Posted inଫୁରସତ

ଶ୍ରୀକୃଷ୍ଣଲୀଳାରେ ମହାପ୍ରଭୁଙ୍କୁ ଦେଖେ: ପଦ୍ମଶ୍ରୀ ଗୋପୀନାଥ ସ୍ବାଇଁ

ବୟସ ତାଙ୍କର ୧୦୫ବର୍ଷରୁ ଉର୍ଦ୍ଧ୍ୱ ହେବ । ତଥାପି ଥକି ପଡିନି ପାଦ ! ଏବେ ବି ଘଣ୍ଟାଘଣ୍ଟା ଧରି ସେ ଗାୟନ କରନ୍ତି ଶ୍ରୀକୃଷ୍ଣଲୀଳାକୁ। ପ୍ରତ୍ୟହ ଉଠି ପଡନ୍ତି ବଡ଼ିଭୋରରୁ। ନିତ୍ୟକର୍ମସାରି, ପବିତ୍ରମନରେ ଯାଇ ପହଞ୍ଚିଯାନ୍ତି ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ। ପ୍ରାର୍ଥନା କରନ୍ତି, ଶ୍ରୀକୃଷ୍ଣଲୀଳା ଗାୟନ କରି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। ସର୍ବଦା ଭଗବତ୍‌ ପ୍ରେମରେ ନିଜକୁ ସମର୍ପିତ କରି ସେ ଆନନ୍ଦ ପାଆନ୍ତି। ଏମିତିରେ ବିତିସାରିଲାଣି ଦୀର୍ଘ ୯ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ। ଓଡ଼ିଶାରେ ପ୍ରଚଳିତ ପାରମ୍ପରିକ ଲୋକପ୍ରିୟ ଲୋକକଳା ତଥା ପୌରାଣିକ ବିଷୟ ଉପରେ ଆଧାରିତ ଶ୍ରୀକୃଷ୍ଣଲୀଳାର ପ୍ରଚାର ପ୍ରସାର ଦ୍ୱାରା ସମାଜରେ କିପରି ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇପାରିବ, ସେଥିପାଇଁ ସେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭାଗବତ ଭାବ ସୃଷ୍ଟି ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି। ଯାହା ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ। ଏଥିପାଇଁ ତାଙ୍କୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି। ସେ ହେଲେ ପଦ୍ମଶ୍ରୀ ଗୋପୀନାଥ ସ୍ବାଇଁ। ଜନ୍ମ ତା୧୫।୨।୧୯୧୮ ମସିହାରେ। ମା’ ହାଡ଼ି ସ୍ବାଇଁ, ପିତା ମାଗତି ସ୍ବାଇଁ। ଘର ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ଗୋବିନ୍ଦପୁର ବଡ଼ଦାଣ୍ଡ ସାହିରେ। ସେ କୁହନ୍ତି, ‘ମୋର ଦୁଇ ଭଉଣୀ ଓ ୪ ଭାଇଙ୍କ ମଧ୍ୟରେ ମୁଁ ସାନ । ପିଲାଟିଏ ହୋଇଥିଲି, ସେହି ସମୟରୁ ମୋ ମା’ ଆମକୁ ଛାଡ଼ି ଆରପାରିକୁ ଚାଲିଗଲା। ତେଣୁ ବାପା ହିଁ ମୋ ପାଇଁ ଥିଲେ ସବୁକିଛି। ପ୍ରାୟ ୫ ବର୍ଷର ହୋଇଥାଏ। ଆମଘର ପାଖ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ସାହି କୋଠଘରକୁ ଯାଉଥିଲି। ସେଠାରେ ଶ୍ରୀକୃଷ୍ଣଲୀଳା ଦେଖୁଥିଲି। ମୋ ଦାଦା କ୍ଷେତ୍ର ସ୍ବାଇଁ ଶ୍ରୀକୃଷ୍ଣଲୀଳାର ଗାୟକ ଥିଲେ। ସେ ମୋତେ ଏହି କଳା ପ୍ରତି ଉତ୍ସାହିତ କରାଇଥିଲେ। ପରେ ଗୁରୁ ଚୌଧୁରୀ ବେହେରା ଶ୍ରୀକୃଷ୍ଣଲୀଳା ଶିଖାଇଥିଲେ। ଶ୍ରୀକୃଷ୍ଣ ଲୀଳାରେ କେବେ ଶ୍ରୀକୃଷ୍ଣ ତ ପୁଣି କେବେ ଯଶୋଦାଙ୍କ ଭୂମିକାରେ ନୃତ୍ୟ, ଅଭିନୟ ଓ ସଂଗୀତ ଗାନ କରିଲି। ଏହି ସମୟରେ ଅବଧାନଙ୍କ ପାଖରେ ୫ମ ଯାଏ ପଢିଛି। ବାପା ଭାବିଥିଲେ ମୁଁ ପାଠ ପଢ଼ି ଜଣେ ଶିକ୍ଷକ ହେବି। ହେଲେ ଶ୍ରୀକୃଷ୍ଣଲୀଳା ପ୍ରତି ମୋର ଆଗ୍ରହ ଦେଖି ସେ କହିଲେ ମୋ ପୁଅ ଜଣେ ଭଲ ଗାୟକ ହେବ। ଚାରିଆଡ଼ୁ ଡକରା ଆସିବ, ଧର୍ମପୀଠ ବୁଲିବ। ସେତେବେଳେ ଆମ ଅଞ୍ଚଳର ଚାରିଆଡ଼େ ବଣଜଙ୍ଗଲ ଥିଲା। ବିଭିନ୍ନ ଗାଁକୁ ଯିବାଲାଗି ପାଦଚଲା ବାଟରେ ଯିବାକୁ ପଡ଼ୁଥିଲା। ସନ୍ଧ୍ୟାରେ ଗାଁ ଲୋକମାନେ ଶ୍ରୀକୃଷ୍ଣଲୀଳା ଶୁଣିବାକୁ ଆସିଥାନ୍ତି। ସତ୍‌ସଙ୍ଗ ଗୋଷ୍ଠୀରେ ଧର୍ମଚର୍ଚ୍ଚା ଚାଲେ। ପ୍ରତିଦିନ ପ୍ରଭାତରୁ ଉଠି ସ୍ନାନସାରି ଗାଁରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଯାଏ। ସେଠାରେ କିଛି ସମୟ ପ୍ରାର୍ଥନା କରି ଶ୍ରୀକୃଷ୍ଣଲୀଳା ଗାନ କରିଥାଏ। ମୋତେ ଯେବେ ୧୨ବର୍ଷ ସେହି ସମୟରୁ ଶ୍ରୀକୃଷ୍ଣଲୀଳା ଗାୟନକରିବା ସହ ଅନ୍ୟମାନଙ୍କୁ ନାଟ୍ୟଶିକ୍ଷା ଦେଲି। ପୁରାଣ ବିଷୟରେ ଅଧିକ କିଛି ଜାଣିବା ପାଇଁ ଦାଦା କ୍ଷେତ୍ର ସ୍ବାଇଁ, ଗୁରୁ ଚୌଧୁରୀ ବେହେରା, ନାରାୟଣ ତନ୍ତି, ଆକୁଳ ପାଢ଼ୀ, ଭୋବନୀ ପାତ୍ର, ଲକ୍ଷ୍ମଣ ରଥଙ୍କଠାରୁ ଶ୍ରୀକୃଷ୍ଣଲୀଳାର ଶିକ୍ଷା ନେଲି। ନିକଟସ୍ଥ ଗାଁରେ ମଧ୍ୟ ନୃତ୍ୟ ଓ ସଂଗୀତ ଶିକ୍ଷାଦେଲି। ଗୋଟିଏ ଗୋଟିଏ ଦଳରେ ପ୍ରାୟ ୨୦ରୁ ୩୦ଜଣ ଲେଖାଏଁ କଳାକାର ଯୋଗଦେଉଥିଲେ। ଶ୍ରୀକୃଷ୍ଣଲୀଳାର ବାଲ୍ୟଲୀଳାଠାରୁ ଆରମ୍ଭକରି କଂସବଧ ଯାଏ ପରିବେଷଣ ହେଉଥିଲା। ଏହି ଲୀଳାର ପ୍ରାୟ ୪୮ଟି ଅଧ୍ୟାୟକୁ ପ୍ରାୟ ଘଣ୍ଟାଘଣ୍ଟାଧରି ମଞ୍ଚରେ ପରିବେଷଣ କରାଯାଉଥିଲା। ଶ୍ରୀକୃଷ୍ଣଲୀଳା ନୃତ୍ୟ ଓ ସଂଗୀତ ବେଳେ ଭକ୍ତିରସରେ ଦର୍ଶକ ବିଭୋର ହୋଇପଡ଼ୁଥିଲେ। ମୁଁ ଗୋବିନ୍ଦପୁର, ବୋରିପଦର, ଡୁମକୁପା, ହୁମୁକି, ହିଣ୍ଡଳ, କବିସୂର୍ଯ୍ୟନଗର, ଦେଓଗାଁ, କଳମ୍ବଖଣ୍ଡରୁ, ଅରଖପୁର, ଚିକିଟି, ଦିଗପହଣ୍ଡି, କୁଶପଡ଼ା, ଖାରିଆଗୁଡ଼ା, ରାଳବ, ନନ୍ଦିକ, ସୋରଳା ଆଦି ଶତାଧିକ ଗାଁରେ ଶ୍ରୀକୃଷ୍ଣଲୀଳା ପରିବେଷଣ କରିଛି। ସେହିପରି ରାଜ୍ୟ ବାହାରେ ତଥା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ମଧ୍ୟ କୃଷ୍ଣଲୀଳାର ପ୍ରଚାର କରିଛି। ଗଞ୍ଜାମ ଜିଲାର ପ୍ରାୟ ୪୦ଟି ସ୍ଥାନରେ ଶ୍ରୀକୃଷ୍ଣଲୀଳା ପାଇଁ ବହୁ ଛାତ୍ର ଏଥିରେ ଯୋଡ଼ି ହୋଇପାରିଛନ୍ତି। ସେମାନଙ୍କ ମଧ୍ୟରେ ଏବେ କେତେଜଣ ଶିଷ୍ୟ ଏହି କଳାର ପ୍ରଚାର ପ୍ରସାର କରୁଛନ୍ତି। କୃଷ୍ଣଲୀଳା ଯୋଗୁ ବିଭିନ୍ନ ସଂସ୍ଥାରୁ ମୋତେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। ପୂର୍ବରୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଲୋକସଂସ୍କୃତି ସମ୍ମାନରେ ସମ୍ମାନିତ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନ ମୋତେ ବହୁତ ଖୁସି ଦେଇଛି। ମୋର ମନେପଡ଼େ ଥରେ ରିଷିକେଶ ଯାଇଥିଲି ସେଠାରେ ପ୍ରାୟ୨୧ଦିନଧରି ଦିନକୁ ଥରେମାତ୍ର ଜଳପାନକରି ସାଧନା କରିଥିଲି। ସେଠାରେ ଦୈବକୃପା ଲାଭ ହୋଇଥିବାର ଅନୁଭବକଲି। ଯେଉଁଠାରେ ନାମକୀର୍ତ୍ତନ ହୁଏ ସେଠାରେ ଭଗବାନ ସ୍ବୟଂ ପ୍ରକଟ ହୋଇଥାନ୍ତି, ଏହା ମୋର ଦୃଢ଼ ବିଶ୍ୱାସ। ଭଗବାନଙ୍କ ନାମରେ ଅପାର ମହିମା ରହିଛି। ଶ୍ରଦ୍ଧା ଓ ନିଷ୍ଠାର ସହିତ ବାରମ୍ବାର ଆବୃତ୍ତି କଲେ ଅନ୍ତଃକରଣରେ ପବିତ୍ରତା ଆସେ। ଦିବ୍ୟ ଆନନ୍ଦ ମିଳେ। ଏବେ ମୋର ବୟସ ପ୍ରାୟ ୧୦୬ ହୋଇସାରିଲାଣି। ପ୍ରାତଃ ସମୟରେ ହରିନାମ ଏବଂ ରାତିରେ ନିଦ୍ରା ପୂର୍ବରୁ ଭଗବାନଙ୍କ ନାମ ଜିପିଥାଏ। ବାର୍ଦ୍ଧକ୍ୟ ହେତୁ ଶରୀର ଟିକେ ଅସୁସ୍ଥ ଅନୁଭବ କରୁଛି। ମୋ ପରିବାରର ଦୁଇ ପୁଅ, ଗୋଟିଏ ଝିଅ,ସେମାନଙ୍କ ମଧ୍ୟରେ ବଡ଼ପୁଅ ବଡ଼ବୋହୁ ଓ ସାନବୋହୁ ମୃତ୍ୟୁ ବରଣ କରିସାରିଛନ୍ତି। ପୂର୍ବରୁ ଆମ ଅଞ୍ଚଳରେ ଏହି ସମ୍ମାନ କିଏ ପାଇଛନ୍ତି କି ନାହିଁ ତାହା ମୁଁ ଜାଣିନି। ପଦ୍ମଶ୍ରୀ ସମ୍ମାନ ମିଳିବ ବୋଲି ଟିଭିରୁ ଶୁଣି ମୋ ନାତି ମୋତେ କହିଥିଲା। ଭାରତ ସରକାରଙ୍କ ଏହି ସମ୍ମାନ ଜନକ ଉପାଧି ମୋତେ ମିଳିବ ଏଥିପାଇଁ ଆମ ଘରକୁ ଏକ ସରକାରୀ ଚିଠି ଟିଏ ଆସିଥିଲା, ଯାହାକୁ ଦେଖି ଖୁସୀ ଲାଗିଲା। କାରଣ ମୁଁ ଏ ବିଷୟରେ ଆଗରୁ ସେମିତି କିଛି ଜାଣିନଥିଲି। ଏବେ ନାତି ଅମିତଙ୍କ ପାଖରେ ରହୁଛି। ସମସ୍ତଙ୍କ ଶ୍ରଦ୍ଧା ମୋ ପ୍ରତି ରହିଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?