ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳ ପ୍ରଦାନକାରୀ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। ବିଶ୍ୱାସ ଅନୁସାରେ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରନ୍ତି। ତେଣୁ ଶନିଙ୍କ ଚଳନରେ ହେଉଥିବା ପରିବର୍ତ୍ତନ ସମସ୍ତ ୧୨ଟି ରାଶିର ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି ଜ୍ୟୋତିଷୀୟ ମାନ୍ୟତା ରହିଛି। ଶନିଙ୍କ ବକ୍ରୀ ଚଳନ ସମୟରେ କାମକାଜରେ ବିଳମ୍ବ ଓ ବିଭିନ୍ନ ଚ୍ୟାଲେଞ୍ଜ ଦେଖାଦେଇପାରେ। ଅନ୍ୟପଟେ, ଶନି ମାର୍ଗୀ ହେଲେ ଅଟକି ରହିଥିବା କାମରେ ଗତି ଆସିବାର ଆଶା କରାଯାଏ।
୨୦୨୬ ମସିହାରେ ଶନିଦେବ ଖୁବଶୀଘ୍ର ନିଜ ଚଳନ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡିସେମ୍ବର ୧୧ ତାରିଖରେ ଶନି ମୀନ ରାଶିରେ ମାର୍ଗୀ ହେବେ। ଅର୍ଥାତ୍ ଏହି ଦିନଠାରୁ ଶନିଙ୍କ ସିଧା ଚଳନ ଆରମ୍ଭ ହେବ। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଶନିଙ୍କ ଏହି ସ୍ଥିତି ପ୍ରାୟ ୨୪୧ ଦିନ ପର୍ଯ୍ୟନ୍ତ ରହିବ। ଶନିଙ୍କ ମାର୍ଗୀ ହେବା ଫଳରେ କିଛି ରାଶିଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ ବୋଲି ବିଶ୍ୱାସ କରାଯାଏ। ବିଶେଷକରି ବୃଷ, ମକର ଓ ତୁଳା ରାଶିର ଲୋକଙ୍କ ପାଇଁ ଏହି ସମୟ ଆଶ୍ୱସ୍ତି ଓ ନୂଆ ସମ୍ଭାବନା ନେଇ ଆସିପାରେ।
ପଞ୍ଜିକା ଓ ଜ୍ୟୋତିଷୀୟ ଗଣନା ଅନୁସାରେ, ୨୦୨୬ ଡିସେମ୍ବର ୧୧ ତାରିଖ ସକାଳ ପ୍ରାୟ ୫ଟା ୧ ମିନିଟରେ ଶନିଦେବ ମୀନ ରାଶିରେ ମାର୍ଗୀ ହେବେ। ଏହା ପୂର୍ବରୁ ୨୦୨୬ ଜୁଲାଇ ୨୭ ତାରିଖଠାରୁ ଶନି ବକ୍ରୀ ଅବସ୍ଥାରେ ରହିଛନ୍ତି। ପ୍ରାୟ ସାଢ଼େ ଚାରି ମାସର ବକ୍ରୀ ଚଳନ ପରେ ଶନିଙ୍କ ସିଧା ଗତି ଆରମ୍ଭ ହେବ।
ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ପରିଶ୍ରମ, ଶୃଙ୍ଖଳା, ନ୍ୟାୟ, ଦାୟିତ୍ୱ ଓ କର୍ମର କାରକ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଶନି ବକ୍ରୀ ଥିବା ସମୟରେ ପୁରୁଣା କାମର ସମୀକ୍ଷା, କାର୍ଯ୍ୟରେ ବିଳମ୍ବ ଓ ଦାୟିତ୍ୱର ଚାପ ବଢ଼ିପାରେ। ଅନ୍ୟପଟେ ଶନି ମାର୍ଗୀ ହେବା ପରେ ଦୀର୍ଘଦିନ ଧରି ଅଟକି ରହିଥିବା କାମରେ ଗତି ଆସିବା ସହ ପରିଶ୍ରମର ଫଳ ମିଳିବାର ସମ୍ଭାବନା ରହିଥାଏ।
ବୃଷ ରାଶିର ଜାତକଙ୍କ ପାଇଁ ଶନିଙ୍କ ମାର୍ଗୀ ଚଳନ ଶୁଭ ସଙ୍କେତ ନେଇ ଆସିପାରେ। ଏହି ସମୟରେ ଭାଗ୍ୟର ସହଯୋଗ ମିଳିବାର ମାନ୍ୟତା ରହିଛି। ଦୀର୍ଘଦିନ ଧରି ଯେଉଁ କାମ ପାଇଁ ପରିଶ୍ରମ କରୁଥିଲେ, ସେଥିରେ ସଫଳତା ମିଳିବାର ସମ୍ଭାବନା ରହିଛି। ଚାକିରି କରୁଥିବା ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ରରେ ରହିଥିବା ସମସ୍ୟାରୁ ଆଶ୍ୱସ୍ତି ମିଳିପାରେ। ନୂଆ ଦାୟିତ୍ୱ ମିଳିବାର ଯୋଗ ମଧ୍ୟ ରହିଛି।
ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଭଲ ହୋଇପାରେ। ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରଖିବାରେ ସଫଳତା ମିଳିପାରେ।
ମକର ରାଶିର ଜାତକଙ୍କ ପାଇଁ ଶନିଙ୍କ ମାର୍ଗୀ ହେବା ଆର୍ଥିକ ଦୃଷ୍ଟିରୁ ଆଶ୍ୱସ୍ତିଦାୟକ ହୋଇପାରେ। ଏହି ସମୟରେ ଟଙ୍କାପଇସା ସମ୍ବନ୍ଧୀୟ ପୁରୁଣା ସମସ୍ୟା ଧୀରେ ଧୀରେ କମିପାରେ। ଯଦି କାହାର ଟଙ୍କା ଦୀର୍ଘଦିନ ଧରି ଅଟକି ରହିଛି, ତେବେ ତାହା ଫେରିପାଇବାର ଆଶା ରହିଛି।
ବ୍ୟବସାୟୀଙ୍କୁ ଲାଭର ନୂଆ ସୁଯୋଗ ମିଳିପାରେ। ପୁରୁଣା ବ୍ୟବସାୟିକ ଯୋଜନା ଉପରେ ପୁଣିଥରେ କାମ ଆରମ୍ଭ କରିବାର ସୁଯୋଗ ମିଳିପାରେ। ଧନ ସମ୍ବନ୍ଧୀୟ ସମସ୍ୟା କମିବାର ସମ୍ଭାବନା ରହିଛି। ଆୟର ନୂଆ ରାସ୍ତା ଖୋଲିପାରେ।
ତୁଳା ରାଶିର ଲୋକଙ୍କ ପାଇଁ ଶନିଙ୍କ ସିଧା ଚଳନ କ୍ୟାରିୟର ଓ ଆର୍ଥିକ ସ୍ଥିତି ଦୃଷ୍ଟିରୁ ସକାରାତ୍ମକ ହୋଇପାରେ। ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ଓ ପ୍ରତିଭାକୁ ଉଚିତ୍ ସୱୀକୃତି ମିଳିପାରେ। ଦୀର୍ଘଦିନ ଧରି ପଦୋନ୍ନତି କିମ୍ବା ଭଲ ସୁଯୋଗକୁ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ । କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ମିଳିପାରେ। ନୂଆ ଦାୟିତ୍ୱ କିମ୍ବା ପଦ ପରିବର୍ତ୍ତନର ସୁଯୋଗ ମିଳିପାରେ। ବ୍ୟବସାୟର ସ୍ଥିତି ଧୀରେ ଧୀରେ ମଜଭୁତ ହୋଇପାରେ। ପୁରୁଣା ସମ୍ପର୍କରୁ ଲାଭ ମିଳିବାର ସମ୍ଭାବନା ରହିଛି।

