
ଓ୍ବାଶିଂଟନ, ୨।୭ : ଜୁଲାଇ ୪ ରେ ଆମେରିକା ଏହାର ସ୍ବାଧୀନତା ଦିବସ ପାଳନ କରିବ। କିନ୍ତୁ ଏହାର ଠିକ ପୂର୍ବରୁ ସାମ୍ନାକୁ ଆସିଛି ଯେ ଦେଶବାସୀଙ୍କ ମଧ୍ୟରେ ଦେଶ ଗୌରବ ଭାବନା ଦ୍ରୁତ ଗତିରେ ହ୍ରାସ ପାଉଛି। ରେକର୍ଡ ମୁଦ୍ରାସ୍ଫୀତି, ରାଜନୈତିକ ତିକ୍ତତା ଏବଂ ସାମାଜିକ ଧ୍ରୁବୀକରଣ ତୀବ୍ର ହେବା କାରଣରୁ ଦେଶ ବର୍ତ୍ତମାନ ନିରାଶାର ପରିବେଶରେ ରହିଛି।
ସ୍ବାଧୀନତା ଦିବସ ପୂର୍ବରୁ ସର୍ଭେ ଏଜେନ୍ସି ଗେଲପ ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶିତ ହୋଇଛି। ୨୦୦୧ ଠାରୁ ସ୍ବାଧୀନତା ଦିବସ ପୂର୍ବରୁ ଗେଲପ ପ୍ରତିବର୍ଷ ଏହିପରି ଏକ ସର୍ଭେ ରିପୋର୍ଟ ପ୍ରକାଶ କରି ଆସୁଛି। ଏହି ରିପୋର୍ଟ ଅନୁଯାୟୀ, କେବଳ ୩୮ ପ୍ରତିଶତ ଆମେରିକୀୟ କହିଛନ୍ତି ଯେ ସେମାନେ ନିଜ ଦେଶ ପାଇଁ ଗର୍ବିତ।
ଗେଲପ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଗତ ୨୦ ବର୍ଷ ମଧ୍ୟରେ ଯେଉଁମାନେ ସମ୍ପୂର୍ଣ୍ଣ ଗର୍ବ ଅନୁଭବ କରୁଛନ୍ତି ସେମାନଙ୍କ ହାରାହାରି ସଂଖ୍ୟା ୫୫ ପ୍ରତିଶତ ହ୍ରାସ ହୋଇଛି। ଚଳିତ ଥର ଏପରି ମତ ପ୍ରକାଶ କରୁଥିବା ଲୋକଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ୨୦୧୫ ପୂର୍ବରୁ ଏହା କେବେ ହୋଇ ନଥିଲା। ସେତେବେଳେ ସଂପୂର୍ଣ୍ଣ ଗର୍ବ ଅନୁଭବ କରୁଥିବା ଲୋକଙ୍କ ସଂଖ୍ୟା ୫୫ ପ୍ରତିଶତରୁ କମ ରହୁ ନଥିଲା। କିନ୍ତୁ ଗତ ସାତ ବର୍ଷ ମଧ୍ୟରେ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।
ବିଶ୍ଳେଷକଙ୍କ କହିବାନୁସାରେ, ଏହି ହ୍ରାସର ମୁଖ୍ୟ କାରଣ ହେଉଛି ରିପବ୍ଲିକାନ ପାର୍ଟିର ସମର୍ଥକ, ଯେଉଁମାନେ କୌଣସି ଦଳକୁ ସମର୍ଥନ କରୁନାହାଁନ୍ତି ସେମାନଙ୍କ ମଧ୍ୟରେ ନିଜ ଦେଶରେ ଗର୍ବର ଭାବନା କରୁଥିବା ଲୋକଙ୍କ ସଂଖ୍ୟା କମୁଛି।
ରିପବ୍ଲିକାନ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଏହି ଭାବନା ସର୍ବାଧିକ ବୋଲି ଜଣାପଡିଛି। ୨୦୧୯ରେ, ୭୫ ପ୍ରତିଶତ ସମର୍ଥକ କହିଛନ୍ତି ଯେ ସେମାନେ ନିଜ ଦେଶ ପାଇଁ ଅତ୍ୟଧିକ ଗର୍ବିତ। ଏଥର ଏହି ଗୋଷ୍ଠୀରେ ଏପରି ମତ ପ୍ରକାଶ କରୁଥିବା ଲୋକଙ୍କ ସଂଖ୍ୟା ମାତ୍ର ୫୮ପ୍ରତିଶତ ରହିଛି।
ଏହି ସର୍ଭେ ଜୁନ ୧ ରୁ ୨୦ ପର୍ଯ୍ୟନ୍ତ କରାଯାଇଥିଲା। ସେହି ସମୟରେ ଆମେରିକାର ଅନେକ ସ୍ଥାନରେ ଗୁଳିକାଣ୍ଡ ଘଟିଥିଲା। ଯେଉଁଥିରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିଲା। ବହୁ ସଂଖ୍ୟକ ଆମେରିକୀୟଙ୍କ ମଧ୍ୟରେ ସେମାନଙ୍କ ଦେଶ ତଥା ସମାଜକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଏହା ତୁରନ୍ତ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ।