ଆମେ କ’ଣ ନୀରବ ରହିବା

ଅରାଜକତାର ବିଲୋପ କିମ୍ବା ମାନବିକତା ପ୍ରତିଷ୍ଠାକୁ ନେଇ ଆନ୍ଦୋଳନ କରିବା ଆବଶ୍ୟକ ମନେହୁଏ ବର୍ତ୍ତମାନ ସ୍ଥିତିରେ। କିନ୍ତୁ ପ୍ରଶ୍ନ -ଏଭଳି ଆନ୍ଦୋଳନ କରିବ କିଏ, କାହା ବିପକ୍ଷରେ ଏବଂ କାହା ପାଖରେ? ମାନବିକତା, ଦୟାଭାବ, ସମ୍ବେଦନଶୀଳତା କିଣାବିକା କିମ୍ବା ପେଟପାଟଣା ସମ୍ପର୍କିତ ନୁହେଁ। କାଲିଠାରୁ ଯଦି ଏ ସମ୍ପର୍କିତ କିଣାବିକା ସଂସ୍ଥାଟିଏ ଗଢ଼ିଉଠନ୍ତା ତେବେ ହୁଏତ ସମ୍ବେଦନଶୀଳତା, ଦୟାଭାବ ମଣିଷଙ୍କ ଭିତରେ ଜାଗ୍ରତ ହୁଅନ୍ତା। ଯେହେତୁ ଏସବୁର ଅବମୂଲ୍ୟାୟନ ଘଟିଚାଲୁଛି ତେଣୁ ସମ୍ବେଦନଶୀଳ ମଣିଷଟିଏ ଚୁପ୍‌ ରହିଯିବାକୁ ବାଧ୍ୟ ହେଉଛି। ନିଜପାଇଁ ବିପଦ ସୃଷ୍ଟି ନ କରି ସଚେତନ ଲୋକେ ଚୁପ୍‌ ରହିବାକୁ ବାଧ୍ୟ। ଆଜିକାଲିର ସମାଜରେ, ବ୍ୟବସ୍ଥା ନାମରେ ଅନେକ ଅବ୍ୟବସ୍ଥା ପ୍ରତ୍ୟହ କିଛି ଉଦ୍ଭ୍ରାନ୍ତ ଓ ବିଶୃଙ୍ଖଳିତ ଲୋକମାନଙ୍କୁ ଉତ୍ସାହିତ କଲାବେଳେ ସଚେତନଧର୍ମୀ ଲୋକଙ୍କୁ ଭୟ ଓ ଚିନ୍ତାରେ ପକାଉଛି, ଯାହାର ନିରାକରଣ ଅସମ୍ଭବ। ଏଥି ସମ୍ପର୍କରେ କିଛି ଲେଖିବା ଆବଶ୍ୟକ।
ଯେଉଁମାନେ ଆଖିରେ ଅନ୍ଧପୁଟୁଳି ବାନ୍ଧି ନୀରବ ରହିବାକୁ ବାଧ୍ୟ ହେଉଛନ୍ତି ସେମାନଙ୍କ ଅନୁଭୂତି ଅଦେଖା ଜାଗାର ଘା’ ପରି ଯନ୍ତ୍ରଣାଦାୟକ କିନ୍ତୁ ନିଦାନର ଉପାୟ ନାହିଁ ବୋଲି ସେମାନଙ୍କ କ୍ଷୋଭ। ସେମାନଙ୍କ ଅସହାୟତା ଶୁଣିବାବେଳେ ମନେହେଉଛି ଇଂରେଜମାନେ ଆମ ଦେଶକୁ ଛାଡିଗଲେ ସିନା କିନ୍ତୁ ପ୍ରତିଟି ସ୍ଥାନରେ ଡିଭାଇଡ୍‌ ଆଣ୍ଡ୍‌ ରୁଲ୍‌ର ବୀଜ ବପନ କରି ବିଷ ଭରିଦେଲେ। ଆଜି ସେ ବିଷ-ବୀଜ ମହାଦ୍ରୁମ ହୋଇଛି। ସାରାଦେଶରେ ନିଜ ସ୍ଥିତି ବିସ୍ତାର କରି ସମସ୍ତଙ୍କ ରକ୍ତରେ ପ୍ରବାହିତ ହେଲାଣି। ଯାହାଠାରୁ ମୁକୁଳିବା ଅସମ୍ଭବ।
ଜାନୁୟାରୀ ମାସରେ ପ୍ରକାଶିତ ସ୍ତମ୍ଭ – ‘ବରିଷ୍ଠମାନଙ୍କ ସମସ୍ୟା ଓ ପ୍ରତିକାର’ ପରିପ୍ରେକ୍ଷୀରେ ଯେତୋଟି ଫୋନ୍‌ କଲ୍‌ ଆସିଥିଲା ସେଥି ମଧ୍ୟରୁ କିଛି ମନକୁ ଅଶାନ୍ତି କରିଦେଲା ପରି ଥିଲା। ସବୁ ପ୍ରକାଶ କରିବା ଅସମ୍ଭବ। ଜଣେ ବରିଷ୍ଠଙ୍କ ସମସ୍ୟା ଶୁଣି ଆମ ନିୟମକାନୁନ୍‌ ଓ ବ୍ୟବସ୍ଥାର ଅସଫଳତାକୁ ଅନୁଭବ କରିହେଉଥିଲା। ଜମିବାଡି ସମସ୍ୟା ଉପରେ ଆଧାରିତ ଥିଲା ତାଙ୍କ ସମସ୍ୟା। ଏହା କେବଳ ଜଣେ ଅବସରପ୍ରାପ୍ତ ବରିଷ୍ଠଙ୍କର ନୁହେଁ ଏଭଳି ଅନେକ ବ୍ୟକ୍ତିଙ୍କର ଯେଉଁମାନେ ନିଜ ଜମିକୁ ହାସଲ କରିବାକୁ ସବୁ ପ୍ରକାରର ଚେଷ୍ଟା କରି ମଧ୍ୟ ବିଫଳ। ଅବଶ୍ୟ ତାଙ୍କ ଜମିକୁ ଅସାଧୁ ଉପାୟରେ ହାସଲ କରିଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତି। ପୀଡିତ ଭଦ୍ରବ୍ୟକ୍ତି ଦୀର୍ଘ ବର୍ଷ ଧରି ପ୍ରଶାସନର ଦ୍ୱାରସ୍ଥ ହୋଇ ସୁଦ୍ଧା ସୁଫଳ ପାଇପାରି ନ ଥିଲେ ଯଦିଓ ଉକ୍ତ ଜମିର ମାଲିକ ସେ ନିଜେ ବୋଲି ତାଙ୍କ ପାଖେ ଯଥେଷ୍ଟ ପ୍ରମାଣ ରହିଥିଲା। ଥରଥର ସ୍ବରରେ କହିଲେ- ମୋ ପରିବାର କହିଲେ ସ୍ତ୍ରୀ ଓ ବିବାହଯୋଗ୍ୟା ଝିଅଟିଏ। ମୋତେ ଭୟ ଲାଗୁଛି ଯେ ସେ ପ୍ରଭାବଶାଳୀ ବ୍ୟକ୍ତିଟି ମୋ ଉପରେ କେତେବେଳେ ମରଣାନ୍ତକ ଆକ୍ରମଣ କରିପାରେ। ନ୍ୟାୟ ପାଇଁ ଲଢିବାକୁ ସମ୍ବଳ ନାହିଁ ମୋ ପାଖରେ।
ଆଉଜଣେ ବରିଷ୍ଠ ସରକାରୀ କ୍ୱାର୍ଟରରେ ବୋହୂ ପାଖରେ ରହୁଥିବାବେଳେ ସମାଜର ଗତିବିଧିକୁ ନେଇ ସନ୍ଦେହ ପ୍ରକଟ କରି କହିଲେ- ଆଜିକାଲି ବହୁତଳ କୋଠା ତିଆରି ହେଉଛି। ପ୍ରତିବର୍ଷ ସରକାରୀ କ୍ୱାର୍ଟର୍ସ ରିପ୍ୟାରିଂ ହେଉଛି। ନ ହୋଇପାରିଲେ ବି ଲୁଚାଛପାରେ ବିଲ୍‌ ତିଆରି ହୋଇ ରାଜସ୍ବ ହରିଲୁଟ ହେଉଛି। ସେଆଡକୁ କାହାର ନିଘା ନାହିଁ। ହସ୍ପିଟାଲ୍‌ଗୁଡିକରେ ତ ବହୁତଳ ପ୍ରାସାଦ, ରୋଗୀମାନଙ୍କ ସଂଖ୍ୟାବୃଦ୍ଧି ସାଙ୍ଗକୁ ସୀମିତ ପରିସର। ସେଠାରେ ରହୁଥିବା କର୍ମଚାରୀମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ତୁଣ୍ଡ ଖୋଲିବାକୁ ସାହସ କରିପାରୁନାହାନ୍ତି। କଣ୍ଟ୍ରାକ୍ଟର୍‌ମାନଙ୍କ ଭୟ ଓ ପ୍ରଶାସନିକ ସ୍ଥାଣୁତା ପାଇଁ ପରିସର ଭିତରେ ରହୁଥିବା ଲୋକମାନଙ୍କ ଜୀବନ ବିପଦରେ। ଶବ୍ଦ ପ୍ରଦୂଷଣ ସାଙ୍ଗକୁ ଧୂଳି ସିମେଣ୍ଟରେ ବରିଷ୍ଠବ୍ୟକ୍ତିଙ୍କର ଶ୍ୱାସରୋଗ ବାହାରିଛି। କାର୍ଯ୍ୟ ତଦାରଖ କରୁଥିବା ଓଡ଼ିଆ ପିଲାମାନେ ବୟସ୍କଙ୍କ ଅଭିଯୋଗ ଶୁଣି କହୁଛନ୍ତି- ଘର ତିଆରି କଲାବେଳେ ଶବ୍ଦ ହେବନି ତ କ’ଣ ହେବ? ଯଦି କାମ ବନ୍ଦ କରିବାକୁ ଚାହୁଁଛ ପ୍ରଶାସକଙ୍କୁ କହୁନ। ଏଭଳି ଅପ୍ରକାଶ୍ୟ ଧମକରେ ବରିଷ୍ଠଜଣକ ଅସହାୟ ସ୍ବରରେ କହିଲେ- ପୁଅ ବାହାର ଚାକିରି କରେ। ଏଠି ବୋହୂକୁ କ୍ୱାର୍ଟରଟିଏ ମିଳିଛି। କଲେଜ ପଢୁଆ ନାତୁଣୀଟିଏ ଘରେ। ବୋହୂ କହେ- ବାପା, କାହା ପାଖେ ଅଭିଯୋଗ କରିବା! ପ୍ରଶାସନ କ’ଣ କାମ ଅଟକାଇଦେବ? ଓଲଟା ମୋର ବଦଳି କରିଦେବ। କିନ୍ତୁ ମୋର ଭୟ ହୁଏ ଯଦି ଏ ଅସଭ୍ୟ ଲୋକମାନେ ମୋ ବୋହୂ କି ନାତୁଣୀକୁ ଦୁର୍ବ୍ୟବହାର କରନ୍ତି…! ମୋର ପିଲାଙ୍କ ଚିନ୍ତା। ଆଜିକାଲି ମାନବିକତା ମରିଗଲାଣି।
କେତେପ୍ରକାରର ଯୋଜନା ହେଉଛି। ସତରେ କ’ଣ ଆମେ ଆଗେଇପାରିଛୁ? ଏହିସବୁ କନ୍‌ଷ୍ଟ୍ରକ୍ସନ୍‌ କାମରେ ବିଦ୍ୟୁତ୍‌ ବିଭାଗ କାହାଠାରୁ ନିଜ ପ୍ରାପ୍ୟ ନେଉଛି? କିନ୍ତୁ ଆମମାନଙ୍କୁ ନିର୍ଦ୍ଦିଷ୍ଟ ତାରିଖ ଡେଇଁଲେ ବିଦ୍ୟୁତ୍‌ ବିଭାଗକୁ ଫାଇନ୍‌ ଦେବାକୁ ପଡୁଛି! ପ୍ରାଇଭେଟ୍‌ କମ୍ପାନୀଙ୍କୁ ଟିକସ୍‌ ଛାଡ। ଅରାଜକତା ଚାରିଆଡେ, କାହିଁ ତା’ର ସମାଧାନ? ଆପଣମାନେ ଲେଖୁଛନ୍ତି ଆମେମାନେ ପଢୁଛୁ। ଯେଉଁମାନଙ୍କ ପାଇଁ ଲେଖୁଛନ୍ତି ସେମାନେ ପଢ଼ିଲେ ସିନା ସୁଫଳ ମିଳିବ। ମୁଁ ଜାଣିଛି, ସେମାନେ ପଢ଼ିଲେ ପରିହାସରେ ଉଡ଼େଇଦେବେ। ତେବେ ବି ବତିଟାଏ ଜଳାଇଚାଲନ୍ତୁ ଲେଖା ମାଧ୍ୟମରେ। କାହା ମନ କାଳେ ବଦଳିଯିବ!
ସେ କରିଯାଇଥିବା କେତୋଟି ପ୍ରଶ୍ନ ମନକୁ ଆନ୍ଦୋଳିତ କରିରଖିଲା। ଏଭଳି ଅସଂଖ୍ୟ ସମସ୍ୟା, ଅଭିଯୋଗ। ଅଥଚ କିଏ ଉତ୍ତରଦାୟୀ? ଆମ ମନରେ ଭଲପାଇବା ଅପେକ୍ଷା ଅଧିକ ଅସୂୟା। କୌଣସି ଦଣ୍ଡ ବ୍ୟବସ୍ଥା ଲୋକଙ୍କ ମନରେ ମାନବିକତା ବା ଦୟାଭାବ ସୃଷ୍ଟି କରିପାରିବ ନାହିଁ କିମ୍ବା ନିଜ ଦୃଷ୍ଟିଭଙ୍ଗୀ ବଦଳାଇଲେ ସମସ୍ୟା ବଦଳିଯିବ ନାହିଁ। ସେଥିପାଇଁ ନିରପେକ୍ଷ ତର୍ଜମା ଜରୁରୀ। ଯେଉଁମାନଙ୍କ ହାତରେ ବ୍ୟବସ୍ଥାର ସମୀକରଣ ସେମାନେ ଏଭଳି ଅରାଜକତା କିଭଳି ଏଡ଼େଇପାରିବେ ସେଥିପ୍ରତି ଦୃଷ୍ଟିଦେବା ଜରୁରୀ।
କୌଣସି ସମସ୍ୟାର ସମୂଳ ବିନାଶ ପାଇଁ ଯେତିକି ସଚେତନତା ଲୋଡ଼ା ସେତିକି ବ୍ୟବସ୍ଥା ସଂସ୍ଥାପନ ମଧ୍ୟ ଜରୁରୀ। କାଗଜପତ୍ର କାମ ଓ ବାସ୍ତବତା ଦୁଇଟା ଭିନ୍ନକଥା। ବିପଦର ଆଶଙ୍କାରେ କିଛିବ୍ୟକ୍ତି ଅଭିଯୋଗ କରିପାରନ୍ତି ନାହିଁ ବୋଲି କ’ଣ ସେମାନଙ୍କ ସମସ୍ୟାକୁ ଆଖି ମୁଦିଦେବା? ସତ୍‌ କାର୍ଯ୍ୟ ହେଉ। କିନ୍ତୁ ଏଥିପାଇଁ ପ୍ରକୃଷ୍ଟ ସ୍ଥାନ ନିରୂପଣ ହେଉ। କେତେଜଣ ଅସାଧୁ ବ୍ୟକ୍ତିଙ୍କ ସ୍ବାର୍ଥପାଇଁ ଅନ୍ୟମାନେ ବିପଦରେ ନ ପଡ଼ନ୍ତୁ।

– ଡ.ମୌସୁମୀ ପରିଡ଼ା
ମୋ:୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri