଆ ଭିତରେ ଉଭା ହୋଇଥିଲେ। ଆଜି ଆଉ ଲିପା ପୋଛା ନାହିଁ। ଯଦି ଘରେ କାମବାଲା ନ ଆସିଥାଏ ଓ ବଡ଼ ବଡ଼ ବାବୁଙ୍କ ସହାୟକ ଅନୁପସ୍ଥିତ ରହେ ତେବେ ସେ ଘର ୩/୪ ଦିନ ଧରି ଓଳା ନ ହୋଇ ରହିଥାଏ। ବାବୁ, ବାବୁଆଣୀମାନେ ତିନିମହଲା କୋଠାରୁ ଅଳିଆ ପଲିଥିନ ରାସ୍ତା ଉପରକୁ ଫୋପାଡ଼ି ଦେଇ ପରିବେଶ ପ୍ରଦୂଷଣ କରୁଛନ୍ତି। ହେଲେ ସେମାନଙ୍କ ଘରେ ଲକ୍ଷ୍ମୀ ବିରାଜମାନ କରିଥାନ୍ତି, ଏହା ହେଉଛି ଆଜିର କଳି ଯୁଗର ପ୍ରଭାବ! ଘର ସଫା ସୁତରା ରଖିବା ମଫସଲିଆ ବିଚାର ନୁହେଁ । ଏଥିରେ ସ୍ବାସ୍ଥ୍ୟରକ୍ଷା ସହିତ ମନସ୍ତତ୍ତ୍ୱ ମଧ୍ୟ ସଂଶ୍ଳିଷ୍ଟ।
ଆଜିର ନାରୀ ସମାଜ ନିଜର ବିପର୍ଯ୍ୟୟ ପାଇଁ ନିଜେ ଦାୟୀ। ଦିନେ ଝିଅର ଚାଲିଚଳଣି ଜାମା ଲୁଗାରେ ପରିବାରର ଚାଲିଚଳଣି ଫୁଟି ଉଠୁଥିଲା। ପରିବାରର ସମ୍ପଦ କନ୍ୟାରତ୍ନଟି ପରମ୍ପରାରେ ରକ୍ଷାକର୍ତ୍ତା ଥିଲା। ଆଉ ଆଜି ଯେତେ ନୂଆ ନୂଆ ଚଳଚ୍ଚିତ୍ର ଆସୁଛି ସେତେ ନୂଆ ପୋଷାକ ସିଲେଇ ହେଉଛି। ଆଉ ସମ୍ଭ୍ରାନ୍ତ ବଂଶର ପୁଅ ଝିଅମାନେ ଉକ୍ତ ପୋଷାକଟିକୁ ଯଥାଶୀଘ୍ର ଆଣିବା ଦରକାର ହୋଇପଡିଛି, କାଳ ବିଳମ୍ବ ହେଲେ ଷ୍ଟାଇଲ ବଦଳିବାର ଭୟ ଅଛି। କିନ୍ତୁ ସେମାନେ ବିଚାର କରିବା ଦରକାର ଯେଉଁ, ଜୋତା, ପୋଷାକ, ଚଷମାର ଶୈଳୀ ଏତେ କ୍ଷଣସ୍ଥାୟୀ ତା’ ପଛରେ ଏତେ ଊର୍ଦ୍ଧ୍ୱଶ୍ୱାସରେ ଧାଇଁବାର ମାନେ କ’ଣ ଅଛି? ତଥ୍ୟ ଜାଣିବାର ଅଧିକାର କଥା ଭାଷଣରେ କହୁଥିବା ମଣିଷମାନେ ନିଜ ଜେଜେବାପା, ମାଆଙ୍କ ନାମ ଜାଣନ୍ତିନି, ନିଜର ଗୋତ୍ର ବି ଜାଣନ୍ତିନି! ଆଜିକାର ପିଲାମାନେ କ୍ଷୀର ପ୍ୟାକେଟ୍‌ରୁ ଆସେ ବୋଲି ଜାଣନ୍ତି। ତେବେ ବିଚାର କରନ୍ତୁ ଆମ ସଂସ୍କୃତି ଓ ସଭ୍ୟତା କେତେ ନିମ୍ନସ୍ତରକୁ ଗଲାଣି।
ଆଜିର ପିଲାଏ ଇଣ୍ଟରନେଟ୍‌ ଉପରେ ନିର୍ଭରଶୀଳ। ଏହି ବ୍ୟବସ୍ଥା ଖୁବ୍‌ ଭଲ କିନ୍ତୁ ସେଥିରେ ଆମେ ଯେଉଁ ତଥ୍ୟ ରଖିବା ସେତିକି ତ ଆମକୁ ଉପଲବ୍ଧ ହେବ! ତେବେ ଏହି ବ୍ୟବସ୍ଥା ଆମ ବିଚାରକୁ ପ୍ରଭାବିତ କରୁଛି, ଅନେକ ତଥ୍ୟ ଆମ ହାତ ପାଖକୁ ଆସୁଛି ସହଜରେ। ମାତ୍ର ତଥ୍ୟ ତ ଜ୍ଞାନ ନୁହେଁ! ଆସନ୍ତୁ ପାଠ କଥା ବିଚାର କରିବା- ବିଦ୍ୟା ପରା ନମ୍ରତା ଦିଏ। ”ନମ୍ରନ୍ତି ଫଳିନଃ ବୃକ୍ଷା ନମ୍ରନ୍ତି ଗୁଣିନୋ ଜନାଃ“ ଫଳ ଭାରରେ ବୃକ୍ଷଟି ନଇଁଯାଏ। ଏହି ଫଳନ୍ତି ବୃକ୍ଷ ଅନ୍ୟର ଫୋପଡ଼ ସହେ। ତେବେ ଗଛ କ’ଣ ଫୋପଡ଼କୁ ଡରି ଫଳ କାମନା କରେ ନାହିଁ କି? ଆଜି ଅତି ପାଠୁଆ ପୁଅ ସମସ୍ତଙ୍କ ସ୍ବପ୍ନକୁ ପୁଞ୍ଜିକରି ବିଦେଶଯାଏ, ଆଉ ଘର ମାଟି ମାଡ଼ିବାକୁ ସଙ୍କୋଚ ବୋଧ କରେ ! ଆଜୀବନ ଦୁଃଖ କଷ୍ଟ ସହି ଯେଉଁ ବାପ ମାଆ ତାକୁ ଭେଣ୍ଡା କରିଥାନ୍ତି , ସେମାନଙ୍କ ପାଇଁ ବିଦେଶୀ ପୁଅ କିଛି ଅର୍ଥ ପଠାଇ ନିଜର ବଡ଼ପଣ ଦେଖାଇ ହୁଏ। ତେବେ ଆସନ୍ତୁ ଆମର ଏହି ବିଚାର ଧାରାକୁ ପରିବର୍ତ୍ତନ କରି ଆମ ସଂସ୍କୃତି ଓ ପରମ୍ପରାର ରକ୍ଷା କରିବା।

  • ଉମାଶଙ୍କର ପ୍ରସାଦ
    ମୋ-୯୬୩୭୦୬୭୫୫୬୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri