Posted inଫୁରସତ

ଉନ୍ନତିର ସରଳ ଉପାୟ

ଆମ ପୁରାଣ କିମ୍ବଦନ୍ତୀଠାରୁ ନେଇ ଇତିହାସ, ସାମାଜିକ ବିଜ୍ଞାନର ପରିସର ଭିତରେ ଯିଏ ଯେତେ ବଡ଼ ପଦବୀରେ ରହିଛନ୍ତି, ସେଥିରୁ ମୋ ଆଖିରେ ଅଧିକାଂଶ ବହୁପତ୍ନୀ ବ୍ରତ ଧାରଣ କରି ଜଗତକୁ ଉନ୍ନତମାନର ସେବା ଦେଖେଇଛନ୍ତି ଓ ଦେଇଛନ୍ତି। ଦେବତାମାନଙ୍କଠାରୁ ଆରମ୍ଭ କରି ରାଜା ମହାରାଜାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଅନେକ ରାଣୀ ଥିଲେ, ଏପରିକି କେତେକଙ୍କ ଶତାଧିକ ରାଣୀ ଥିଲେ (ରାଜା ନିଜେ ମନେ ରଖିପାରୁଥିବେ ପୁରୁଣା ରାଣୀଙ୍କ ଚେହେରା କି ନା ସନ୍ଦେହ)। ପୌରାଣିକ ଯୁଗର ପୂଜା ପାଉଥିବା ଦେବତା, ପୁରାତନ ଯୁଗର ରାଜା ମହାରାଜା ଜମିଦାର ସାହୁକାର, ଆଫଗାନ୍‌, ମୋଗଲ, ପଠାଣ, ବାଦଶାହ, ଫିଲ୍ମ, ରାଜନୀତି, ସାହିତ୍ୟ, ସଙ୍ଗୀତ ଏପରିକି ଏବେର ସ୍ବାଇଁବାବୁ… ସବୁ କ୍ଷେତ୍ରରେ ପତ୍ନୀମାନଙ୍କ ସଂଖ୍ୟା ଗଣତି ବାହାରେ। ଅବଶ୍ୟ ଏମାନେ ସବୁ ବଡ଼ ଲୋକ ହେବା ପରେ ବହୁ ବିବାହ କରିଛନ୍ତି ନା ବଡ଼ ଲୋକ ହେବା ପାଇଁ ବହୁ ବିବାହ କରିଛନ୍ତି ତାହା ଗବେଷଣାସାପେକ୍ଷ।

ପୌରାଣିକ ଯୁଗରୁ ଆଧୁନିକ ଯୁଗର ଇତିହାସ ଖୋଜିଲେ, ଖେଳେଇଲେ ଏହି ସିଦ୍ଧାନ୍ତରେ ପହଞ୍ଚତ୍ ହେବ ଯେ କେବଳ ଖଟିଖିଆ ଗରିବ ଲୋକମାନଙ୍କର ମାତ୍ର ଗୋଟିଏ ପତ୍ନୀ ଥାଏ। ଜାଣିହେଉଛି ଯେ ବଡ଼ ବଡ଼ ଚକ୍ରବର୍ତ୍ତୀ ରାଜାଙ୍କ ଭଳି, ପୁରାଣର ଶ୍ରୀକୃଷ୍ଣଙ୍କ ଭଳି, ସୀତାରିଷ୍ଟ ରବିଶଙ୍କରଙ୍କ ଭଳି କି ମିଜୋରାମର ଜିଓନା ରାଜାଙ୍କ ଭଳି ଇତିହାସ ପୃଷ୍ଠାରେ ଆମକୁ ଅମର ହେବା ପାଇଁ ବହୁପତ୍ନୀକ ହେବା ସବୁଠାରୁ ସହଜ ସରଳ ମାର୍ଗ।

ଆପଣ ବିଶ୍ୱାସ କରନ୍ତୁ କି ନାହିଁ, କିନ୍ତୁ ବିଦ୍ୟାରାଣ ସତ। ମୋ ବ୍ୟଙ୍ଗ ଲେଖା ଉପରେ ଜଣେ ଛାତ୍ର ତା’ର ଏମ୍‌ଫିଲ୍‌ ଥେସିସ୍‌ ଲେଖୁଛି। ଗତକାଲି ମୋତେ ଫୋନ୍‌ କରିଥିଲା। ବିଭିନ୍ନ କଥାବାର୍ତ୍ତା ପରେ ମୋତେ ପଚାରିଲା- ସାର୍‌, ଆପଣ ବିବାହିତ ତ? ଯଦି ହଁ, ତେବେ କେବେ କରିଥିଲେ, ଆପଣଙ୍କ ପତ୍ନୀଙ୍କ ନାମ କ’ଣ, ଏହା ଏକ ପ୍ରେମ ବିବାହ କି ନା? ଦାମ୍ପତ୍ୟ ଜୀବନରେ ସଫଳତା କେତେ ପ୍ରତିଶତ, ସେ ବିଷୟରେ କିଛି କୁହନ୍ତୁ। ମୁଁ ପଚାରିଲି- ତୁମ ଥେସିସ୍‌ ସହ ମୋ’ ଦାମ୍ପତ୍ୟର କ’ଣ ସମ୍ପର୍କ? ସେ କହିଲା- ଆମ ସାର୍‌ମାନେ, ମୋ ଗାଇଡ୍‌ କହିଛନ୍ତି। କାଳେ ସାକ୍ଷାତ୍‌କାରରେ ପରୀକ୍ଷକ ପଚାରି ପାରନ୍ତି। ଅଠର ବର୍ଷର ମୋର ବୈବାହିକ ଜୀବନରେ ପ୍ରଥମଥର ପାଇଁ ମୁଁ ମୋ ବିବାହକୁ ନେଇ ଭାବୁକ ହୋଇଗଲି। ସତରେ ବିବାହ କେତେ ପରିବର୍ତ୍ତନର କାରଣ! ଯେତେବେଳେ ଲୋକ କୋଡ଼ିଏ ତିରିଶ ବିବାହ କରିସାରି ମଧ୍ୟ ଅଟକି ଯାଇନାହାନ୍ତି, ବରଂ ଜୀବନର ସେହି ବୈବାହିକ ଆନନ୍ଦର ସ୍ବର୍ଗୀୟ ସୁଖ ପାଇବା ପାଇଁ ବାରମ୍ବାର ବିବାହ କି ଲିଭ୍‌ ଇନ୍‌ କରିବାକୁ ଦୃଢ଼ ଆଶାବାଦୀ, ସେ ସମୟରେ ମାତ୍ର ଥରେ ବିବାହ କରି ସୁଖୀ ଦାମ୍ପତ୍ୟର ଧେଣ୍ଡୁରା ପିଟିବା କେତେ ହାସ୍ୟାସ୍ପଦ! ମୁଁ ଗୋଟିଏ ସ୍ତ୍ରୀକୁ ସମ୍ଭାଳି ପାରୁନଥିବା ବେଳେ ଜଣେ ପଚିଶ ଜଣଙ୍କ ପରେ ଆହୁରି ବିବାହ କରିବା ପାଇଁ ସ୍ବପ୍ନ ଦେଖୁଛି। ଧିକ୍‌ ମୋ’ ପୌରୁଷତ୍ୱକୁ! ଭଗବାନ୍‌ ମଧ୍ୟ ଦୁଃଖ କରୁଥିବେ ଯେ ମୋ’ ଭଳି ଗୋଟେ ଅପଦାର୍ଥକୁ ପୁରୁଷ ଜନ୍ମ ଦେଇ ବଡ଼ ଭୁଲ୍‌ କରିଛନ୍ତି। ଏହା ସତ ବୋଲି ମୋତେ ଏବେ ସତକୁ ସତ ଆକାଶବାଣୀ ହେଉଛି। ଭଗବାନ୍‌ ମୋ’ ପ୍ରତି ଖୁସି ଥିବାର ପ୍ରମାଣ ମୋ’ ପାଖରେ ନାହିଁ; ବରଂ ଅସନ୍ତୋଷର ପ୍ରମାଣ ଅନେକ ଅଛି। ଇତିହାସ ବହିରେ ପଢ଼ିଛି ଯେଉଁ ରାଜା ଯୁଦ୍ଧରେ ଅନ୍ୟ ରାଜ୍ୟ ଜୟ କରୁଥିଲେ, ସେ ରାଜ୍ୟର ସୁନ୍ଦରୀ ଝିଅ କିମ୍ବା ରାଜକୁମାରୀଙ୍କୁ ବିବାହ କରି ନିଜ ରାଜ୍ୟକୁ ନେଇ ଆସୁଥିଲେ। ଏହା ରାଜାଙ୍କୁ ଅଧିକ ମାତ୍ରାରେ ଉତ୍ସାହିତ କରୁଥିଲା କି କ’ଣ ରାଜାଙ୍କ ରାଜ୍ୟର ସୀମା ଯେତେ ବଢ଼ୁଥିଲା, ସେହି ଅନୁପାତରେ ରାଜାଙ୍କ ରାଣୀମାନଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିଲା। ରାଜାରୁ ମହାରାଜା, ତା’ପରେ ରାଜଚକ୍ରବର୍ତ୍ତୀ। ଏମିତି ସେମାନଙ୍କ ଉନ୍ନତି ହେଇ ଚାଲୁଥିଲା। ପୁରୁଣା ରାଣୀ ନୂଆ ରାଣୀକୁ ହର୍ଷ ଉଲ୍ଲାସରେ ବନ୍ଦାପନା କରି ମହଲ ଭିତରକୁ ପାଛୋଟି ଆଣୁଥିଲେ। ମାଆ ପେଟର ଭଉଣୀଠୁ ଆହୁରି ନିବିଡ଼ ଅନ୍ତରଙ୍ଗ ସମ୍ପର୍କରେ ବାନ୍ଧି ହୋଇ ତାଙ୍କ ତାଙ୍କ ଭିତରେ ଭାବ ଦିଆନିଆ କରୁଥିଲେ। ରାଜାଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ବ୍ରତ ଉପବାସ ରଖି ପୂଜା ଆରାଧନା କରୁଥିଲେ। ଏକକାଳୀନ ଏତେ ରାଣୀ, ପୁଣି ସୁନ୍ଦରୀ ନାରୀଙ୍କ ପ୍ରାର୍ଥନା ଈଶ୍ୱର ନ ଶୁଣିବେ କେମିତି !

ଅଧ୍ୟାତ୍ମ ଗୁରୁଙ୍କ ପାଇଁ ପ୍ରମାଣ ଦିନରାତି ମିଡିଆରେ। ବଲିଉଡ୍‌ ହିରୋମାନଙ୍କ ଲାଗି ଜାଣି ଜାନ କୁର୍ବାନ୍‌ କରନ୍ତି ସୁନ୍ଦରୀ ପତ୍ନୀମାନେ। ନେତା, ସମ୍ବାଦଦାତା, ସାହିତ୍ୟ ଚାଷୀ, କ୍ରୀଡ଼ାବିତ୍‌ ଯୁଆଡ଼େ ଦେଖ ଅନେକ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହେଲେ ବହୁ ପତ୍ନୀକ। ଏଥିରୁ ଏହା ପ୍ରମାଣିତ ହେଉନି କି ବହୁ ବିବାହ କଲେ ଉନ୍ନତି କରିବା ନିଶ୍ଚିତ। ଏଠାରେ ଯଦି କେହି ଭାବୁଥା’ନ୍ତି ଯେ, ବହୁ ପତ୍ନୀ ଭଳି ବହୁ ପତି ଗ୍ରହଣ ମଧ୍ୟ ଜଣେ ସ୍ତ୍ରୀ ପାଇଁ ଉନ୍ନତିର ମାଧ୍ୟମ ହୋଇପାରେ। ମହାଭାରତ ପରା ଘରେ ଘରେ। ତା’ଠୁ ବଡ଼ ପ୍ରମାଣ କ’ଣ ହୋଇପାରେ !

ମୋର ଆର୍ଥିକ ସ୍ଥିତି ସ୍ବଚ୍ଛଳ ଥିଲା, ଦେଖିବାକୁ ଯଦିଓ ଏତେଟା ହ୍ୟାଣ୍ଡସମ୍‌ ନୁହେଁ, କିନ୍ତୁ ଏତେଟା ଭୁର୍କୁଣ୍ଡା ମଧ୍ୟ ନୁହେଁ। ରହିବା ପାଇଁ ପିତୃଦତ୍ତ ସମ୍ପତ୍ତିର ଅଭାବ ନଥିଲା, ତଥାପି ମୁଁ ଆଜିଯାଏଁ ଉନ୍ନତିର ବାଟକୁ ଅଣଦେଖା କରି ସେଇ ଗୋଟିଏ ବିବାହରେ ଜୀବନର ମୂଲ୍ୟବାନ୍‌ ଗୁଡ଼ାଏ ବର୍ଷ ନଷ୍ଟ କରିସାରିଲିଣି। ଏହା ବିଡ଼ମ୍ବନା ନୁହେଁ ତ ଆଉ କ’ଣ! ଯଦି ମୁଁ ଅନେକ ବିବାହ କରିଥା’ନ୍ତି, ହୁଏତ ଭଗବାନ୍‌ଙ୍କ କୃପା ଦୃଷ୍ଟିରୁ ଆଜି ଦେଶର ଜଣେ ନାମଜାଦିଆ ବ୍ୟବସାୟୀ କି ବ୍ୟଙ୍ଗ ସାହିତ୍ୟରେ ନୋବେଲ ଲରିଏଟ ଭାବେ ନିଜକୁ ପ୍ରତିଷ୍ଠିତ କରିସାରନ୍ତିଣି।

ହାୟ! କହିବ ତ ଏହି ଅବସୋସଟି କାହାକୁ କହିବ? ଘରେ ଥିବା ଘରଣୀ ଗୁଣମଣି ଏମିତି ରେକଟାଇ ଚାହିଁବେ ଯେ, ତୁମ ଭିତରେ ଖଣ୍ଡେ ଚାଖଣ୍ଡେ ରାଣୀଙ୍କୁ ଘେନିବା ନେଇ ଜମି ଆସୁଥିବା ମହତ୍‌ ଆକାଂକ୍ଷା ଧୂଆଁ ଧୂଆଁ ହୋଇ ପେଟ ଗୁରାଳି କାଶରେ ବାହାରିଯିବ।

-ବନମାଳୀ ଭବନ, ଖାନ ନଗର, କଟକ ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?