ସୋସିଆଲ୍‌ ମିଡିଆ ପଲିସି: ଭଲ ଓ ଭେଲ

ସବ୍ୟସାଚୀ ଅମିତାଭ

ସମୟ ବଦଳିଛି, ତା’ ସହ ଡିଜିଟାଲ ମିଡିଆ ଧୀରେ ଧୀରେ ଲୋକଙ୍କ ସ୍ବର ହେବାରେ ଲାଗିଛି। ସୋସିଆଲ୍‌ ମିଡିଆ ଲୋକଙ୍କୁ ସେମାନଙ୍କ ଉତ୍କର୍ଷତା ଦେଖାଇବାର ମଉକା ଦେଇଛି, ସେମାନଙ୍କୁ ପ୍ରଶ୍ନ ପଚାରିବାର ପ୍ଲାଟ୍‌ଫର୍ମ ତିଆରି କରିଛି, ଲୋକଙ୍କ ତଥ୍ୟ ନେଉଛି ଓ ଲୋକଙ୍କୁ ନିଜ କଥା କହିବାର ସୁଯୋଗ ଦେଉଛି। ସରକାରଙ୍କୁ ଆଲୋଚନା ହେଉ ବା ଗମ୍ଭୀର ସମସ୍ୟା ବାବଦରେ ଲୋକଙ୍କ ଅଭିବ୍ୟକ୍ତି, ମୋଟାମୋଟି ଲୋକଙ୍କ ପାଇଁ ଏକପ୍ରକାର ଶକ୍ତିଶାଳୀ ଅସ୍ତ୍ର ପାଲଟିଛି ସୋସିଆଲ୍‌ ମିଡିଆ। ତେବେ ସୋସିଆଲ୍‌ ବା ଡିଜିଟାଲ ମିଡିଆ ଉପରେ କୌଣସି ସରକାରୀ କଟକଣା ନ ଥିବାରୁ ଅନେକ ସମୟରେ ଫେକ୍‌ ନ୍ୟୁଜ୍‌ ବା ଅପରପକ୍ଷରୁ ବଦ୍‌ନାମ କରିବା ପାଇଁ ମଧ୍ୟ ପେଡ୍‌ ଟ୍ରୋଲିଂ କରାଯାଉଥିବା ଘଟଣାମାନ ମଧ୍ୟ କିଛି ନୂଆ ନୁହେଁ। ଏହାରି ଭିତରେ କେନ୍ଦ୍ର ସରକାର ଡିଜିଟାଲ ମିଡିଆକୁ ନେଇ ନୂଆ ପଲିସି ଆଣିଛନ୍ତି। ଏହି ନୂଆ ନିୟମ ଜରିଆରେ ସୋସିଆଲ ମିଡିଆ ଉପରେ ଅଙ୍କୁଶ ଲଗାଯିବା ସହ ନ୍ୟୁଜ ସଂସ୍ଥାଗୁଡ଼ିକର ଡିଜିଟାଲ ଫ୍ଲାଟ୍‌ଫର୍ମ ତଥା ମନୋରଞ୍ଜନରେ ସାମିଲ ଥିବା ଓଟିଟି ଫ୍ଲାଟ୍‌ଫର୍ମଗୁଡ଼ିକ ଲାଗି ମଧ୍ୟ ସେଲଫ୍‌-ରେଗୁଲେଶନ୍‌ ନିୟମ ଆଣିଛନ୍ତି। ସରକାର ଏଥିପାଇଁ ଯେ କେବଳ ନୂଆ ନିୟମ ଆଣିନାହାନ୍ତି ବରଂ ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି ଆକ୍ଟ ୨୦୦୦ ଅନୁସାରେ ଏହାକୁ ପ୍ରଣୟନ କରାଯାଇଛି; ଯାହାର ନାଁ ଦିଆଯାଇଛି ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି ଇଣ୍ଟରମିଡିୟରି ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌ ରୁଲ୍‌ ୨୦୨୧।
ମୋଟାମୋଟି ଦେଖିବାକୁ ଗଲେ, ସୋସିଆଲ୍‌ ମିଡିଆର ୟୁଜର୍ସ ଏହାଦ୍ବାରା କିପରି ପ୍ରଭାବିତ ହେବେ ତାହା ସବୁଠାରୁ ବଡ଼ ପ୍ରଶ୍ନ। କାରଣ ପ୍ରଥମତଃ ଫେସ୍‌ବୁକ୍‌, ଟୁଇଟର, ହ୍ବାଟ୍ସଆପ୍‌ ପରି ଏକାଧିକ ସୋସିଆଲ୍‌ ମିଡିଆ, ଦୁଇରେ ବିଭିନ୍ନ ନ୍ୟୁଜ୍‌ ସଂସ୍ଥାଗୁଡ଼ିକର ପୋର୍ଟାଲ ପ୍ଲାଟ୍‌ଫର୍ମ ତଥା ତିନିରେ ଓଭର-ଦି-ଟପ୍‌ ଯାହାକୁ ମନୋରଞ୍ଜନ କ୍ଷେତ୍ରରେ ଓଟିଟି ପ୍ଲାଟ୍‌ଫର୍ମ ବୋଲି କୁହାଯାଉଛି, ଏମାନଙ୍କ ୟୁଜର୍ସମାନଙ୍କ ସଂଖ୍ୟା ବେଶ୍‌ ଅଧିକ। ସାଧାରଣ ଭାବେ ଅଧିକାଂଶ ଲୋକଙ୍କ ହାତରେ ସ୍ମାର୍ଟ ଫୋନ୍‌ ରହିଛି, ଯାହା ଏକାଧିକ ଏହିପରି ଆପ୍‌ ସହ ସଂଯୁକ୍ତ। କେନ୍ଦ୍ର ସରକାରଙ୍କ ଏହି ନୂଆ ଗାଇଡ୍‌ଲାଇନ୍‌ ୟୁଜର୍ସଙ୍କୁ କିପରି ପ୍ରଭାବିତ କରିବ ତାହା ସମସ୍ତେ ଜାଣିବା ଦରକାର।
ସୋସିଆଲ୍‌ ମିଡିଆ କ୍ଷେତ୍ରରେ ଏହି ନିୟମଗୁଡ଼ିକ ବାବଦରେ ଯଦି ଆଲୋଚନା କରିବା, ତେବେ ଅଧିକାଂଶ ନିୟମ ପ୍ରଶାସନିକ କ୍ଷେତ୍ରର ବୋଲି ଜଣାଯାଉଛି; ଯାହା ୟୁଜର୍ସଙ୍କୁ କମ୍‌ ଆଉ ସୋସିଆଲ୍‌ ମିଡିଆ କମ୍ପାନୀଗୁଡ଼ିକୁ ବେଶି ପ୍ରଭାବିତ କରିବ। ୟୁଜର୍ସମାନଙ୍କ ପାଇଁ ଏକ ଭଲ ଖବର ହେଉଛି, ଏହା ଜରିଆରେ ସୋସିଆଲ୍‌ ମିଡିଆର ଦୁରୁପଯୋଗ ବନ୍ଦ ହେବ। ଫେକ୍‌ନ୍ୟୁଜ୍‌, ଗୁଜବ, ଅପପ୍ରଚାର ତଥା ଆପତ୍ତିଜନକ କଣ୍ଟେଣ୍ଟ ରୋକିବାରେ ସରକାରଙ୍କ ଉଦ୍ୟମ ଫଳବତୀ ହେବ। ସରକାରଙ୍କ କହିବା କଥା ହେଲା, ସୋସିଆଲ୍‌ ମିଡିଆରେ କୌଣସି ପ୍ରକାର ଟିପ୍ପଣୀ ବା ଆଲୋଚନାକୁ ନେଇ କୌଣସି ଆପତ୍ତି ନାହିଁ, କିନ୍ତୁ ସୋସିଆଲ୍‌ ମିଡିଆ କଣ୍ଟେଣ୍ଟ ଜରିଆରେ ଦେଶରେ କୌଣସି ପ୍ରକାରର ଷଡ଼ଯନ୍ତ୍ର ଉଦ୍ୟମକୁ ନୂଆ ପଲିସି ଜରିଆରେ ଅଙ୍କୁଶ ଲଗାଯାଇପାରିବ। ସେହିପରି ମହିଳାଙ୍କ ସମ୍ମାନ ଜଡ଼ିତ ଥିବା କୌଣସି କଣ୍ଟେଣ୍ଟକୁ ନୂଆ ନିୟମ ଅନୁସାରେ ସୋସିଆଲ୍‌ ମିଡିଆ କମ୍ପାନୀଗୁଡ଼ିକୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଯଦି ସୋସିଆଲ୍‌ ମିଡିଆରେ କୌଣସି ଆପତ୍ତିଜନକ ଫଟୋ ପୋଷ୍ଟ ହେଉଛି, ତେବେ ଏହା ଦେଖାଯିବାର ଚବିଶ ଘଣ୍ଟା ମଧ୍ୟରେ ଏହାକୁ ହଟାଇବାକୁ ପଡ଼ିବ। ଏଥିପାଇଁ ପୀଡ଼ିତାଙ୍କ ଅଭିଯୋଗର କୌଣସି ଆବଶ୍ୟକତା ରହିବ ନାହିଁ। ଯଦି କୌଣସି ଅଦାଲତ ବା ସରକାରୀ ସଂସ୍ଥା କୌଣସି ଆପତ୍ତିଜନକ ତଥା ବିଶୃଙ୍ଖଳା ସୃଷ୍ଟିକାରୀ ଟୁଇଟ୍‌ ବା ମେସେଜ୍‌ର ଫାଷ୍ଟ ଅରିଜିନେଟରଙ୍କ ବାବଦରେ ତଥ୍ୟ ମାଗନ୍ତି ତେବେ ସୋସିଆଲ୍‌ ମିଡିଆ କମ୍ପାନୀଙ୍କୁ ଏହା ଦେବାକୁ ପଡ଼ିବ। ସାଧାରଣତଃ ଦେଶର ଅଖଣ୍ଡତା, ଏକତା ତଥା ସୁରକ୍ଷାରେ ଜଡ଼ିତ ମାମଲା, ସାମାଜିକ ବ୍ୟବସ୍ଥା ତଥା ପଡ଼ୋଶୀ ଦେଶଗୁଡ଼ିକ ସହ ସମ୍ପର୍କ, ଦୁଷ୍କର୍ମ ବା ଯୌନ ଶୋଷଣ ପରି ମାମଲା କ୍ଷେତ୍ରରେ ଏହି ନିୟମ ଲାଗୁ ହେବ। ଏହି ମାମଲାରେ ଅଭିଯୋଗ ପ୍ରମାଣିତ ହେବା କ୍ଷେତ୍ରରେ ସମ୍ପୃକ୍ତ ୟୁଜରଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ। ସେହିପରି ଯଦି ଆପତ୍ତିଜନକ କଣ୍ଟେଣ୍ଟ ବା ପୋଷ୍ଟର ଫାଷ୍ଟ ଅରିଜିନେଟର ବିଦେଶୀ ନାଗରିକ ହୋଇଥିବେ, ତେବେ ଭାରତରେ ଏହାକୁ ପ୍ରଥମେ ପୋଷ୍ଟ କରିଥିବା ୟୁଜରଙ୍କ ତଥ୍ୟ ସୋସିଆଲ୍‌ ମିଡିଆ କମ୍ପାନୀଗୁଡ଼ିକୁ ଦେବାକୁ ହେବ।
ସୋସିଆଲ୍‌ ମିଡିଆ କମ୍ପାନୀଗୁଡ଼ିକୁ ଏହି ସବୁ କାମକୁ ଠିକ୍‌ ଢଙ୍ଗରେ କରିବା ପାଇଁ ତିନି ମାସ ମଧ୍ୟରେ ଚିଫ୍‌ କମ୍ପ୍ଲାଏନ୍ସ ଅଫିସର, ନୋଡାଲ୍‌ କଣ୍ଟାକ୍ଟ ଅଫିସର ଓ ରେସିଡେନ୍ସ ଗ୍ରୀଭାନ୍ସ ଅଫିସରଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ। ଏମାନେ ସମସ୍ତେ ଭାରତର ନାଗରିକ ହୋଇଥିବା ଦରକାର। ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କ କାମ ରହିବ, ସେ ସୋସିଆଲ୍‌ ମିଡିଆ କମ୍ପାନୀ ସରକାରଙ୍କ ପ୍ରଦତ୍ତ ନିୟମଗୁଡ଼ିକର ଠିକ୍‌ ଅନୁପାଳନ କରୁଛନ୍ତି କି ନାହିଁ। ସେହିପରି ନୋଡାଲ୍‌ ଅଫିସରମାନେ ଆଇନ ଅଦାଲତ ତଥା ସରକାରୀ ସଂସ୍ଥାଗୁଡ଼ିକ ସହ ଚବିଶ ଘଣ୍ଟିଆ ଯୋଗସୂତ୍ରରେ ରହିବେ। ରେସିଡେନ୍ସ ଗ୍ରୀଭାନ୍ସ ଅଫିସର ୟୁଜରମାନଙ୍କର ଆପତ୍ତି ଅଭିଯୋଗ ଉପରେ ମୁଖ୍ୟତଃ ଶୁଣାଣି କରିବେ। ତେବେ ଗ୍ରୀଭାନ୍ସ ଅଫିସରଙ୍କୁ ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ ଓ ୧୫ ଦିନ ମଧ୍ୟରେ ଅଭିଯୋଗର ନିରାକରଣ କରିବାକୁ ପଡ଼ିବ। ସେହିପରି ଯେଉଁ ୟୁଜର ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଭେରିଫିକେଶନ୍‌ ଚାହିଁବେ, ସେମାନଙ୍କୁ ସମ୍ପୃକ୍ତ ସୋସିଆଲ୍‌ ମିଡିଆ କମ୍ପାନୀ ଏହାର ବ୍ୟବସ୍ଥା ଉପଲବ୍ଧ କରାଇବାକୁ ପଡ଼ିବ। ଉଦାହରଣ ସ୍ବରୂପ- ଟୁଇଟରରେ ଭେରିଫାଏଡ୍‌ ଆକାଉଣ୍ଟଗୁଡ଼ିକ ବ୍ଲୁ ଟିକ୍‌ରେ ଚିହ୍ନଟ ହୋଇଥାଏ। ନୂଆ ନିୟମରେ ସରକାର ସୋସିଆଲ୍‌ ମିଡିଆ କମ୍ପାନୀଗୁଡ଼ିକୁ ସେମାନଙ୍କ ମୋଟ ୟୁଜରଙ୍କ ଆଧାରରେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ବଡ଼ କମ୍ପାନୀ କିପରି ନିୟମ ମାନିବେ ଓ ଛୋଟ କମ୍ପାନୀ କିପରି ନିୟମ ପାଳନ କରିବେ ଏହାର ଚୂଡାନ୍ତ ଗାଇଡ୍‌ଲାଇନ୍‌ ସରକାର ପରେ ଜାରି କରିବେ।
୨୦୧୧ରେ ଆପତ୍ତିଜନକ କଣ୍ଟେଣ୍ଟ ହଟାଇବା ପାଇଁ ସୋସିଆଲ୍‌ ମିଡିଆ କମ୍ପାନୀ ଲାଗି ସରକାର ୩୬ ଘଣ୍ଟାର ସମୟସୀମା ଧାର୍ଯ୍ୟ କରିଥିଲେ। ଏବେ ଏହାକୁ କମାଇ ୨୪ ଘଣ୍ଟା କରିଦିଆଯାଇଛି। ନୂଆ ନିୟମ ଲାଗୁ କରି ସରକାର ବିଦେଶୀ ସୋସିଆଲ୍‌ ମିଡିଆ କମ୍ପାନୀଗୁଡ଼ିକୁ ‘ମଲେଇ ଖାଇବାର ଅଛି ତ ନିୟମ ମାନିବାକୁ ପଡ଼ିବ’ ବୋଲି ଏକପ୍ରକାର ବାର୍ତ୍ତା ଦେଇଛନ୍ତି କହିଲେ ଭୁଲ୍‌ ହେବନି।
ଏବେ ଦେଖିବା ଦ୍ବିତୀୟ ଭାଗ ଅର୍ଥାତ୍‌ ଡିଜିଟାଲ୍‌ ନ୍ୟୁଜ୍‌ ଫ୍ଲାଟ୍‌ଫର୍ମ ବାବଦରେ ସରକାରଙ୍କ ନୂଆ ଗାଇଡ୍‌ ଲାଇନ୍‌ କ’ଣ କହୁଛି। ମୋଟାମୋଟି ଡିଜିଟାଲ ମିଡିଆକୁ ପ୍ରିଣ୍ଟ ଓ ଟିଭିର ସମକକ୍ଷ କରିବାକୁ ସରକାର ନୂଆ ନିୟମରେ ପ୍ରଚେଷ୍ଟା କରିଛନ୍ତି। ଡିଜିଟାଲ ନ୍ୟୁଜ୍‌ ମିଡିଆ ପବ୍ଲିଶରମାନଙ୍କୁ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ନମର୍‌ସ ଅଫ୍‌ ଜର୍ନାଲିଷ୍ଟିକ୍‌ କଣ୍ଡକ୍ଟ ଆଣ୍ଡ୍‌ କେବୁଲ୍‌ ଟେଲିଭିଜନ୍‌ ରେଗୁଲେଶନ୍‌ ଆକ୍ଟକୁ ମାନିବାକୁ ପଡ଼ିବ। ଏହାଦ୍ବାରା ଅଫ୍‌ ଲାଇନ୍‌ ମିଡିଆ ପ୍ରିଣ୍ଟ ଓ ଟିଭି ତଥା ଅନ୍‌ଲାଇନ୍‌ ମିଡିଆ ଅର୍ଥାତ୍‌ ଡିଜିଟାଲ ମିଡିଆ ପାଇଁ ଏକପ୍ରକାର ରେଗୁଲେଶନ ରହିବ। ଡିଜିଟାଲ୍‌ ନ୍ୟୁଜ୍‌ ମିଡିଆ ପବ୍ଲିଶରମାନେ ପ୍ରେସ୍‌ କାଉନ୍‌ସିଲ୍‌ ପରି ଏକ ସେଲ୍ଫ ରେଗୁଲେଶନ୍‌ ସଂସ୍ଥା ପ୍ରତିଷ୍ଠା ପାଇଁ ପରାମର୍ଶ ଦେଇଛନ୍ତି।
ଓଟିଟି ପ୍ଲାଟ୍‌ଫର୍ମ ପାଇଁ କୋଡ୍‌ ଅଫ୍‌ ଏଥିକ୍ସର କଥା କହିଛନ୍ତି ସରକାର; ଯାହାର ପାଳନ ଅନ୍‌ଲାଇନ୍‌ ନ୍ୟୁଜ୍‌ ଫ୍ଲାଟ୍‌ଫର୍ମ ସହ ଓଟିଟି ଫ୍ଲାଟ୍‌ଫର୍ମଗୁଡ଼ିକ କରିବା ଦରକାର ବୋଲି ଦର୍ଶାଯାଇଛି। ସେହିପରି ଓଟିଟି ପ୍ଲାଟ୍‌ଫର୍ମକୁ ପାଞ୍ଚଟି କାଟାଗୋରିରେ କଣ୍ଟେଣ୍ଟ୍‌ ବାଣ୍ଟିବାକୁ କୁହାଯାଇଛି। ପ୍ରତି କଣ୍ଟେଣ୍ଟ୍‌ ବର୍ଗରେ ଦେଖିବାକୁ ପଡ଼ିବ କେଉଁ ବୟସର ୟୁଜର୍ସଙ୍କ ପାଇଁ ଏହା ଉପଯୁକ୍ତ। ଯେମିତି ୟୁ, ୟୁ-ଏ୭, ୟୁ-ଏ୧୩, ୟୁ-ଏ୧୬ ଓ ଆଡଲ୍‌ଟ। ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଏହି ବର୍ଗୀକରଣରେ ନୂଆ କିଛି ନାହିଁ। କାରଣ ଆମାଜନ୍‌ ପ୍ରାଇମ୍‌ ଭିଡିଓ, ହଟଷ୍ଟାର୍‌ ପରି ଅଧିକାଂଶ ଓଟିଟି ପ୍ଲାଟ୍‌ଫର୍ମ ୟୁଜର୍ସଙ୍କ ବୟସ ବର୍ଗୀକରଣ କରି ସାରିଛନ୍ତି। ତେବେ ଓଟିଟି ସମ୍ପର୍କିତ ଅଭିଯୋଗକୁ ତିନିସ୍ତରରେ ଶୁଣାଣି କରିବାକୁ ନୂଆ ନିୟମରେ ପ୍ରାବଧାନ ରଖାଯାଇଛି। ପ୍ରଥମସ୍ତରରେ- ଓଟିଟି ପ୍ଲାଟ୍‌ଫର୍ମ ଅଭିଯୋଗର ଶୁଣାଣି କରିବ। ଭାରତରେ ଥିବା ଗ୍ରୀଭାନ୍ସ ରିଡ୍ରେସାଲ୍‌ ଅଫିସର ୧୫ ଦିନ ମଧ୍ୟରେ ପ୍ରତି ଅଭିଯୋଗର ଶୁଣାଣି କରିବେ। ଦ୍ବିତୀୟରେ ଓଟିଟି ପ୍ଲାଟ୍‌ଫର୍ମର ସେଲଫ୍‌-ରେଗୁଲେଟିଂ ବଡି ବି ଅଭିଯୋଗର ଶୁଣାଣି କରି ୧୫ ଦିନ ମଧ୍ୟରେ ଅଭିଯୋଗର ନିରାକରଣ କରିବେ। ତୃତୀୟରେ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିଜ ତରଫରୁ ଏକ ଓଭରସାଇଟ୍‌ ମେକାନିଜମ୍‌ ପ୍ରସ୍ତୁତ କରିବ; ଯାହା ସହାୟତାରେ ଆନ୍ତଃ ମନ୍ତ୍ରଣାଳୟ କମିଟି ମଧ୍ୟ ଅଭିଯୋଗଗୁଡ଼ିକର ଶୁଣାଣି କରିପାରିବେ।
ତେବେ ସରକାରଙ୍କ ଏହି ନୂଆ ପଲିସି କେତେଦୂର ଫଳପ୍ରଦ ରହିବ ତାକୁ ନେଇ ଦ୍ବିମତ ରହିଛି। ଗୋଟିଏ ବର୍ଗଙ୍କ ମତ ହେଲା, ଯଦି କେହି ଭାବୁଥାଏ ନୂଆ ନିୟମ ଦ୍ବାରା ସୋସିଆଲ୍‌ ମିଡିଆ ବା ଡିଜିଟାଲ୍‌ ମିଡିଆରୁ ଅଶ୍ଳୀଳତା ବା ଖରାପ କଣ୍ଟେଣ୍ଟ୍‌ ସଫା ହୋଇଯିବ, ତାହା ମୋଟାମୋଟି ଭୁଲ୍‌। ତେବେ ଏହି ନୂଆ ନିୟମ ଯୋଗୁ ସର୍ଭିସ୍‌ ପ୍ରୋଭାଇଡର ବା ସୋସିଆଲ୍‌ ମିଡିଆ କମ୍ପାନୀଗୁଡ଼ିକ ଆଉ ବେଲଗାମ୍‌ ରହିପାରିବେନି, ଏହା ସତ। ସେପଟେ ଦ୍ବିତୀୟ ମତଟି ହେଉଛି, ନୂଆ ନିୟମ ସୋସିଆଲ୍‌ ମିଡିଆ ତଥା ଓଟିଟି ଫ୍ଲାଟ୍‌ଫର୍ମଗୁଡ଼ିକୁ ଗୋଟିଏ ଧାଡ଼ିରେ ଆଣିବାକୁ ସକ୍ଷମ ହେବ। ଆପତ୍ତିଜନକ କଣ୍ଟେଣ୍ଟ ଉପରେ ଅଙ୍କୁଶ ଲାଗିବ ଓ ଦର୍ଶକଙ୍କୁ ଏହା ବିକଳ୍ପ ମଧ୍ୟ ଦେବ, ଦର୍ଶକ କ’ଣ ଦେଖିବେ କ’ଣ ଦେଖିବେନି। ସେହିପରି କଣ୍ଟେଣ୍ଟକୁ ନେଇ ସବୁ କଥା ଥିବାରୁ, କଣ୍ଟେଣ୍ଟ୍‌ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଆଗକୁ ସଜାଗ ରହିବେ ଓ ଫେକ୍‌ ନ୍ୟୁଜ୍‌ ପ୍ରସାରଣ କମିବ।
ବର୍ତ୍ତମାନ ଭାରତରେ ହ୍ବାଟ୍ସଆପ୍‌ରେ ୫୩ କୋଟି, ଫେସ୍‌ବୁକ୍‌ର ୪୧ କୋଟି, ୟୁଟ୍ୟୁବ୍‌ରେ ୪୪.୮ କୋଟି, ଇନ୍‌ଷ୍ଟାଗ୍ରାମ୍‌ରେ ୨୧ କୋଟି ଏବଂ ଟୁଇଟରର ୧.୭୫ କୋଟି ୟୁଜର ରହିଥିବା ଜଣାପଡିଛି। ତେଣୁ ବିଶାଳ ସଂଖ୍ୟାର ୟୁଜର୍ସଙ୍କ ପାଇଁ ଥିବା ଏହି ମିଡିୟମଗୁଡ଼ିକ ଉପରେ କୌଣସି ଅଙ୍କୁଶ ନ ରହିବା ମଧ୍ୟ ବିପଦପୂର୍ଣ୍ଣ ବିଷୟବସ୍ତୁ। ତେବେ ନିୟମ ଲାଗୁ ହେବା ପୂର୍ବରୁ ଫେସ୍‌ବୁକ୍‌ ଓ ହ୍ବାଟ୍ସଆପ୍‌ ପରି ସଂସ୍ଥା ଏଥିରେ ଆପତ୍ତି ମଧ୍ୟ ଉଠାଇ ସାରିଲେଣି। ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପସନ୍‌ କାରଣରୁ କିଏ କେଉଁଠୁ ପୋଷ୍ଟ କଲା ତାହା ଜାଣିବା କଷ୍ଟକର ବ୍ୟାପାର ବୋଲି ଉଭୟ କମ୍ପାନୀ ଯୁକ୍ତି କରୁଛନ୍ତି।
ଗଡ଼ଅଣ୍ଢିଆ, ନିମାପଡ଼ା
ମୋ-୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri