ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦ ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଓ ଶକ୍ତିଶ୍ରୀ କର୍ମଶାଳା ଉଦଯାପିତ ହୋଇଯାଇଛି। ଶକ୍ତିଶ୍ରୀ ସେଲର ସଂଯୋଜିକା ତଥା ଅଧ୍ୟାପିକା ସୌଦାମିନୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ କଲେଜ ଅଧ୍ୟକ୍ଷା ଡ. ସ୍ବାଗତିକା ପାତ୍ର ସଭାପତିତ୍ୱ କରି ସୁରକ୍ଷା ଦୃଷ୍ଟିରୁ ଛାତ୍ରୀମାନେ ପ୍ରତ୍ୟେକ ମୁହୂର୍ତ୍ତରେ ସତର୍କ ରହିବା ସହ ଆତ୍ମସୁରକ୍ଷା ପାଇଁ ବିଭିନ୍ନ କଳା କୌଶଳ ସମ୍ପର୍କରେ ତାଲିମ ନେବା ନିହାତି ଆବଶ୍ୟକ ବୋଲି କହିଥିଲେ। ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ନୋଡାଲ ଅଫିସର ଅଧ୍ୟାପିକା ଡ. ନିର୍ମଳା ମହାନ୍ତି,ମହିଳା କଲେଜ ଅଧ୍ୟାପିକା ସସ୍ମିତା ପଟ୍ଟନାୟକ ଅତିଥିଭାବେ ଯୋଗ ଦେଇ ଶକ୍ତିଶ୍ରୀ ସଶକ୍ତିକରଣ ଗଠନର ଆବଶ୍ୟକତା ଏବଂ ଛାତ୍ରୀଙ୍କ ଦୈନନ୍ଦିନ ଜୀବନରେ ଆତ୍ମସୁରକ୍ଷା ପ୍ରଶିକ୍ଷଣର ମହତ୍ତ୍ୱ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ପ୍ରଶିକ୍ଷକା ରାକ୍ଷୀ କୁମାରୀ ସାହୁ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ସହ ବିଭିନ୍ନ କଳା କୌଶଳ ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପିକା ଡ.ସୁଜାତା କୁମାରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଉପେନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ପାତ୍ର, ସଞ୍ଜୁ ଗୌଡ଼, କାଳୀଚରଣ ପ୍ରଧାନ, ଭି. ଗୀତା ଦେବୀ ଏବଂ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ। କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ପର୍ଯ୍ୟାୟ କ୍ରମେ ସଚେତନତା ସଭା,ଶୋଭାଯାତ୍ରା ଚାଲୁ ରହିବ ବୋଲି କଲେଜ ଅଧ୍ୟକ୍ଷା ଜଣାଇଛନ୍ତି।

