ଆମେ କ’ଣ ନୀରବ ରହିବା

ଅରାଜକତାର ବିଲୋପ କିମ୍ବା ମାନବିକତା ପ୍ରତିଷ୍ଠାକୁ ନେଇ ଆନ୍ଦୋଳନ କରିବା ଆବଶ୍ୟକ ମନେହୁଏ ବର୍ତ୍ତମାନ ସ୍ଥିତିରେ। କିନ୍ତୁ ପ୍ରଶ୍ନ -ଏଭଳି ଆନ୍ଦୋଳନ କରିବ କିଏ, କାହା ବିପକ୍ଷରେ ଏବଂ କାହା ପାଖରେ? ମାନବିକତା, ଦୟାଭାବ, ସମ୍ବେଦନଶୀଳତା କିଣାବିକା କିମ୍ବା ପେଟପାଟଣା ସମ୍ପର୍କିତ ନୁହେଁ। କାଲିଠାରୁ ଯଦି ଏ ସମ୍ପର୍କିତ କିଣାବିକା ସଂସ୍ଥାଟିଏ ଗଢ଼ିଉଠନ୍ତା ତେବେ ହୁଏତ ସମ୍ବେଦନଶୀଳତା, ଦୟାଭାବ ମଣିଷଙ୍କ ଭିତରେ ଜାଗ୍ରତ ହୁଅନ୍ତା। ଯେହେତୁ ଏସବୁର ଅବମୂଲ୍ୟାୟନ ଘଟିଚାଲୁଛି ତେଣୁ ସମ୍ବେଦନଶୀଳ ମଣିଷଟିଏ ଚୁପ୍‌ ରହିଯିବାକୁ ବାଧ୍ୟ ହେଉଛି। ନିଜପାଇଁ ବିପଦ ସୃଷ୍ଟି ନ କରି ସଚେତନ ଲୋକେ ଚୁପ୍‌ ରହିବାକୁ ବାଧ୍ୟ। ଆଜିକାଲିର ସମାଜରେ, ବ୍ୟବସ୍ଥା ନାମରେ ଅନେକ ଅବ୍ୟବସ୍ଥା ପ୍ରତ୍ୟହ କିଛି ଉଦ୍ଭ୍ରାନ୍ତ ଓ ବିଶୃଙ୍ଖଳିତ ଲୋକମାନଙ୍କୁ ଉତ୍ସାହିତ କଲାବେଳେ ସଚେତନଧର୍ମୀ ଲୋକଙ୍କୁ ଭୟ ଓ ଚିନ୍ତାରେ ପକାଉଛି, ଯାହାର ନିରାକରଣ ଅସମ୍ଭବ। ଏଥି ସମ୍ପର୍କରେ କିଛି ଲେଖିବା ଆବଶ୍ୟକ।
ଯେଉଁମାନେ ଆଖିରେ ଅନ୍ଧପୁଟୁଳି ବାନ୍ଧି ନୀରବ ରହିବାକୁ ବାଧ୍ୟ ହେଉଛନ୍ତି ସେମାନଙ୍କ ଅନୁଭୂତି ଅଦେଖା ଜାଗାର ଘା’ ପରି ଯନ୍ତ୍ରଣାଦାୟକ କିନ୍ତୁ ନିଦାନର ଉପାୟ ନାହିଁ ବୋଲି ସେମାନଙ୍କ କ୍ଷୋଭ। ସେମାନଙ୍କ ଅସହାୟତା ଶୁଣିବାବେଳେ ମନେହେଉଛି ଇଂରେଜମାନେ ଆମ ଦେଶକୁ ଛାଡିଗଲେ ସିନା କିନ୍ତୁ ପ୍ରତିଟି ସ୍ଥାନରେ ଡିଭାଇଡ୍‌ ଆଣ୍ଡ୍‌ ରୁଲ୍‌ର ବୀଜ ବପନ କରି ବିଷ ଭରିଦେଲେ। ଆଜି ସେ ବିଷ-ବୀଜ ମହାଦ୍ରୁମ ହୋଇଛି। ସାରାଦେଶରେ ନିଜ ସ୍ଥିତି ବିସ୍ତାର କରି ସମସ୍ତଙ୍କ ରକ୍ତରେ ପ୍ରବାହିତ ହେଲାଣି। ଯାହାଠାରୁ ମୁକୁଳିବା ଅସମ୍ଭବ।
ଜାନୁୟାରୀ ମାସରେ ପ୍ରକାଶିତ ସ୍ତମ୍ଭ – ‘ବରିଷ୍ଠମାନଙ୍କ ସମସ୍ୟା ଓ ପ୍ରତିକାର’ ପରିପ୍ରେକ୍ଷୀରେ ଯେତୋଟି ଫୋନ୍‌ କଲ୍‌ ଆସିଥିଲା ସେଥି ମଧ୍ୟରୁ କିଛି ମନକୁ ଅଶାନ୍ତି କରିଦେଲା ପରି ଥିଲା। ସବୁ ପ୍ରକାଶ କରିବା ଅସମ୍ଭବ। ଜଣେ ବରିଷ୍ଠଙ୍କ ସମସ୍ୟା ଶୁଣି ଆମ ନିୟମକାନୁନ୍‌ ଓ ବ୍ୟବସ୍ଥାର ଅସଫଳତାକୁ ଅନୁଭବ କରିହେଉଥିଲା। ଜମିବାଡି ସମସ୍ୟା ଉପରେ ଆଧାରିତ ଥିଲା ତାଙ୍କ ସମସ୍ୟା। ଏହା କେବଳ ଜଣେ ଅବସରପ୍ରାପ୍ତ ବରିଷ୍ଠଙ୍କର ନୁହେଁ ଏଭଳି ଅନେକ ବ୍ୟକ୍ତିଙ୍କର ଯେଉଁମାନେ ନିଜ ଜମିକୁ ହାସଲ କରିବାକୁ ସବୁ ପ୍ରକାରର ଚେଷ୍ଟା କରି ମଧ୍ୟ ବିଫଳ। ଅବଶ୍ୟ ତାଙ୍କ ଜମିକୁ ଅସାଧୁ ଉପାୟରେ ହାସଲ କରିଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ପୀଡିତ ଭଦ୍ରବ୍ୟକ୍ତି ଦୀର୍ଘ ବର୍ଷ ଧରି ପ୍ରଶାସନର ଦ୍ୱାରସ୍ଥ ହୋଇ ସୁଦ୍ଧା ସୁଫଳ ପାଇପାରି ନ ଥିଲେ ଯଦିଓ ଉକ୍ତ ଜମିର ମାଲିକ ସେ ନିଜେ ବୋଲି ତାଙ୍କ ପାଖେ ଯଥେଷ୍ଟ ପ୍ରମାଣ ରହିଥିଲା। ଥରଥର ସ୍ବରରେ କହିଲେ- ମୋ ପରିବାର କହିଲେ ସ୍ତ୍ରୀ ଓ ବିବାହଯୋଗ୍ୟା ଝିଅଟିଏ। ମୋତେ ଭୟ ଲାଗୁଛି ଯେ ସେ ପ୍ରଭାବଶାଳୀ ବ୍ୟକ୍ତିଟି ମୋ ଉପରେ କେତେବେଳେ ମରଣାନ୍ତକ ଆକ୍ରମଣ କରିପାରେ। ନ୍ୟାୟ ପାଇଁ ଲଢିବାକୁ ସମ୍ବଳ ନାହିଁ ମୋ ପାଖରେ।
ଆଉଜଣେ ବରିଷ୍ଠ ସରକାରୀ କ୍ୱାର୍ଟରରେ ବୋହୂ ପାଖରେ ରହୁଥିବାବେଳେ ସମାଜର ଗତିବିଧିକୁ ନେଇ ସନ୍ଦେହ ପ୍ରକଟ କରି କହିଲେ- ଆଜିକାଲି ବହୁତଳ କୋଠା ତିଆରି ହେଉଛି। ପ୍ରତିବର୍ଷ ସରକାରୀ କ୍ୱାର୍ଟର୍ସ ରିପ୍ୟାରିଂ ହେଉଛି। ନ ହୋଇପାରିଲେ ବି ଲୁଚାଛପାରେ ବିଲ୍‌ ତିଆରି ହୋଇ ରାଜସ୍ବ ହରିଲୁଟ ହେଉଛି। ସେଆଡକୁ କାହାର ନିଘା ନାହିଁ। ହସ୍ପିଟାଲ୍‌ଗୁଡିକରେ ତ ବହୁତଳ ପ୍ରାସାଦ, ରୋଗୀମାନଙ୍କ ସଂଖ୍ୟାବୃଦ୍ଧି ସାଙ୍ଗକୁ ସୀମିତ ପରିସର। ସେଠାରେ ରହୁଥିବା କର୍ମଚାରୀମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ତୁଣ୍ଡ ଖୋଲିବାକୁ ସାହସ କରିପାରୁନାହାନ୍ତି। କଣ୍ଟ୍ରାକ୍ଟର୍‌ମାନଙ୍କ ଭୟ ଓ ପ୍ରଶାସନିକ ସ୍ଥାଣୁତା ପାଇଁ ପରିସର ଭିତରେ ରହୁଥିବା ଲୋକମାନଙ୍କ ଜୀବନ ବିପଦରେ। ଶବ୍ଦ ପ୍ରଦୂଷଣ ସାଙ୍ଗକୁ ଧୂଳି ସିମେଣ୍ଟରେ ବରିଷ୍ଠବ୍ୟକ୍ତିଙ୍କର ଶ୍ୱାସରୋଗ ବାହାରିଛି। କାର୍ଯ୍ୟ ତଦାରଖ କରୁଥିବା ଓଡ଼ିଆ ପିଲାମାନେ ବୟସ୍କଙ୍କ ଅଭିଯୋଗ ଶୁଣି କହୁଛନ୍ତି- ଘର ତିଆରି କଲାବେଳେ ଶବ୍ଦ ହେବନି ତ କ’ଣ ହେବ? ଯଦି କାମ ବନ୍ଦ କରିବାକୁ ଚାହୁଁଛ ପ୍ରଶାସକଙ୍କୁ କହୁନ। ଏଭଳି ଅପ୍ରକାଶ୍ୟ ଧମକରେ ବରିଷ୍ଠଜଣକ ଅସହାୟ ସ୍ବରରେ କହିଲେ- ପୁଅ ବାହାର ଚାକିରି କରେ। ଏଠି ବୋହୂକୁ କ୍ୱାର୍ଟରଟିଏ ମିଳିଛି। କଲେଜ ପଢୁଆ ନାତୁଣୀଟିଏ ଘରେ। ବୋହୂ କହେ- ବାପା, କାହା ପାଖେ ଅଭିଯୋଗ କରିବା! ପ୍ରଶାସନ କ’ଣ କାମ ଅଟକାଇଦେବ? ଓଲଟା ମୋର ବଦଳି କରିଦେବ। କିନ୍ତୁ ମୋର ଭୟ ହୁଏ ଯଦି ଏ ଅସଭ୍ୟ ଲୋକମାନେ ମୋ ବୋହୂ କି ନାତୁଣୀକୁ ଦୁର୍ବ୍ୟବହାର କରନ୍ତି…! ମୋର ପିଲାଙ୍କ ଚିନ୍ତା। ଆଜିକାଲି ମାନବିକତା ମରିଗଲାଣି।
କେତେପ୍ରକାରର ଯୋଜନା ହେଉଛି। ସତରେ କ’ଣ ଆମେ ଆଗେଇପାରିଛୁ? ଏହିସବୁ କନ୍‌ଷ୍ଟ୍ରକ୍ସନ୍‌ କାମରେ ବିଦ୍ୟୁତ୍‌ ବିଭାଗ କାହାଠାରୁ ନିଜ ପ୍ରାପ୍ୟ ନେଉଛି? କିନ୍ତୁ ଆମମାନଙ୍କୁ ନିର୍ଦ୍ଦିଷ୍ଟ ତାରିଖ ଡେଇଁଲେ ବିଦ୍ୟୁତ୍‌ ବିଭାଗକୁ ଫାଇନ୍‌ ଦେବାକୁ ପଡୁଛି! ପ୍ରାଇଭେଟ୍‌ କମ୍ପାନୀଙ୍କୁ ଟିକସ୍‌ ଛାଡ। ଅରାଜକତା ଚାରିଆଡେ, କାହିଁ ତା’ର ସମାଧାନ? ଆପଣମାନେ ଲେଖୁଛନ୍ତି ଆମେମାନେ ପଢୁଛୁ। ଯେଉଁମାନଙ୍କ ପାଇଁ ଲେଖୁଛନ୍ତି ସେମାନେ ପଢ଼ିଲେ ସିନା ସୁଫଳ ମିଳିବ। ମୁଁ ଜାଣିଛି, ସେମାନେ ପଢ଼ିଲେ ପରିହାସରେ ଉଡ଼େଇଦେବେ। ତେବେ ବି ବତିଟାଏ ଜଳାଇଚାଲନ୍ତୁ ଲେଖା ମାଧ୍ୟମରେ। କାହା ମନ କାଳେ ବଦଳିଯିବ!
