ମହାମାରୀ ସମୟରେ ‘ଦରିଦ୍ରର ସଞ୍ଚୟ’

ଡ. ଅମରେନ୍ଦ୍ର ଦାସ

ବିପତ୍ତି ସମୟରେ ଆର୍ଥିକ ପରିଚାଳନା ଅତ୍ୟନ୍ତ ଜଟିଳ ହୋଇପଡ଼ି ଥାଏ। କରୋନା ମହାମାରୀ ଭଳି ବିଶ୍ୱ ବିପତ୍ତି ସମୟରେ ଆର୍ଥିକ ପରିଚାଳନା ଆହୁରି ଅଧିକ ଜଟିଳ। ଏହିପରି ବିପତ୍ତି ସମୟରେ ଦୁଇଟି ଦିଗରୁ ସମସ୍ୟା ଆସେ। ଗୋଟିଏ ପଟରେ ରାଜସ୍ବ ବ୍ୟାପକ ହ୍ରାସ ହୋଇଥାଏ ତ ଆଉ ଗୋଟିଏ ପଟରେ ସବୁ କ୍ଷେତ୍ରରେ ବ୍ୟୟ ବୃଦ୍ଧି ପାଇଁ ଦାବି। କରୋନା ମହାମାରୀଜନିତ ଲକ୍‌ଡାଉନ୍‌ ଯୋଗୁ ରାଜ୍ୟର ପ୍ରାୟ ସମସ୍ତ କ୍ଷେତ୍ର ଘୋର ପ୍ରଭାବିତ ହୋଇଛି।
ଓଡ଼ିଶା ଅର୍ଥନୀତି ସଂଗଠନ ତରଫରୁ କରାଯାଇଥିବା ଆକଳନରୁ ଅନୁମାନ କରାଯାଏ ଯେ, ରାଜ୍ୟର ଅର୍ଥନୀତି ପ୍ରାୟ ୧୬ ପ୍ରତିଶତରୁ ଅଧିକ ସଙ୍କୁଚିତ ହେବ। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ କରାଯାଇଥିବା ଆଗୁଆ ହିସାବରୁ ଜଣାପଡିଛି ଯେ ଦେଶର ପ୍ରଥମ ତ୍ରୈମାସିକ ଉତ୍ପାଦ ପାଖାପାଖି ୨୪ ପ୍ରତିଶତ ହ୍ରାସ ପାଇଛି। ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଏହା ଆଠ ପ୍ରତିଶତରୁ ଅଧିକ ହ୍ରାସ ପାଇବ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ ଆକଳନ କରାଯାଉଛି। ଏହି ପରିସ୍ଥିତିରେ ରାଜ୍ୟର ଉତ୍ପାଦନ ମଧ୍ୟ ପ୍ରାୟ ସେଇ ହାରରେ ହ୍ରାସ ପାଇବାର ସମ୍ଭାବନା ରହୁଛି। ବ୍ୟାପକ ମାତ୍ରାରେ ନିଯୁକ୍ତି ଏବଂ ରୋଜଗାର ହ୍ରାସ ଘଟୁ ଥିବାରୁ ତୃତୀୟ ତ୍ରୈମାସିକରେ ଉତ୍ପାଦନ ଅଭିବୃଦ୍ଧି ନେଇ ସଂଶୟ ରହୁଛି। ଏହି ପରିସ୍ଥିତିରେ ୨୦୨୦-୨୧ ଆର୍ଥିକ ବର୍ଷରେ କୌଣସି ପ୍ରକାରେ ରାଜ୍ୟର ମୋଟ ଉତ୍ପାଦନ ଅଭିବୃଦ୍ଧି ହାସଲ କରିବାର ସମ୍ଭାବନା ନାହିଁ ବରଂ ଏହା ୧୦ ପ୍ରତିଶତରୁ ଅଧିକ ସଙ୍କୁଚିତ ହେବା ପ୍ରାୟ ନିଶ୍ଚିତ।
ରାଜ୍ୟର ମୋଟ ଉତ୍ପାଦନ ହ୍ରାସ ପାଇଲେ ରାଜସ୍ବ ସଂଗ୍ରହ ସିଧାସଳଖ ହ୍ରାସ ପାଇବ। ଏହି ପରିସ୍ଥିତିରେ ଦୁଇ ପ୍ରକାର ପରାମର୍ଶ ଆସିପାରେ। ପ୍ରଥମଟି ହେଲା, ବ୍ୟକ୍ତିଗତ ଆର୍ଥିକ ପରିଚାଳନା ନୀତିକୁ ଆପଣାଇଲେ ରାଜସ୍ବ ହ୍ରାସ ପାଉଥିବାରୁ ବ୍ୟୟ ହ୍ରାସ କରାଯିବା ଉଚିତ ବୋଲି ଅନେକେ ମତ ପୋଷଣ କରିପାରନ୍ତି। କିନ୍ତୁ ପ୍ରକୃତ ପକ୍ଷେ ସରକାରୀ ଆର୍ଥିକ ପରିଚାଳନା ନୀତି ବ୍ୟକ୍ତିଗତ ଆର୍ଥିକ ପରିଚାଳନା ନୀତିଠାରୁ ଭିନ୍ନ। ଦ୍ୱିତୀୟ ପରାମର୍ଶଟି ହେଲା ଏହି ସମୟରେ ଘରୋଇ ପୁଞ୍ଜି ନିବେଶ ଆସିବା ଅନିଶ୍ଚିତ ବା ହ୍ରାସ ପାଇବ ଏବଂ ଏହି ଧାରା ବିଗତ ନଅବର୍ଷ ହେଲାଣି ଜାରି ରହିଛି। ଦେଶର ମୋଟ ପୁଞ୍ଜି ନିବେଶ ୨୦୧୧ରେ ଜାତୀୟ ଉତ୍ପାଦର ପ୍ରାୟ ୪୦ ପ୍ରତିଶତରୁ ଖସି ଆସି ବର୍ତ୍ତମାନ ୩୦ ପ୍ରତିଶତ ତଳକୁ ଗଲାଣି। ଏହି ପରିସ୍ଥିତିରେ ଅର୍ଥନୀତି ଅଭିବୃଦ୍ଧିକୁ ଉପରକୁ ନେବାକୁ ହେଲେ ସରକାରୀ ବ୍ୟୟ ବା ପୁଞ୍ଜି ନିବେଶ ବୃଦ୍ଧି କରିବାକୁ ହେବ।
ଏହି ପରିପ୍ରେକ୍ଷୀରେ କରୋନାର ପ୍ରାୟ ନଅ ମାସ ପରେ ବା ୨୦୨୦-୨୧ ଆର୍ଥିକବର୍ଷର ଆଠ ମାସ ପରେ ଆମେ ଓଡ଼ିଶାର ଆର୍ଥିକ ପରିଚାଳନାର ଏକ ନିରପେକ୍ଷ ମୂଲ୍ୟାୟନ କରିବା। ରାଜ୍ୟ ସରକାର ବଜେଟରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧, ୨୪, ୩୦୦ କୋଟି ଟଙ୍କା ରାଜସ୍ବ ସଂଗ୍ରହର ଆକଳନ କରିଥିଲେ। ଚଳିତ ଆର୍ଥିକବର୍ଷର ଛଅ ମାସ ଶେଷରେ ଅର୍ଥାତ୍‌ ସେପ୍ଟେମ୍ବର ଶେଷ ସୁଦ୍ଧା ପାଖାପାଖି ୩୭ପ୍ରତିଶତ ରାଜସ୍ବ ସଂଗ୍ରହ କରି ପାରିଛନ୍ତି। ଗତ ମାସ ଏହି ସମୟ ସୁଦ୍ଧା ରାଜ୍ୟ ସରକାର ବଜେଟ ଆକଳନର ପାଖାପାଖି ୪୩ପ୍ରତିଶତ ରାଜସ୍ବ ସଂଗ୍ରହ କରିପାରିଥିଲେ। ରାଜ୍ୟର ନିଜସ୍ବ କର ଭିତରେ ଜିଏସ୍‌ଟି, ଭୂ-ରାଜସ୍ବ, ଷ୍ଟାମ୍ପ ଏବଂ ରେଜିଷ୍ଟ୍ରେଶନ ଫି, ବିକ୍ରି କର, ଅବକାରୀ କର ଆଦି ଥାଏ ଏଥି ମଧ୍ୟରୁ ଭୂ-ରାଜସ୍ବ, ଷ୍ଟାମ୍ପ ଏବଂ ରେଜିଷ୍ଟ୍ରେଶନ ଫି ମାଧ୍ୟମରେ ରାଜସ୍ବ ସଂଗ୍ରହ ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି। ସର୍ବାଧିକ ରାଜସ୍ବ ହାନି ହୋଇଛି ରାଜ୍ୟ ଅବକାରୀ କର ସଂଗ୍ରହରେ। ଗତବର୍ଷ ତୁଳନାରେ ମାତ୍ର ଅଧା ରାଜସ୍ବ ସଂଗ୍ରହ ହୋଇପାରିଛି। ସେହିପରି ଜିଏସ୍‌ଟି ସଂଗ୍ରହ ଏବଂ ବିକ୍ରି କର ସଂଗ୍ରହ ମଧ୍ୟ ଯଥାକ୍ରମେ ଛଅ ଏବଂ ଦଶ ପ୍ରତିଶତ ହ୍ରାସ ପାଇଛି। ନିଜସ୍ବ ଅଣ-କର ରାଜସ୍ବ ମଧ୍ୟ ପାଖାପାଖି ଛଅ ପ୍ରତିଶତ ହ୍ରାସ ପାଇଛି। କେନ୍ଦ୍ରରୁ ଆସୁଥିବା କର-ଭାଗ ଏବଂ ଅନୁଦାନ ଯଥାକ୍ରମେ ତିନି ଓ ପାଞ୍ଚ ପ୍ରତିଶତ ହ୍ରାସ ପାଇଛି । ରାଜ୍ୟ ସରକାର ବିଶେଷ ଋଣ ନ କରି ସଞ୍ଚିତ ଥିବା ବିଭିନ୍ନ ଅର୍ଥକୁ ବିନିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସିଏଜି ୱେବ୍‌ସାଇଟରେ ରାଜ୍ୟ ସରକାର ଦେଉଥିବା ମାସିକ ଆର୍ଥିକ ସ୍ଥିତିକୁ ଆମେ ଟିକେ ପରଖିବା ଉଚିତ। ଏହି ତଥ୍ୟରୁ ଜଣାପଡେ ଯେ, ରାଜସ୍ବ ତୁଳନାରେ ରାଜ୍ୟର ବ୍ୟୟ ଅଧିକ ମାତ୍ରାରେ ସଙ୍କୁଚିତ ହୋଇଛି। ରାଜସ୍ବ ସଂଗ୍ରହ ପାଖାପାଖି ଛଅ ପ୍ରତିଶତ ହ୍ରାସପାଇଥିବା ବେଳେ ରାଜ୍ୟର ରାଜସ୍ବ ବ୍ୟୟ ପାଖାପାଖି ତେର ପ୍ରତିଶତ ହ୍ରାସ ପାଇଛି ଏବଂ ପୁଞ୍ଜି ବ୍ୟୟ ଅଠର ପ୍ରତିଶତ ହ୍ରାସ ପାଇଛି। ଏହିପରି ଭାବରେ ରାଜ୍ୟର ମୋଟ ବ୍ୟୟ ପାଖାପାଖି ୧୪ ପ୍ରତିଶତ ହ୍ରାସ ପାଇଛି। ରାଜସ୍ବ ବ୍ୟୟ ମଧ୍ୟରେ ଦରମା ଓ ମଜୁରି, ସୁଧ ପରିଶୋଧ ଏବଂ ସବ୍‌ସିଡି ବ୍ୟୟ ଅତି ସ୍ବଳ୍ପ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ପେନ୍‌ସନ ବ୍ୟୟ ୧୩ ପ୍ରତିଶତ ହ୍ରାସ ପାଇଛି।
ସାମାଜିକ କ୍ଷେତ୍ରରେ ବ୍ୟୟ ସର୍ବାଧିକ ୩୦ ପ୍ରତିଶତ ହ୍ରାସ ପାଇଛି। ବିଗତ ବର୍ଷ ତୁଳନାରେ ରାଜ୍ୟର ବଳକା ରାଜସ୍ବ (ରେଭିନ୍ୟୁ ସରପ୍ଲସ) ପରିମାଣ ୪,୧୨୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୬,୭୯୦ କୋଟିରେ ପହଞ୍ଚିଛି। ସେହିପରି ଗତବର୍ଷ ପ୍ରଥମ ଛଅ ମାସ ସୁଦ୍ଧା ରାଜ୍ୟ ସରକାର ୧୭୮୨ କୋଟି ଟଙ୍କା ଆର୍ଥିକ ନିଅଣ୍ଟ ଦର୍ଶାଇ ଥିବା ସମୟରେ ଏହି ବର୍ଷ ୧୦୩୦ କୋଟି ଟଙ୍କା ଆର୍ଥିକ ବଳକା (ଫିସକାଲ ସରପ୍ଲସ) ଦର୍ଶାଇଛନ୍ତି।
ବ୍ୟକ୍ତିଗତ ଆର୍ଥିକ ପରିଚାଳନା ନୀତିକୁ ନେଇ ଆଲୋଚନା କଲେ ଆମେ ଭାବିପାରିବା ଯେ ଆମ ରାଜ୍ୟ ସରକାର ନିଶ୍ଚିତ ବହୁତ ଧନୀ ହୋଇଥିବେ। ତାଙ୍କ ପାଖରେ ଏତେ ଧନ ସମ୍ପତ୍ତି ଅଛି ଯେ ସେ ନିଜେ ଖର୍ଚ୍ଚ କରି ପାରୁନାହାନ୍ତି। ଅନ୍ୟପ୍ରକାରେ ଆମେ ଭାବି ପାରିବା ଯେ ଆମ ରାଜ୍ୟରେ ସବୁ ଲୋକ ଅତ୍ୟନ୍ତ ଖୁସିରେ ନିଶ୍ଚିତ ଅଛନ୍ତି; ସବୁ ଲୋକ ପାଖରେ ସବୁ କିଛି ଉପଲବ୍ଧ ରହିଛି; ଯାହା ଫଳରେ ରାଜ୍ୟ ସରକାର ଆଉ କାହା ପାଇଁ କିଛି କରିବା ଆବଶ୍ୟକ ନାହିଁ। କିନ୍ତୁ ବାସ୍ତବରେ କ’ଣ ଏହା ସତ ? ନା ଆମ ରାଜ୍ୟ ସରକାର ଜନସାଧାରଣଙ୍କର ସମସ୍ୟା ବିଷୟରେ ଅବଗତ ନୁହନ୍ତି ? ରାଜ୍ୟର ପ୍ରାୟ ୩୩ ପ୍ରତିଶତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା କଥା ତ ସରକାର ନିଜେ କହୁଛନ୍ତି। ଅର୍ଥ ଆୟୋଗ ବା କେନ୍ଦ୍ର ସରକାରଙ୍କୁ ଅନୁଦାନ ମାଗିବା ବେଳେ ଆମ ରାଜ୍ୟ ସବୁଠାରୁ ଗରିବ ବୋଲି କହୁଛନ୍ତି। ଏସବୁ ଦୁଃଖଠାରୁ ତ କରୋନା ଲକ୍‌ଡାଉନ ସମୟରେ ଯେଉଁ ହୃଦୟ ବିଦାରକ ଦୃଶ୍ୟ ସବୁ ଆମେ ସମସ୍ତେ ଦେଖିଲେ ତାହା କ’ଣ ରାଜ୍ୟ ସରକାର ଦେଖିପାରିଲେନି ? ମୁଠାଏ ଖାଇବା ପାଇଁ ଅନ୍ୟ ରାଜ୍ୟରେ ଖୋଲାଯାଇଥିବା ଅନ୍ନଛତ୍ର ଆଗରେ ଧାଡିରେ ଛିଡା ହୋଇ ଆମ ଭାଇମାନେ ମାଡ଼ ବି ଖାଇଲେ। ଏସବୁ ସମସ୍ୟାରେ ପଡି ରାଜ୍ୟର ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରୁ କିଏ ଚାଲିଚାଲି ଆସିଲା ତ ଆଉ କିଏ ସାଇକେଲରେ ଆସିଲା; କିଏ ନିଜେ ବସ୍‌ କିମ୍ବା ଟ୍ରକ୍‌ ଭଡାକରି ଆସିଲା ତ ଆଉ କିଏ ନିଜ ଜୀବନକୁ ବାଜି ଲଗାଇ ଡଙ୍ଗା କିଣି ଆସିଲା।
ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦେଖି ରାଜ୍ୟର ବୁଦ୍ଧିଜୀବୀ ପ୍ରବାସୀ ଶ୍ରମିକମାନଙ୍କ କୌଶଳ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ନିଜ ଅଞ୍ଚଳରେ ଯୋଗ୍ୟତା ହିସାବରେ ନିଯୁକ୍ତି ଦେବା ପାଇଁ ଅନେକ ପରାମର୍ଶ ଦେଲେ। କିନ୍ତୁ ଏସବୁ ବୋଧେ କାହାର କର୍ଣ୍ଣ ଭେଦ୍ୟ ହେଲା ନାହିଁ। ଅନେକ ଯୁବତୀ ଯୁବକ ନିଯୁକ୍ତି ପାଇଁ ବେଶ୍‌ କିଛିଦିନ ଅପେକ୍ଷା କରି ପୁଣି ସେମାନଙ୍କର କାର୍ଯ୍ୟସ୍ଥଳକୁ ଫେରି ଗଲେଣି। ଅନେକେ ମଧ୍ୟ ଏବେ ବି ବିଦେଶରୁ ଓ ବାହାର ରାଜ୍ୟରୁ ଜୀବିକା ହରାଇ ରାଜ୍ୟକୁ ଫେରୁଛନ୍ତି। ମହାମାରୀ ଭୟରେ ସ୍କୁଲ କଲେଜ ସବୁ ବନ୍ଦ। ଛାତ୍ରୀଛାତ୍ରମାନଙ୍କୁ ଅନ୍‌ଲାଇନରେ ପାଠପଢ଼ା ଯାଉଥିବାର ରାଜ୍ୟ ସରକାର କହୁଛନ୍ତି। ଗ୍ରାମାଞ୍ଚଳରେ ଏବଂ ଦୁର୍ଗମ ଅଞ୍ଚଳରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ମୋବାଇଲ, କମ୍ପ୍ୟୁଟର, ଇଣ୍ଟରନେଟ୍‌ ଅଭାବରୁ ପାଠ ପଢିପାରୁ ନାହାନ୍ତି। ନିକଟରେ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ମୋବାଇଲ ଫୋନ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ଦେଖିବାର ଅଛି କେତେ ଜଣ ଛାତ୍ରୀଛାତ୍ର ଏହି ସୁବିଧା ପାଉଛନ୍ତି।
ମନରେ ପ୍ରଶ୍ନ ଆସେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତି ଦୁର୍ଗତିର ସମ୍ମୁଖୀନ ହେଉଥିଲା ବେଳେ ସରକାର ବଳକା ରାଜସ୍ବ କାହା ପାଇଁ ରଖିଛନ୍ତି ? ଆର୍ଥିକ ଶୃଙ୍ଖଳାର ଦ୍ୱାହି ଦେଇ ରାଜ୍ୟର ଯୁବତୀଯୁବକମାନଙ୍କୁ ପାଠପଢ଼ାରୁ ବଞ୍ଚିତ କରି ଏବଂ ବାହାର ରାଜ୍ୟରେ ଅମାନୁଷିକ ସ୍ଥିତିରେ କାମ କରିବାକୁ ଘରୁ ତଡି ଦେଇ ସରକାର କାହା ପାଇଁ ଟଙ୍କା ସଞ୍ଚୟ କରୁଛନ୍ତି ? ସରକାର ‘ଦରିଦ୍ରର ସଞ୍ଚୟ’ ଯଶ ବାନା ଉଡାଇବେ କି?
ଅର୍ଥନୀତି ପ୍ରାଧ୍ୟାପକ
ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା
ପ୍ରତିଷ୍ଠାନ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri