ଥୁଆମୂଳ ରାମପୁର,୧୬।୯(ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଇଷ୍ଟଦେବୀ ହେଉଛନ୍ତି ମା’ ମାଣିକେଶ୍ୱରୀ । ଥୁଆମୂଳ ରାମପୁର ଠାରେ ଚଳିତ ୨୦୨୬ ବର୍ଷର ପବିତ୍ର ବାଲିଯାତ୍ରା ଏବଂ ଶାରଦୀୟ ଦଶହରା ପୂଜା ପାଇଁ ନୀତିକାନ୍ତି ଓ ସମୟସୂଚୀ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି । ମା’ ମାଣିକେଶ୍ୱରୀ ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁଯାୟୀ ସମସ୍ତ ପୂଜାପାର୍ବଣ ଓ ପାରମ୍ପରିକ ରୀତିନୀତି ଅନୁଷ୍ଠିତ ହେବ।
ପ୍ରକାଶିତ ସୂଚୀ ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ବୁଧବାର ଦ୍ୱାଦଶୀ ତିଥିରେ ଭୈରବଦେବଙ୍କ ଝାମୁଯାତ୍ରା ଆରମ୍ଭ, ଅଳଙ୍କାର ଧାରଣ ଏବଂ ସନ୍ଧ୍ୟାରେ ମା’ ମାଣିକେଶ୍ୱରୀ ଓ ଭୈରବଦେବଙ୍କ ଷୋଡ଼ଶ ଉପଚାର ପୂଜା ସମ୍ପନ୍ନ ହେବ । ସେପ୍ଟେମ୍ବର ୨୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ନିୟମିତ ପୂଜାର୍ଚ୍ଚନା ଚାଲିବା ସହ ୨୭ ତାରିଖ ସନ୍ଧ୍ୟାରେ ମା’ ମାଣିକେଶ୍ୱରୀ ଓ ଭୈରବଦେବଙ୍କ ” କଣ୍ଟା ଗାଦିଆ” ବସାଯିବ। ଏହାପରେ ୨୮ ତାରିଖ ସୋମବାର ଷୋଡ଼ଶ ପୂଜା ଏବଂ ୨୯ ଓ ୩୦ ତାରିଖରେ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହେବ । ଅକ୍ଟୋବର ୦୧ ତାରିଖ ଗୁରୁବାର ସନ୍ଧ୍ୟାରେ କଣ୍ଟା ଦୋଲି ଝୁଲଣା, କଣ୍ଟା ଗାଦିଆ ବସା ଏବଂ ଭୈରବଦେବଙ୍କ ଅଗ୍ନି ପରୀକ୍ଷା ନୀତି ସମ୍ପନ୍ନ ହେବା ସହିତ ଯାତ୍ରା ସମାପନ ଓ ଅଲଙ୍କାର ଫେରସ୍ତ ହେବ।
ଅପରପକ୍ଷରେ, ଶାରଦୀୟ ଦଶହରା ପୂଜା ଅବସରରେ ଅକ୍ଟୋବର ୧୧ ତାରିଖ ରବିବାର ଦିନ ମୁଣ୍ଡବସା ପର୍ବ ଆରମ୍ଭ ହେବ । ଅକ୍ଟୋବର ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଦିବସରୁ ସପ୍ତମ ଦିବସ ପୂଜାର୍ଚ୍ଚନା କରାଯିବ। ଅକ୍ଟୋବର ୧୮ ତାରିଖରେ ସପ୍ତମୀ ଓ ଅଷ୍ଟମୀ ପୂଜା, ୧୯ ତାରିଖ ସୋମବାର ଦିନ ପ୍ରସିଦ୍ଧ ଛତର ଯାତ୍ରା ଓ ନବମୀ ସିଦ୍ଧି ପୂଜା ଏବଂ ୨୦ ତାରିଖ ମଙ୍ଗଳବାର ଦିନ ବିଜୟା ଦଶମୀ, ବିସର୍ଜନ ଓ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହେବ।
ଶେଷରେ ଅକ୍ଟୋବର ୨୬ ତାରିଖ ସୋମବାର କୁମାର ପୂର୍ଣ୍ଣିମା ଅବସରରେ ମନ୍ଦିର ଦ୍ୱାର ଖୋଲାଯିବ। ଏହି ସମସ୍ତ ପର୍ବପର୍ବାଣିରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତଜନ ଯୋଗଦେଇ ମା’ଙ୍କ କୃପା ଲାଭ କରିବା ପାଇଁ ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

