ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ ତା’ ଜୀବନ। ଘଟଣା ପଛରେ ଲୁଚିଥିବା ରହସ୍ୟର ସେ ଅନୁସନ୍ଧାନ କରେ। ତା’ ଭିତରେ ନୂତନ ସୃଷ୍ଟି କରିବାର ପ୍ରୟାସ ଭରି ରହିଥାଏ। ତା’ ମନ ଭିତରେ ଅନ୍ଧବିଶ୍ୱାସରୁ ନିଷ୍କୃତିପ୍ରାପ୍ତିର ଆଭାସ ମିଳେ। ପାର୍ଥତ୍ବ ଦୁନିଆର ତେଲଲୁଣଠାରୁ ଊର୍ଦ୍ଧ୍ୱରେ ରହିଥିବା ଜିଜ୍ଞାସୁ ସିଏ। ଆଜନ୍ମ ଜ୍ଞାନର ପିପାସୁ ସିଏ। କିନ୍ତୁ ବୈଜ୍ଞାନିକମାନେ ମାଆ ପେଟରୁ ବୈଜ୍ଞାନିକ ହୋଇ ଆସନ୍ତି ନାହିଁ। ବରଂ ସେମାନଙ୍କର ବୈଜ୍ଞାନିକ ଦୃଷ୍ଟିକୋଣ ଓ କଠିନ ପରିଶ୍ରମ ସେମାନଙ୍କୁ ବିଶ୍ୱବିଖ୍ୟାତ ବୈଜ୍ଞାନିକର ଆସନ ଦିଏ। ଆମେ ଗଛରେ ପାଣି ଦେଉ। ପାଣି ଗଛକୁ ଖାଦ୍ୟ ଯୋଗାଇ ଦିଏ ବୋଲି ଆମେ ଜାଣୁ। କିନ୍ତୁ ପାଣି କିପରି ଗଛକୁ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରେ, ସେକଥା ଆମକୁ ଅଜଣା। ଏହା ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ଏହାର ଭିତିରି କଥା ବୁଝିପାରେ। ପାଣି ପାଇପର ମୁଣ୍ଡକୁ ଚିପି ଧରିଲେ ପାଣିର ଧାର ବେଶି ଦୂରକୁ ଯାଇପାରେ ଓ ଛାଡିଦେଲେ ପାଖରେ ପଡେ। ପାଇପ୍‌ ମୁଣ୍ଡକୁ କେତେ ଚିପିଲେ ପାଣି କେତେବାଟ ଯିବ, ସେକଥା ଆମକୁ ଜଣା। କିନ୍ତୁ ଏକଥା ପଛରେ ଲୁଚି ରହିଥିବା କାରଣ ଆମକୁ ଜଣାନାହିଁ। ତେଣୁ ଆମେ ସମସ୍ତେ ବିଜ୍ଞାନ ସହିତ ଜଡିତ। ତେବେ ବୈଜ୍ଞାନିକ ହେବାର ସାମର୍ଥ୍ୟ ଆମ ପାଖରେ ଥିଲେ ବି ଗବେଷଣା କରିନାହୁଁ ବୋଲି ଆମକୁ ବୈଜ୍ଞାନିକର ଆଖ୍ୟା ମିଳେନାହିଁ।
ଚକ ବୁଲିଲେ ସାଇକେଲ ଆଗରେ ଲାଗିଥିବା ଡାଇନାମୋ ଦ୍ୱାରା ଆଲୁଅ ଜଳେ। ଡାଇନାମୋ ଉଦ୍ଭାବନ କରିଥିଲେ ମାଇକେଲ ଫାରାଡେ, ଯିଏକି ପିଲାଦିନେ ଭଲରେ ଓଳିଏ ଖାଇବାକୁ ପାଉ ନ ଥିଲେ। ବଞ୍ଚିବା ପାଇଁ ସେ ଖବରକାଗଜ ବିକିଛନ୍ତି ଓ ବହି ବନ୍ଧେଇ କରିଛନ୍ତି। କିନ୍ତୁ ବିଜ୍ଞାନ ପ୍ରତି ତାଙ୍କର ପ୍ରଗାଢ଼ ଅନୁରକ୍ତି ତାଙ୍କୁ ପ୍ରସିଦ୍ଧି ଆଣିଦେଇଛି। ଘଟଣାର ଗଭୀର ଅନୁଶୀଳନ କରି ତାକୁ ଏକ ସାଧାରଣ ସିଦ୍ଧାନ୍ତ ରୂପରେ ପରିବେଷଣ କରିବା ବୈଜ୍ଞାନିକର ମୌଳିକ ଲକ୍ଷଣ। ସଫଳ ବୈଜ୍ଞାନିକ ହେବା ପାଇଁ ଡାକ୍ତର ବା ଇଞ୍ଜିନିୟର ହେବା ଜରୁରୀ ନୁହେଁ, ବରଂ ଆଗ୍ରହ ଦରକାର ଓ ବୈଜ୍ଞାନିକ ଦୃଷ୍ଟିକୋଣ ଆବଶ୍ୟକ। ପଥର ଫିଙ୍ଗି ଆମ୍ବ ତୋଳିବା ସମୟରେ, ବଂଶୀ ବାଦନ ବେଳେ ଓ ଗିଟାର ବାଦନ ସମୟରେ ଆମେ ବୈଜ୍ଞାନିକ ପରି ବ୍ୟବହାର କରୁ। କିନ୍ତୁ ଆଗ୍ରହ ନ ଥିବାରୁ ଏସବୁ ପଛରେ ରହିଥିବା ବୈଜ୍ଞାନିକ କାରଣଠାରୁ ଦୂରରେ ରହୁ। ବିଜ୍ଞାନ ଅଲୌକିକ ପ୍ରତିଭାର ପରିଚୟ ଖୋଜେନାହିଁ। ଖୋଜେ ବ୍ୟକ୍ତିର ଦୃଷ୍ଟିକୋଣରେ ସ୍ବାତନ୍ତ୍ର୍ୟ।
ପ୍ରକୃତି ବିଜ୍ଞାନକୁ ଜନ୍ମ ଦେଇଛି। ପ୍ରକୃତିକୁ ବୁଝିବା ହିଁ ବିଜ୍ଞାନର ଉଦ୍ଦେଶ୍ୟ। ପ୍ରକୃତି ସହିତ ଅଭିନ୍ନ ମିତ୍ରତା ଆମର ଦୃଷ୍ଟିକୋଣକୁ ବିଜ୍ଞାନ ସମ୍ମତ କରେ। ଚନ୍ଦ୍ରଶେଖର ଭେଙ୍କଟ ରାମନ୍‌ ଥିଲେ ପ୍ରକୃତିପ୍ରେମୀ। ଆକାଶ ଓ ସମୁଦ୍ରର ସୁନ୍ଦର ନୀଳରଙ୍ଗ ତାଙ୍କୁ ବିଶେଷ ଆକର୍ଷିତ କରିଥିଲା। ସେହି ବିଷୟରେ ଅଧିକ ଜାଣିବା ପାଇଁ ସେ ଇଚ୍ଛା କଲେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ରଙ୍ଗର ସୃଷ୍ଟି ବିଷୟରେ ସେ ବିଚାର କଲେ। ପ୍ରକୃତିର ସେହି ନୀଳ ରଙ୍ଗ ଉପରେ ଗବେଷଣା କରି ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ। କାରଣ ଆଲୋକର ଅଦ୍ଭୁତ ବ୍ୟବହାର ସମ୍ପର୍କିତ ଏକ ସତ୍ୟକୁ ସେ ଆବିଷ୍କାର କଲେ, ଯାହାର ନାମ ‘ରାମନ୍‌ ପ୍ରଭାବ’। ସେହି ସତ୍ୟ ହେଉଛି – ରଙ୍ଗିନ ଆଲୋକ ରଶ୍ମିଟିଏ ତରଳ ପଦାର୍ଥ ଦେଇ ଗତି କଲେ, ତାହାର ସାମାନ୍ୟ କିଛି ଅଂଶ ତରଳର ଅଣୁ ଦ୍ୱାରା ନୂତନ ଏକ ରଙ୍ଗରେ ବିଚ୍ଛୁରିତ ହୁଏ। ଏହା ଥିଲା ଏକ ମହାର୍ଘ୍ୟ ସତ୍ୟ। ଅଦ୍ୟାବଧି ଆମ ଭାରତ ପାଇଁ ଭେଙ୍କଟ ରାମନ୍‌ଙ୍କର ପୁରସ୍କାର ହେଉଛି ପଦାର୍ଥ ବିଜ୍ଞାନରେ ଏକମାତ୍ର ନୋବେଲ ପୁରସ୍କାର। ଭେଙ୍କଟ ରାମନ୍‌ ଯେଉଁ ଉପକରଣ ସହାୟତାରେ ଗବେଷଣା କରୁଥିଲେ, ତାହାର ମୂଲ୍ୟ ଥିଲା ମାତ୍ର ୨୦୦ ଟଙ୍କା। ସେ ପ୍ରମାଣ କରିଦେଲେ ଯେ, ବୈଜ୍ଞାନିକ ହେବା ପାଇଁ ବଡ ବଡ ଯନ୍ତ୍ରପାତି ଜରୁରୀ ନୁହେଁ। ବିଦେଶ ଯିବା ନିହାତି ଜରୁରୀ ନୁହେଁ। ବୈଜ୍ଞାନିକ ଦୃଷ୍ଟିକୋଣସମ୍ପନ୍ନ ଦୃଢ ମନୋବଳ ସାଙ୍ଗକୁ ଏକାଗ୍ରତା ହିଁ ବିଜ୍ଞାନ କ୍ଷେତ୍ରରେ ସିଦ୍ଧି ଆଣିଦିଏ।
ସମସ୍ତେ ସବୁ ଘଟଣା ଓ ପରିଘଟଣା ଦେଖନ୍ତି। କିନ୍ତୁ ସମସ୍ତେ ବୈଜ୍ଞାନିକର ଭାବ ନେଇ ସେସବୁ ଉପରେ ଚିନ୍ତା କରନ୍ତି ନାହିଁ। ଯେ କୌଣସି ପରିଘଟଣା ଉପରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଚିନ୍ତା କଲେ କିଛି ନା କିଛି ନୂଆ କଥା ଜାଣିହେବ। କିଛି କିଛି ନୂଆ କଥା ମିଶି ଦିନେ ତାହା ଏକ ସମ୍ପୂର୍ଣ୍ଣ ଆବିଷ୍କାରର ରୂପ ନେବ ଓ ଆମକୁ ବୈଜ୍ଞାନିକର ମାନ୍ୟତା ଦେଇପାରିବ। ଆମ ଦେଶର ଜୈବବିବିଧତା ସାରା ପୃଥିବୀରେ ଅନନ୍ୟ। ଭାରତ ଭଳି ଏକ ବିସ୍ତୃତ ପ୍ରାକୃତିକ ଗବେଷଣାଗାରରେ ଗବେଷଣା କରିବାର ଯଥେଷ୍ଟ ପାଥେୟ ରହିଛି। ଆମ ଭୂଖଣ୍ଡରେ ଘଟୁଥିବା ପ୍ରତ୍ୟେକ ପରିଘଟଣାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ଅମାପ ନୂତନ ସତ୍ୟର ସନ୍ଧାନ ମିଳିପାରିବ। ଆମର ଯୁକ୍ତିଯୁକ୍ତ ବିଚାର ତତ୍‌ ସମ୍ପର୍କିତ ବିଦ୍ୟମାନ ବିଜ୍ଞାନକୁ ଆହୁରି ବଳିଷ୍ଠ କରିବ। କେବଳ ସେତିକି ନୁହେଁ, ଭାରତୀୟ ମସ୍ତିଷ୍କ ଭିତରେ ଲୁଚି ରହିଥିବା ବୈଜ୍ଞାନିକ ନିଶ୍ଚୟ ସମାଜର ସ୍ବୀକୃତି ଲାଭ କରିପାରିବ।

ଡ. କମଳାକାନ୍ତ ଜେନା

ଓମ୍‌ଇଏସ୍‌. (ପଦାର୍ଥ ବିଜ୍ଞାନ),
ପରୀକ୍ଷା ନିୟନ୍ତ୍ରକ,
ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର, ମୋ:୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?