ସେ କରିଯାଇଥିବା କେତୋଟି ପ୍ରଶ୍ନ ମନକୁ ଆନ୍ଦୋଳିତ କରିରଖିଲା। ଏଭଳି ଅସଂଖ୍ୟ ସମସ୍ୟା, ଅଭିଯୋଗ। ଅଥଚ କିଏ ଉତ୍ତରଦାୟୀ? ଆମ ମନରେ ଭଲପାଇବା ଅପେକ୍ଷା ଅଧିକ ଅସୂୟା। କୌଣସି ଦଣ୍ଡ ବ୍ୟବସ୍ଥା ଲୋକଙ୍କ ମନରେ ମାନବିକତା ବା ଦୟାଭାବ ସୃଷ୍ଟି କରିପାରିବ ନାହିଁ କିମ୍ବା ନିଜ ଦୃଷ୍ଟିଭଙ୍ଗୀ ବଦଳାଇଲେ ସମସ୍ୟା ବଦଳିଯିବ ନାହିଁ। ସେଥିପାଇଁ ନିରପେକ୍ଷ ତର୍ଜମା ଜରୁରୀ। ଯେଉଁମାନଙ୍କ ହାତରେ ବ୍ୟବସ୍ଥାର ସମୀକରଣ ସେମାନେ ଏଭଳି ଅରାଜକତା କିଭଳି ଏଡ଼େଇପାରିବେ ସେଥିପ୍ରତି ଦୃଷ୍ଟିଦେବା ଜରୁରୀ।
କୌଣସି ସମସ୍ୟାର ସମୂଳ ବିନାଶ ପାଇଁ ଯେତିକି ସଚେତନତା ଲୋଡ଼ା ସେତିକି ବ୍ୟବସ୍ଥା ସଂସ୍ଥାପନ ମଧ୍ୟ ଜରୁରୀ। କାଗଜପତ୍ର କାମ ଓ ବାସ୍ତବତା ଦୁଇଟା ଭିନ୍ନକଥା। ବିପଦର ଆଶଙ୍କାରେ କିଛିବ୍ୟକ୍ତି ଅଭିଯୋଗ କରିପାରନ୍ତି ନାହିଁ ବୋଲି କ’ଣ ସେମାନଙ୍କ ସମସ୍ୟାକୁ ଆଖି ମୁଦିଦେବା? ସତ୍‌ କାର୍ଯ୍ୟ ହେଉ। କିନ୍ତୁ ଏଥିପାଇଁ ପ୍ରକୃଷ୍ଟ ସ୍ଥାନ ନିରୂପଣ ହେଉ। କେତେଜଣ ଅସାଧୁ ବ୍ୟକ୍ତିଙ୍କ ସ୍ବାର୍ଥପାଇଁ ଅନ୍ୟମାନେ ବିପଦରେ ନ ପଡ଼ନ୍ତୁ।

– ଡ.ମୌସୁମୀ ପରିଡ଼ା
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri