ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ ସମୟ ଧରି ପ୍ରଭାବ ପକାଇଥାଏ। ବର୍ଷ ୨୦୨୬ରେ ଶନି କୌଣସି ରାଶି ପରିବର୍ତ୍ତନ କରିବେ ନାହିଁ, କିନ୍ତୁ ୨୦୨୭ରେ ତାଙ୍କର ଏକ ବଡ଼ ଗୋଚର ହେବାକୁ ଯାଉଛି। ଶନିଦେବ ମେଷ ରାଶିରେ ପ୍ରବେଶ କରିବେ। ଏହି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର ଲୋକଙ୍କ ଜୀବନ ଉପରେ ଦେଖିବାକୁ ମିଳିପାରେ।
ଜ୍ୟୋତିଷ ଗଣନା ଅନୁସାରେ, ୩ ଜୁନ ୨୦୨୭ରେ ଶନି ପ୍ରଥମ ଥର ପାଇଁ ମେଷ ରାଶିରେ ପ୍ରବେଶ କରିବେ। ଏହା ପରେ ବକ୍ରୀ ଅବସ୍ଥାରେ ଶନି ପୁଣି ମୀନ ରାଶିକୁ ଫେରିବେ। ୨୩ ଫେବୃଆରୀ ୨୦୨୮ରେ ସେ ସ୍ଥାୟୀ ଭାବରେ ମେଷ ରାଶିରେ ଗୋଚର କରିବେ। ମେଷ ରାଶି ହେଉଛି ମଙ୍ଗଳଙ୍କ ରାଶି। ଜ୍ୟୋତିଷରେ ଶନି ଏବଂ ମଙ୍ଗଳଙ୍କ ସମ୍ପର୍କକୁ ଅନୁକୂଳ ମାନାଯାଏ ନାହିଁ। ଏପରି ପରିସ୍ଥିତିରେ ଏହି ଚଳନକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଶନି ମେଷ ରାଶିରେ ପ୍ରବେଶ କରିବା ମାତ୍ରେ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ସାଢ଼େସାତୀର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଏହି ସମୟରେ ଆର୍ଥିକ କ୍ଷେତ୍ରରେ ସତର୍କ ରହିବାର ଆବଶ୍ୟକତା ପଡ଼ିପାରେ। ଖର୍ଚ୍ଚ ବୃଦ୍ଧି, ଋଣର ଭାର ବଢ଼ିବା କିମ୍ୱା ବ୍ୟବସାୟିକ ଭାଗୀଦାରୀ ସହ ଜଡ଼ିତ ମାମଲାରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ପରିବାର ତଥା ନିକଟ ସମ୍ପର୍କୀୟଙ୍କ ସହିତ ମତଭେଦ ମଧ୍ୟ ହୋଇପାରେ। ଏହି ସମୟ ମଧ୍ୟରେ କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେବାବେଳେ ତରବରିଆ ନ ହେବା ଭଲ।
ମୀନ ରାଶି: ବଜେଟ ବିଗିଡ଼ିବାରୁ ବଢ଼ିପାରେ ଚିନ୍ତା
ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଶନିଙ୍କର ଏହି ଗୋଚର ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ଆୟ ଏବଂ ବ୍ୟୟ ମଧ୍ୟରେ ଥିବା ସନ୍ତୁଳନ ବିଗିଡ଼ିପାରେ। ହଠାତ ଅପ୍ରତ୍ୟାଶିତ ଖର୍ଚ୍ଚ ବଢ଼ିବାର ପରିସ୍ଥିତି ସୃଷ୍ଟି ହୋଇପାରେ। ବ୍ୟବସାୟ କରୁଥିବା ଲୋକଙ୍କୁ ଉତ୍ଥାନ-ପତନର ସାମ୍ନା କରିବାକୁ ପଡ଼ିପାରେ। ପରିବାର ମଧ୍ୟରେ ପାରସ୍ପରିକ ବୁଝାମଣା ବଜାୟ ରଖିବା ଜରୁରୀ ହେବ। କଠିନ ପରିଶ୍ରମ ସତ୍ତ୍ୱେ ଆଶାନୁରୂପ ଫଳ ନ ମିଳିବାରୁ ମାନସିକ ଚାପ ବଢ଼ିପାରେ।
ମେଷ ରାଶି: ଦାୟିତ୍ୱ ବଢ଼ିପାରେ
ଶନିଙ୍କ ଗୋଚର ମେଷ ରାଶିରେ ହିଁ ହେବାକୁ ଯାଉଛି, ତେଣୁ ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ଏହାର ପ୍ରଭାବ ବିଶେଷ ଭାବରେ ଦେଖିବାକୁ ମିଳିପାରେ। ଆର୍ଥିକ କ୍ଷେତ୍ରରେ ଚାପ ବୃଦ୍ଧି ପାଇବା ଏବଂ ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ପରିବାରରେ ମତଭେଦ ଓ ବିବାଦର ସ୍ଥିତି ଏଡ଼ାଇବା ପାଇଁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ଏହି ସମୟରେ ର୍ଧଯ୍ୟ ଏବଂ ସଂଯମତାର ସହ ନିଷ୍ପତ୍ତି ନେବା ଆପଣଙ୍କ ପାଇଁ ଉତ୍ତମ ହେବ।

